କାହିଁକି ହୋଇଥାଏ ଆସ୍ଥମା ରୋଗ? କେମିତି ଏହାକୁ ରୋକିପାରିବା? ଏବଂ ଏହାର ଚିକିତ୍ସା କ’ଣ ରହିଛି? ଏନେଇ ମେଡିସିନ୍ ସ୍ପେଶିଆଲିଷ୍ଟ ଡାକ୍ତର ନିରୋଜ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଆସ୍ଥମା ରୋଗ, ସାଧାରଣରେ ଏହାକୁ ଆଜମା ବୋଲି ମଧ୍ୟ କୁହାଯାଏ। ଆସ୍ଥମା ହେଉଛି ଏକ ଫୁସଫୁସ ରୋଗ। ଏହି ରୋଗ ହେବା ଫଳରେ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ଏବଂ ରୋଗୀ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥାଏ।

ଆସ୍ଥମା ରୋଗର ଲକ୍ଷଣ (Symptoms of asthma in Odia)

ଶୁଖିଲା କାଶ ହେବା

ଅଣନିଶ୍ୱାସୀ ଲାଗିବା

ନିଶ୍ୱାସ ନେଲା ବେଳେ ପେଂକାଳି ଶବ୍ଦ ହେଲା ଭଳି ଲାଗିବା

ନିଶ୍ୱାସ ଜୋର ଜୋର ନେବେ

ଏହିସବୁ ଲକ୍ଷଣ ଦେଖାଗଲେ ଆସ୍ଥମା ହୋଇପାରେ ବୋଲି ଅନୁମାନ କରିପାରିବା।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଶ୍ଵାସ ରୋଗୀଙ୍କ ପାଇଁ ସୁପର ଫୁଡ୍

ଆସ୍ଥମା ରୋଗର କାରଣ (Causes of asthma in Odia)

ଆସ୍ଥମା ହେବାର ସବୁଠୁ ସାଧାରଣ କାରଣ ହେଲା ଆଲର୍ଜି। ଯେପରିକି ଧୂଳି ଯୋଗୁଁ ଆଲର୍ଜି ହେବା, କୌଣସି ଖାଦ୍ୟ ଯୋଗୁଁ ଆଲର୍ଜି ହେବା, ଘରେ ଯଦି ଅସରପା ପଡ଼ି ରହିଥିବେ, ଛୋଟ ପିଲା ତା’ର ସଂସ୍ପର୍ଶରେ ଆସିଲେ ଆଲର୍ଜି ହୋଇଥାଏ। ଏହାଛଡ଼ା କୌଣସି ଫ୍ଲୁ କିମ୍ବା ସଂକ୍ରମଣ  ଯୋଗୁଁ ଆସ୍ଥମା ହେବାର ଆଶଙ୍କା ଥାଏ। ଆସ୍ଥମାର ଆଉ ଏକ କାରଣ ହେଉଛି ଧୂମପାନ। ଧୂମପାନ କରୁଥିବା ବ୍ୟକ୍ତି କିମ୍ବା ଧୂମପାନରୁ ବାହାରୁଥିବା ଧୂଆଁର ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଆସ୍ଥମା ହେବାର ଆଶଙ୍କା ଅଛି। କିନ୍ତୁ, ଧୂମପାନ ବନ୍ଦ କରିଦେଲେ ଆସ୍ଥମା ଭଲ ହୋଇଯିବାର ସମ୍ଭାବନା ରହିଛି।

ଆସ୍ଥମାର ଆଉ ଏକ କାରଣ ହେଉଛି ପ୍ରଦୂଷଣ। କେତେକ ଲୋକଙ୍କର ମାନସିକ ଚାପ ଯୋଗୁଁ ଆସ୍ଥମା ହୋଇପାରେ। କେତେକ ଲୋକଙ୍କର ୫ରୁ ୧୦ ମିନିଟ୍‌ ବ୍ୟାୟାମ କଲେ ଆସ୍ଥମା ସମସ୍ୟା ସୃଷ୍ଟି ହୋଇଥାଏ ଓ କିଛି ସମୟ ଆରାମ କଲାପରେ ଠିକ୍‌ ହୋଇଯାଏ।

