କର୍ମଜୀବୀ ମହିଳାମାନେ ନିଜକୁ କାମରେ ବ୍ୟସ୍ତ ରଖିବା ଫଳରେ ଶରୀର ଏବଂ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଉନାହାନ୍ତି। ନିଜକୁ ସୁସ୍ଥ ରଖିବା ପାଇଁ କର୍ମଜୀବୀ ମହିଳାମାନେ ଏହି ସବୁ ଉପାୟ ଆପଣେଇବା ଆବଶ୍ୟକ।

ଆଜିକାଲି ଅନେକ ମହିଳା ନିଜକୁ ସ୍ବାବଲମ୍ବୀ କରିବାକୁ ଆଗେଇ ଆସୁଛନ୍ତି। କେତେକେ ନିଜେ କିଛି ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ତେବେ କର୍ମଜୀବୀମାନେ ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଶରୀର ପ୍ରତି ନଜର ଦେବା ନିହାତି ଜରୁରୀ। କର୍ମମୟ ଜୀବନରେ କେତେକ ମହିଳା କର୍ମଜୀବୀ ନିଜ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରିଥାଆନ୍ତି। ଯଦ୍ୱାରା ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ସଫଳ ହୁଅନ୍ତି ନାହିଁ।

ସକାଳୁ ଉଠି ଘରକାମ ସାରି ଅଫିସ ଯିବା, ସେଠାରେ ନିଜ ଦାୟିତ୍ୱ ତୁଲାଇବା, ପୁଣି ଅଫିସ ଶେଷ ହେବା ପରେ ଘରକୁ ଆସି ଘରକାମରେ ନିଜକୁ ନିୟୋଜିତ ରଖିବା ଏସବୁ ସେମାନଙ୍କ ପାଇଁ ନିତିଦିନିଆ ଘଟଣା। ଏହା ଫଳରେ ସେମାନେ ନିଜ ଶରୀର ପ୍ରତି ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ।

କର୍ମଜୀବୀ ମହିଳାମାନେ କ’ଣ କରିବା ଉଚିତ?

ନିଜ କାର୍ଯ୍ୟକୁ ନେଇ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସେଥିରୁ କିଛି ସମୟ ବାହାର କରି ବିଶ୍ରାମ ନିଅନ୍ତୁ। ନିଜର ଦୈନନ୍ଦିନ କାର୍ଯ୍ୟତାଲିକା ପ୍ରସ୍ତୁତ କରନ୍ତୁ।

ସବୁବେଳେ କ’ଣ କରିବେ ସେନେଇ ଆଗରୁ ଯୋଜନା ପ୍ରସ୍ତୁତ କରନ୍ତୁ। ନିଜ ଦୈନିକ କାର୍ଯ୍ୟକୁ ଡାଏରୀରେ ଲେଖିରଖନ୍ତୁ।

ସକାଳୁ ଯେତେ ବ୍ୟସ୍ତ ରହିଲେ ମଧ୍ୟ ବ୍ୟାୟାମ ପାଇଁ କିଛି ସମୟ ବାହାର କରନ୍ତୁ। ଅତିକମ୍‌ରେ ଅଧଘଣ୍ଟା ଚାଲନ୍ତୁ। କିଛି ସମୟ ଯୋଗ ମଧ୍ୟ କରିପାରିବେ।

ମାନସିକ ଓ ଶାରୀରିକ ବିକାଶ ଏବଂ ସ୍ଥିରତା ପାଇଁ ଏକ୍ସରସାଇଜ ନିଶ୍ଚିତ କରନ୍ତୁ।

ଆଜିକାଲି ଅନେକ ଅଫିସରେ ଯିବା ଆସିବା ପାଇଁ ଲିଫ୍ଟ ବ୍ୟବସ୍ଥା ରହିଛି। ତେବେ ଲିଫ୍ଟ ବଦଳରେ ସିଡ଼ି ବ୍ୟବହାର କରନ୍ତୁ।

ଅଫିସ ଭିତରେ ଗୋଟିଏ ଜାଗାରେ ନ ବସି ଚାଲବୁଲ କରନ୍ତୁ।

କାମ ପାଇଁ କୌଣସି ଫୋନ କଲ କିମ୍ବା ଇମେଲ ନ ପଠାଇ ସହଯୋଗୀଙ୍କ ନିକଟକୁ ଯାଆନ୍ତୁ। ଏହା ଦ୍ୱାରା ଆପଣଙ୍କ ଶରୀର ସହ ମନ ମଧ୍ୟ ଭଲ ରହିଥାଏ।

ନିଜ କାରକୁ ପାର୍କରେ ରଖି କିଛି ସମୟ ଚାଲି ଚାଲି ଅଫିସ୍‌ ଭିତରକୁ ଯାଆନ୍ତୁ।

ଲଞ୍ଚ ପାଇଁ ଘରେ ପ୍ରସ୍ତୁତ ଖାଦ୍ୟକୁ ନେଇ ଯାନ୍ତୁ। ବାହାର ଖାଦ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ।

sitting straight in officeଅଫିସରେ ୨ ମିନିଟର ଓ୍ବାର୍କ ଆଉଟ କରିବା ଦ୍ୱାରା ଏହା ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ।

