ପୁଷ୍ଟିକର ଓ ସ୍ୱାଦିଷ୍ଟ ଓଡ଼ିଶା ପ୍ରସିଦ୍ଧ ଡାଲ୍‌ମା। ଜାଣନ୍ତୁ ଏହାର ପ୍ରସ୍ତୁତି?

ଆବଶ୍ୟକୀୟ ସାମଗ୍ରୀ:-

  • ଡାଲି (ହରଡ) – ୧ କପ୍
  • କଟା ପରିବା – ୧ କପ୍ (ବାଇଗଣ, କଖାରୁ, ସାରୁ, ଦେଶୀ ଆଳୁ, ପୋଟଳ, ଜହ୍ନି)
  • ଟମାଟୋ ଫାଳେ
  • ଲୁଣ, ହଳଦିଗୁଣ୍ଡ
  • ଜୀରା ଗୁଣ୍ଡ, ଡାଲଚିନି ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ
  • ଶୁଖିଲା ଲଙ୍କା -୧ଟା
  • ଦେଶୀ ଘିଅ – ୧ ଚାମଚ
  • ଫୁଟଣ – ୧ ଚାମଚ, ହେଙ୍ଗୁ, ଅଧାଚାମଚ
  • ଅଳ୍ପ ଭୃସଙ୍ଗ ପତ୍ର, ଚିନି-ଅଧା ଚାମଚ
  • ଅଳ୍ପ ଧନିଆ ପତ୍ର
  • ଅଦା ଛୋଟ ଖଣ୍ଡେ
  • ତେଜପତ୍ର -୨ଟା
  • ନଡ଼ିଆ କୋରା – ୨ ଚାମଚ

ଅଧିକ ପଢ଼ନ୍ତୁ: ହାଡ଼କୁ ମଜଭୁତ କରେ ମଟନ ସୁପ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

ପ୍ରସ୍ତୁତି ପ୍ରଣାଳୀ:-

ଗୋଟିଏ ପ୍ରେସର କୁକର ନେବେ ସେଥିରେ ଏକ କପ୍ ହରଡ଼ ଡାଲି ଭଲ ଭାବରେ ଧୋଇ ପକାଇବେ। ତା’ ପରେ ପରିବା କଟା ପକାଇବେ, ଟମାଟୋ, ଲୁଣ, ହଳଦୀଗୁଣ୍ଡ ଏବଂ 2ଟା ତେଜପତ୍ର ପକାଇ ଦୁଇ କପ୍ ପାଣି ଦେଇ କୁକରର ଢାଙ୍କୁଣି ବନ୍ଦ କରି ହାଇ ଆଞ୍ଚରେ ଗୋଟିଏ ହୁଇସିଲ୍ ଦେଲେ ଗ୍ୟାସ୍ ବନ୍ଦ କରିବେ। ତା’ ପରେ ଏକ କଡ଼ାଇକୁ ଗରମ କରିବେ ସେଥିରେ ଦେଶୀ ଘିଅ ପକାଇବେ । ତା’ ପରେ ଶୁଖିଲା ଲଙ୍କା ଏବଂ ଫୁଟଣ ପକାଇବେ। ଫୁଟଣ ଫୁଟିଗଲେ ଅଧା ଚାମଚ ହେଙ୍ଗୁ ଏବଂ ଭୃସଙ୍ଗ ପତ୍ର ପକାଇ ଭାଜିବେ ତା’ ପରେ ପ୍ରେସର କୁକର ଖୋଲି ଏହି ଛୁଙ୍କକୁ ପକାଇବେ ତା’ ପରେ ଏଥିରେ ଦୁଇଚାମଚ ନଡ଼ିଆ କୋରା, ଅଦା ଖଣ୍ଡେ ଛେଚି ପକାଇ ଗ୍ୟାସ୍ ଉପରେ ପ୍ରେସର କୁକରକୁ ପୁଣି ବସାଇବେ। ତା’ପରେ ଏଥିରେ ଜୀରା ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଡାଲଚିନି ଗୁଣ୍ଡ ଏବଂ ଅଧାଚାମଚ ଚିନି ପକାଇ ଗୋଳାଇବେ। ଯଦି ଡାଲ୍‌ମା ବେଶୀ ବହଳିଆ ହୋଇଥିବ ଆବଶ୍ୟକ ଅନୁସାରେ ଉଷୁମ ପାଣି ଦେଇ ଫୁଟାଇବେ। ତା’ ପରେ ଗ୍ୟାସ୍ ବନ୍ଦ କରି ଧନିଆ ପତ୍ର ପକାଇ ଗରମ ଗରମ ଭାତ, ରୁଟି କିମ୍ବା ପିଠା ସହିତ ଖାଇବେ।