ଡାକ୍ତର ସମ୍ରାଟ କର

ଡିପ୍ରେସନ୍‌ର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ପରାମର୍ଶ ଦେଇଛନ୍ତି ଜଣାଣୁଣା ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର।

ଡିପ୍ରେସନ୍ କ’ଣ?

ଆମେମାନେ ସମସ୍ତେ ଅନେକ ସମୟରେ କୌଣସି କଥାରେ ବ୍ୟସ୍ତ ହୋଇ ଦୁଃଖ ଅନୁଭବ କରୁ। ଅନେକ ସମୟରେ ଅଧିକ ଚିନ୍ତା କିମ୍ବା କୌଣସି ମୂଲ୍ୟବାନ୍ ପଦାର୍ଥ ହଜାଇ ବ୍ୟତିବ୍ୟସ୍ତ ହୋଇ ଦୁଃଖ ଅନୁଭବ କରୁ। ଆତ୍ମୀୟର ମୃତ୍ୟୁ ବା ବିଚ୍ଛେଦରେ କାନ୍ଦୁ। ଆତ୍ମୀୟ, ବନ୍ଧୁ ଓ ପରିବାର ଲୋକମାନଙ୍କ ସହ କୌଣସି ମତପାର୍ଥକ୍ୟ ବା ଭୁଲ ବୁଝାମଣା ହେଲେ ଦୁଃଖ ଅନୁଭବ କରୁ। ଯେକୌଣସି କଷ୍ଟକର ପରିସ୍ଥିତି ବା ନୈରାଶ୍ୟରେ ଆମେ ଭାଙ୍ଗିପଡ଼ୁ। ଫଳରେ ମାନସିକ ଉତ୍ତେଜନା ସୃଷ୍ଟି ହୁଏ।

ହତୋତ୍ସାହ ହୋଇପଡ଼ିବାବେଳେ ଆମ କଥାବାର୍ତ୍ତା ଓ ବ୍ୟବହାରରେ ବହୁ ପରିବର୍ତ୍ତନ ଦେଖାଯାଏ। ଆଖିରୁ ଲୁହ ବୋହିଯାଏ। ଆମେ କାନ୍ଦୁ, ଆମେ କଥା କହିବାକୁ ଅକ୍ଷମ ହେଉ। ଭୋକ ହୁଏ ନାହିଁ ଓ ଖାଦ୍ୟର କୌଣସି ଭଲ ସ୍ୱାଦ ପାଉ ନାହୁଁ। ଠିକ୍ ଭାବିବା ଓ ଠିକ୍ ନିଷ୍ପତ୍ତି ନେବା ଶକ୍ତି କମିଯାଏ। କ’ଣ କରିବାକୁ ପଡ଼ିବ ଆମେ ବୁଝିପାରୁ ନାହୁଁ। ଆମେ ଆମର ପୋଷାକ ଓ ଚେହେରା ପ୍ରତି ଆଗ୍ରହ କମାଇଦେଉ। ଆମେ କାମ କରିବାକୁ ଭଲ ପାଉ ନାହୁଁ। ଏପରିକି କାମ କଲେ ମଧ୍ୟ ଏହା ଠିକ୍ ରୂପେ କରି ନ ପାରି ଭୁଲ୍ କରିପକାଉ।

ଆମେ ଧୈର୍ଯ୍ୟ ହରାଉ ଓ ଚିଡ଼ିଚିଡ଼ି ହେଉ। ଆମକୁ ଭଲ ନିଦ ହୁଏ ନାହିଁ। ଅକ୍ଷୟ, ଅଳସୁଆ, ଆଗ୍ରହହୀନ ଓ ନୈରାଶ୍ୟ ପ୍ରଭୃତି ଆମକୁ ଗ୍ରାସ କରେ। ଆମକୁ ଅପଦାର୍ଥ କରି ଅନ୍ୟର ବୋଝ କରିଦିଏ। ସାଧାରଣତଃ ଏହି ଆବେଗ ବା ଉତ୍ତେଜନା ଖୁବ୍ କମ ସମୟ ପାଇଁ ରହେ। ଆମେ ନିଜକୁ ଖୁବ୍ କମ୍ ସମୟ ମଧ୍ୟରେ ସ୍ୱାଭାବିକ କରିଦେଉ। କ୍ଷତି ହୋଇଥିବା ବା ଦୁଃଖପୂର୍ଣ୍ଣ କଥାକୁ ଭୁଲିବାକୁ ଚେଷ୍ଟା କରୁ। କାନ୍ଦିବା ବନ୍ଦ କରି ଦେଉ। ଆମେ ଜାଣୁ ଯେ କାନ୍ଦିବାଦ୍ୱାରା କିଛି ହେବ ନାହିଁ। ତେଣୁ ପୁଣି ବିଚାରକ୍ଷମ ହୋଇଯାଉ। ଏହି ସମୟରେ ବନ୍ଧୁ ଓ ଆତ୍ମୀୟମାନଙ୍କର ଆଶ୍ୱାସନା, ସହାନୁଭୂତି ଓ ସାହାଯ୍ୟ ଶୀଘ୍ର ଠିକ୍ ବାଟକୁ ଆଣିବାରେ ସହାୟ ହୁଏ।

stress

ସମୟକ୍ରମେ ଧୀରେ ଧୀରେ ଅବସ୍ଥା ଭଲ ଆଡ଼କୁ ଗତି କରେ। ଯଦି କୌଣସି ବ୍ୟକ୍ତି ଦୁର୍ବଳମନା ହୋଇଥାଏ, ତା’ର ବହୁତ କ୍ଷତି ହୋଇଥାଏ, ଜଟିଳ ସମସ୍ୟାଗୁଡ଼ିକ ବାରମ୍ବାର ଦେଖାଦିଏ ଏବଂ ସେ ଯଦି ଠିକ୍ ସମୟରେ ଆତ୍ମୀୟସ୍ୱଜନ ଓ ବନ୍ଧୁମାନଙ୍କଠାରୁ ସାହାଯ୍ୟ ସହାନୁଭୂତି ନ ପାଏ ତାହା ହେଲେ ଏହା ତା’ମନରେ ଦୃଢ଼ଭାବରେ ସ୍ଥାୟୀ ହୋଇ ରହିଯାଏ। ସେହି ଲୋକଟି କଷ୍ଟ ପାଏ ଓ ନିଃସହାୟ ବୋଧକରେ।

