ଗର୍ଭାବସ୍ଥାରେ ମଧୁମେହ ରୋଗ ହେଲେ ଏହା ଉଭୟ ମା’ ଓ ଶିଶୁଙ୍କୁ ବିଶେଷ କ୍ଷତି ପହଞ୍ଚାଇଥାଏ।

ପୂର୍ବରୁ ମଧୁମେହ ହୋଇଥିବା ମହିଳାଙ୍କର ଗର୍ଭଧାରଣ

‘ଜେଷ୍ଟେସ୍‌ନାଲ୍ ଡାଇବେଟିସ୍‌’: ଗର୍ଭଧାରଣ ସମୟରେ ଡାଏବେଟିସ୍‌ ହେବାକୁ ‘ଜେଷ୍ଟେସ୍‌ନାଲ୍ ଡାଇବେଟିସ୍‌ କୁହାଯାଏ।

ପ୍ରତ୍ୟେକ ୭ ଶିଶୁଙ୍କ ମଧ୍ୟରୁ ଗୋଟିଏ ଶିଶୁ ଗର୍ଭାବସ୍ଥାରେ ମଧୁମେହ ରୋଗ ଦ୍ଵାରା ପୀଡ଼ିତ ହୋଇଥା’ନ୍ତି। ଯଦି ମା’ର ମଧୁମେହ ରୋଗ ନିୟନ୍ତ୍ରଣ ହୋଇ ନ ଥାଏ ଏବଂ ଗର୍ଭାବସ୍ଥାର ପ୍ରଥମ ୩ ମାସରେ ରକ୍ତରେ ଶର୍କରାର ପରିମାଣ ବେଶି ଥାଏ, ତେବେ ଶିଶୁ ବିକଳାଙ୍ଗ ହେବାରେ ଆଶଙ୍କା ଥାଏ।

ଏହାଛଡ଼ା ସାଧାରଣ ପ୍ରସବ ହେଲେ ଶିଶୁର ସ୍ନାୟୁ, ହାଡ଼ ଓ ମାଂସପେଶୀରେ କ୍ଷତ ହୋଇଥାଏ। ଜନ୍ମପରେ ଶିଶୁରକ୍ତରେ ଶର୍କରା କମିଯାଏ ଏବଂ ନିଃଶ୍ୱାସ ନେବାରେ କଷ୍ଟ ହୁଏ।

ମଧୁମେହରେ ପୀଡ଼ିତ ମହିଳାମାନେ ଗର୍ଭଧାରଣ ପୂର୍ବରୁ ଭୋଗୁଥିଲେ ନିଜର ରକ୍ତର ଶର୍କରାକୁ ନିୟନ୍ତ୍ରଣ କରିବା ସହ ଫଲିକ୍ ଏସିଡ୍ ଖାଇ ଗର୍ଭଧାରଣ କରିବା ଦରକାର। ଗର୍ଭାବସ୍ଥାରେ ମଧୁମେହ ରୋଗୀ ପ୍ରଥମ ୫ ମାସ ପର୍ଯ୍ୟନ୍ତ ପ୍ରତି ମାସରେ ଏବଂ ତା’ପରେ ପ୍ରତି ୧୫ ଦିନରେ ପରୀକ୍ଷା କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଇନ୍‌ସୁଲିନ୍ ଇଞ୍ଜେକସନ୍ ନେବା ଜରୁରୀ।

୩୭ ସପ୍ତାହ ଶେଷ ହେବା ମାତ୍ରେ ପ୍ରସବ କରାଇ ଦେବା ଆବଶ୍ୟକ। ତେଣୁ ଗର୍ଭଧାରଣ ପୂର୍ବରୁ, ଗର୍ଭାବସ୍ଥାରେ, ପ୍ରସବ ସମୟରେ ଏବଂ ପ୍ରସବ ପରେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ, ମଧୁମେହ ରୋଗ ବିଶେଷଜ୍ଞ ତଥା ଶିଶୁରୋଗ ବିଶେଷଜ୍ଞଙ୍କର ମିଳିତ ଚିକିତ୍ସାରେ ମା’ ଓ ଶିଶୁ ଉଭୟ ରହିବା ଆବଶ୍ୟକ।