ଗୀତା ଦାସ

ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି କରୋନା ଭାଇରସ୍ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି(ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍‌)

geeta das

ବୟସ୍କ ଲୋକଙ୍କ ପାଇଁ କରୋନା ସଂକ୍ରମଣ ଏକ ଅଡ଼ୁଆ ପରିସ୍ଥିତି ଆଣିଦେଇଛି। ସେମାନେ ଘର ଭିତରେ ବନ୍ଦ ହୋଇ ରହିଲାରୁ ଏବଂ ନିଜ ବୟସର ସାଙ୍ଗ ସାଥୀ ଓ ସାହି ପଡ଼ିଶାଙ୍କ ସାଙ୍ଗରେ କଥାବାର୍ତ୍ତା କରି ନ ପାରିଲାରୁ ବହୁତ ଏକୁଟିଆ ହୋଇ ପଡ଼ୁଛନ୍ତି। ତା’ ସାଙ୍ଗକୁ ବୟସ୍କ ଲୋକଙ୍କର କରୋନା ଭାଇରସ୍ ଯୋଗୁଁ ରୋଗ ହେଲେ ଗୁରୁତର ଅବସ୍ଥା ହେଉଛି – ଏକଥା ବାରମ୍ବାର ମିଡିଆରେ ଶୁଣି ସେମାନେ ଉତ୍କଣ୍ଠିତ ଓ ଭୟଭୀତ ହେଉଛନ୍ତି। ସେମାନଙ୍କୁ କି ଉପାୟରେ ସାହାଯ୍ୟ କରିହେବ? ସତରେ, ଘରେ ଘରେ ଆଜି ଏ ପ୍ରଶ୍ନ।

mobile

ପ୍ରଥମ କଥା ହେଲା ଯେ, ସମସ୍ତଙ୍କୁ ସମାନ ଭାବରେ ସାହାଯ୍ୟ କରିବା ସମ୍ଭବ ନୁହେଁ। ଯେଉଁମାନେ ସ୍ମାର୍ଟ ଫୋନ୍‌ ବା ଆଇ ପ୍ୟାଡ୍‌ ବ୍ୟବହାର କରୁଛନ୍ତି, ସେମାନେ ଟେକନୋଲୋଜି ସାହାଯ୍ୟରେ ଅନ୍ୟମାନଙ୍କ ସହ ମୁହାଁମୁହିଁ କଥାବାର୍ତ୍ତା ହେଇପାରିବେ। ପାଟି ବନ୍ଦ କରି ଚୁପ୍‌ଚାପ ହେଇ ରହିବାକୁ ପଡ଼ିବ ନାହିଁ। ଯାହାର ସେ ସୁବିଧା ନାହିଁ, ସେମାନେ ଗାଁ ବା ସହର ଜାଗାରେ ପିଣ୍ଡା ବା ଛାତ, କି ବାଲକୋନିରୁ ଦୂରରେ ଥାଇ କଥାବାର୍ତ୍ତା ହେବାକୁ ଚେଷ୍ଟା କରିବେ। ନିଜେ ଭଗବାନଙ୍କ ପାଖରେ କାହିଁକି କୃତଜ୍ଞ ସେ ବିଷୟରେ ଚିନ୍ତା କରି ଡାଏରିରେ ଲେଖିବେ।

ସେମାନେ ଭାବିବା ଦରକାର ଯେ, ଡାକ୍ତର, ନର୍ସଙ୍କ ପରି ରୋଗୀ ପାଖରୁ ଘରକୁ ରୋଗ ଆଣିବାର ଭୟ ନାହିଁ, କି ନିଜେ ଅନ୍ୟମାନଙ୍କଠାରୁ ଦୂରରେ ରହିଲାରୁ ରୋଗ ଡେଇଁବାର ସମ୍ଭାବନା ମଧ୍ୟ ନାହିଁ। ତେଣୁ ନିଜ ଅବସ୍ଥାର ଭଲ ଦିଗ କଥା ଭାବିଲେ ବିଭିନ୍ନ ଅସୁବିଧା କଥା ଚିନ୍ତା କରି କାତର ହେବେ ନାହିଁ। ଆମେ ଯଦି ଘରେ ତିନି ଚାରି ସପ୍ତାହ ବନ୍ଦ ହେଇ ରହିଲାରୁ ସେ ରୋଗର ସଂକ୍ରମଣ କମାଉ ପାରୁଛନ୍ତି ତା’ ହେଲେ ଏଥିରେ ବିରକ୍ତ ନହୋଇ ଗୌରବ ବୋଧ କରିବା ଦରକାର।

