ଏସିଡିଟି ଦୂର କରିବା ପାଇଁ କ’ଣ ସବୁ ଘରୋଇ ଉପଚାର ରହିଛି ଚାଲନ୍ତୁ ସେ ବିଷୟରେ ଜାଣିବା।

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟପାନୀୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏସିଡିଟି ପାଇଁ ଅନେକ ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ତେବେ ଘରୋଇ ଉପଚାରରେ ଏସିଡିଟିକୁ କେମିତି କରିବେ ଦୂର?

ଜୁଆଣୀ

ଜୁଆଣୀ ପେଟ ସମସ୍ୟା ଓ ଏସିଡିଟି ପାଇଁ ବେଶ୍‌ ଉପକାରୀ। କିଛି ପରିମାଣର ଜୁଆଣିକୁ ଗୋଟେ କପ୍‌ ପାଣିରେ ଫୁଟାନ୍ତୁ ଯେମିତି ସେଇ ଗୋଟେ କପ ଅଧା କପ୍‌ ହୋଇ ଯିବ। ଏହି ପାଣିକୁ ପିଅନ୍ତୁ।

ଏହାଛଡ଼ା ଜୁଆଣୀ ଫୁଲକୁ ଗୋଟେ ଗ୍ଲାସ୍‌ ପାଣିରେ ବୁଡ଼ାଇ ରଖନ୍ତୁ। ଏହି ପାଣିକୁ ଖାଲିପେଟରେ ପିଅନ୍ତୁ। ଏହାଦ୍ଵାରା ଏସିଡିଟି ସମସ୍ୟା ଦୂର ହୋଇଥାଏ। ଅଥବା ଖାଇସାରିବା ପରେ ୫ଟି ଜୁଆଣୀ ପତ୍ରକୁ ଚୋବାଇ ଚୋବାଇ ଖାଆନ୍ତୁ। ଏହା ଖାଦ୍ୟ ହଜମରେ ସାହାଯ୍ୟ କରେ।

ଜିରା

କିଛି ପରିମଣର ଜିରାକୁ ବାଟି ଗୁଣ୍ଡ କରନ୍ତୁ ଏବଂ ଏହାକୁ କଳା ଲୁଣ ସହ ମିଶାଇ ଖାଇଲେ ଏସିଡିଟିରୁ ଉପଶମ ମିଳିଥାଏ।

ଏସିଡିଟି ହୋଇଥିଲେ କିଛି ଭଜା ଜୀରାଗୁଣ୍ଡ ପାଣିରେ ମିଶେଇ ପିଅନ୍ତୁ। ନଚେତ୍‌ କିଛି ଜୀରାକୁ ପାଣିରେ ଫୁଟାଇ ଦିଅନ୍ତୁ ଓ ସେହି ଜୀରାପାଣିକୁ ଛାଣି ଦିନରେ ବାରମ୍ବାର ପିଅନ୍ତୁ, ଆରାମ ମିଳିବ।

ପୋଦିନା ପତ୍ର

ସବୁଦିନ ଖାଦ୍ୟରେ ପୋଦିନା ପତ୍ର ସାମିଲ କରନ୍ତୁ। ପ୍ରତିଦିନ ଖାଇବା ବେଳେ ସାଲାଡରେ ପୋଦିନା ପତ୍ରକୁ କାଟି ମିଶାଇ ଏହାକୁ ଖାଇପାରିବେ।

ବେଲ ପତ୍ର

ପ୍ରତିଦିନ ତିନି ଡେମ୍ଫଥିବା ତିନୋଟି ବେଲ ପତ୍ରକୁ ୫ଟି ଗୋଲମରିଚ ସହିତ ମିଶାଇ ଚୋବାନ୍ତୁ। ଏହାର ୫ ମିନିଟ୍‌ ପରେ ପାଣି ପିଅନ୍ତୁ।

ଏସିଡିଟି ସମସ୍ୟା ସବୁବେଳେ ଲାଗିରହୁଥିଲେ ଚା’ କଫି, ମଦ୍ୟପାନରୁ ନିବୃତ୍ତ ରହନ୍ତୁ। ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଫାଷ୍ଟ ଫୁଡ୍‌, ତେଲମସଲା ଆଦି ଖାଇବା ବନ୍ଦ କରନ୍ତୁ। ଦିନରେ ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ।