ଡାକ୍ତର ସମ୍ରାଟ କର

ମାନସିକ ଅବସାଦ, ହତୋତ୍ସାହ ହେବାର କାରଣ ବାବଦରେ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

(୧)

ଥରେ ଖରା ଛୁଟିରେ ମୁଁ ଆମ ମାମୁଘର ଗାଁକୁ ଯାଇଥିଲି। ଦେଖିଲି ଗାଁରେ ଜଣେ ମୋର ମାମୁଙ୍କ ପୁଅ ଭାଇ ହେବେ, ଘରେ ଚୁପ୍‌ଚାପ୍ ବସିଛନ୍ତି। ବଡ଼ ଚାକିରି କରିବେ ବୋଲି ଖାଲି ପାଠ ପଢ଼ିଚାଲିଲେ। ଚାକିରି ମିଳିଲାନି। ବେକାର ରହିଲେ। ବେକାର ବସି ବସି ନାନା ପ୍ରକାର ଦୁଶ୍ଚିନ୍ତା ତାଙ୍କ ମୁଣ୍ଡରେ ପଶିଲା। ସବୁବେଳେ କହିଲେ କିଛି କାମ କରିବାକୁ ଇଚ୍ଛା ହେଉନି। କୌଣସି ପ୍ରକାର ଏଞ୍ଜୟମେଣ୍ଟ କରିବାକୁ ତାଙ୍କର ଇଚ୍ଛା ହେଉନି। ଟି.ଭି. ଦେଖିବା, ସିନେମା ଦେଖିବା, ଏକାଠି ବସି ଗପ କରିବା, ହସିବା, ଗୀତ ଶୁଣିବା, ଖୁସି ଗପ କରିବା ତାଙ୍କୁ କିଛି ଭଲ ଲାଗୁନି। ବାଧ୍ୟ କଲେ ଅଳ୍ପ କିଛି କାମ କରି ହାଲିଆ ଲାଗୁଛି ବୋଲି କହୁଛନ୍ତି। ତାଙ୍କୁ ପ୍ରାୟ ନିଦ ଭଲ ହୁଏନି, ରାତିରେ ବାରମ୍ବାର ଉଠନ୍ତି। ଏମିତି କେତେ ଦିନ ହେଲା ପରେ କହିଲେ ଭୋକ ଲାଗୁନି। ନିଜକୁ ନିଜର ଓଜନ କମିଲା ପରି ଲାଗୁଛି ବୋଲି ଅଭିଯୋଗ କଲେ। ବାରମ୍ବାର ଏପରି ଲାଗିଲାରୁ କହିଲେ ମୋର ଭବିଷ୍ୟତ ଅନ୍ଧକାରମୟ। ମୁଁ ଆଉ ଜୀବନରେ କିଛି କରିପାରିବିନି। ମୋର ବଞ୍ଚିବାର ଆବଶ୍ୟକତା ନାହିଁ। ମୋ ଜୀବନ ମୂଲ୍ୟହୀନ। ମୂଲ୍ୟହୀନ ଜୀବନକୁ ନେଇ ବଞ୍ଚିକି ରହିବାର ଆବଶ୍ୟକତା ନାହିଁ। ତେଣୁ ଆତ୍ମହତ୍ୟା କରିବାକୁ ଭାବୁଥିଲେ। ଅନେକ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଆତ୍ମହତ୍ୟା କେଉଁ ଉପାୟରେ କରିହେବ ତା’ର ଉପାୟ ମଧ୍ୟ ଖୋଜି ବୁଲନ୍ତି। ଶେଷକୁ କହି ବୁଲନ୍ତି ମତେ କେହି ଭଲ ପାଉ ନାହାନ୍ତି, ମୁଁ କାହାରି କିଛି କରିପାରିବିନି, ଆଉ କାହିଁକି କିଛି ଚେଷ୍ଟା କରିବି ? ଏମିତି ଭାବି ଭାବି ଘରେ ଚୁପ୍‌ଚାପ୍ ରହୁଛନ୍ତି।

mental illness

(୨)

