କିଡ୍ନି ରୋଗ ପଛର ଏକ କାରଣ ହୋଇପାରେ ଅନିୟନ୍ତ୍ରିତ ଜୀବନଶୈଳୀ ଏହାର ନିରାକରଣ ପାଇଁ ଜଣାଶୁଣା ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ନନ୍ଦଙ୍କ ପରାମର୍ଶ (Impact of Lifestyle on Kidney in Odia)

କିଡ୍‌ନି ଆମ ଶରୀରର ବର୍ଜ୍ୟବସ୍ତୁ ନିଷ୍କାସନ କରେ। ତେବେ ଆମେ କିଭଳି ଜୀବନଶୈଳୀ ଆପଣାଇଲେ ଆମ କିଡ୍‌ନି ସୁସ୍ଥ ଭାବରେ କାର୍ଯ୍ୟ କରିବ? ଆସନ୍ତୁ ଏ ବିଷୟରେ ଜାଣିବା।

ନିୟମିତ ଭାବେ ପ୍ରତିଦିନ ୩୦ ମିନିଟ୍‌ରୁ ୧ ଘଣ୍ଟା ଯାଏଁ ଶାରୀରିକ ବ୍ୟାୟାମ କରିବା ଆବଶ୍ୟକ। ଏହା ସହ ଆପଣଙ୍କୁ ହେଲ୍‌ଦି ଡାଏଟ୍‌ ବା ସୁସ୍ଥ ଓ ସନ୍ତୁଳିତ ଆହାର ଆପଣାଇବାକୁ ପଡ଼ିବ। କିଡ୍‌ନିକୁ ସୁସ୍ଥ ରଖିବାକୁ ଆପଣଙ୍କ ଖାଦ୍ୟ ତାଲିକାରେ ଶ୍ୱେତସାର ଏବଂ ଚର୍ବିଜାତୀୟ ଖାଦ୍ୟ କମ୍ ରହିବା ଦରକାର। ସେହିପରି ପ୍ରୋଟିନ୍ ଏବଂ ତନ୍ତୁଜାତୀୟ ଖାଦ୍ୟ (ଫାଇବର୍) ଅଧିକ ରହିବା ଦରକାର। ଆମିଷ ଖାଦ୍ୟ କମ୍‌ ଖାଇବେ। ଚୁନା ମାଛ ଅଧିକ ଖାଇପାରିବେ। ତେବେ ମଟନ୍ ଏବଂ ଚିକେନ୍ କମ୍‌ ଖାଇବେ। ଯଥେଷ୍ଟ ପରିମାଣର ଶାଗ, ପନିପରିବା ଏବଂ ଫଳମୂଳ ଖାଇବା ଉଚିତ୍।

ସୁସ୍ଥ କିଡ୍‌ନି ପାଇଁ ଆପଣ ଯେ କୌଣସି ଟବାକୋ ଜାତୀୟ ପଦାର୍ଥଠାରୁ ଦୂରେଇ ରହନ୍ତୁ। ଧୂମପାନ, ମଦ୍ୟପାନ, ପାନ, ଗୁଟ୍‌ଖା ଖାଆନ୍ତୁ ନାହିଁ। ଏହା ବ୍ଲଡ୍‌ ପ୍ରେସର ଏବଂ ଡାଏବେଟିସକୁ ବଢ଼ାଇ ଦେଇଥାଏ, ଯାହା କିଡ୍‌ନି ପାଇଁ କ୍ଷତିକାରକ। ଏହା ସିଧାସଳଖ ମଧ୍ୟ କିଡ୍‌ନିକୁ ପ୍ରଭାବିତ କରିଥାଏ। ଯେଉଁମାନେ ଅଧିକ ଧୂମପାନ କରନ୍ତି, ସେମାନଙ୍କ କିଡ୍‌ନି ଖରାପ ହେବାର ଅଧିକ ସମ୍ଭାବନା ଥାଏ।

ଡାଏବେଟିସ୍ କିମ୍ବା ବ୍ଲଡ ପ୍ରେସର ଥିବା ବ୍ୟକ୍ତି ନିୟମିତ ବ୍ୟାୟାମ କରିବା ଆବଶ୍ୟକ। ଏଥିସହିତ ଔଷଧ ଖାଇ ଏବଂ ଉପଯୁକ୍ତ ଖାଦ୍ୟପେୟ ନେଇ ଏହାକୁ ନିୟନ୍ତ୍ରଣରେ ରଖିବା ଦରକାର।

