hearing problem

ଛୋଟ ବେଳେ ଛୁଆମାନଙ୍କ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ସେହି ସବୁ ସମସ୍ୟା ମଧ୍ୟରୁ  ଶିଶୁଙ୍କ କାନ ପାଚିବା ରୋଗ ବେଶ୍‌ ଯନ୍ତ୍ରଣାଦାୟକ ହୋଇଥାଏ। କାନ ପାଚିବା ଯୋଗୁଁ କାନରେ ବିନ୍ଧା ହେବା ସହ ଛୁଆ ଅନେକ କଷ୍ଟ ପାଇଥାଏ।

ଅବଶ୍ୟ ଶିଶୁଙ୍କ କାନ ପାଚିଲେ ବାପା ମା’ ବିଶେଷ ଭାବରେ ଚିନ୍ତିତ ହୋଇପଡ଼ନ୍ତି। ପ୍ରାୟତଃ ପାଞ୍ଚବର୍ଷରୁ କମ ବୟସର ଶିଶୁଙ୍କ ନିକଟରେ ଏହା ଅଧିକ ଦେଖାଯାଇଥାଏ।

କାହିଁକି ଛୁଆଙ୍କ କାନ ବିନ୍ଧେ

ବାୟୁମଣ୍ଡଳ ପ୍ରଭାବ

ଶୀତ ଦିନରେ ବାୟୁମଣ୍ଡଳରେ ଧୂଳିକଣାର ପ୍ରଭାବ ରହୁଥିବାରୁ ଶିଶୁଙ୍କ କାନ ପାଚିଥାଏ। 

ପ୍ରାୟତଃ ଛୋଟ ଛୁଆଙ୍କ କର୍ଣ୍ଣନଳୀ କୌଣସି କାରଣବଶତଃ ସଂକ୍ରମଣ ହୋଇଗଲେ କାନ ବିନ୍ଧିଥାଏ। କାନ ପାଚିଗଲେ  କାନରୁ ପୂଜ ଏବଂ ରକ୍ତ ବାହାରିଥାଏ। ବଡ଼ ଲୋକଙ୍କ ଅପେକ୍ଷା ଛୋଟ ପିଲାଙ୍କ କାନର ଗଠନ ଶୈଳୀ ଭିନ୍ନ ଧରଣର ହୋଇଥିବାରୁ ଏବଂ ସେମାନଙ୍କର ଶରୀର ପ୍ରତିରୋଧକ ଶକ୍ତି ଯଥେଷ୍ଟ କମ ଥିବାରୁ ସ୍ଵାଭାବିକ ଭାବରେ ପିଲାଙ୍କ କାନ  ପାଚିଥାଏ। ବାହାର ଜୀବାଣୁ କର୍ଣ୍ଣନଳୀରେ ପ୍ରବେଶ କରି ସଂକ୍ରମଣ କରିଥାଆନ୍ତି। ଫଳରେ କାନ ପାଚିବା ସହ ଯନ୍ତ୍ରଣା ହୋଇଥାଏ।

ଅନେକ ସମୟରେ ବାପା ମା’ ପିଲାଙ୍କ କାନରେ ଚଢ଼େଇ ପର, କାଠି, କଲମ, ଦିଆସିଲ କାଠି ଏବଂ ଆଙ୍ଗୁଠି ପୁରାଇ ସଫା କରିଥାଆନ୍ତି। ଏପରି କରିବା ଫଳରେ କାନରେ ଅଜାଣତରେ ଛୋଟିଆ କ୍ଷତଟି ସୃଷ୍ଟି ହୋଇ ସଂକ୍ରମଣର ରୂପ ନେଇଥାଏ।

ନିୟମିତ ଭାବରେ କାନରୁ ମଇଳା ସଫା ନ କରାଗଲେ ସେସବୁ କାନରେ ଜମାଟ ବାନ୍ଧି କାନ ପାଚିଥାଏ। ବିଶେଷକରି ଶୀତଦିନରେ ବାୟୁମଣ୍ଡଳରେ ଧୂଳିକଣାର ଅଂଶ ଅଧିକ ରହୁଥିବାରୁ ଏହି ଋତୁରେ କାନପଚା ରୋଗ ଅଧିକ ଦେଖାଯାଏ। 