ଆଖି ଓ ମେରୁଦଣ୍ଡ ହାଡ଼କୁ ଆରାମ ମିଳିଥାଏ।

ଚାଲିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ ଏବଂ ଅଳସୁଆ ନ ଲାଗି ଶରୀର ଫୁର୍ତ୍ତି ଲାଗିଥାଏ।

ଓ୍ବାର୍କଆଉଟ କରିବା ଦ୍ୱାରା ଦିନସାରା ମୁଡ ଭଲ ରହିଥାଏ।

ଅଫିସରେ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ବସି କାମ କରିବା ବ୍ୟତୀତ ଆପଣ ନିଜକୁ ଫିଟ ମଧ୍ୟ ରଖିପାରିବେ। କିଛି ଏମିତି ଏକ୍ସରସାଇଜ ଅଛି, ଯାହାକୁ ଅଫିସ କାମ ସହିତ ମଧ୍ୟ କରିପାରିବେ।

ଅଫିସରେ ଲଗାତର ୮-୧୦ ଘଣ୍ଟା ବସି କାମ କରିବାକୁ ପଡ଼ିଥାଏ। ଭଲ ସ୍ବାସ୍ଥ୍ୟ ପାଇଁ ପ୍ରତି ଘଣ୍ଟାରେ ଦୁଇ ମିନିଟ ଓ୍ବାକ କରନ୍ତୁ।

ଅଫିସରେ ନିଜ ଫାଇଲ ରେଜିଷ୍ଟର ଆଦିକୁ ନିଜେ ଉଠାଇ ରଖନ୍ତୁ।

office workପିଇବା ପାଣି ନିଜେ ଯାଇ ଆଣନ୍ତୁ। ନିଜ ସିଟ ପର୍ଯ୍ୟନ୍ତ ଆସିବା ଲାଗି ଲମ୍ବା ରାସ୍ତା ଆପଣାନ୍ତୁ।

ଲଞ୍ଚ କରିବା ପରେ କିଛି ସମୟ ଚାଲନ୍ତୁ।

କମ୍ପ୍ୟୁଟରରେ କାମ କରି କରି ଥକି ପଡ଼ିଥିଲେ ଚେୟାର ଉପରେ ବିଶ୍ରାମ ଦାୟକ ମୁଦ୍ରାରେ ବସନ୍ତୁ। ନିୟମିତ ସମୟ ଅନ୍ତରାଳରେ ମୁହଁ ଧୁଅନ୍ତୁ। ଏହାଦ୍ୱାରା ନିଜକୁ ଫ୍ରେସ୍‌ ଲାଗିବା ସହ ଆଖି ଉପରେ କାମର ପ୍ରଭାବ ପଡ଼ି ନଥାଏ।

ଅଧିକ ସମୟ ଚେୟାରରେ ବସିବା ବଦଳରେ ଅଧିକରୁ ଅଧିକ ଫିଜିକାଲ୍‌ ମୁଭମେଣ୍ଟ କରନ୍ତୁ।

ଚେୟାର ଉପରେ ବସି ଆପଣ କାନ୍ଧକୁ ୧୦ଥର ପଛକୁ ଏବଂ ପୁଣି ୧୦ ଥର ଆଗକୁ ବୁଲାଇବା ସହ ୧୦ଥର ପାଦକୁ ଷ୍ଟ୍ରେଚ୍‌ କରନ୍ତୁ।

ଆପଣ ନିଜ ହାତକୁ ପିଠି ଆଡ଼କୁ ନେଇଯାନ୍ତୁ ଓ ଦୁଇ ହାତର ଆଙ୍ଗୁଠିକୁ ଲକ କରି ପଛ ଆଡ଼କୁ ଷ୍ଟ୍ରେଚ୍‌ କରନ୍ତୁ।

ନିଜ ଦୁଇ ହାତକୁ କାନ୍ଧ ସମାନକୁ ନେଇଆସନ୍ତୁ। ହାତ ମୁଠା ବନ୍ଦକରି ୧୦ ଥର ଭିତର ଆଡ଼କୁ ବୁଲାନ୍ତୁ। ପୁଣି ୧୦ଥର ବାହାରକୁ ବୁଲାନ୍ତୁ।

କମ୍ପ୍ୟୁଟର ସ୍କ୍ରିନକୁ ନିଜ ଆଖି ସହ ସମାନ୍ତରାଳ ଭାବେ ରଖନ୍ତୁ।

ଆରାମ ଦାୟକ ଚେୟାର ବଦଳରେ କାଠ ଚେୟାର କିମ୍ବା କୁସନରେ ବସିପାରିବେ।

କେତେକ ଅଫିସରେ ପାଣି ଠିକ ସମୟରେ ପିଇବା ପାଇଁ ପାଣି ଆଲାର୍ମ ବ୍ୟବସ୍ଥା ରହିଛି।