ଆପଣ ଜାଣିଛନ୍ତି କି ପ୍ରଶ୍ୱାସ ନେବାର ମଧ୍ୟ ଉପଯୁକ୍ତ ଉପାୟ ରହିଛି। ଠିକ୍ ଭାବେ ପ୍ରଶ୍ୱାସ ନେଲେ ଏହା ଆପଣଙ୍କର ସ୍ୱାସ୍ଥ୍ୟ ଏପରିକି ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ।

Respiratory System

ଯେପର୍ଯ୍ୟନ୍ତ ଶ୍ୱାସକ୍ରିୟା ଚାଲୁଛି ସେ ପର୍ଯ୍ୟନ୍ତ ଆପଣ ଜୀବିତ ଅଛନ୍ତି। ଏହା ବନ୍ଦ ହେଲେ ଜୀବନ ଶେଷ। ଏପରିସ୍ଥଳେ ଆମ ସମସ୍ତଙ୍କ ମନରେ ଏକ ଧାରଣା ରହିଛି ଯେ ଶ୍ୱାସକ୍ରିୟା ଏକ ସ୍ୱାଭାବିକ ପ୍ରକ୍ରିୟା। ଏହା ଆମର ନିୟନ୍ତ୍ରଣରେ ନଥାଏ। ଏପରି ଚିନ୍ତା କରି ଆମେ ପ୍ରଶ୍ୱାସ ନେବା ଉପରେ ଗୁରୁତ୍ୱ ଦେଇନଥାଉ। ପ୍ରକୃତରେ କିନ୍ତୁ ପ୍ରଶ୍ୱାସ ନେବାର ମଧ୍ୟ ଏକ ଉପଯୁକ୍ତ ଉପାୟ ରହିିଛି। ସୁସ୍ଥ ଜୀବନଶୈଳୀ ପାଇଁ ସେହି ଉପାୟ ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ।

ଆମେ କେଉଁଠି ଭୁଲ୍ କରୁ?
ଆମ ଶରୀରରେ କୋଟି କୋଟି କୋଷିକା ଅଛନ୍ତି ଯେଉଁଗୁଡ଼ିକ ନିରନ୍ତର ମେଟାବୋଲିକ୍ ଆକ୍ଟିଭିଟି କରି ଚାଲିଥାନ୍ତି। ସେମାନଙ୍କୁ ଏଥିପାଇଁ ଅମ୍ଳଜାନର ଆବଶ୍ୟକତା ପଡ଼ିଥାଏ। ସେହିପରି କୋଷିକାଗୁଡ଼ିକର ମେଟାବୋଲିକ୍ ଆକ୍ଟିଭିଟି ପରେ ଅମ୍ଳଜାନ ଅଙ୍ଗାରକାମ୍ଳରେ ପରିଣତ ହୁଏ। ସେହି ଅଙ୍ଗାରକାମ୍ଳ ଯଦି ସାମାନ୍ୟ ମାତ୍ରାରେ ଶରୀରରେ ରହିଯାଏ ତାହା କୋଷିକାକୁ କ୍ଷତି ପହଞ୍ଚାଇଥାଏ। ଆମେ ଠିକ୍ ଭାବେ ପ୍ରଶ୍ୱାସ ନ ନେଲେ ଏହାହିଁ ହୋଇଥାଏ। ଆମେ ସଂପୂର୍ଣ୍ଣ ଭାବେ ଅଙ୍ଗାରକାମ୍ଳ ବାହାରକୁ ଛାଡୁନା, ଯାହାକି ଶରୀର ଉପରେ କୁପ୍ରଭାବ ପକାଇଥାଏ।

