ସାଧାରଣତଃ ଛୋଟ ବେଳେ ପିଲାମାନେ ଆଙ୍ଗୁଠି ପାଟିରେ ପୁରାଇଥାଆନ୍ତି। କିନ୍ତୁ ୫ ବର୍ଷ ପରେ ଏପରି କରିବା ଠିକ ନୁହେଁ। ଆସନ୍ତୁ ଜାଣିବା ପିଲାଙ୍କଠାରୁ କିପରି ଦୂରେଇବା ଏହି ଅଭ୍ୟାସ।

child

ପିଲାମାନେ ଛୋଟବେଳେ ଆଙ୍ଗୁଠି ପାଟିରେ ପୁରାଇବାର ଦେଖିବାକୁ ମିଳିଥାଏ। ପାଖାପାଖି ୩ ବର୍ଷ ଯାଏଁ ଆଙ୍ଗୁଠି ପୁରାଇବା ଏକ ସାଧାରଣ କଥା ଭାବେ ଧରାଯାଇଥାଏ। କିନ୍ତୁ ୫ ବର୍ଷ ବୟସ ପରେ ଏପରି କରିବା କୌଣସି ସାଧାରଣ କାରଣ ହୋଇନଥାଏ।

ଛୋଟ ପିଲାମାନେ ଦୀର୍ଘ ଦିନ ଯାଏଁ ପାଟିରେ ଆଙ୍ଗୁଠି ପୁରାଇବା ଫଳରେ ଦାନ୍ତ ଜନିତ ସମସ୍ୟା ସହିତ ଚର୍ମ ଏବଂ କଥାବାର୍ତ୍ତା ସମ୍ବନ୍ଧିତ ସମସ୍ୟା ହୋଇପାରେ।

ବାରମ୍ବାର ପାଟିରେ ଆଙ୍ଗୁଠି ପୁରାଇବା ଯୋଗୁଁ ପିଲାମାନଙ୍କ ଦାନ୍ତ ବଙ୍କା ହୋଇଯାଏ ଓ ଦାନ୍ତ ମଝିରେ ଫାଙ୍କ ମଧ୍ୟ ହୋଇଥାଏ। ତେଣୁ ମା’ବାପାମାନେ ଯଥାଶୀଘ୍ର ପିଲାଙ୍କ ଆଙ୍ଗୁଠି ପୁରାଇବା ଅଭ୍ୟାସ ଛଡ଼ାଇବା ଉଚିତ।

ପ୍ରଥମେ ଆପଣଙ୍କ ପିଲା କେତେବେଳେ ଓ କେତେ ସମୟ ଆଙ୍ଗୁଠି ପାଟିରେ ପୁରାଉଛି ତାହା ଉପରେ ନଜର ଦିଅନ୍ତୁ। ଏପରି କରିବା ଫଳରେ କ’ଣ ସବୁ ଅସୁବିଧା ହୋଇଥାଏ ତାହା ସେମାନଙ୍କୁ ବୁଝାନ୍ତୁ। ବିଭିନ୍ନ ବାହାନା ଆଳରେ ସେମାନଙ୍କୁ ଏହି ବାବଦରେ ବୁଝାଇପାରିବେ।

ଆଙ୍ଗୁଠି ପାଟିରେ ପୁରାଇଲେ ପେଟରେ ପୋକ ହୋଇଯିବ କିମ୍ବା ରାତିରେ ଶୋଇବାବେଳେ କେବଳ ଆଙ୍ଗୁଠି ପୁରେଇବା ଉଚିତ ବୋଲି ମିଛ ବାହାନା କରି ପିଲାଙ୍କର ଏହି ଅଭ୍ୟାସ ଛଡ଼ାଇପାରିବେ।

ଅନେକ ଚେଷ୍ଟା ପରେ ମଧ୍ୟ ପିଲା ଆଙ୍ଗୁଠି ପୁରେଇବା ବନ୍ଦ ନ କରେ ତେବେ ତାଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ। ପ୍ରାୟତଃ ପିଲାମାନେ କୌଣସି ଦୁଃଖ, ସମସ୍ୟା କିମ୍ବା ଚିନ୍ତାରେ ରହିଲେ ଆଙ୍ଗୁଠି ବାରମ୍ବାର ପାଟିରେ ପୁରାଇଥାଆନ୍ତି। ତେଣୁ ସେମାନଙ୍କୁ ଏପରି କରିବାରୁ ରୋକନ୍ତୁ। ଯଦି ସେମାନେ କୌଣସି କାରଣକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣଙ୍କୁ ଏ ସମ୍ପର୍କରେ ଜଣାଇବା ଲାଗି ବୁଝାନ୍ତୁ।