ହତୋତ୍ସାହ ବା ବିଷାଦ ଏକ ସାର୍ବଜନୀନ ବିଷୟ। ଏହା ଯେକୌଣସି ବୟସର ଲୋକମାନଙ୍କଠାରେ ଦେଖାଯାଏ। ଯେଉଁ ପିଲାମାନେ କଥା କହି ନ ଥାଆନ୍ତି ସେମାନେ କାନ୍ଦନ୍ତି, ମାନ୍ଦା ହୋଇ ଖାଇବାକୁ ଆଗ୍ରହ ଦେଖାନ୍ତି ନାହିଁ ବା ଅସ୍ୱାଭାବିକ ବ୍ୟବହାର ଦେଖାଇ ତାଙ୍କର ଦୁଃଖ ପରିପ୍ରକାଶ କରିଥାଆନ୍ତି। ବୟସ୍କମାନେ ବିଭିନ୍ନ ପ୍ରକାର ଉପାୟରେ ଏହା ପ୍ରକାଶ କରିଥାଆନ୍ତି। କେତେକ କଥାରେ ଓ ବଡ଼ ପାଟିରେ କାନ୍ଦି, କେତେକ ଚୁପ୍ ରହି ଏହା ପ୍ରକାଶ କରିଥାଆନ୍ତି।

ଦୁଃଖର ପ୍ରକାଶ ପ୍ରଣାଳୀ ଗୋଟିଏ ଦେଶଠାରୁ ଅନ୍ୟ ଦେଶ ଓ ଗୋଟିଏ ସଂସ୍କୃତିଠାରୁ ଅନ୍ୟ ସଂସ୍କୃତିରେ ପ୍ରଭେଦ ଦେଖାଯାଏ। କେତେକ ସଂସ୍କୃତିରେ ପୁରୁଷମାନେ କାନ୍ଦିବାର ଦେଖାଯାଏ ନାହିଁ; ତେଣୁ ସେମାନେ ଅନ୍ୟ ଉପାୟରେ ଏହା ପ୍ରକାଶ କରନ୍ତି। ବିଭିନ୍ନ ପ୍ରକାର ସମାଜରେ ଦୁଃଖ ପ୍ରକାଶ କରିବାର ପ୍ରଥା ବିଭିନ୍ନ ପ୍ରକାର ଅଛି। ଏକପ୍ରକାର ସମାଜରେ ଲୋକମାନେ ଲୁହ ଗଡ଼ାନ୍ତି, ଦୁଃଖପୂର୍ଣ୍ଣ ଗୀତ ଗାଆନ୍ତି ଏବଂ ତାଙ୍କ ଛାତିକୁ ହାତରେ ପ୍ରହାର କରନ୍ତି। ଅନ୍ୟ ଏକପ୍ରକାର ସମାଜରେ ଲୋକମାନେ କଳା ପୋଷାକ ପିନ୍ଧି ଦୁଃଖରେ ଚୁପ୍‌ଚାପ୍ ରହନ୍ତି।

ବିଷାଦର ପରିମାଣ ଦୁଃଖର କାରଣ ଉପରେ ନିର୍ଭର କରେ। ଯଦି ସମସ୍ୟାଗୁଡ଼ିକ ଅଳ୍ପ ହୋଇଥାଏ, ତା’ହେଲେ ବିଷାଦ ଅଳ୍ପ ହୁଏ ଓ ଖୁବ୍ ଶୀଘ୍ର ଚାଲିଯାଏ। କିନ୍ତୁ ଯଦି ଏହା ଅଧିକ ଭୟଙ୍କର ବା ଆଶାତୀତ ହୋଇଥାଏ, ତା’ହେଲେ ବିଷାଦ ମଧ୍ୟ ଅଧିକ ହୁଏ, ତାହା ବହୁଦିନ ପର୍ଯ୍ୟନ୍ତ ରହେ।

stress

ବିଷାଦ କେତେବେଳେ ରୋଗରେ ପରିବର୍ତ୍ତିତ ହୁଏ?

ଆପଣମାନେ ଜାଣିଲେ ଯେ ବିଷାଦ ଏକ ସାଧାରଣ ଓ ସାର୍ବଜନୀନ ଘଟଣା। କିନ୍ତୁ ଏହା କେତେବେଳେ ରୋଗ ରୂପେ ଦେଖାଦିଏ ?

(୧)          ମନୁଷ୍ୟ ଯେତେବେଳେ ଭୟଙ୍କର ଭାବରେ ଦୁଃଖୀ ରହେ ବା ବିଷାଦଗ୍ରସ୍ତ ହୁଏ।

(୨)          ଯେତେବେଳେ ତା’ର ବିଷାଦ ଯୋଗୁଁ ସେ ତା’ର ଆବଶ୍ୟକ ଅନୁଯାୟୀ ଦୈନନ୍ଦିନ କାର୍ଯ୍ୟ କରିପାରେ ନାହିଁ।

(୩)          ଯଦି ବିଷାଦ ଅସାଧାରଣ ଭାବରେ ବହୁଦିନ ଲାଗିରହେ।

(୪)          ଯେତେବେଳେ ବ୍ୟକ୍ତି ଆଶା କରୁଥିବା ସାହାଯ୍ୟ, ସହାନୁଭୂତି ପରିବାରର ଲୋକ ବା ବନ୍ଧୁମାନଙ୍କଠାରୁ ନ ପାଏ ସେ ନିଃସହାୟ ହୋଇଯାଏ।

