ଆପଣଙ୍କ ବାଡ଼ିବଗିଚାରେ ଲାଗିଥିବା କେତେକ ପତ୍ରର ଉପକାରିତା ଗୁଣ ବିଷୟରେ ଜାଣନ୍ତୁ।

ଆମ ବାଡ଼ି ବଗିଚାରେ ଏମିତି କିଛି ଗଛ ରହିଛି, ଯେଉଁଥିରେ ଔଷଧୀୟ ଗୁଣ ଭରି ରହିଛି। ଆୟୁର୍ବେଦରେ ଏହିସବୁ ଗଛର ପତ୍ରକୁ ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଇଥାଏ। ପୂର୍ବ କାଳରେ ଛୋଟ ଛୋଟ ବେମାରୀ ପାଇଁ ବାଡ଼ି ବଗିଚାରେ ଲାଗିଥିବା ଜୁଆଣୀ, ନିମ୍ବ, ଧନିଆ ଓ ଘିକୁଆଁରି ଭଳି ଗଛର ପତ୍ର ଓ ଡାଳର ବ୍ୟବହାର କରାଯାଇଥାଏ। ଆମେ ଆଜି ଆପଣଙ୍କୁ ସେହିଭଳି କିଛି ଗଛ ବିଷୟରେ କହିବୁ, ଯାହାକୁ ଆପଣ ନିଜ ବାଡ଼ିରେ କିମ୍ବା ବାଲ୍‌କୋନିରେ ଲଗାଇପାରିବେ ଓ ଦରକାର ପଡ଼ିଲେ ଏହି ଗଛକୁ ଔଷଧ ରୂପେ ବ୍ୟବହାର କରିପାରିବେ। ଯଦି କୌଣସି ଗୁରୁତର ରୋଗ ହୋଇଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

ତୁଳସୀ

ଭାରତୀୟ ସଂସ୍କୃତିରେ ତୁଳସୀକୁ ପୂଜା କରାଯାଏ। ହେଲେ ତୁଳସୀର ପତ୍ର, ଫୁଲ ଏବଂ ଡାଳ ବହୁତ ଉପାଦେୟ। ଗୋଟିଏ ଚାମଚ ତୁଳସୀରେ ୩% ଭିଟାମିନ୍‌ ଏ, ୧୩% ଭିଟାମିନ୍‌ କେ, ୦.୫% କ୍ୟାଲସିୟମ୍‌, ୦.୫% ଆଇରନ୍‌, ୧.୫ % ମାଙ୍ଗାନିଜ୍‌ ରହିଛି।

ତୁଳସୀରେ ଆଣ୍ଟିଇନ୍‌ଫ୍ଲାମେଟୋରି, ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ଜ୍ୱର, କାଶ, ଥଣ୍ଡା ଭଳି ସାଧାରଣ ସମସ୍ୟାକୁ ଦୂର କରିଥାଏ। ଏହାସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ତୁଳସୀ।

କିପରି କରିବେ ତୁଳସୀର ବ୍ୟବହାର?

ଥଣ୍ଡା, ସର୍ଦ୍ଦି ହେଉଥିଲେ ପ୍ରତିଦିନ ସକାଳେ ଖାଲିପେଟରେ ୫ଟି ତୁଳସୀ ପତ୍ରରେ ମହୁ ମିଶାଇ ଖାଇଲେ ଥଣ୍ଡା ଦୂର ହୁଏ।

ନାକ ଚୁଣ୍ଟି ହେଉଥିଲେ ପାଣିରେ ତୁଳସୀ ପତ୍ର ମିଶାଇ ଫୁଟାନ୍ତୁ। ଏହାକୁ ବାମ୍ପ ନିଅନ୍ତୁ। ତୁଳସୀ ଚା’ କରି ମଧ୍ୟ ପିଇପାରିବେ। ଥଣ୍ଡା ଯୋଗୁଁ ଅସହଜ ମନେ ହେଉଥିଲେ ନାଲି ଚା’ରେ ତୁଳସୀ ପତ୍ର ମିଶାଇ ପିଇପାରିବେ। ଏହାଦ୍ୱାରା ଆରାମ ମିଳିଥାଏ।

ଶୁଖିଲା କାଶ ହେଉଥିଲେ ଗୋଟେ କପ୍‌ ପାଣିରେ ଅଧ ଇଞ୍ଚ ଅଦା ଓ ତୁଳସୀ ପତ୍ରକୁ ମିଶାଇ ଫୁଟାଇବେ। ଉଷୁମ ଥିବା ବେଳେ ଏହି ପାଣିକୁ ପିଇବେ। କିଛି ଦିନ ଏଭଳି କରିବା ଦ୍ୱାରା ଶୁଖିଲା କାଶ ଭଲ ହୋଇଥାଏ।