କେଉଁ କାରଣ ଯୋଗୁଁ ଆସ୍ଥମା ହେଉଛି ଜାଣିପାରିଲେ, ଏହାକୁ ରୋକିବା ସମ୍ଭବ ହୋଇଥାଏ।

ଅଧିକ ପଢ଼ନ୍ତୁ: ଅଧିକ ସମୟ ଏସିରେ ରହିଲେ ଦେଖାଦେବ ,ଏହି ସମସ୍ୟା

ଆସ୍ଥମା ହେବାର ଆଶଙ୍କା କାହାକୁ ଥାଏ? (Who is at risk of asthma in Odia)

ବଂଶଗତ କାରଣରୁ ମଧ୍ୟ ଆସ୍ଥମା ହୋଇପାରେ। ଧରନ୍ତୁ, ଯେଉଁ ଲୋକଙ୍କର ଆଲର୍ଜି ଗ୍ରାଇନାଇଟିଜ୍‌ ଅଛି, ଯେପରିକି ବାରମ୍ବାର ଛିଙ୍କ ହେଉଥିବ, ନାକରୁ ପାଣି ବାହାରୁଥିବ, ନାକ କୁଣ୍ଡେଇ ହେଉଥିବା, ଆଖି କୁଣ୍ଡେଇ ହେଉଥିବ, ସେମାନଙ୍କର ଆସ୍ଥମା ହେବାର ଆଶଙ୍କା ରହିଛି।

ଅଧିକାଂଶ ପିଲାଙ୍କଠାରେ ଆସ୍ଥମା ସମସ୍ୟା ଅଧିକ ଦେଖାଦେଇଥାଏ। କିନ୍ତୁ, ବୟସ ବଢ଼ିବା ସହ ଆସ୍ଥମା କମି କମି ଯାଏ।

ଧୂମପାନ କରୁଥିବା ବ୍ୟକ୍ତିଙ୍କର ଆସ୍ଥମା ହେବାର ଆଶଙ୍କା ଅଧିକ ଥାଏ। ତେଣୁ, ଧୂମପାନ ବର୍ଜନ କରିବା ପରେ ଆସ୍ଥମା କମିଯାଏ।

ଆସ୍ଥମା ରୋଗର ଜଟିଳତା (Complications of asthma in Odia)

ବ୍ୟକ୍ତିକୁ ମାଇଲ୍ଡ ଆସ୍ଥମା ହେଲେ, ଥେରାପି ନେବା ପରେ ନିୟନ୍ତ୍ରଣକୁ ଆସିଯାଏ। ଯଦି ବ୍ୟକ୍ତିଙ୍କର ସିଭିୟର ଆସ୍ଥମା ହୁଏ, ବ୍ୟକ୍ତି ଧଇଁସଇଁ ହୋଇପଡ଼ନ୍ତି। ଫଳରେ ବ୍ୟକ୍ତିଙ୍କୁ ମେଡିକାଲ ଯିବାକୁ ପଡ଼ିଥାଏ। କେତେକ ଲୋକଙ୍କର ଆସ୍ଥମା ଏତେ ଜଟିଳ ହୋଇପଡ଼େ ଯେ ଜୀବନ ପ୍ରତି ବିପଦ ଆସିଥାଏ।

ନିୟର ଫଟାଲ ଆସ୍ଥମା ହେଲେ ବ୍ୟକ୍ତିଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ଏଭଳି କ୍ଷେତ୍ରରେ ବ୍ୟକ୍ତିଙ୍କୁ ଯତ୍ନବାନ ହେବାର ଆବଶ୍ୟକତା ରହିଛି।