-ଆଉ ଏକ ଭୁଲ୍ ହେଲା ଆମେ ଫୁସଫୁସର କ୍ଷମତା ଅନୁସାରେ ପ୍ରଶ୍ୱାସ ନେଇପାରୁନା। ଅର୍ଥାତ୍ ଆମେ ଆମର ଫୁସଫୁସର ମାତ୍ର ୧୫-୨୦ ପ୍ରତିଶତ ବ୍ୟବହାର କରିଥାଉ। କିନ୍ତୁ ଯଦି ଆମେ ପ୍ରଶ୍ୱାସ ନେବାର ଉପଯୁକ୍ତ ଉପାୟ ଶିଖିଯିବା ତା’ରେ ଫୁସଫୁସର କ୍ଷମତାର ୬୦-୬୪ ପ୍ରତିଶତ ବ୍ୟବହାର ହୋଇପାରିବ।

Breathing problem

-ଆମ ମଧ୍ୟରୁ ଅନେକ ଲୋକ ଖୋଲାଖୋଲି ଭାବେ ପ୍ରଶ୍ୱାସ ନେଇପାରନ୍ତି ନାହିଁ। ଅର୍ଥାତ୍ ଶରୀରକୁ ଯେତିକି ପ୍ରଶ୍ୱାସ ଆବଶ୍ୟକ ତାହା ନିଅନ୍ତି ନାହିଁ। ତା’ ବଦଳରେ ସେମାନେ ହୁଏତ ଖୁବ୍ ଅଧିକ ପ୍ରଶ୍ୱାସ ନିଅନ୍ତି କିମ୍ବା ଭୁଲ୍ ଢଙ୍ଗରେ ପ୍ରଶ୍ୱାସ ନିଅନ୍ତି ବା ବହୁତ ଅଧିକ ପ୍ରଶ୍ୱାସକୁ ରୋକିଥାନ୍ତି। ଏହାଯୋଗୁ ଶରୀରକୁ ଉପଯୁକ୍ତ ପରିମାଣରେ ଅମ୍ଳଜାନ ଓ ଶକ୍ତି ମିଳିପାରେନାହିଁ। ତେଣୁ ଶରୀର ଫିଟ୍ ରହିପାରେ ନାହିଁ। ଏହାଛଡ଼ା ମାନସିକ ଚାପ, ଆଜ୍ମା, ନିମୋନିଆ ଭଳି ସମସ୍ୟାର ଆଶଙ୍କା ବୃଦ୍ଧି ପାଏ। ସେହିପରି ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ବି ରହେ।

ଆମେ କେତେ ପ୍ରକାର ଉପାୟରେ ପ୍ରଶ୍ୱାସ ନେଉ?
ଆମେ ମୁଖ୍ୟତଃ ୩ ପ୍ରକାରରେ ପ୍ରଶ୍ୱାସ ନେଇଥାଉ। ସେଗୁଡ଼ିକ ହେଲା ହାଇ ସୋସାଇଟି ବ୍ରିଦିଙ୍ଗ୍, ମିଡଲ କ୍ଲାସ ବ୍ରିଦିଙ୍ଗ, ଲୋୟର କ୍ଲାସ୍ ବ୍ରିଦିଙ୍ଗ। ହାଇ ସୋସାଇଟି ବ୍ରିଦିଙ୍ଗକୁ କଲର ବୋନ୍ ବ୍ରିଦିଙ୍ଗ ବୋଲି ମଧ୍ୟ କୁହାଯାଏ। ଏଥିରେ ଆମେ ଛାତିର ଉପର ଭାଗରୁ ପ୍ରଶ୍ୱାସ ନେଇଥାଉ। ମିଡିଲ କ୍ଲାସ୍ ବ୍ରିଦିଙ୍ଗରେ ଛାତିର ବ୍ୟବହାର ହୋଇଥାଏ। ଲୋୟର କ୍ଲାସ୍ ବ୍ରିଦିଙ୍ଗ୍ ଛାତିର ତଳ ଅଂଶ ଅର୍ଥାତ୍ ପେଟରେ ପ୍ରଶ୍ୱାସ ନିଆଯାଏ। ତେବେ ଉପରୋକ୍ତ ୩ ପ୍ରକାର ବ୍ରିଦିଙ୍ଗ୍ ଆମ ଶରୀର ପାଇଁ ଉପଯୁକ୍ତ ନୁହେଁ।