ଦିନେ ପାର୍କରେ ବୁଲୁ ବୁଲୁ ଦେଖିଲି କେତେଜଣ ବୟସ୍କ ଲୋକ ଗୋଟିଏ ଜାଗାରେ ଏକାଠି ବସି କଥାବାର୍ତ୍ତା କରୁଛନ୍ତି। କିଏ ମଜା ଗପ କହୁଛି ତ କିଏ ଆଧ୍ୟାତ୍ମିକ କଥା କହୁଛି। ଅନେକେ ସେମାନଙ୍କ ନିଜ ନିଜ ସମସ୍ୟା କଥା କହୁଛନ୍ତି। ମତେ ଟିକେ ବୟସ୍କ ଲୋକଙ୍କ କଥା ଶୁଣିବାକୁ ଭଲ ଲାଗେ। ମୁଁ ସେମାନଙ୍କ ପାଖରେ ବସିପଡ଼ିଲି। ଏହି ସମୟରେ ଆଉ ଜଣେ ଦୁଇଜଣ ଲୋକ ଗରମ ଗରମ  ସିଙ୍ଗଡ଼ା, ବରା ଧରି ପହଞ୍ଚିଗଲେ ଓ ସମସ୍ତଙ୍କ ହାତକୁ ଗୋଟିଏ ବରା ଓ ଗୋଟିଏ ସିଙ୍ଗଡ଼ା ବଢ଼ାଇଦେଲେ। ମତେ ବି ଦୁଇଟା ବରା ଦେଲେ। ଗପଟା ଆହୁରି ଜମିଗଲା। ଜଣେ କହିଲେ, ଓଃ ! ଘରେ ଏଗୁଡ଼ାକ ମିଳୁନି। କିଏ କହୁଛି ଦେହ ଖରାପ ହେବ, କିଏ କହୁଛି ପେଟ ଖରାପ ହେବ। ଖାଲି ଚୁଡ଼ା, ଛତୁଆ, ବୁଟ ଓ କଦଳୀ ଖାଇବାକୁ ମିଳୁଛି।

ଏତିକିବେଳେ ରାମବାବୁ, ହରିବାବୁଙ୍କୁ ପଚାରିଲେ ଆଉ ତୁମ ଖବର କ’ଣ ? ରିଟାୟାର୍ଡ ପରେ କିପରି ଅଛନ୍ତି ? ହରିବାବୁ କହିଲେ କେମିତି ଆଉ ଅଛି ? ଅଫିସ୍ ବନ୍ଦ ପରେ ସମୟ କଟୁନି। କେତେ ଆଉ ଘରେ ବସିବି ? ପଇସା ବି କମିଗଲା, ଖର୍ଚ୍ଚ ଜଗି ରଖି କରିବାକୁ ପଡ଼ୁଛି। ମୋ’ ସ୍ତ୍ରୀ ଖାଲି ଚିଡ଼ିଚିଡ଼ି ହେଉଛି। ପିଲାଗୁଡ଼ାକ କିଛି କରୁ ନାହାନ୍ତି। ଝିଅଟା ବାହା ହୋଇନି। ଏସବୁ ଚିନ୍ତା କରି କରି ରାତିରେ ନିଦ ହେଉନି। ମନ ଭଲ ଲାଗୁନି। ବିଶେଷ କିଛି କାମ କରିବାକୁ ମନ ହେଉନି। ମାନ୍ଦା ମାନ୍ଦା ଲାଗୁଛି। ମୁଣ୍ଡଟା ଓଜନିଆ ଲାଗୁଛି। କିଛି ଭଲ ଲାଗୁନି। ହରିବାବୁ ରାମବାବୁଙ୍କୁ ପଚାରିଲେ ଆପଣଙ୍କ ଖବର କ’ଣ ? କେମିତି ଅଛନ୍ତି?

ରାମବାବୁ କହିଲେ ତୁମର ତ ସମସ୍ତେ ପାଖରେ ଥାଇ ତୁମକୁ ଭଲ ଲାଗୁନି। ଆମେ ତ ବୁଢ଼ାବୁଢ଼ୀ ଦୁଇଜଣ। ବଡ଼ ପୁଅ ଦିଲ୍ଲୀରେ। ସାନପୁଅ ଆମେରିକାରେ ଆଉ ଝିଅ ବାଙ୍ଗାଲୋରରେ। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ବାପା, ମା’ଙ୍କ କଥା ପଚାରେ କିଏ ? କାହାକୁ ସମୟ ନାହିଁ ତ କାହା ପାଖରେ ଟଙ୍କା କମ୍ ଅଛି। ବାପା, ମା’ଙ୍କୁ ଦେବାକୁ ଅଣ୍ଟୁନି। ତୁମେ ତ ଜାଣିଛ ବୟସ ହୋଇଗଲେ କାହାକୁ ବ୍ଲଡ଼ପ୍ରେସର, କାହାକୁ ଡାଏବେଟିସ୍‌, କାହାର ହାର୍ଟ ସମସ୍ୟା। ଏସବୁଥିରୁ ଆମେ ଦୁଇଜଣ ବାଦ୍ ଯିବୁ କିପରି। ଦୁଇଜଣଙ୍କର ଔଷଧ ଖର୍ଚ୍ଚ ମାସକୁ ଚାରି ପାଞ୍ଚ ହଜାରରୁ କମ୍ ନୁହେଁ। ଆଉ ଚା’ ପାନ ଖର୍ଚ୍ଚ କଥା ତୁମେ ଜାଣ। ସବୁ ତ କିଣୁଛୁ। ପେନ୍‌ସନ୍ ପଇସାରେ କ’ଣ ଚଳି ହେଉଛି ? ତେଣେ ମୋ’ ସ୍ତ୍ରୀର ଆଣ୍ଠୁଗଣ୍ଠି ବାତ ଯେ ସବୁଦିନ ରୋଗୀ। ପିଲାଙ୍କ ପାଖକୁ ଯାଇପାରୁନୁ। ପିଲାମାନେ ଆସୁ ନାହାନ୍ତି। ମଝିରେ ମଝିରେ ଫୋନ୍ କରି ଆମ ସମସ୍ୟା ଶୁଣିବା ପୂର୍ବରୁ ତାଙ୍କ ସମସ୍ୟା କହି ଚାଲୁଛନ୍ତି। ବୁଢ଼ୀ ବିଚାରୀ ସବୁ ଶୁଣି ମନ ଦୁଃଖ କରୁଛି। କାନ୍ଦୁଛି। ନିଜେ ନିଜ କାମ କିଛି କରିବାକୁ ଇଚ୍ଛା କରୁନି। ଯାହା ନେଲେ ଠିକ୍ ଭାବେ ଖାଉନି। କହୁଛି କିଛି ସ୍ୱାଦ କେଉଁଥିରେ ନାହିଁ। ସବୁବେଳେ କହୁଛି ମୋ’ମୁଣ୍ଡ ବିନ୍ଧୁଛି, ଗୋଡ଼ ବିନ୍ଧୁଛି।

