ପରିବାରରେ ଆର୍ଥିକ ସଙ୍କଟ ଦେଖାଦେଲେ ଝିଅକୁ ହିଁ ତା’ ପାଠ ପଢ଼ାରେ ଡୋରି ବାନ୍ଧିବାକୁ ପଡୁଛି। ହେଲେ ଝିଅମାନେ ମଧ୍ୟ ପାଠ ପଢ଼ି ନିଜ ଭବିଷ୍ୟତ ଗଢ଼ିପାରିବେ ଏବଂ ପରିବାର ଦାୟିତ୍ୱ ମଧ୍ୟ ତୁଲାଇ ପାରିବେ। ୟୁନିସେଫ ‘ମୀନା’ ଆନିମେସନ ସିରିଜର ‘କଣ ମୀନା ସ୍କୁଲ ଯିବା ଛାଡ଼ି ଦେବ’ ଅଧ୍ୟାୟରେ ଝିଅମାନଙ୍କ ପାଠ ପଢ଼ିବାର ଆବଶ୍ୟକତା ଉପରେ ବାର୍ତ୍ତା ଦିଆଯାଇଛି।

ୟୁନିସେଫ ‘ମୀନା’ ଆନିମେସନ ସିରିଜର ଏହି ଅଧ୍ୟାୟରେ, ପରିବାରର ଆର୍ଥିକ ଅନାଟନ ଭିତରେ ମୀନାକୁ ସ୍କୁଲ ଛାଡ଼ିବା ଭଳି ପରିସ୍ଥିତି ଦେଖିବାକୁ ପଡ଼ିଛି। ହେଲେ ମୀନାର ପାଠ ପଢ଼ିବାର ଇଚ୍ଛା ବଳରେ ତାକୁ କେହି ରୋକି ପାରିନାହାଁନ୍ତି। ପାଠ ପଢ଼ିଥିବା ଯୋଗୁଁ ମୀନା ସାହୁକାରର ଠକାମୀରୁ ତା’ ବାପାଙ୍କୁ ଉଦ୍ଧାର କରିଛି। ଘରର ସଠିକ ନିଷ୍ପତ୍ତି ମଧ୍ୟ ନେଇ ପାରିଛି।

ଏବେବି ଅନେକ ପରିବାରରେ ଝିଅମାନଙ୍କୁ ପାଠ ପଢ଼ିବାକୁ ଅନୁମତି ଦିଆଯାଉନାହିଁ। ପୁଅଙ୍କୁ ଯେଉଁ ଭଳି ସ୍ୱାଧୀନତା ଦିଆଯାଉଛି, ଝିଅଙ୍କୁ ସେମିତି କୌଣସି ସୁବିଧା ମିଳୁନାହିଁ। କିଛି ପରିବାରର ଆର୍ଥିକ ସଙ୍କଟ ସମୟରେ ଝିଅକୁ ହିଁ ତା’ ପାଠ ପଢ଼ାରେ ଡୋରି ବାନ୍ଧିବାକୁ ପଡୁଛି। ହେଲେ ଝିଅମାନେ ମଧ୍ୟ ପାଠ ପଢ଼ି ନିଜ ଭବିଷ୍ୟତ ଗଢ଼ିପାରିବେ। ଏହା ବ୍ୟତୀତ ଝିଅମାନେ ମଧ୍ୟ ପରିବାର ଦାୟିତ୍ୱ ମଧ୍ୟ ତୁଲାଇ ପାରିବେ। ୟୁନିସେଫ ‘ମୀନା’ ଆନିମେସନ ସିରିଜର ଏହି ଅଧ୍ୟାୟରେ ଝିଅମାନଙ୍କ ପାଠ ପଢ଼ିବାର ଆବଶ୍ୟକତା ଉପରେ ସମାଜକୁ ସଠିକ ବାର୍ତ୍ତା ଦିଆଯାଇଛି।

ମୀନା – କେମିତି  କାହିଁକି ଆରମ୍ଭ ହୋଇଥିଲା?

ୟୁନିସେଫ ଦ୍ୱାରା ପ୍ରଯୋଜିତ “ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଟୁନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ।

ବାସ୍ତବରେ, ମୀନା ଜଣେ ୯ ବର୍ଷୀୟା ସାହସୀ ବାଳିକା ଯିଏକି ଦକ୍ଷିଣ ଏସିଆର ଶିଶୁମାନଙ୍କର ଜୀବନକୁ ପ୍ରତିଫଳିତ କରିଥାଏ। ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗର ଖୁବ ଚତୁର ଭାବେ ମୁକାବିଲା କରିବା ସହିତ ଶିଶୁକନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ନେଇ ସେ ଲୋକଙ୍କୁ ସଚେତନ କରିଥାଏ। ଏହି ସିରିଜରେ ସ୍ୱଚ୍ଛତା ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପସ୍ଥାପନ କରାଯିବା ସହିତ ସମାଜର ପ୍ରମୁଖ ଅଂଶୀଦାରମାନଙ୍କ ଧ୍ୟାନ ଆକର୍ଷଣ କରିଯାଇଛି।

୧୯୯୦-୨୦୦୦ ସମୟକୁ ଶିଶୁକନ୍ୟାଙ୍କ ଦଶନ୍ଧି ଭାବେ ପାଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆରେ ଶିଶୁକନ୍ୟା, ସେମାନଙ୍କ ପରିବାର ଓ ଜନସମୁଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁନିସେଫ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମୀନା କାର୍ଟୁନ ସିରିଜ ଜରିଆରେ ୟୁନିସେଫ ବେଶ ପ୍ରଭାବୀ ଢଙ୍ଗରେ ଏହି ବିଚାରକୁ ଉପସ୍ଥାପନ କରିଥିଲା।

କାର୍ଟୁନ ଓ ଆନିମେସନ ହେଉଛି ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ତେଣୁ ୟୁନିସେଫ ଦ୍ୱାରା ବିଭିନ୍ନ ଭାଷାରେ ପ୍ରସାରିତ ହୋଇଥିବା ମୀନା ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିଲା। ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଭୂଟାନ ଆଦି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଥିଲା।

ବାସ୍ତବରେ, ମୀନା ଏକ ଏପରି କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ନିକଟରେ ଗଣମାଧ୍ୟମର ମୌଳିକ ଉପାଦାନ ଯଥା ସୂଚନା, ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଚମତ୍କାର ଭାବେ ପହଞ୍ଚାଇପାରିଛି।