ପିଲାଙ୍କୁ ବୋତଲରେ କ୍ଷୀର ପିଆଇବା ବେଳେ କିମ୍ବା ମା’ ଶୋଇ କରି ପିଲାକୁ କ୍ଷୀର ଦେବା ସମୟରେ ବୋତଲରୁ କ୍ଷୀର ଗଡ଼ି ଛୁଆର କାନରେ ପଶିଥାଏ। ସେହି କ୍ଷୀର ବା ପାଣି କାନରେ ରହି ରହି କାନ ପାଚିଥାଏ।

ଅଧିକ ଦିନ ପର୍ଯ୍ୟନ୍ତ ପିଲାଙ୍କ ଥଣ୍ଡା ଜ୍ୱର ଲାଗି ରହିଲେ କାନ ବ୍ୟଥା ହୋଇଥାଏ। ପିଲାମାନଙ୍କୁ ଗାଧୋଇ ଦେବା ସମୟରେ ପିଲାଙ୍କ କାନ ଭିତରେ ପାଣି ପଶିଯାଏ ଯାହାକି କାନ ପାଚିବାର ମୁଖ୍ୟ କାରଣ। 

କାନ ପାଚିଗଲେ ପିଲାଙ୍କ ଦେହରେ ସ୍ଵାଭାବିକ ତାପମାତ୍ରା ବଢ଼ିଯାଇଥାଏ। ଅସହ୍ୟ କାନ ଯନ୍ତ୍ରଣା ହେତୁ ପିଲାମାନେ କାନ୍ଦିଥାଆନ୍ତି। ଅନେକ ସମୟରେ ଏକା ସାଙ୍ଗରେ ପିଲାମାନଙ୍କ ଦୁଇଟି କାନ ପାଚି ଯାଇଥାଏ।

ପ୍ରତିକାର

କାନ ପାଚିବା ଏକ ଗୁରୁତର ରୋଗ ନୁହେଁ କିନ୍ତୁ ଏ କ୍ଷେତ୍ରରେ ଚିକିତ୍ସା ଅପେକ୍ଷା ସତର୍କତା ବେଶ ଜରୁରୀ।

ପିଲାଙ୍କୁ କୌଣସି ପରିସ୍ଥିତିରେ ପାଣିରେ ବୁଡ଼ାଇ ଗାଧାନ୍ତୁ ନାହିଁ। 

କେବେ ଯଦି ପିଲାର ମୁଣ୍ଡ ଧୋଉଛନ୍ତି ତେବେ କାନ ଭିତରେ ଯେପରି ପାଣି ନ ପଶେ ସେଥିପାଇଁ ସତର୍କ ରହନ୍ତୁ।

ଶୀତଦିନେ ଧୂଳିକଣାର ପ୍ରକୋପ ରହୁଥିବାରୁ ପିଲାଙ୍କୁ ଖରା ପଡ଼ିଲା ପରେ ବାହାରକୁ ଛାଡ଼ନ୍ତୁ। 

ପିଲାଙ୍କ କାନ ସଫା ରଖିବା ପାଇଁ ଡାଙ୍ଗ, କାଠି ବା ଅନ୍ୟ କୌଣସି ଜିନିଷ ନ ପୁରାଇ ବିଶୋଧିତ ତୁଳା ବ୍ୟବହାର କରନ୍ତୁ।

ଛୋଟ ପିଲାଙ୍କୁ କ୍ଷୀର ଖୋଇଲା ବେଳେ ମା’ମାନେ ଯତ୍ନବାନ ହୁଅନ୍ତୁ।

କାନ ପାଚିଲେ ପ୍ରାୟ ଲୋକ ଉଷୁମ ସୋରିଷ ତେଲ କାନରେ ପକାନ୍ତି। କିନ୍ତୁ, ଏପରି କରିବା ସମ୍ପୂର୍ଣ୍ଣ ଭୁଲ। କାନରେ କେବେବି କୌଣସି ତେଲ ପକାନ୍ତୁ ନାହିଁ।

ପିଲାର କାନ ପାଚିଲେ କିମ୍ବା ଅତ୍ୟଧିକ କାନ ଯନ୍ତ୍ରଣା ହେଉଥିଲେ ଶିଶୁ ବିଶେଷଜ୍ଞ ସହ ପରାମର୍ଶ କରନ୍ତୁ।