ପ୍ରସବ ପରେ ମା’ର ସ୍ୱାସ୍ଥ୍ୟ ସୁରକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ। କାରଣ ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ତଥା ଯନ୍ତ୍ରଣା ଯୋଗୁଁ ସେମାନଙ୍କର ଶରୀରର ସନ୍ତୁଳନ ବିଗିଡ଼ିଯାଏ। ଏଭଳି କ୍ଷେତ୍ରରେ ସେମାନେ ନିଜର ଧ୍ୟାନ ଦେବା ଜରୁରୀ।

ପ୍ରସବ ପରେ ମା’ମାନଙ୍କର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ। ଉଷୁମ୍‌ ଉଷୁମ୍‌ ଓ ତାଜା ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଫୂର୍ତ୍ତି ଲାଗିଥାଏ।

ଲାଉର ତରକାରୀ, ସୁପ୍, ଜୁସ୍ ପ୍ରଭୃତି ପ୍ରସୂତୀମାନଙ୍କ ପାଇଁ ଖୁବ୍ ଭଲ। ଏହାଦ୍ୱାରା ଶରୀରକୁ ପୋଷଣ ମିଳିବା ସହିତ ମା’ ମାନଙ୍କର କ୍ଷୀର ଭଲ ହୋଇଥାଏ। ଖାଦ୍ୟରେ ଜୀରା ଏବଂ କମ୍‌ ମାତ୍ରାରେ ଗୋଲମରିଚ ବ୍ୟବହାର ମଧ୍ୟ ଏହି ସମୟରେ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ଶରୀରର ତାପମାତ୍ରାକୁ ବଢ଼ାଏ।

ପ୍ରତିଦିନ କ୍ଷୀର ସହିତ ୮-୧୦ଟି ବାଦାମ ଖାଆନ୍ତୁ। ଏହା ଲୌହରେ ପରିପୂର୍ଣ୍ଣ ଥିବାବେଳେ ଶରୀରକୁ ଶକ୍ତି ଦେବ। ମାଛରେ ଡିଏଚଏ ଫ୍ୟାଟ ଭରପୂର ମାତ୍ରାରେ ରହିଥାଏ। ଏହା ଶିଶୁର ଶିରା ପ୍ରଶିରାର ବିକାଶ ପାଇଁ ଉପଯୋଗୀ। ଯଦିଓ ମା’ କ୍ଷୀରରେ ପ୍ରାକୃତିକ ଭାବେ ଡିଏଚଏ ଥାଏ ତେବେ ପ୍ରସବ ପରେ ଯେଉଁମାନେ ମାଛ ଖାଆନ୍ତି ସେମାନଙ୍କର ପିଲାମାନଙ୍କର ବିକାଶ ଭଲ ଭାବେ ହୋଇଥାଏ। ସେହିପରି ଏହାଦ୍ୱାରା ମା’ଙ୍କୁ ମାନସିକ ଅବସାଦ ହେବାର ଆଶଙ୍କା ବି କମେ।

drinking water

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ମହିଳାମାନେ କ’ଣ ଖାଇବେ?

ସାଧାରଣତଃ ପ୍ରସବ ପରେ ମା’ ମାନଙ୍କୁ ଥଣ୍ଡା ପାଣି ପିଇବାକୁ ମନା କରାଯାଏ। ଏହା ବଦଳରେ ନଖ ଉଷୁମ ପାଣିରେ ଅଳେଇଚ ପକାଇ ପିଇବାକୁ ଦେଲେ ଶରୀର ଗରମ ରହିଥାଏ। ମା’ ଓ ପିଲା ଉଭୟଙ୍କର ହଜମ ଭଲ ହୁଏ। ତେବେ ଅଧିକ ସମୟ ଯାଏ ସେହି ପାଣିକୁ ପିଅନ୍ତୁ ନାହିଁ।

ପ୍ରସୂତୀମାନଙ୍କ ପାଇଁ ମେଥିଦାନା, ଜୀରା, ପାନମଧୁରୀ, କଳାଲୁଣ, ହରିଡ଼ା, ବାହାଡ଼ା,ହେଙ୍ଗୁର ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ। ଏହାକୁ ଖାଇବା କଷ୍ଟକର ହୋଇଥିବାରୁ ଗୁଡ଼ରେ ମିଶାଇ ଛୋଟ ଛୋଟ ଗୁଳା କରି ଖାଇହେବ। ଏହାଦ୍ୱାରା ମା’ର ପେଟ ଠିକ ରହେ। କଞ୍ଚାଲଙ୍କା ଅପେକ୍ଷା ଗୋଲମରିଚ ପକାଇ ଖାଇଲେ ଅଧିକ ସୁଫଳ ମିଳେ।

ସନ୍ତାନ ପ୍ରସବ ପରେ ମହିଳାଙ୍କ ଶରୀରରେ ରକ୍ତର ଅଭାବ ଦେଖାଦେଇଥାଏ। ସେହିପରି ସ୍ତନ୍ୟପାନ କରାଇବାରୁ ଶରୀରରେ କ୍ୟାଲସିୟମ ବି କମିଯାଏ। ଏପରିସ୍ଥଳେ ପାରମ୍ପରିକ ଖାଦ୍ୟ ଯେପରିକି ଗୁଡ଼, ଦେଶୀ ଘିଅ, ଲହୁଣୀ ପ୍ରଭୃତି ଶରୀରକୁ ପୋଷଣ ଦେଇଥାଏ। ଏଥିରେ ପ୍ରୋଟିନ ଓ ଫାଇବର ବି ଥାଏ। ତେବେ ଅଧିକ ପରିମାଣରେ ଦେଶୀ ଘିଅ ଏବଂ ଲହୁଣୀ ଖାଆନ୍ତୁ ନାହିଁ।