କୋଭିଡ୍ ବିପକ୍ଷରେ କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ବିଶିଷ୍ଟ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଶରୀରର ପ୍ରତିରକ୍ଷା ପ୍ରଣାଳୀ ଠିକ୍‌ ଭାବେ କାମ କରିବା ପାଇଁ ଅନେକଗୁଡ଼ିଏ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍‌ ଆବଶ୍ୟକତା ପଡ଼ିଥାଏ। ଶରୀରରେ ଭିଟାମିନ୍-ଏ, ଡି, ଇ, ଜିଙ୍କ, ସେଲେନିୟମ୍‌ ଭଳି ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌ ପର୍ଯ୍ୟାପ୍ତ ପରିମାଣରେ ଥିଲେ ରୋଗ ପ୍ରତିରୋଧକ ଶକ୍ତି ଭଲଭାବେ କାର୍ଯ୍ୟ କରିଥାଏ। ଏହି ନ୍ୟୁଟ୍ରିଏଣ୍ଟସ୍‌ର ଅଭାବ ହେଲେ ପ୍ରତିରକ୍ଷା ପ୍ରଣାଳୀର କାର୍ଯ୍ୟଦକ୍ଷତାରେ ଅସୁବିଧା ହୁଏ। ଏଥିପାଇଁ କୌଣସି ଭିଟାମିନ୍‌ ବଟିକା ଖାଇବାର ଆବଶ୍ୟକତା ନାହିଁ। ଘରେ ତିଆରି ହେଉଥିବା ତଟକା ସବୁଜ ପନିପରିବା, ତରକାରି ଯେଉଁଥିରେ ଅଦା, ହଳଦୀ, ରଶୁଣ ପଡ଼ି ରୋଷେଇ ହୋଇଥାଏ। ଏହାକୁ ଖାଦ୍ୟ ତାଲିକାରେ ସାମିଲ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ସଠିକ୍ ଭାବେ କାମ କରିବା ପାଇଁ ଆପଣଙ୍କୁ ମାନସିକ ଭାବେ ଚାପ ମୁକ୍ତ ରହିବା ଦରକାର। ଆମେ ଚାପମୁକ୍ତ ରହିଲେ ଆମ ଶରୀରରେ ଥିବା ଇମ୍ୟୁନିଟି ସିଷ୍ଟମ ଭଲ ଭାବେ କାମ କରିଥାଏ। ଚାପଗ୍ରସ୍ତ ହେଲେ ଏହାର କ୍ଷମତା କମିଯାଇଥାଏ। 

ଦୈନିକ ୬ରୁ ୮ ଘଣ୍ଟା ଶୁଅନ୍ତୁ। ଆମେ ଶୋଇଥିବା ସମୟରେ ଆମ ଶରୀରରୁ ଅନେକ ହରମୋନ୍ ଓ ରସାୟନ ନିର୍ଗତ ହୁଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍ ଭାବେ କାମ କରାଇବାରେ ସାହାଯ୍ୟ କରିଥାଏ।

ନିୟମିତ ବ୍ୟାୟାମ କରନ୍ତୁ। କରୋନା ପାଇଁ ପ୍ରଭାବଶାଳୀ ବ୍ୟାୟାମ ହେଉଛି ବ୍ରିଦିଙ୍ଗ ଏକ୍ସରସାଇଜ୍‌। ଦୀର୍ଘ ନିଶ୍ୱାସ ପ୍ରଶ୍ୱାସ ନେବା ଦ୍ୱାରା ଶରୀର ପୂର୍ବଅପେକ୍ଷା ଅଧିକ ଏବଂ ଭଲ ଭାବରେ ଅମ୍ଳଜାନ ଗ୍ରହଣ କରିଥାଏ। 

ଅଧିକ ପଢ଼ନ୍ତୁ: କରୋନାରୁ ସୁସ୍ଥ ହେବା ପରର ସତର୍କତା


ରୋଗ ପ୍ରତିରୋଧକ ଶକ୍ତି କ’ଣ? 