(୫)          ସାମାନ୍ୟ କାରଣରୁ ବିଷାଦଗ୍ରସ୍ତ ହେଲେ।

(୬)          କୌଣସି କାରଣ ନ ଥାଇ ବିଷାଦ ହେଲେ।

(୭)          ମନୁଷ୍ୟର ବିଷାଦ ସମୟରେ ପରିବାରର ଲୋକ ତାକୁ ଆହୁରି ଅଧିକ ସମସ୍ୟାରେ ପକାଇଲେ।

(୮)          ଆତ୍ମହତ୍ୟା କରିବାର ଇଚ୍ଛା ବାରମ୍ବାର ହେଲେ।

(୯)          ଯଦି ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବ।

(୧୦)       ଯଦି ତାହାର କଥାବାର୍ତ୍ତା ଓ ବ୍ୟବହାର ଅସଂଗତ, ଅସାଧାରଣ ଓ ଅପ୍ରାସଙ୍ଗିକ ଜଣାପଡ଼େ।

ଏହିସବୁ ପରିସ୍ଥିତିରେ ବିଷାଦ କ୍ରମେ ରୋଗ ଆଡ଼କୁ ପରିବର୍ତ୍ତିତ ହୋଇଥାଏ। ତେଣୁ ବ୍ୟକ୍ତିସହ ସଂଶ୍ଳିଷ୍ଟ ଥିବା ପ୍ରତ୍ୟେକ ବ୍ୟକ୍ତି ଯତ୍ନର ସହ ତା’ରଯତ୍ନ ନେବା ଆବଶ୍ୟକ। ସେମାନେ ତା’ରଖାଦ୍ୟାଭ୍ୟାସ, ପୋଷାକପତ୍ର ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ରଖିବେ। ତା’ର ଦୈନନ୍ଦିନ କାର୍ଯ୍ୟ କରିବାକୁ ତାକୁ ଉତ୍ସାହିତ ଓ ସାହାଯ୍ୟ କରିବା ଦରକାର। ମାନସିକ ରୋଗ ବିଶେଷଜ୍ଞ ବା ଅନ୍ୟ ଯେକୌଣସି ଡାକ୍ତରଙ୍କ ସହିତ ପରାମର୍ଶ କରି ତାଙ୍କ ତତ୍ତ୍ୱାବଧାନରେ ତାକୁ ରଖି ଚିକିତ୍ସା କରାଇବେ।

ବିଷାଦର ପ୍ରକାର :

ସାଧାରଣ ଘଟଣା ଏବଂ ଭୟଙ୍କରତା ଦେଖି ବିଶେଷଜ୍ଞମାନେ ବିଷାଦର ପ୍ରକାର ଭେଦ ନିର୍ଣ୍ଣୟ କରିଥାଆନ୍ତି। ଯଦିଓ ପ୍ରତ୍ୟେକ ବିଷାଦତାରେ ଗୋଟିଏ ପ୍ରକାର ଔଷଧ କାମ କରେ ତଥାପି ଏହାର ପ୍ରକାରଭେଦ ଜାଣିବା ଆବଶ୍ୟକ।

(୧) ପରିବେଶରୁ ସୃଷ୍ଟି ହୋଇଥିବା ବିଷାଦକୁ ‘ରିଆକ୍ଟିଭ ଡିପ୍ରେସନ୍‌’

(୨) ମସ୍ତିଷ୍କରେ ନୀରସ ନିଃସୃତଜନିତ ବିଷାଦକୁ  ‘ଏଣ୍ଡୋଜିନସ୍ ଡିପ୍ରେସନ୍‌’ କୁହାଯାଏ।

(୩) ଯଦି ବିଷାଦ ଖୁବ୍ କମ୍ ବା ପରିମିତ ହୋଇଥାଏ ଏବଂ ବ୍ୟକ୍ତିଜଣକ ତା’ରପାରିପାଶ୍ୱିର୍କ ଅବସ୍ଥା ସହ ଖାପ ଖୁଆଇପାରେ ତା’ହେଲେ ଏପ୍ରକାର ବିଷାଦକୁ  ‘ନ୍ୟୁରୋଟିକ ଡିପ୍ରେସନ’ କୁହାଯାଏ।

(୪) ଭୟଙ୍କର ଭାବରେ ବିଷାଦଗ୍ରସ୍ତ ବ୍ୟକ୍ତି ତା’ରଚାରିପାଖରେ କ’ଣ ଘଟୁଥିବା ବା ଘଟିବାକୁ ଥିବା ବିଷୟ ଜାଣିପାରୁ ନ ଥାଏ, ତା’ହେଲେ ତାହାକୁ ‘ସାଇକୋଟିକ ଡିପ୍ରେସନ’ କହନ୍ତି।

ଲକ୍ଷଣ: (Symptoms of depression in Odia)

(୧)          ଦୁଃଖ ଅନୁଭବ କରିବା, ମାନ୍ଦା ଲାଗିବା

(୨)          ଅସ୍ଥିର କ୍ଳାନ୍ତି ଓ ନିରୋଳା ଅନୁଭବ କରିବା

(୩)          କାନ୍ଦ ଲାଗିବା, କାନ୍ଦିବା

(୪)          ଯେକୌଣସି କାର୍ଯ୍ୟରେ ଆଗ୍ରହ କମିବା, ଅଳସୁଆ ଲାଗିବା

(୫)          ଭୋକ ନହେବା, ସ୍ୱାଦ ଅନୁଭବ ନ କରିବା

(୬)          ନିଦ ନ ହେବା, ନିଦରେ ବ୍ୟାଘାତ ଘଟିବା

(୭)          ଦୁର୍ବଳ ଲାଗିବା, ଦେହ ଘୋଳାବିନ୍ଧା ହେବା

(୮)          ମୁଣ୍ଡ ବିନ୍ଧିବା, ମୁଣ୍ଡ ଭାରି ଭାରି ଲାଗିବା ବା ମୁଣ୍ଡର ଅସ୍ୱାଭାବିକ ଅନୁଭବ ହେବା।

(୯)          ଯୌନକାର୍ଯ୍ୟରେ ଆଗ୍ରହ କମିବା ଏବଂ ଅସନ୍ତୁଷ୍ଟ ହେବା

(୧୦)       ନିରାଶାବାଦୀ ହେବା

(୧୧)       ନିଜକୁ ଛୋଟ ମନେ କରିବା ଯଥା-ମୁଁ ଅପଦାର୍ଥ, ମୂଲ୍ୟହୀନ, ମୋଦ୍ୱାରା କିଛି ହେବ ନାହିଁ।

(୧୨)       ଆତ୍ମହତ୍ୟା କରିବା ପାଇଁ ଇଚ୍ଛା ହେବା ଓ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବା ଇତ୍ୟାଦି।

(୧୩)       ସେ ଜଣେ ଦୋଷୀ ଓ ଖରାପଲୋକ ଏବଂ ସେ ଦଣ୍ଡ ପାଇବା ଦରକାର ବୋଲି ମିଥ୍ୟା ଓ ଦୃଢ଼ ଧାରଣା ଦେବା।

(୧୪)       ଅତ୍ୟଧିକ ଆଶାଶୂନ୍ୟ ହେବା ଓ ମୂଲ୍ୟହୀନ ଅନୁଭବ ହେବା।

(୧୫)       ଭବିଷ୍ୟତ ଅନ୍ଧକାର ଦିଶିବା।

(୧୬)       ଅନେକ ସମୟରେ ପିଲାଙ୍କ ପରି ଏକଜିଦିଆ ହେବା ଓ ଚିଡ଼ିଚିଡ଼ି ହେବା।

(୧୭)       ନିଜ ଦେହ ଓ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବା ଓ ସଫାସୁତୁରା ନ ରହିବା।