ପାଟିରୁ ଦୁର୍ଗନ୍ଧ ଦୂର କରିବା ପାଇଁ ନିୟମିତ ତୁଳସୀ ପତ୍ର ଚୋବାଇ ଖାଆନ୍ତୁ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆ ଗୁଣ ପାଟିରୁ ଜୀବାଣୁ ନାଶ କରିଥାଏ।

ତୁଳସୀ ପତ୍ରକୁ ଧୋଇ ସିଧାସଳଖ ଖାଇପାରିବେ। ନଚେତ୍‌ ତୁଳସୀ ପତ୍ରକୁ ଶୁଖାଇ ଗୁଣ୍ଡ କରି ରଖିପାରିବେ ଓ ଏହାକୁ ଚା’ରେ ମିଶାଇ ପିଇପାରିବେ।

ଘିକୁଆଁରି

ଘିକୁଆଁରିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଭାଇରାଲ, ଆଣ୍ଟିସେପ୍‌ଟିକ୍‌ ଓ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି। ତେଣୁ ଏହା ତ୍ଵଚା ଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।

ମୁହଁରେ ବ୍ରଣ ଦୂର କରିଥାଏ ଘିକୁଆଁରି। କାରଣ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି। ଏହାଛଡ଼ା ମୁଣ୍ଡ ବିନ୍ଧା ହେଉଥିଲେ ବା ଅଧକପାଳି ସମସ୍ୟାରେ ମଥାରେ ଘିକୁଆଁରିର ଲେପ ଦିଅନ୍ତୁ, ଆରାମ ମିଳିବ।

ନିୟମିତ ଘିକୁଆଁରି ରସ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହୋଇଥାଏ।

ପୋଦିନା

ପୋଦିନାରେ ଉପଲବ୍‌ଧ ଫାଇବର୍‌ ଶରୀରରୁ କୋଲେଷ୍ଟରଲ୍‌ର ସ୍ତରକୁ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଏଥିରେ ଥିବା ମ୍ୟାଗ୍ନେସିୟମ୍‌ ହାଡ଼କୁ ଶକ୍ତି ପ୍ରଦାନ କରିବା ସହ ମଜଭୁତ କରିଥାଏ। ଭିଟାମିନ୍‌ ଏ, ଭିଟାମିନ୍‌ ସି ଓ ମାଙ୍ଗାନିଜ୍‌ରେ ଭରପୂର ରହିଛି ପୋଦିନା।

ପୋଦିନା ପେଟ ଯନ୍ତ୍ରଣା, ପେଟ ଫୁଲିବା, ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ଦେଇଥାଏ।

ନିମ୍ବ

ବ୍ରଣ ସମସ୍ୟାଠୁ ଆରମ୍ଭ କରି ରୁପି ସମସ୍ୟାର ସମାଧାନ କରିବା ପାଇଁ ନିମ୍ବ ପତ୍ର ବେଶ୍‌ ଉପକାରୀ। ନିମ୍ବ ପତ୍ରକୁ ବାଟି ଏହି ପେଷ୍ଟକୁ କେଶର ମୂଳରେ ଲଗାଇବା ଦ୍ୱାରା ରୁପି ଦୂର ହୋଇଥାଏ। ଏହାଛଡ଼ା ମୁହଁରେ ବ୍ରଣ ହେଉଥିଲେ ନିମ୍ବ ପତ୍ରକୁ ବାଟି ମୁହଁରେ ଲଗାଇଲେ ଉପଶମ ମିଳିଥାଏ।

ନିମ୍ବ କଢ଼ ଓ ନିମ୍ବ ଫୁଲକୁ ରୋଷେଇରେ ବ୍ୟବହାର କରାଯାଏ। ନିମ୍ବ ଫୁଲ ଓ କଢ଼କୁ ଭାଜି ଖାଇବା ଦ୍ୱାରା ପେଟରୁ କୃମି ନାଶ ହୋଇଥାଏ।

ଏହାଛଡ଼ା ଦାନ୍ତକୁ ନିମ୍ବ କାଠିରେ ଘଷିବା ଦ୍ୱାରା ଦାନ୍ତ ଜୀବାଣୁ ମୁକ୍ତ ହୋଇଥାଏ। ଦାନ୍ତ ପୋକ ଖାଉଥିଲେ, ଦାନ୍ତ ମାଢ଼ିରୁ ରକ୍ତ ବାହାରୁଥିଲେ, ଦାନ୍ତ ବିନ୍ଧୁଥିଲେ ନିମ୍ବ କାଠିରେ ଦାନ୍ତ ଘଷିବା ଦ୍ୱାରା ଉପଶମ ମିଳିଥାଏ। ଏହାସହ ପାଟିରୁ ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।