ଅଧିକାଂଶ ପିଲା ଭୋକ ଲାଗିଲେ ଆଙ୍ଗୁଠିକୁ ପାଟିରେ ପୁରାଇଥାଆନ୍ତି। ତେଣୁ ପିଲାଙ୍କୁ ଅଧିକ ସମୟ ଭୋକରେ ରଖନ୍ତୁ ନାହିଁ। ନିୟମିତ କିଛି ସମୟ ବ୍ୟବଧାନରେ ପିଲାଙ୍କୁ ସେମାନଙ୍କ ମନ ପସନ୍ଦ ଖାଦ୍ୟ ଖାଇବାକୁ ଦିଅନ୍ତୁ।

ଆଙ୍ଗୁଠି ଚୁଚୁମିବା ଅଭ୍ୟାସ ଛଡ଼ାଇବା ଲାଗି ଆପଣ କେତେକ ଘରୋଇ ଉପାୟ ମଧ୍ୟ ଅବଲମ୍ବନ କରିପାରିବେ।

childସ୍ବାସ୍ଥ୍ୟ ପାଇଁ ଅସ୍ବାସ୍ଥ୍ୟକର ହୋଇ ନ ଥିବା କୌଣସି କଡ଼ା, ଖଟା ଏବଂ ପିତା ଜିନିଷ ପିଲାଙ୍କ ଆଙ୍ଗୁଠିରେ ଲଗାଇ ଦିଅନ୍ତୁ। ଯାହାଫଳରେ ପିଲା ପାଟିରେ ଆଙ୍ଗୁଠି ଲଗାଇବା ମାତ୍ରେ ତାଙ୍କ ଜିଭର ସ୍ବାଦ ଖରାପ ହୋଇଯିବ। ଏପରି କରିବା ଦ୍ବାରା ପିଲା ଧିରେ ଧିରେ ଆଙ୍ଗୁଠି ପୁରାଇବେ ବନ୍ଦ କରିଦେବ।

ଆଜିକାଲି ବଜାରରେ ପିଲାଙ୍କ ପାଇଁ କାଠରେ ତିଆରି ଛୋଟ ବାଡ଼ି ମିଳୁଛି। ସେସବୁ ପିଲାଙ୍କୁ ଆଣି ଦିଅନ୍ତୁ। ପିଲାଙ୍କ ପାଟିରେ ଆପଣ ମିଠା ଗୋଲି ଦେଇପାରିବେ। ଯାହାଫଳରେ ପିଲା ଏସବୁ ପାଟିରେ ପୁରେଇବାରେ ବ୍ୟସ୍ତ ରହିଯିବେ ଏବଂ ପାଟିରେ ଆଙ୍ଗୁଠି ପୁରାଇବେ ନାହିଁ।

ଅଧିକାଂଶ ବାପା ମା’ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ପିଲାଙ୍କୁ ସବୁ ସମୟ ଦେଇପାରନ୍ତି ନାହିଁ। ଫଳରେ ପିଲା ନିଜକୁ ଏକୁଟିଆ ମନେ କରିଥାଏ। ଏକୁଟିଆ ରହିବା ଯୋଗୁଁ ପିଲାମାନେ ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି। ଏପରି ସ୍ଥଳେ ପିଲା ପାଟିରେ ଆଙ୍ଗୁଠି ପୁରେଇବା ଅଭ୍ୟାସ କରିଦେଇଥାଏ। ତେଣୁ ଯଥାସମ୍ଭବ ପିଲାଙ୍କୁ ସମୟ ଦିଅନ୍ତୁ।

ବାରମ୍ବାର କହିବା ସତ୍ତ୍ୱେ ଯଦି ପିଲା ପାଟିରେ ଆଙ୍ଗୁଠି ପୁରାଉଛି ତେବେ ତାଙ୍କୁ କୌଣସି କାମରେ ବ୍ୟସ୍ତ ରଖନ୍ତୁ କିମ୍ବା ତାଙ୍କ ସହିତ କଥା ହୁଅନ୍ତୁ। ଯାହାଫଳରେ ପିଲାଙ୍କ ଧ୍ୟାନ ଭଗ୍ନ ହୋଇଯିବ।

ପାଟିରେ ଆଙ୍ଗୁଠି ପୁରାଇବା ଅଭ୍ୟାସ ଛଡ଼ାଇବା ଲାଗି ଆପଣ ପିଲାଙ୍କ ଆଙ୍ଗୁଠିରେ ଥମ୍ବ ଗାର୍ଡ କିମ୍ବା ପ୍ରୋଟେକ୍ଟିଭ କଭରିଂ ଲଗାଇପାରିବେ।