ବ୍ୟକ୍ତି ମାନ୍ଦା ଦେଖାଯାଏ। ତା’ରସ୍ୱର ଭାରି ଭାରି ଜଣାଯାଏ। ସେ ସେହି ସମୟରେ ଅସ୍ଥିର ହୁଏ। ତା’ରପାଟି ଶୁଖିଯାଏ ଓ ଦେହ ଥରେ। ସେ ଚିଡ଼ିଚିଡ଼ି ହୁଏ ଓ ସେ ତା’ର ସମ୍ପର୍କୀୟମାନଙ୍କ ଉପରେ ରାଗେ ଓ ଅସ୍ୱାଭାବିକ ବ୍ୟବହାର କଲେ କିନ୍ତୁ ସାଧାରଣତଃ ସେ ନରମ ଓ ମାନ୍ଦା ରହେ।

କେତେକ ବ୍ୟକ୍ତିଙ୍କଠାରେ ଏହା ଖୁବ୍ କମ୍ ସମୟ ପାଇଁ ରହିଥାଏ। ଯଦି ସେମାନେ ଅବସ୍ଥାକୁ ସୁଧାରି ନିଅନ୍ତି ଏବଂ ଅନ୍ୟମାନଙ୍କଠାରୁ ସାହାଯ୍ୟ ପାଆନ୍ତି ତା’ହେଲେ ଧୀରେ ଧୀରେ କମିଯାଏ। କେତେକ ଲୋକଙ୍କଠାରେ ଏହା ବେଶି ସମୟ ପର୍ଯ୍ୟନ୍ତ ରହେ ଓ ସେମାନେ ଏ ରୋଗଦ୍ୱାରା ଆକ୍ରାନ୍ତ ହୋଇ ଅନ୍ୟମାନଙ୍କ ପାଇଁ ବୋଝ ହୋଇଯାଆନ୍ତି।

ଡିପ୍ରେସନର କୌଣସି ଲକ୍ଷଣ ଦେଖା ନ ଯିବା ପର୍ଯ୍ୟନ୍ତ ପରିବାରର ଲୋକ ଏହା ଜାଣିବା କଷ୍ଟକର ହୋଇଥାଏ। ଗୋଟିଏ ସାଧାରଣ ଲୋକ ହଠାତ୍ ମାନ୍ଦା ହୋଇଯିବା, କିଛି କାମ ନ କରିବା, ଦୁଃଖ ଅନୁଭବ କରିବା, ଦୁର୍ବଳ ଲାଗୁଛି, ଦେହ ହାତ ବିନ୍ଧୁଛି, ଯନ୍ତ୍ରଣା ହେଉଛି, ଅଳସ ଲାଗୁଛି ଓ ଅସ୍ୱସ୍ତି ଲାଗୁଛି ବୋଲି ଅଭିଯୋଗ କରିବା ଦେଖି ପରିବାରର ଲୋକ ବିଚଳିତ ହୋଇପଡ଼ନ୍ତି। ଏଗୁଡ଼ିକ ସବୁ ସାଧାରଣ ଚିକିତ୍ସାରେ ଭଲ ହୁଏ ନାହିଁ। ସେମାନେ ଭାବନ୍ତି ଯେ ସେମାନଙ୍କୁ କୌଣସି ବ୍ୟକ୍ତି ଗୁଣିଗାରେଡ଼ି କରିଛି, ଭୂତ ବା ଡାହାଣୀ ଗ୍ରାସିଛି। ତେଣୁ ସେମାନେ ଗୁଣିଆ ପାଖକୁ ନିଅନ୍ତି ଓ ବିଭିନ୍ନ ପ୍ରକାର ଦେବଦେବୀ ପାଖକୁ ନେଇ ପୂଜା ଅର୍ଚ୍ଚନା କରନ୍ତି। ଯେତେବେଳେ ରୋଗ ଅଧିକ ହୋଇଯାଏ ଓ ସ୍ଥାୟୀ ହୋଇଯାଏ ସେମାନେ ନିଜ ଭାଗ୍ୟକୁ ନିନ୍ଦା କରନ୍ତି। ଏ ପ୍ରକାର ରୋଗୀ ସବୁ କାମ ବନ୍ଦ କରିଦିଏ। ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବସିରହେ, ଅସ୍ଥିର ହୁଏ, ତଳଉପର ହୋଇ ଚାଲୁଥାଏ। ସେ ନିରୋଳାରେ ରହିବାକୁ ଭଲ ପାଏ ଓ ଅନ୍ୟମାନଙ୍କ କଥା ତାକୁ ଭଲ ଲାଗେ ନାହିଁ। ସେ ପରିଷ୍କାର ଭାବରେ କଥା କହେ ନାହିଁ ଓ ନିରବ ରହେ। ରାତିରେ ୨ଟା ୩ଟା ବେଳକୁ ଉଠିପଡ଼େ। ଦୁଃଖ ଅନୁଭବ କରେ। ଦିନ ବଢ଼ିବା ସଙ୍ଗେ ସଙ୍ଗେ ସେ ଭଲ ଅନୁଭବ କରେ। ସେ ତା’ରସବୁ କାର୍ଯ୍ୟରେ ଏପରିକି ଯୌନ କାର୍ଯ୍ୟରେ ମଧ୍ୟ ଆଗ୍ରହ କମିଯାଏ। ସେ ନିଜକୁ ଦୋଷୀ ବୋଲି ଭାବେ ଓ ନିଜକୁ ନିନ୍ଦା କରେ। ସେ ନିରାଶ୍ରୟ ଓ ଆଶାଶୂନ୍ୟ ଅନୁଭବ କରେ। ସେ ଭାବେ ମରିଯିବା ଭଲ ଓ ଆତ୍ମହତ୍ୟା କରିବାକୁ ଚେଷ୍ଟା କରେ। ଅନେକ ସମୟରେ ଏହା ଏତେ ଭୟଙ୍କର ହୋଇଯାଏ ଯେ  ତାକୁ କିଏ ଗାଳି ଦେଉଥିବାର ସ୍ୱର ଶୁଭେ ଓ ଭୟ ପାଏ। ସେ ବିଶ୍ୱାସ କରେ ଯେ ସେ ଜଣେ ଦୋଷୀ। ସେ ନିଜକୁ ବା ଅନ୍ୟକୁ ହତ୍ୟା କରିବାକୁ ଚେଷ୍ଟା କରେ।

mental stress

କାରଣ: (Causes of depression in odia)