ଆସ୍ଥମା ରୋଗର ନିରାକରଣ (Prevention of asthma in Odia)

ଆସ୍ଥମା ହେବାର କାରଣ ଯେପରିକି ଧୂମପାନ ଯୋଗୁଁ ଆଲର୍ଜି ହେଉଛି, ତେବେ ଧୂମପାନରୁ ଦୂରେଇ ରହନ୍ତୁ। କୌଣସି ଖାଦ୍ୟ ଯୋଗୁଁ ଆଲର୍ଜି ହେଲେ, ତାହାକୁ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତୁ। ବ୍ୟାୟାମ କରିବା ଯୋଗୁଁ ଆସ୍ଥମା ହେଉଛି, ତେବେ ଇନ୍‌ହେଲର ନେବା ଜରୁରୀ। ଏହାଛଡ଼ା ଏକ୍ସରସାଇଜ୍‌ ମଝିରେ ମଝିରେ ଆରାମ ନେବେ।

ଧୂଳିକଣା ଯୋଗୁଁ ଆଲର୍ଜି ହେଉଥିଲେ, ଘରକୁ ସଫା ରଖୁଥିବେ, ତକିଆ, ବେଡ୍‌ସିଟ୍‌ ସଫା ରଖିବେ।

ଆସ୍ଥମା ରୋଗର ଚିକିତ୍ସା (Treatment of asthma in Odia)

ସାଧାରଣତଃ ଆସ୍ଥମା ପାଇଁ ଇନ୍‌ହେଲର ଦିଆଯାଏ। ଡାକ୍ତରଙ୍କ ପରାମର୍ଶ କ୍ରମେ ଇନ୍‌ହେଲର ବ୍ୟବହାର କଲେ ଆସ୍ଥମା ନିୟନ୍ତ୍ରଣରେ ରହିବ।

ସିଭିୟର ଆସ୍ଥମାରେ ଓରାଲ ସିଷ୍ଟମିକ୍‌ ଷ୍ଟିରଏଡ୍‌ ଦେବାକୁ ପଡ଼ିଥାଏ। ସିଭିୟର ଆସ୍ଥମାରେ ବ୍ୟକ୍ତିଙ୍କୁ କିଛି ଦିନ ପାଇଁ ମେଡିକାଲରେ ରହିବାକୁ ପଡ଼ିଥାଏ।

ଯଦି ଫ୍ଲ୍ୟୁ ଯୋଗୁଁ ଆସ୍ଥମା ହୋଇଛିଳ ତେବେ ଏହାକୁ ରୋକିବା ପାଇଁ ଟିକା ମଧ୍ୟ ରହିଛି। ପ୍ରତିବର୍ଷ ଗୋଟିଏ ଲେଖାଏଁ ଟିକା ନେଲେ ଫ୍ଲ୍ୟୁ ଯୋଗୁଁ ହେଉଥିବା ଆସ୍ଥମା କମିଯିବ। ଫ୍ଲ୍ୟୁ ଯୋଗୁଁ ଆସ୍ଥମା ହେଲେ ବ୍ୟାକ୍ଟେରିଆଲ ନିମୋନିଆ ହେବାର ଆଶଙ୍କା ଥାଏ।

ଯଦି ଧଇଁସଇଁ ଲାଗୁଛି, ନିଶ୍ୱାସ ନେଲା ବେଳେ ଶବ୍ଦ ହେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଯଦି ଆସ୍ଥମା ବାହାରେ, ତେବେ ସେନେଇ ଡାକ୍ତର ଚିକତ୍ସା ପରାମର୍ଶ କରିବେ। ଯେଉଁ କାରଣ ଯୋଗୁଁ ଆସ୍ଥମା ହୋଇଛି, ତା’ଠାରୁ ଦୂରରେ ରହିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନିରୋଜ କୁମାର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on causes & treatment of Asthma, in Odia language, is based on an extensive interview with Medicine specialist Dr Niroj Kumar Mishra.