କରୋନା ଭାଇରସ ସଂକ୍ରମଣ ମାମଲା ସାମ୍ନାକୁ ଆସିବା  ପରେ ଏବେ ଲୋକମାନେ ଆୟୁର୍ବେଦ ଆଡ଼କୁ ମୁହାଁଉଛନ୍ତି। ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ଲାଗି ଗିଲୋୟକୁ ଖାଦ୍ୟରେ ସାମିଲ କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହା ଶରୀରରୁ ଦୂଷିତ ପଦାର୍ଥ ବାହାର କରି ରକ୍ତକୁ ପରିଷ୍କାର କରିଦେଇଥାଏ। ମଧୁମେହ ନିୟନ୍ତ୍ରଣରେ ରହିବା ସହିତ ପ୍ଲେଟଲେଟ୍ ସଂଖ୍ୟା ବଢ଼େ। ପାଚନ ତନ୍ତ୍ର ଠିକ୍ ଭାବେ କାମ କରେ। ତେବେ ଏହାକୁ କିଭଳି ଖାଇବେ ତାହା ଜାଣିବା ଦରକାର।

ସବୁ ସମୟରେ ତାଜା ଗିଲୋୟ ମିଳିବା ସମ୍ଭବପର ନୁହେଁ। ତେଣୁ ଗିଲୋୟର ଟାବଲେଟ୍‌କୁ ଆପଣ ନିୟମିତ ଖାଇପାରିବେ। ୫-୧୦ ବର୍ଷ ବୟସର ପିଲାମାନେ ଦିନକୁ ଏହାର ଫାଳେ ଟାବଲେଟ୍ ଖାଇପାରିବେ। ବୟସ୍କ ଲୋକମାନଙ୍କୁ ଦିନକୁ ଏହାର ଗୋଟିଏ ଟାବଲେଟ୍ ଖାଇବା ଲାଗି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।

ଯଦି ତାଜା ଗିଲୋୟ ମିଳିଯାଏ ତା’ହେଲେ ତାକୁ ଧୋଇ ଦୁଇ ଗ୍ଲାସ ପାଣିରେ ଫୁଟାଇ ନିଅନ୍ତୁ। ପାଣି ଅଧା ହୋଇଗଲା ପରେ ତାକୁ ଥଣ୍ଡା କରନ୍ତୁ। ପ୍ରତିଦିନ ସେହି ପାଣିକୁ ପିଇବା ଅଭ୍ୟାସ କରନ୍ତୁ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ଗିଲୋୟର କାଢ଼ା ପିଇବା ବି ଜରୁରୀ। ଖଣ୍ଡେ ଅଦା, ୩-୪ଟି ତୁଳସୀ ପତ୍ର, କିଛି ଗିଲୋୟକୁ ମିଶାଇ ପାଣିରେ ଫୁଟାନ୍ତୁ। ପାଣି ଅଧା ହୋଇଯିବା ପରେ ଗ୍ୟାସ୍ ବନ୍ଦ କରି ସେଥିରେ ଗୋଲମରିଚ, ଲବଙ୍ଗ ପକାଇ ଢାଙ୍କି ଦିଅନ୍ତୁ। ୫-୧୦ ମିନିଟ୍ ପରେ ପାଣିକୁ ଛାଣି ପିଅନ୍ତୁ। ଦିନରେ ଏହି ପାଣିରୁ ଏକ ଗ୍ଲାସ ପିଇପାରିବେ।

ଗିଲୋୟର ଟାବଲେଟ୍‌କୁ ସକାଳୁ ଖାଲିପେଟରେ ଖାଇବା ଅଧିକ ଲାଭଦାୟକ।

ଗର୍ଭାବସ୍ଥାରେ ଗିଲୋୟ ଖାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଗିଲୋୟ ରକ୍ତଚାପ କମାଉଥିବାରୁ ନିମ୍ନ ରକ୍ତଚାପ ରୋଗୀମାନେ ଏହାକୁ ଖାଇବା ଅନୁଚିତ୍। ସେହିପରି ଆର୍ଥାଇଟିସ୍ ରୋଗୀ ହୋଇଥିଲେ ସପ୍ତାହରେ ଥରେ ଗିଲୋୟ ଟାବେଲଟ୍ ଖାଇପାରିବେ।

ଗିଲୋୟର ପତ୍ରକୁ ଶୁଖାଇ ଗୁଣ୍ଡ କରି ମଧ୍ୟ ଖାଇପାରିବେ। ତେବେ ଦୈନିକ ୧ ଗ୍ରାମରୁ ଅଧିକ ଗୁଣ୍ଡ ଖାଆନ୍ତୁ ନାହିଁ।