(୧)          ଆତ୍ମୀୟମାନଙ୍କ ମୃତ୍ୟୁ ବା ବିଚ୍ଛେଦ

(୨)          ମୂଲ୍ୟବାନ୍ ଓ ଗୁରୁତ୍ୱପୂର୍ଣ୍ଣ ଜିନିଷ ହରାଇବା

(୩)          ଧନ, ସମ୍ପତ୍ତି, ମାନସମ୍ମାନ ହରାଇବା

(୪)          ଆର୍ଥିକ ଅଭାବ, ଦାରିଦ୍ର୍ୟ, ନିଯୁକ୍ତି ନ ପାଇବା

(୫)          ପରୀକ୍ଷାରେ, ବ୍ୟବସାୟରେ ବା ଯେକୌଣସି କାର୍ଯ୍ୟରେ ଅକୃତ କାର୍ଯ୍ୟ ହେବା

(୬)          ପରିବାରର ଲୋକ ସହ ଓ ବନ୍ଧୁମାନଙ୍କ ସହ କଳି ଲାଗିବା ବା ଭୁଲ ବୁଝାମଣା ହେବା।

(୭)          ପ୍ରେମଜନିତ ବ୍ୟାପାରରେ ନୈରାଶ୍ୟ ହେବା

(୮)          ସବୁବେଳେ ସବୁ କାମରେ ନୈରାଶ୍ୟ ବା ହତୋତ୍ସାହ

(୯)          ବହୁଦିନ ଧରି ସ୍ୱାସ୍ଥ୍ୟ ଖରାପ ରହିବା

ମାନସିକ ରୋଗ ବିଶେଷଜ୍ଞମାନେ କହନ୍ତି ଯେ ଏହା ମସ୍ତିଷ୍କରେ ଜୈବ ରାସାୟନିକ ଅସନ୍ତୁଳନ ଯୋଗୁଁ ହୋଇଥାଏ। ସାଧାରଣତଃ ଏହା ସ୍ତ୍ରୀଲୋକମାନଙ୍କଠାରେ ୩୦ ବର୍ଷ ପରେ ଦେଖାଯାଏ। ସ୍ତ୍ରୀଲୋକମାନଙ୍କର ଋତୁସ୍ରାବ ବନ୍ଦ ହେବା ସମୟରେ ଏହା ହେବାର ସମ୍ଭାବନା ଥାଏ। ବିଭିନ୍ନ ପ୍ରକାର ଜୈବରସ କ୍ଷରଣର ହ୍ରାସ ଏହି ସମୟରେ ହୋଇଥାଏ। ଫଳରେ ଏହି ଜୈବରସର ପରିବର୍ତ୍ତନ ହିଁ ରୋଗ ପାଇଁ ଦାୟୀ।

ମୃତ୍ୟୁ ବା ବିଚ୍ଛେଦ ଯୋଗୁଁ ବିଷାଦ ହେବା:

ହଠାତ୍ କୌଣସି ଆତ୍ମୀୟର ମୃତ୍ୟୁ ବା ବିଚ୍ଛେଦ ଆମକୁ ଦୁଃଖ ଦେଇଥାଏ। କୌଣସି ଆତ୍ମୀୟର ମୃତ୍ୟୁ ହୋଇଛି ବୋଲି ହଠାତ୍ ଶୁଣିଲେ ଆମେ ବିଶ୍ୱାସ କରୁ ନାହିଁ। ଆମେ ଏପରି ହୋଇ ନ ପାରେ ବୋଲି କହି ମନା କରୁ। କିନ୍ତୁ ଯେତେବେଳେ ଏହା ନିଶ୍ଚିତ ବୋଲି ଜଣାପଡ଼େ ଆମେ ତାହାକୁ ଅତର୍କିତ ଭାବେ ଗ୍ରହଣ କରିନେଉ। ଆମେ ବାକ୍‌ଶକ୍ତି ହରାଉ। ଆମ ଦେହ ଥରେ, ଆମ୍ଭେ ଠିଆ ହେବାକୁ ଦୁର୍ବଳ ମନେ କରୁ। ଆମେ କିଛି ଭାବିପାରୁ ନାହିଁ ଓ ନିଷ୍ପତ୍ତି ନେଇପାରୁ ନାହିଁ। ଆମେ କାନ୍ଦୁ। ଆମେ ସମ୍ପୂର୍ଣ୍ଣ ନିରାଶ୍ରୟ ଓ ଦୁଃଖ ଅନୁଭବ କରୁ। ପ୍ରାଥମିକ ଆଘାତ ଅଳ୍ପ କମିଗଲେ ଆମେ ଅସ୍ୱସ୍ତି ବା ଅତ୍ୟଧିକ କ୍ଳାନ୍ତି ଅନୁଭବ କରୁ। ଆମେ ଗୋଟିଏ ସ୍ଥାନରେ ପଡ଼ିଲା ପରି ପଡ଼ିରହୁ। ମୃତ ବ୍ୟକ୍ତିର ସ୍ମୃତି ଆମ ମନ ଭିତରେ ପୂରିରହେ। ତା’ରପ୍ରତିବିମ୍ବ ଆମ ମୁଣ୍ଡ ମଧ୍ୟରେ ଖେଳିବୁଲେ। ଆମେ ତା ବିଷୟରେ କଥାବାର୍ତ୍ତା କରୁ। ସମୟେ ସମୟେ ଆମ ଅନୁଭବ କରୁ ଯେ ମୃତ ବ୍ୟକ୍ତି ଆମ ସହିତ କଥାବାର୍ତ୍ତା କରୁଛି। ଅନେକ ସମୟରେ ସନ୍ଦେହ କରୁ ଯେ ମୃତ ବ୍ୟକ୍ତିକୁ ଉପଯୁକ୍ତ ଚିକିତ୍ସା କରାଯାଇ ନାହିଁ, ତେଣୁ ଡାକ୍ତର ଓ ନର୍ସଙ୍କୁ ନିନ୍ଦା କରୁ। ଆମ ନିଦ୍ରାରେ ବ୍ୟାଘାତ ଘଟେ ଓ ଆମେ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ହେଉ ନାହୁଁ।