ଆମ ଶରୀରର ରକ୍ତରେ ‘ଶ୍ୱେତ ରକ୍ତ କଣିକା’ ବୋଲି ଏକ କୋଷ ରହିଛି। ଏହି ଶ୍ୱେତ ରକ୍ତ କଣିକା ହେଉଛି ଆମ ଶରୀରର ପ୍ରତିରକ୍ଷା ବାହିନୀ। ଯେକୌଣସି ଜୀବାଣୁ କିମ୍ବା ଭୂତାଣୁ ଆମ ଶରୀରକୁ ଆକ୍ରମଣ କଲେ ଏହି ଶ୍ୱେତ ରକ୍ତ କଣିକା ତାହାର ବାଟକୁ ଅବରୋଧ କରେ ଏବଂ ତାହା ସହ ଯୁଦ୍ଧ କରିଥାଏ। ତେଣୁ ଶ୍ୱେତ ରକ୍ତ କଣିକାକୁ ଆମ ଶରୀରର ଯୋଦ୍ଧା ବୋଲି ମଧ୍ୟ କୁହାଯାଏ।

ଶରୀରକୁ ଯେଉଁ ଭୂତାଣୁ ପ୍ରବେଶ କରିବାକୁ ଚେଷ୍ଟା କରେ ସେହି ନିର୍ଦ୍ଦିଷ୍ଟ ଭୂତାଣୁ ସହିତ ଲଢ଼େଇ କରିବାକୁ ଏକ ସ୍ୱତନ୍ତ୍ର ଆଣ୍ଟିବଡି ଇମ୍ମ୍ୟୁନିଟି ତିଆରି ହୋଇଥାଏ।

ଦ୍ୱିତୀୟ ରୋଗ ପ୍ରତିରୋଧକ ଶକ୍ତି ହେଉଛି ସେଲ୍ ମିଡିଏଟେଡ୍ ଇମ୍ମ୍ୟୁନିଟି। ଏହା ଦୁଇ ପ୍ରକାରର ଯଥା ଟି ସେଲ୍ ଏବଂ ବି ସେଲ୍ । ଏହି କୋଶଗୁଡ଼ିକ ବହୁତ ଶକ୍ତିଶାଳୀ। ଯେତେବେଳେ ଶରୀରକୁ ବାହ୍ୟ ଭୂତାଣୁ ପ୍ରବେଶ କରେ ସେତେବେଳେ ଏହି କୋଶ ଶରୀରରେ ଅତ୍ୟଧିକ ସାଇଟୋକାଇନ୍ ଉତ୍ପାଦନ କରନ୍ତି, ଯାହା ଭୂତାଣୁ ଦ୍ୱାରା ହେଉଥିବା କ୍ଷତିକୁ ପ୍ରତିରୋଧ କରିଥା’ନ୍ତି।  

ରୋଗ ପ୍ରତିରୋଧକ ଶକ୍ତି କେବେ ରାତାରାତି ବଢ଼ିବ ନାହିଁ। ଏହା ବ୍ୟତୀତ ବଜାରରେ ମିଳୁଥିବା ଇମ୍ୟୁନିଟି ବୁଷ୍ଟର ଭଳି ଔଷଧ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ନାହିଁ। ତେବେ କୌଣସି ଔଷଧ ଖାଇ ଆପଣ ତତ୍‌କ୍ଷଣାତ୍ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇପାରିବେ ନାହିଁ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ହେଲେ ଆମେ ଜୀବନଶୈଳୀ ଓ ଖାଦ୍ୟପେୟ ଉପରେ ଉନ୍ନତି ଆଣିବାକୁ ହେବ।

ଏଥିସହ ଆଜିକାଲି ଯେଉଁ କୋଭିଡ୍ ଆଣ୍ଟିବଡି ବିଷୟରେ ଚର୍ଚ୍ଚା ହେଉଛି ତାହା ଆପେ ଆପେ ଶରୀରକୁ ଆସେ ନାହିଁ। ଥରେ କରୋନାର ସଂସ୍ପର୍ଶରେ ଆସିବା ପରେ ଶରୀର ସେହି ଆଣ୍ଟିବଡିକୁ ତିଆରି କରିଥାଏ। ଏହାସହ ଏହି ଆଣ୍ଟିବଡିକୁ ତିଆରି କରିବାକୁ ହେଲେ ଭ୍ୟାକ୍ସିନ୍‌ ନେବା ଜରୁରୀ। ତେଣୁ କରୋନାଠାରୁ ବର୍ତ୍ତିବାକୁ ହେଲେ ଭ୍ୟାକ୍ସିନ୍ ନିଅନ୍ତୁ।    

(ସ୍ୱାସ୍ଥ୍ୟ  ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: This information on Immunity, in Odia language, is based on an extensive interview with Rheumatologist Dr. Jyoti Ranjan Parida.