ଭୃସଙ୍ଗ ପତ୍ର          

ଔଷଧୀୟ ଗୁଣରେ ଭରପୂର ରହିଛି ଭୃସଙ୍ଗ ପତ୍ର ବା ଭୁରୁସୁଙ୍ଗା ପତ୍ର। ଏହା ଖାଦ୍ୟରେ ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଇଥାଏ। କିନ୍ତୁ, ଭୃସଙ୍ଗ ପତ୍ର ସ୍ୱାସ୍ଥ୍ୟ ପାଇଁ ବି ବେଶ୍‌ ଉପକାରୀ। ଭୃସଙ୍ଗ ପତ୍ରରେ ମ୍ୟାଗ୍ନେସିୟମ୍‌, କ୍ୟାଲ୍‌ସିୟମ୍‌, ଫସ୍‌ଫରସ୍‌, ଆଇରନ୍‌, କପର ଓ ଭିଟାମିନ୍‌ କେ ଭଳି ଗୁଣ ଭରପୂର ରହିଛି, ଯାହା ଅଗଣିତ ସ୍ୱାସ୍ଥ୍ୟ ଲାଭ ଦେଇଥାଏ।

ବର୍ତ୍ତମାନ ସମୟରେ ଡାଏବେଟିସ୍‌ ଏକ ସାଧାରଣ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଅଧିକାଂଶ ଲୋକ ଏହି ସମସ୍ୟାରେ ଚିନ୍ତିତ। ଭୃସଙ୍ଗ ପତ୍ରରେ ହାଇପରଗ୍ଲାଇସେମିଆର ଗୁଣ ରହିଛି, ଯାହାକି ଶରୀରରେ ଶର୍କରା ସ୍ତରକୁ କମ୍‌ କରିବାରେ ସାହାଯ୍ୟ କରିଥାଏ।

କୋଲେଷ୍ଟ୍ରଲକୁ କମ୍‌ କରିବା ପାଇଁ ଭୃସଙ୍ଗ ପତ୍ରର ବ୍ୟବହାର କରାଯାଇଥାଏ। କାରଣ ଭୃସଙ୍ଗ ପତ୍ରରେ ଭିଟାମିନ୍‌ ସି ସହ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିଇନ୍‌ଫ୍ଲାମେଟୋରି ଗୁଣ ରହିଛି, ଯାହା କୋଲେଷ୍ଟ୍ରଲର ସ୍ତରକୁ କମ୍‌ କରିଥାଏ।

କେଶର ମୂଳକୁ ମଜଭୁତ କରିଥାଏ ଭୃସଙ୍ଗ ପତ୍ର। ଏହା କେଶକୁ କଳା କରିବାରେ ଓ କେଶ ଝଡ଼ିବାକୁ ରୋକିଥାଏ।

କେଶକୁ ମଜଭୁତ କରିବା ପାଇଁ ନଡ଼ିଆ ତେଲରେ ୧୦ ପାଖୁଡ଼ା ଭୃସଙ୍ଗ ପତ୍ରକୁ ଫୁଟାଇବେ। ତା’ପରେ ଏହି ତେଲକୁ ଥଣ୍ଡାକରି ଛାଣି ବୋତଲରେ ରଖିବେ ଓ ଏହି ତେଲକୁ ନିୟମିତ କେଶରେ ମାଲିସ୍‌ କରିବା ଦ୍ୱାରା କେଶ ମଜଭୁତ ହୋଇଥାଏ।

ଜୁଆଣି

ଜୁଆଣି ପତ୍ରକୁ ଇଂରାଜୀରେ ଅଜ୍ୱାଇନ୍‌ କିମ୍ବା କେରମ ପତ୍ର କୁହାଯାଏ। ଏହା ପାଟିକୁ ରାଗ ଲାଗୁଥିଲେ ମଧ୍ୟ ଅନେକ ରୋଗର ଔଷଧ ଭଳି କାମ କରିଥାଏ।

ଜୁଆଣି ପତ୍ର ପେଟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଜୁଆଣି ପତ୍ର ଖାଇବା ଦ୍ୱାରା ପେଟରେ ହୋଇଥିବା ସଂକ୍ରମଣ ଏବଂ ବିଭିନ୍ନ ପେଟ ରୋଗ ଭଲ ହୋଇଥାଏ। ଅଧିକ ପେଟ ବ୍ୟଥା ହେଉଥିଲେ ଜୁଆଣି ପତ୍ର ଚୋବାଇ ଖାଇବା ଫଳରେ ଏଥିରୁ ଉପଶମ ମିଳିଥାଏ।