ସାଧାରଣତଃ ଏ ପ୍ରକାର ବ୍ୟାଘାତ ୪ ସପ୍ତାହରୁ ୮ ସପ୍ତାହ ପର୍ଯ୍ୟନ୍ତ ରହେ ଓ ଏହା ମଧ୍ୟରେ ଆମେ ନିଜକୁ ସାନ୍ତ୍ୱନା ଦେଇ ନୂଆ ପରିସ୍ଥିତି ସହିତ ଖାପ ଖୁଆଇନେଉ। ଯଦି ଏ ପ୍ରକାର ଦୁଃଖ ୬ ମାସ ପରେ ମଧ୍ୟ ହେଉଥାଏ ତା’ହେଲେ ଏହା ଅସାଧାରଣ ହୋଇଯାଏ। ଆମେ ଏ ପ୍ରକାର ବ୍ୟକ୍ତିକୁ ପ୍ରଥମରୁ ଚିହ୍ନିପାରିବା, ସେମାନେ ଅସାଧାରଣ ବ୍ୟବହାର ପ୍ରଦର୍ଶନ କରନ୍ତି। ଅନ୍ୟର ମୃତ୍ୟୁ ସମୟରେ ସେମାନେ ଦୁଃଖ ପ୍ରକାଶ କରିବା ପରିବର୍ତ୍ତେ ରାଗ ଓ ଅସ୍ୱଚ୍ଛ ପ୍ରଦର୍ଶନ କରନ୍ତି। ସେମାନେ ଶୁଅନ୍ତି ନାହିଁ, ମାନ୍ଦା ବା ନିରବ ରହନ୍ତି। ସେମାନେ ଅନ୍ୟମାନେ ଚାହୁଁ ନ ଥିବା କାର୍ଯ୍ୟକଳା ପ୍ରଦର୍ଶନ କରନ୍ତି ଓ ଅସ୍ଥିର ହୁଅନ୍ତି। ମୃତ ବ୍ୟକ୍ତି ଯେଉଁପ୍ରକାର ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିଲା ସେହି ରୋଗର ଲକ୍ଷଣ ପ୍ରକାଶ କରନ୍ତି। ସେମାନେ ପ୍ରାଚୁର୍ଯ୍ୟ ମଧ୍ୟକୁ ପ୍ରବେଶ କରନ୍ତି ଓ ସେଥିପାଇଁ ବହୁତ ଖର୍ଚ୍ଚ କରି ଶେଷରେ ସର୍ବସ୍ୱାନ୍ତ ହୁଅନ୍ତି। ସେମାନେ ଆତ୍ମହତ୍ୟା କରିବାକୁ ଇଚ୍ଛା କରନ୍ତି ଓ ଆତ୍ମହତ୍ୟା ଉଦ୍ୟମ କରନ୍ତି। ସେମାନେ ଭାରି ଉତ୍କଣ୍ଠିତ ହୁଅନ୍ତି, ମାନସିକ ଅଶାନ୍ତି ଭୋଗ କରନ୍ତି। ସେମାନେ ରାଗୀ ଓ ହିଂସ୍ର ହୋଇପାରନ୍ତି। ସେମାନଙ୍କୁ ଚିକିତ୍ସା ଦରକାର। ଅତ୍ୟାବଶ୍ୟକ ଦୁଃଖକୁ ଠିକ୍ ଭାବେ ପ୍ରକାଶ କରିବା ପାଇଁ ତାଙ୍କୁ ଶିଖାଇବା ଆବଶ୍ୟକ।

ଆରମ୍ଭ କିପରି ହୁଏ ?

ସାଧାରଣତଃ ବିଷାଦ ରୋଗରେ ପରିଣତ ହେବା ପାଇଁ ଅନେକ କାରଣ ରହିଛି। ଏଗୁଡ଼ିକ ବଂଶଗତ କାରଣ, ବ୍ୟକ୍ତିର ବ୍ୟକ୍ତିତ୍ୱ, ତା’ରକଷ୍ଟ ସହିବାର ଶକ୍ତି ଏବଂ ପରିବାର ଲୋକ ଓ ବନ୍ଧୁମାନଙ୍କ ସହିତ ସମ୍ପର୍କ ଏବଂ ଅନ୍ୟମାନଙ୍କଠାରୁ ପାଉଥିବା ସାହାଯ୍ୟ ଓ ସହାନୁଭୂତି, ସମସ୍ୟାର ପ୍ରକୃତି ଓ ଗୁଣ ଏବଂ ତାହା କିପରି ଘଟିଲା ପ୍ରଭୃତି କାରଣ ଉପରେ ନିର୍ଭର କରେ।

ଏହା ବଂଶଗତ କି ?

ମାନସିକ ବିଷାଦ (ଊରକ୍ଟ୍ରକ୍ସରଗ୍ଦଗ୍ଦସକ୍ଟଦ୍ଭ) : କେତେକାଂଶରେ ବଂଶଗତ ହୋଇଥାଏ, ଯେଉଁମାନଙ୍କୁ ହୋଇଥାଏ ସେମାନଙ୍କ ପିଲାମାନଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଏହି ରୋଗ ହେବାର ଅଧିକ ସମ୍ଭାବନା ଥାଏ।

mental stress

ଚିକିତ୍ସା: (Depression treatment in odia)

ଯେତେବେଳେ ଆରମ୍ଭ ହେଉଥିବ ବା ରୋଗ ଆଡ଼କୁ ଗତି କରୁଥିବ ସେତେବେଳେ ରୋଗୀକୁ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନେବା ଉଚିତ। ଡାକ୍ତରଙ୍କ ଉପଦେଶକୁ ଯତ୍ନର ସହିତ ମାନିବା ସଙ୍ଗେ ସଙ୍ଗେ ତାଙ୍କ ସହିତ ପୂର୍ଣ୍ଣ ସହଯୋଗ କରିବା ଆବଶ୍ୟକ। ଏହାର ବିଭିନ୍ନ ପ୍ରକାର ଚିକିତ୍ସା ତଥା-ଔଷଧ ଚିକିତ୍ସା, ବିଜୁଳି ଚିକିତ୍ସା, ମନସ୍ତାତ୍ତ୍ୱିକ ଚିକିତ୍ସା, ପାରିବାରିକ ଚିକିତ୍ସା ଓ ଦଳଗତ ଭାବେ ଚିକିତ୍ସା କରିବା ପ୍ରଭୃତି ବିଭିନ୍ନ ପ୍ରଣାଳୀ ରହିଛି। ଡାକ୍ତରମାନେ ଏକ ସମୟରେ ଏକରୁ ଅଧିକ ପ୍ରକାର ପ୍ରଣାଳୀଦ୍ୱାରା ଚିକିତ୍ସା କରିପାରନ୍ତି।