Breathing

ଏକ ମିନିଟ୍ କେତେଥର ନେବେ ପ୍ରଶ୍ୱାସ
ଯଦିଓ ଏ ନେଇ କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ ତେବେ ଜଣେ ସୁସ୍ଥ ଲୋକ ଏକ ମିନିଟରେ ୧୪-୧୬ ଥର ଶ୍ୱାସଗ୍ରହଣ କରିଥାଏ। ଖେଳାଳି କିମ୍ବା ଶାରିରୀକ ପରିଶ୍ରମ କରୁଥିବା ଲୋକମାନେ ମିନିଟ୍ ୨୨-୨୩ ଥର ଶ୍ୱାସକ୍ରିୟା କରିଥାନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ପ୍ରଶ୍ୱାସ ନେବା ୧ ମିନିଟ୍ ୧୨ରୁ କମ୍ କିମ୍ବା ୨୪ରୁ ଅଧିକ ହେଉଛି ତାହେଲେ ଏହା ଶରୀର ପାଇଁ ବିପଜ୍ଜନକ ହୋଇପାରେ।

କିଭଳି ଠିକ୍ ଭାବେ ପ୍ରଶ୍ୱାସ ନେବେ
ପ୍ରଶ୍ୱାସ ନେବାର ଉପଯୁକ୍ତ ବିଧି ଶିଖିବା କରିବା ଲାଗି ଆପଣଙ୍କୁ କିଛି ଦିନ ଅଭ୍ୟାସ କରିବାକୁ ପଡ଼ିବ। ପିଠିକୁ ଏକଦମ୍ ସିଧା କରି ବସନ୍ତୁ। ପେଟ ଉପରେ ହାତ ରଖନ୍ତୁ। ପ୍ରଶ୍ୱାସ ନେବାପରେ ଧୀରେ ଧୀରେ ଆପଣଙ୍କର ପେଟ ଭିତରକୁ ନା ବାହାରକୁ ଯାଉଛି ଲକ୍ଷ୍ୟ କରନ୍ତୁ। ପ୍ରଶ୍ୱାସ ନେବାବେଳେ ପେଟ ଭିତରକୁ ଏବଂ ନିଃଶ୍ୱାସ ବାହାର କରିବା ସମୟରେ ପେଟ ବାହାରକୁ ବାହାରକୁ ଆସୁଥିଲେ ତାହା ପ୍ରଶ୍ୱାସ ନେବାର ଠିକ୍ ଉପାୟ। ପ୍ରଶ୍ୱାସର ଅବଧି ଲମ୍ବା ହେବା ଆବଶ୍ୟକ। ଯେତିକି ସମୟରେ ଆପଣ ପ୍ରଶ୍ୱାସକୁ ନେଉଛନ୍ତି ତାର ପ୍ରାୟ ଦେଢଗୁଣା ସମୟ ପରେ ନିଃଶ୍ୱାସ ବାହାର କରନ୍ତୁ। ପ୍ରାଥମିକ ଭାବେ ହୁଏତ କଷ୍ଟ ହେବ ହେଲେ ଆପଣ ପ୍ରତିଦିନ ଅଧ ଘଣ୍ଟା ଧରି ଏପରି ବସି ଶ୍ୱାସକ୍ରିୟାର ଠିକ୍ ଉପାୟକୁ ଅଭ୍ୟାସ କରନ୍ତୁ। ଧୀରେ ଧୀରେ ଏହା ଆପଣଙ୍କର ଅଭ୍ୟାସ ପାଲଟିଯିବ। ସେହିପରି ଆରାମରେ ଶ୍ୱାସକ୍ରିୟା କରିବାକୁ ଉଦ୍ୟମ କରନ୍ତୁ। ଏହାଦ୍ୱାରା ଫୁସଫୁସର କ୍ଷମତା ବୃଦ୍ଧି ହେବା ସହିତ ଯକୃତ, ପେଟ ଏବଂ ଅନ୍ତରେ ସନ୍ତୁଳନ ରହିବ।