corona mental health 2

ସେ ଦିନେ ହଠାତ୍ ଶୁଣିଲା ତା’ଭାଇ ଆକ୍ସିଡେଣ୍ଟରେ ମରିଯାଇଛି। ସେହି ଦିନଠାରୁ ସେ କେମିତି ବୋକା ପରି ହୋଇଗଲା। ପ୍ରଥମେ ବିଶ୍ୱାସ କଲା ନାହିଁ। ମାତ୍ର ତାକୁ ବହୁତ ପ୍ରକାର ବୁଝାଇବା ପରେ ସେ ଏକଥା ବିଶ୍ୱାସ କଲା। ମାତ୍ର ମୃତ ଭାଇର ସ୍ମୃତି ତାକୁ ବାରମ୍ବାର ବିଚଳିତ କରୁଥିଲା। ସେହିଦିନଠାରୁ ସେ ଟିକେ ଅନ୍ୟମନସ୍କ ରହୁଥିଲା। ଏକଥା ତ ମୋ’ ରିଟାୟାର୍ଡମେଣ୍ଟର ବର୍ଷେ ପୂର୍ବର କଥା। ମାତ୍ର ପିଲାମାନେ ଦୂରକୁ ଯିବା ପରେ ଓ ମୋ’ ରିଟାୟାର୍ଡମେଣ୍ଟ ପରେ ତା’ର ଏସବୁ ବ୍ୟବହାର ବଢ଼ିଯାଇଛି।

ସେତେବେଳକୁ ମୋର ବରାଖିଆ ସରି ମୁଁ ଦୁଇ ମଉସାଙ୍କ କଥାକୁ ଧ୍ୟାନ ଦେଇ ଶୁଣୁଥିଲି। ମୁଁ ସେମାନଙ୍କୁ କହିଲି, ମଉସା ଏପରି ଲକ୍ଷଣ ପ୍ରାୟତଃ ପରିବେଶ ଓ ପରିସ୍ଥିତିରେ ପଡ଼ି ଲୋକମାନେ ଏମିତି ଅନୁଭବ କରନ୍ତି। ଏଥିପାଇଁ ଏବେ ଅନେକ ପ୍ରକାର ଔଷଧ ବାହାରିଲାଣି। ମାଉସୀଙ୍କୁ ସେ ଔଷଧ ଦେଲେ ସେ ଆସ୍ତେ ଆସ୍ତେ ଠିକ୍ ହୋଇଯିବେ। ମଉସା କହିଲେ କାଲି ମୁଁ ତାକୁ ତୁମ ପାଖକୁ ନେଇଯିବି। ତାକୁ ଦେଖି ତା’ଠାରୁ ବୁଝି ଟିକେ ଔଷଧ ଦେବ। ଆମେ ଦୁହେଁ ହଇରାଣ ହେଉଛୁ। ମୁଁ କହିଲି ହଁ ମଉସା ଠିକ୍ ଅଛି କାଲିକି ଆସନ୍ତୁ ଦେଖିବି। ମାଉସୀଙ୍କୁ ଦେଖି ଔଷଧ ଦେଲେ ଔଷଧ ଖୁଆଇବା ଦାୟିତ୍ୱ ଆପଣଙ୍କର। ମଉସା କହିଲେ ଔଷଧ ଖାଇଲେ ସେ ନିଶ୍ଚୟ ଭଲ ହୋଇଯିବ ତ? ମୁଁ କହିଲି ଏବେ ଏସବୁ ରୋଗ ପାଇଁ ବହୁତ ପ୍ରକାର ଔଷଧ ବାହାରିଲାଣି। ଔଷଧ ଖାଇଲେ ସେ ନିଶ୍ଚୟ ଭଲ ହୋଇଯିବେ। ମାତ୍ର ଔଷଧ ଟିକେ ବେଶିଦିନ ଧରି ଖାଇବାକୁ ପଡ଼ିବ। ଆଠ ଦଶ ଦିନ ନେଇ ବନ୍ଦ କରିଦେଲେ ଭଲ ହେବନି। କୋଡ଼ିଏ ତିରିଶ ଦିନ ଖାଇଲେ ଟିକେ ପରିବର୍ତ୍ତନ ହେବ। ମାତ୍ର ଔଷଧ ବନ୍ଦ ନ କରି ଡାକ୍ତରଙ୍କ ସହିତ ପରାମର୍ଶ କରିବା ଦରକାର। ଦରକାର ହେଲେ ତାଙ୍କୁ ଔଷଧର ପରିମାଣ ବଢ଼ାଇପାରନ୍ତି। ମାତ୍ର ବହୁ ଦିନ ଧରି ଔଷଧ ଖାଇବାକୁ ପଡ଼ିବ।