୧. ଔଷଧ ଚିକିତ୍ସା :

ବର୍ତ୍ତମାନ ଏପ୍ରକାର ରୋଗ ନିରୋଧ ପାଇଁ ବିଭିନ୍ନ ପ୍ରକାର ବଟିକା ଓ କ୍ୟାପସୁଲ ବାହାରିଛି। ଇମିପ୍ରାମିନ, ଆମିଟ୍ରିପ୍ଟିଲିନ୍ ପ୍ରଭୃତି ଔଷଧଗୁଡ଼ିକ ଏ ରୋଗ ପ୍ରତିଷେଧ ପାଇଁ ପ୍ରସିଦ୍ଧ ଔଷଧ। ଏହା ସହିତ ଆଧୁନିକ ଔଷଧମାନ ଯଥା-ସିଟାଲୋପ୍ରାମ୍‌, ଏସ୍‌-ସିଟାଲୋପ୍ରାମ୍‌, ଭେନ୍‌ଲାଫେକ୍ସିନ୍‌, ମିଟ୍ରାଜେପିନ୍‌, ଫ୍ଲୁଅକ୍ସିଟିନ୍‌, ପାରକ୍ସିଟିନ୍ ଆଦି ମଧ୍ୟ ବ୍ୟବହାର କରାଯାଏ। ମାତ୍ର ଆଠ ଦଶଟି ଦିନ ଔଷଧ ବ୍ୟବହାର କଲେ ରୋଗର କୌଣସି ପ୍ରକାର ପରିବର୍ତ୍ତନ ହୋଇ ନ ପାରେ, ମସ୍ତିଷ୍କ ମଧ୍ୟରେ କାମ କରିବାକୁ ଔଷଧ ସମୟ ନେଇଥାଏ। ତେଣୁ ରୋଗୀ ଓ ପରିବାରର ଲୋକ ରୋଗୀ ଔଷଧ ଖାଇବା ସଙ୍ଗେ ସଙ୍ଗେ ଭଲ ହୋଇଯିବାର ଆଶା ନ କରିବା ଉଚିତ। ଅନ୍ତତଃ ପନ୍ଦରଦିନ ଔଷଧ ଖାଇସାରିବା ପରେ ଡାକ୍ତର ରୋଗୀର ଅବସ୍ଥା ଦେଖି ଯଦି ଦରକାର ପଡ଼େ ଔଷଧ ପରିମାଣ ବଢ଼ାଇ ପାରନ୍ତି। ଯଦି ରୋଗୀ ଭଲ ଭାବରେ ନ ଶୁଏ ତା’ହେଲେ ସେ ନିଦ ଔଷଧ ଦେଇପାରନ୍ତି।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀ ନିୟମିତ ଓ ଉପଯୁକ୍ତ ପରିମାଣର ଔଷଧ ଖାଇବା ଉଚିତ। ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧର ପରିମାଣ କମାଇବା ବା ବନ୍ଦ କରିବା ଉଚିତ।

କେତେକ ଲୋକଙ୍କଠାରେ ଏ ଔଷଧର କୁପରିଣାମସ୍ୱରୂପ ପାଟି ଶୁଖିଯିବା, ଆଖିକୁ ଜାଲଜାଲିଆ ଦିଶିବା, ହୃତ୍‌ସ୍ପନ୍ଦନ ବଢ଼ିଯିବା, ଝାଡ଼ା ପରିଷ୍କାର ନ ହେବା, ହାତ ପ୍ରଭୃତି ସାମାନ୍ୟ ଥରିବା ଇତ୍ୟାଦି ଦେଖାଯାଏ। ଏସବୁ ଲକ୍ଷଣ କ୍ଷଣସ୍ଥାୟୀ ଓ ଏହା ଅଳ୍ପ ଦିନ ମଧ୍ୟରେ ଦୂରହୁଏ। ତେଣୁ ଔଷଧ କମାଇବା ବା ବନ୍ଦ କରିବା ଅନାବଶ୍ୟକ। ଏହି ସମୟରେ ଯଥେଷ୍ଟ ପାଣି ପିଇବା ଓ ସବୁଜ ପନିପରିବା, ଫଳ ପ୍ରଚୁର ଖାଇବା ଦରକାର। ଯଦି ଏହି କୁପରିଣାମ ଅଧିକ ହୁଏ ତା’ହେଲେ ଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରିବା ଦରକାର।

ସାଧାରଣତଃ ଏ ଔଷଧ କେତେ ମାସ ବା ବର୍ଷାଧିକ ଦିଆହୁଏ।

୨. ମନସ୍ତତ୍ତ୍ୱ ଚିକିତ୍ସା:

ରୋଗୀ ସହ କଥାବାର୍ତ୍ତା କରି ତା’ରସମସ୍ୟା ବିଷୟରେ ପଚରାଉଚୁରା କରିବା ଉଚିତ। ରୋଗୀକୁ ତା’ରଅକୃତକାର୍ଯ୍ୟ, ନୈରାଶ୍ୟ ଏବଂ ସେ କ’ଣ ପାଇଁ ଚିନ୍ତିତ ରହିଛି ଇତ୍ୟାଦି ବିଷୟ ବୁଝାଇବା ଆବଶ୍ୟକ। ତାକୁ ତା’ରକାର୍ଯ୍ୟଦକ୍ଷତା ଓ ସୀମା ବିଷୟରେ ବୁଝାଇବା ଦରକାର। ସେ ମଧ୍ୟ କିପରି ନିଜକୁ ପରିସ୍ଥିତି ସହ ଖାପ ଖୁଆଇ ଜୀବନରେ ବାସ୍ତବତା ପ୍ରତି ସଜାଗ ରହିବ ତାହା ମଧ୍ୟ ତାକୁ ବୁଝାଇବା ଉଚିତ। ସେ ଆବଶ୍ୟକ କରୁଥିବା ସାହାଯ୍ୟ, ସହାନୁଭୂତି, ଉପଦେଶ ଓ ଉତ୍ସାହ ତାକୁ ଦେବା ଦରକାର। ଫଳରେ ସେ ତା’ଉପରେ ଥିବା ସମସ୍ତ ପ୍ରକାର ସମସ୍ୟାଗୁଡ଼ିକୁ ପାର ହୋଇପାରିବ। ଏହା ହିଁ ହେଉଛି ମନସ୍ତାତ୍ତ୍ୱିକ ଚିକିତ୍ସା ବା ସାଇକୋଥେରାପି। ସାଧାରଣତଃ ଯଦି ଦରକାର ପଡ଼େ ପ୍ରତିଦିନ ୪୫ ମିନିଟ୍‌ରୁ ୬୦ ମିନିଟ୍ ପର୍ଯ୍ୟନ୍ତ ସାଇକୋଥେରାପି ଦିଆଯାଏ ଓ ପରେ ସପ୍ତାହକୁ ଥରେ ଦିଆଯାଏ।