home alone

ଦ୍ଵିତୀୟରେ, ଏହି ରୋଗ ନୂଆ ବୋଲି ଏ ବିଷୟରେ ଆମର ଜ୍ଞାନ କମ୍। ତେଣୁ ଯେତେ ନୂଆ ତଥ୍ୟ ବଢ଼ୁଛି, ସେତେ ନୂଆ ନୂଆ ଦିଗ ସାମନାକୁ ଆସୁଛି। ଏବେ ଜଣାପଡ଼ୁଛି ଯେ, ଯୁବକ ଓ ମଧ୍ୟ ବୟସ୍କ ଲୋକଙ୍କୁ ଏ ରୋଗଟା ମଧ୍ୟ ଅଧିକ ହେଉଛି। ଅନେକ ଦେଶରେ ବୟସ୍କ ଲୋକମାନେ ସାବଧାନ ଓ ସ୍ଵାସ୍ଥ୍ୟବାନ ଥିଲାରୁ ସେମାନଙ୍କର କରୋନା ଭାଇରସ୍ ରୋଗ କମ୍ ହେଉଛି ବା ସେମାନଙ୍କୁ ଭାଇରସ୍‌ର ସଂକ୍ରମଣ ହେଲେ ମଧ୍ୟ ସେମାନେ ଭଲ ହୋଇ ଘରକୁ ଫେରୁଛନ୍ତି। ତେଣୁ ଏଥିପାଇଁ ଅଯଥା ଆତଙ୍କିତ ହେଇ ଦୁଶ୍ଚିନ୍ତା କଲେ ବରଂ ମନ ଖରାପ ହେବ ଓ ଦେହ ମଧ୍ୟ ଖରାପ ହେବ। ବରଂ ଥଟ୍ଟା ପରିହାସ କରି, ମନକଥା କହି, ହସ ଗପ ପଢ଼ି ଅନ୍ୟ ବିଷୟରେ କଥାବାର୍ତ୍ତା କରି ମନକୁ ଉତ୍‌ଫୁଲ୍ଲ ରଖିଲେ କରୋନା ଆମକୁ କଥା କଥା କେ ଆଉ ଡରାଇବ ନାହିଁ।

ଓଡ଼ିଆମାନେ ଆଗେ ଭାଗବତ ପଢ଼ୁଥିଲେ। ମୋ ମତରେ ସଙ୍କଟ ସମୟରେ ଭାଗବତ ପଢ଼ିଲେ ମନର ଭୟ କମିବ। କାରଣ ପରୀକ୍ଷିତ ମହାରାଜା ନିଜର ମୃତ୍ୟୁ ଆସନ୍ନ ଜାଣି କୃଷ୍ଣଙ୍କର ଜୀବନ କାହାଣୀ ଶୁଣିଲେ। ସେଥିରୁ ସେ ଜୀବନର ଅଲଂଘନୀୟ ନିୟମ ବିଷୟରେ ସଚେତନ ହେଲେ। ସେ ଜାଣିଲେ ଯେ ସୁଖ କମିଲେ ଦୁଃଖ ହେବ, ତେଣୁ ସୁଖ ଦେହରେ ହିଁ ଦୁଃଖର ମଞ୍ଜି ଲୁଚି ରହିଛି। ଜୀବନର ଶେଷ ହବ ମୃତ୍ୟୁରେ, ପ୍ରତାପଶାଳୀ ଯଦୁବଂଶ ନିଶ୍ଚିହ୍ନ ହେଲା, ଦ୍ଵାରକା ପରି ଅପୂର୍ବ ନଗରୀ ଜଳରେ ନାଶ ହେଲା। ତେଣୁ ସେ ଜାଣିଲେ ଯେ ମୃତ୍ୟୁ ମଣିଷକୁ ମୋକ୍ଷ ପଥରେ ନେଇ ଅମର କରେ।