ଜୁଆଣି ପତ୍ର ହଜମ ପ୍ରକ୍ରିୟାକୁ ତ୍ୱରିତ କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଖାଇ ସାରିବା ପରେ ଜୁଆଣି ପତ୍ର ଖାଇବା ଫଳରେ ଖାଦ୍ୟ ଠିକ ଭାବେ ହଜମ ହୋଇଥାଏ। ଏହି ପତ୍ର ଖାଇବା ଦ୍ୱାରା ଛୋଟ ଛୁଆମାନଙ୍କର ମଧ୍ୟ ହଜମ ଭଲ ଭାବରେ ହୋଇଥାଏ।

ଜୁଆଣି ପତ୍ର ଖାଇଲେ ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ। ଏହି ପତ୍ର ମାଉଥ ଫ୍ରେସନର ଭଳି କାମ କରେ। ନିୟମିତ ଭାବେ ଜୁଆଣି ପତ୍ର ଚୋବାଇବା ଫଳରେ ମୁଖ ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ।

ଜୁଆଣି ପତ୍ର ମଧୁମେହ ରୋଗୀଙ୍କ ପାଇଁ ହିତକର ହୋଇଥାଏ। ଏକ ଚାମଚ ଜୁଆଣି ପତ୍ର ରସରେ ଚାରି ଚାମଚ ବେଲ ପତ୍ର ରସ ମିଶାଇ ନିୟମିତ ସେବନ କଲେ ମଧୁମେହ ନିୟନ୍ତ୍ରଣରେ ରହିଥାଏ। ଦିନକୁ ୩ରୁ ୪ ଥର ଜୁଆଣି ପତ୍ର ରସ ପିଇବା ଫଳରେ ଡାଇବେଟିସ ରୋଗୀମାନଙ୍କର ବହୁମୂତ୍ର ସମସ୍ୟା ଦୂର ହୋଇଥାଏ।

ଜୁଆଣି ପତ୍ର ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ।

ଜୁଆଣି ପତ୍ର ସେବନ ଫଳରେ କିଡ୍‌ନି ଷ୍ଟୋନ ସମସ୍ୟା ଏବଂ ୟୁରିନାରି ଇନ୍‌ଫେକସନ ସମସ୍ୟାରୁ ଉପଶମ ମିଳିଥାଏ।

ଜୁଆଣି ପତ୍ରକୁ ପୋଦିନା ରସରେ କିମ୍ୱା କୌଣସି ପ୍ରକାର ସବୁଜ ପରିବାରେ ମିଶାଇ ଖାଇଲେ, ଏହା ଶରୀର ପାଇଁ ଲାଭପ୍ରଦ ହୋଇଥାଏ।

ଲାଜକୁଳି ପତ୍ର

ବହୁତ କମ୍‌ ଲୋକ ଲାଜକୁଳିର ଔଷଧୀୟ ଗୁଣ ବିଷୟରେ ଜାଣିଥିବେ। କୋଷ୍ଠକାଠିନ୍ୟ ସମସ୍ୟା, ଅର୍ଶ ରୋଗ ଭଳି ସମସ୍ୟା ଦୂର କରିଥାଏ ଲାଜକୁଳି ପତ୍ର। କୋଷ୍ଠକାଠିନ୍ୟ ସମସ୍ୟା ଥିବା ବ୍ୟକ୍ତି ପ୍ରତିଦିନ କିଛି ଲାଜକୁଳି ପତ୍ର ସହ ୫ଟି ଗୋଲମରିଚକୁ ଚୋବାଇ ଚୋବାଇ ଖାଆନ୍ତୁ। ଚୋବାଇବା ଦ୍ୱାରା ଲାଜକୁଳିର ଲାଳ ଅଂଶ ପେଟ ଭିତରକୁ ଯିବ। ଚୋବାଇବା ଦ୍ୱାରା ପାଟିରୁ ଯେଉଁ ଲାଳ ତିଆରି ହୁଏ, ତାହା ହଜମ କରିବାରେ ସାହାଯ୍ୟ କରିଥାଏ। ନିୟମିତ ଲାଜକୁଳି ପତ୍ର ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

ଲାଜକୁଳି ପତ୍ର ଥଣ୍ଡା ଏବଂ କଫ, ପିତ୍ତ, ଝାଡ଼ା, ଅଲସର, ଅର୍ଶ, ମଳକଣ୍ଠକ, କୋଷ୍ଠକାଠିନ୍ୟ ଭଳି ସମସ୍ୟାର ନିରାକରଣ ପାଇଁ ବ୍ୟବହୃତ ହୁଏ।