mental Pressure

ମଉସା ପଚାରିଲେ ଏ ଔଷଧ ଖାଇଲେ କିଛି କ୍ଷତି ହେବନି ତ? ମୁଁ କହିଲି ବେଳେ ବେଳେ ଜଣ ଜଣକଠାରେ ଏହାର କୁପ୍ରଭାବରେ ପାଟି ଶୁଖିଯିବ। ଆଖିକୁ ଜାଲ ଜାଲ ଦିଶିବ, ଝାଡ଼ା ପରିଷ୍କାର ହେବନି, ଛାତି ଧଡ଼ ଧଡ଼ ହେବ, ହାତ ଥରିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ଏପରି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ନିହାତି ଜରୁରୀ।

ଏପରି ରୋଗରେ ମନସ୍ତତ୍ତ୍ୱବିତ୍‌ମାନେ ମଧ୍ୟ ବହୁତ ସାହାଯ୍ୟ କରିଥାଆନ୍ତି। ବୟସ୍କ ଲୋକମାନଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ଏ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି ସେମାନଙ୍କୁ ମନସ୍ତତ୍ତ୍ୱବିତ୍‌ମାନେ ସେମାନଙ୍କ ହତୋତ୍ସାହ ହେବାର କାରଣ କ’ଣ ବୁଝି ରୋଗୀଙ୍କୁ ବୁଝାଇଥାଆନ୍ତି। ଏହାକୁ ସାଇକୋଥେରାପି କହନ୍ତି। ଦରକାର ପଡ଼ିଲେ ପ୍ରତିଦିନ ପଚାଶରୁ ଷାଠିଏ ମିନିଟ୍ ସାଇକୋଥେରାପି ଦିଆଯାଇପାରେ ଓ କିଛିଦିନ ପରେ ସପ୍ତାହକୁ ଥରେ ଦିଆଯାଏ। ଏ ରୋଗ କିପରି ପୁନର୍ବାର ନ ହେବ ସେଥିପ୍ରତି ପରିବାର ଲୋକ ଯତ୍ନଶୀଳ ହେବା ଦରକାର। ଏହାକୁ ଫ୍ୟାମିଲିଥେରାପି କୁହାଯାଏ। ଏହା ପରିବାରର ଏକ ଗୁରୁଦାୟିତ୍ୱ। କେତେକ ସ୍ଥଳରେ ଏ ପ୍ରକାର କେତେଜଣ ରୋଗୀ ଏକାଠି ବସି କେତେଗୁଡ଼ିଏ ଲୋକଙ୍କ ସହିତ ଆଲୋଚନା କଲେ ସୁଫଳ ମିଳିଥାଏ। ଏହାକୁ ଗ୍ରୁପ୍‌ଥେରାପି ବା ସାମୂହିକ ଚିକିତ୍ସା କୁହାଯାଏ।

ଶେଷରେ ମୁଁ ମଉସାଙ୍କୁ କହିଲି ଏ ପ୍ରକାର ରୋଗୀର ଉପଶମ ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ଅଛି। ଆମେ ସମସ୍ତେ ଚେଷ୍ଟା କଲେ ରୋଗୀଟି ନିଶ୍ଚୟ ଭଲ ହୋଇ ସୁସ୍ଥ ଜୀବନଯାପନ କରିବ।

(ଡାକ୍ତର ସମ୍ରାଟ କର ଜଣେ ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ।)