କିଡ୍‌ନି ରୋଗୀ ଲୁଣ ଜାତୀୟ ଖାଦ୍ୟ ନିହାତି ଭାବେ କମ୍‌ ଖାଇବା ଉଚିତ। ଅନ୍ୟପକ୍ଷରେ ଜଙ୍କ୍ ଫୁଡ୍‌ଠାରୁ ଦୂରେଇ ରହିବା ଦରକାର। ଜଙ୍କ୍‌ ଫୁଡ୍‌ରେ ଥିବା ବିଭିନ୍ନ ଅସ୍ୱାସ୍ଥ୍ୟକର ପଦାର୍ଥ କିଡ୍‌ନିକୁ ଖରାପ କରିବାର ସମ୍ଭାବନା ଥାଏ। ତେଣୁ ଜଙ୍କ୍‌ ଫୁଡ୍‌ଠାରୁ ଦୂରେଇ ରହିବା ଏବଂ ସତେଜ ଖାଦ୍ୟ ଖାଇବା ଉଚିତ୍।

ବର୍ତ୍ତମାନ ସମୟରେ ଲୋକମାନେ ମାନସିକ ଭାବେ ଅଧିକ ଚିନ୍ତାଗ୍ରସ୍ତ ରହୁଛନ୍ତି। ଚିନ୍ତାଗ୍ରସ୍ତ ରହିଲେ ଆପଣଙ୍କ ବ୍ଲଡ୍‌ ପ୍ରେସର ବଢ଼ିବ। ତେଣୁ ମାନସିକ ଭାବେ ସୁସ୍ଥ ରହିବାକୁ ଚେଷ୍ଟା କରନ୍ତୁ। ସେହିପରି ବର୍ତ୍ତମାନର ଡିଜିଟାଲ ଦୁନିଆରେ ସ୍ମାର୍ଟଫୋନ୍‌ର ବହୁଳ ବ୍ୟବହାର ହେଉଛି। ଏହା ଲୋକଙ୍କ ଜୀବନଶୈଳୀ ଉପରେ ପ୍ରଭାବ ପକାଉଛି। ଯୁବାପିଢ଼ିଙ୍କ ନିଦ୍ରା ଉପରେ ଏହା ବିଶେଷ ଭାବେ ପ୍ରଭାବ ପକାଉଛି। କମ୍‌ ଶୋଇବା ଫଳରେ ବ୍ଲଡ୍‌ପ୍ରେସରଜନିତ ରୋଗ ହୋଇପାରେ, ଯାହା କିଡ୍‌ନିକୁ ପ୍ରଭାବିତ କରିଥାଏ।

ଡାକ୍ତରଙ୍କ ଉପଦେଶ ହେଉଛି ନିୟମିତ ଯୋଗ, ବ୍ୟାୟାମ କରନ୍ତୁ। ଦିନକୁ ୪ରୁ ୬ଥର ଖାଦ୍ୟ ଖାଆନ୍ତୁ। ନିୟମିତ ଭାବେ ୬ରୁ ୮ ଘଣ୍ଟା ଶୋଇବା ଉଚିତ୍।

corona ventilator

ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା (Routine Health Checkup in Odia)

କିଡନି ରୋଗର କୌଣସି ଲକ୍ଷଣ ଦେଖାଗଲେ ମାତ୍ରେ ଅବହେଳା କରନ୍ତୁ ନାହିଁ, ଚିକିତ୍ସା କରନ୍ତୁ। ଅନ୍ୟପକ୍ଷରେ ବେଳେବେଳେ ଆମ ଶରୀରରେ ରୋଗର ଭଲ ଭାବରେ ଲକ୍ଷଣ ଦେଖାଦେଇ ଡ଼ଥାଏ କିମ୍ବା ରୋଗୀ ତାହା ଜାଣି ପାରି ନଥାଏ। ତେବେ ଆମେ ଲକ୍ଷଣକୁ ଜାଣି ନପାରିଲେ ମଧ୍ୟ ରୋଗ ଭିତରେ ଭିତରେ ବଢ଼ିବାରେ ଲାଗେ।

ଏହି ସମସ୍ୟାକୁ ଦୂର କରିବାର ଗୋଟିଏ ସମାଧାନ ହେଉଛି ନିୟମିତ ହେଲ୍‌ଥ ଚେକ୍‌ଅପ୍। ଆପଣ ସୁସ୍ଥ ଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ରୁଟିନ୍ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର। ଏଥିରେ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥାଏ। ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ନିୟମିତ ହେଲ୍‌ଥ ଚେକ୍‌ଅପ୍ ନିହାତି ଦରକାର। ସେହିପରି ସୁସ୍ଥ ବ୍ୟକ୍ତି ମଧ୍ୟ ବର୍ଷକୁ ଥରେ ହେଲ୍‌ଥ ଚେକ୍‌ଅପ୍‌ କରିବା ଦରକାର।

(ସ୍ୱାସ୍ଥ୍ୟ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ପ୍ଲାଟଫର୍ମସ୍ୱାସ୍ଥ୍ୟ ପ୍ଲସ୍ସହିତ ଡାକ୍ତର ବିଶ୍ୱଜିତ୍ ନନ୍ଦଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: A brief medical advice, in Odia language, on Kidney ailments with their symptoms & treatment and the option for Kidney transplantation based on the interview with Dr Biswajit Nanda, Consultant Urology, Andrology and Kidney Transplant Surgeon.