୩. ପାରିବାରିକ ଚିକିତ୍ସା:

ରୋଗୀର ଚିକିତ୍ସା ପାଇଁ ପରିବାରର ସଦସ୍ୟମାନଙ୍କର ବହୁ ଗୁରୁଦାୟିତ୍ୱ ରହିଛି। ସେମାନେ ରୋଗୀର ସମସ୍ୟା ବୁଝିବା ସଙ୍ଗେ ସଙ୍ଗେ ଏହାର ସମାଧାନ କରିବା ପାଇଁ ଡାକ୍ତରଙ୍କ ସହଯୋଗ ଓ ସାହାଯ୍ୟ କରିବା ସହ ରୋଗୀକୁ ମଧ୍ୟ ସାହାଯ୍ୟ କରିବେ ଓ (ମାନସିକ ବିଷାଦ) କିପରି ପୁନର୍ବାର ନ ହେବ ସେଥିପ୍ରତି ଯତ୍ନଶୀଳ ହେବା ଆବଶ୍ୟକ।

୪. ସାମୂହିକ ଚିକିତ୍ସା:

ଯେଉଁମାନେ ପାରିପାଶ୍ୱିର୍କ ଅବସ୍ଥା ବା କାରଣ ଯୋଗୁଁ ଏପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି, ସେମାନଙ୍କ କ୍ଷେତ୍ରରେ ସାଧାରଣତଃ କେତେଗୁଡ଼ିଏ ସମସ୍ୟା ଏଥିପାଇଁ ଦାୟୀ। ତେଣୁ ସମାନ ଅବସ୍ଥା ଭୋଗିଥିବା ଏକତ୍ର ବସି ପରସ୍ପର ସହ ଆଲୋଚନା କରି ସମସ୍ୟାର ସମାଧାନ ବିଷୟ ସ୍ଥିର କରିବା ଆବଶ୍ୟକ। ଏହାକୁ ‘ଗ୍ରୁପ୍‌ଥେରାପି’ କୁହାଯାଏ। ସାଧାରଣତଃ ଛ’ରୁ ଦଶ ଜଣ ଏପ୍ରକାର ରୋଗୀ ସପ୍ତାହରେ ଥରେ ଏକାଠି ହୋଇ ଆଲୋଚନା କରିବା ଦରକାର। ଆମ ଦେଶରେ ଏପ୍ରକାର ପ୍ରଣାଳୀ ଖୁବ୍ ଉପଯୋଗୀ।

୫. ବିଜୁଳି ଚିକିତ୍ସା ବା ଇ.ସି.ଟି.:

ଇ.ସି.ଟି. ଦୁଇ ଦିନରେ ଥରେ ଲେଖାଏଁ ଦିଆଯାଏ। ଡିପ୍ରେସନ ପ୍ରତିରୋଧକ ଔଷଧ ମଧ୍ୟ ଇସିଟି ସହିତ ଦିଆଯାଏ। ଇ.ସି.ଟି.ରେ କୌଣସି କୁପରିଣାମ ଆଜି ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

mental stress

ଆପଣମାନେ କ’ଣ କରିପାରିବେ?

ଆପଣ ଯଦି ଜାଣିପାରନ୍ତି ଯେକୌଣସି ବ୍ୟକ୍ତି ଏପ୍ରକାର ରୋଗଦ୍ୱାରା ଆକ୍ରାନ୍ତ ହୋଇଛି-

(୧)          ତାକୁ ସଙ୍ଗେ ସଙ୍ଗେ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନିଅନ୍ତୁ।

(୨)          ଚିକିତ୍ସା ପାଇଁ ତାଙ୍କୁ ବାଧ୍ୟ କରି ଡାକ୍ତରଙ୍କ ପାଖକୁ ନିୟମିତ ନିଅନ୍ତୁ।

(୩)          ଦୟାଶୀଳ ହୋଇ ରୋଗୀସହ କଥାବାର୍ତ୍ତା କରନ୍ତୁ। ତାହାର ଅନୁଭବ ଓ ସମସ୍ୟା ବିଷୟରେ ଧୈର୍ଯ୍ୟ ଧରି ଶୁଣନ୍ତୁ।

(୪)          ତାଙ୍କୁ ଉତ୍ସାହ ଦିଅନ୍ତୁ। ତାଙ୍କୁ ପ୍ରବୋଧ ଦିଅନ୍ତୁ ଯେ ଆଗକୁ ଭଲ ଦିନ ଆସୁଛି ଓ ହସି ହସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।

(୫)          ତାହାଙ୍କର ଖାଦ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଯତ୍ନ ଦିଅନ୍ତୁ।

(୬)          ଯଦି ରୋଗୀ ଆତ୍ମହତ୍ୟା କରିବାକୁ ଇଚ୍ଛା କରୁଥାଏ ଓ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥାଏ ତା’ହେଲେ ତା’ପ୍ରତି ସଯତ୍ନ ରହି ସର୍ବଦା ଜଗି ରହନ୍ତୁ। ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ତାଙ୍କୁ ଏକୁଟିଆ ଛାଡ଼ନ୍ତୁ ନାହିଁ। ଯଦି ଏହା ସମ୍ଭବ ନ ହୁଏ ତା’ହେଲେ ତାଙ୍କୁ ଡାକ୍ତରଖାନାରେ ରଖି ଦିଅନ୍ତୁ।

(୭)          ମନେ ରଖନ୍ତୁ ମାନସିକ ବିଷାଦ ରୋଗ ନିଶ୍ଚିତ ଭାବେ ଭଲ ହୋଇଯାଏ।

(ଡାକ୍ତର ସମ୍ରାଟ କର ଜଣେ ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ।)