ଆସନ୍ତୁ ଜାଣିବା ମଧୁମେହ ରୋଗୀଙ୍କ ଖାଦ୍ୟ ତାଲିକା ବିଷୟରେ।

ଡାଏବେଟିସ୍‌ ବା ମଧୁମେହ ବର୍ତ୍ତମାନ ସମୟରେ ସାଇଲେଣ୍ଟ କିଲର ପାଲଟିଛି। ଅଧିକାଂଶ ଲୋକଙ୍କ ଘରେ କେହି ନା କେହି ମଧୁମେହରେ ଆକ୍ରାନ୍ତ ହୋଇଥିବେ। ଯଦି ଡାଏବେଟିସ୍‌ ନିୟନ୍ତ୍ରଣରେ ନ ରହେ ତେବେ ଅନେକ ରୋଗର ଆଶଙ୍କା ଥାଏ।

ମଧୁମେହ ଚିହ୍ନଟ ହେବା ମାତ୍ରେ ରୋଗୀମାନେ ତୁରନ୍ତ ଔଷଧ ଖାଇବା ଆରମ୍ଭ କରନ୍ତି। ହେଲେ ଔଷଧ ଖାଇବା ସହିତ ନିଜ ଖାଦ୍ୟ ଉପରେ ଧ୍ୟାନ ଦେବା ଜରୁରୀ।

ମଧୁମେହ ରୋଗୀଙ୍କ ପାଇଁ ଖାଦ୍ୟ ତାଲିକା

ମଧୁମେହ ନିୟନ୍ତ୍ରଣ କରିବା ପାଇଁ ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ। କାରଣ ମଧୁମେହ ଏକ ମେଟାବଲିକ୍‌ ଡିସ୍‌ଅର୍ଡର। ଏଥିରେ ଆମେ ଯାହା ଖାଉଛେ, ତାହା ଗ୍ଲୁକୋଜରେ ପରିଣତ ହୋଇ ରକ୍ତରେ ମିଶିଯାଏ। ଇନସୁଲିନ୍ ହରମୋନ୍‌ ରକ୍ତରେ ଗ୍ଲୁକୋଜ ବା ଶର୍କରାର ପରିମାଣକୁ ନିୟନ୍ତ୍ରିତ କରିଥାଏ। ଇନସୁଲିନ୍ ପ୍ରସ୍ତୁତ ନ ହେଲେ ଶରୀରରେ ଗ୍ଲୁକୋଜର ମାତ୍ରା ବଢ଼ିଯାଇଥାଏ। ଫଳରେ ଡାଏବେଟିସ୍‌ ହୁଏ। ତେଣୁ ଡାଏବେଟିସ୍‌ ରୋଗୀ ନିଜ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଆମେ ଖାଉଥିବା ଖାଦ୍ୟ ଶର୍କରା ବଢ଼ିବା ଓ କମିବା ଉପରେ ନିର୍ଭର କରିଥାଏ।

ମଧୁମେହ ରୋଗୀ ନିଜ ଖାଦ୍ୟ ଥାଳିରେ ୬୦ ପ୍ରତିଶତ କାର୍ବୋହାଇଡ୍ରେଟ୍ସ, ୨୦ ପ୍ରତିଶତ ସବୁଜ ପନିପରିବା ଓ ୨୦ ପ୍ରତିଶତ ପ୍ରୋଟିନ୍‌ ରଖିବା ଆବଶ୍ୟକ। ଦିନକୁ ୧୫୦୦-୧୮୦୦କ୍ୟାଲୋରି ଭିତରେ ଖାଦ୍ୟ ଖାଇବା ଜରୁରୀ।

ସକାଳୁ ଉଠି ଗୋଟେ ଗ୍ଲାସ ପାଣିରେ ଅଧ ଚାମଚ ମେଥି ପାଉଡର ମିଶାଇ ପିଅନ୍ତୁ।

ଏହାର ଗୋଟେ ଘଣ୍ଟା ପରେ ବିନା ଚିନିରେ ଚା’ ସହିତ ସୁଗାର ଫ୍ରି ବିସ୍କୁଟ ଖାଇବେ।

ସକାଳ ଭୋଜନରେ ଗଜାବୁଟ, ଗଜାମୁଗ, ବାଦାମୀ ପାଉଁରୁଟି, କିମ୍ବା ରୁଟି ସହ କୌଣସି ଭଜା ଖାଇପାରିବେ।

ମଧ୍ୟାହ୍ନ ଭୋଜନରେ ଦୁଇଟା ରୁଟି, ଛୋଟ ତାଟିଆରେ ଭାତ, ଡାଲି, ସବୁଜ ପନିପରିବାରେ ତିଆରି ଭଜା, ଦହି ଓ ସାଲାଡ ସାମିଲ କରନ୍ତୁ।

ସନ୍ଧ୍ୟାବେଳେ ଗ୍ରୀନ୍‌ ଟି ଓ ସୁଗାର ଫ୍ରି ବିସ୍କୁଟ୍‌ ଖାଇପାରିବେ।

ରାତି ଭୋଜନରେ ଦୁଇଟି ରୁଟି ଓ ଭଜା ଖାଇବେ।

ଶୋଇବା ପୂର୍ବରୁ ଗୋଟେ ଗ୍ଲାସ ଉଷୁମ୍‌ କ୍ଷୀରରେ ଅଧ ଛୋଟ ଚାମଚ ହଳନୀ ମିଶାଇ ପିଅନ୍ତୁ।

ମଧୁମେହ ରୋଗୀ ପ୍ରତିଦିନ ଗୋଟିଏ କିମ୍ବା ଅଧା ସେଓ ଖାଆନ୍ତୁ। ସେଓରେ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହା କୋଲେଷ୍ଟ୍ରୋଲ ସ୍ତରକୁ ହ୍ରାସ କରିଥାଏ।

ଅଙ୍ଗୁର, ଚେରି, କଦଳୀ ଏବଂ ଅନ୍ୟାନ୍ୟ ମିଠାଜାତୀୟ ଫଳ ମଧୁମେହ ରୋଗୀ ଖାଇବା ଅନୁଚିତ। କାରଣ ଏଥିରେ ଶର୍କରା ଅଧିକ ଥାଏ।

ଗୋଟିଏ ପାଚିଲା ଆମ୍ବରେ ପାଖାପାଖି ୨୫-୩୦ ଗ୍ରାମ୍‌ କାର୍ବୋହାଇଡ୍ରେଟ୍‌ ଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ବଢ଼ାଇଥାଏ।