bhagabata

ସେ ଯେତେବେଳେ ମୃତ୍ୟୁର ମର୍ମ ବୁଝିଲେ ତାଙ୍କ ମନରୁ ମୃତ୍ୟୁ-ଭୟ ଚାଲିଗଲା। ସେ ଶାନ୍ତିରେ ଦେହ ତ୍ୟାଗ କଲେ। ସମସ୍ତଙ୍କ ମନରେ ମହାରାଜା ପରୀକ୍ଷିତଙ୍କ ପରି ମହାଜ୍ଞାନର ଉଦୟ ହେବ ସେକଥା ସମ୍ଭବ ନୁହେଁ। ମାତ୍ର ଭାଗବତ ପଢ଼ିଲେ, ଭଜନ ଶୁଣିଲେ କିମ୍ବା ଯନ୍ତ୍ର ସଙ୍ଗୀତ ଶୁଣିଲେ ଆମ ମନ ଊର୍ଧ୍ଵଗାମୀ ହୁଏ ଓ ମନରେ ପ୍ରଶାନ୍ତି ବଢ଼େ।

ଦୂରରେ ଥିବା ପରିବାରର ଲୋକ ବା ସଂପର୍କୀୟମାନେ ବୟସ୍କ ଲୋକଙ୍କୁ ଫୋନ୍ କରି ଖବର ନେଲେ, ସେମାନଙ୍କ ସାଙ୍ଗରେ ଗପସପ କଲେ ଓ ତାଙ୍କର ଦୀର୍ଘ ଜୀବନର ଅଭିଜ୍ଞତା ବିଷୟ ଶୁଣିଲେ ବୟସ୍କ ଲୋକଙ୍କର ନିଃସଙ୍ଗତା କମେ। ଆମେ ମଧ୍ୟ ପୁରୁଣା ଯୁଗର ଜୀବନ କେମିତି ଥିଲା ସେ କଥା ଜାଣୁ। ବିଶେଷକରି, ଆଜିକାଲି ଅଧିକାଂଶ ଲୋକଙ୍କର ପୁଅ, ଝିଅ, ନାତି ନାତୁଣୀ ଦୂର ଦୂରାନ୍ତରେ ଅଛନ୍ତି। ଘରେ ଅନେକ ଏକୁଟିଆ। ଆଉ କେହି କେହି ନାତି ନାତୁଣୀଙ୍କୁ ବାପା ମାଆ ହେଇ ବୃଦ୍ଧାବସ୍ଥାରେ ସମ୍ଭାଳିଛନ୍ତି। ଏ ସମୟରେ, ସେମାନଙ୍କର ବହୁ ପ୍ରକାରର ସାହାଯ୍ୟ ଦରକାର। ସରକାର, ଘରଲୋକ ଓ ସାହିଲୋକ ସମସ୍ତେ ମିଶି ଏ ବିଷୟ ଚିନ୍ତା କରି କିଛି କାର୍ଯ୍ୟପନ୍ଥା ବାହାର କଲେ ସମସ୍ତଙ୍କର ଲାଭ ହେବ। କାରଣ ଆମେ ସମସ୍ତେ ଦିନେ ବୁଢ଼ା ହେବା, ହାତ, ଗୋଡ଼ ମୁଣ୍ଡ ଠିକରେ କାମ ନ କଲେ ଅନ୍ୟ ଉପରେ ନିର୍ଭର କରି ବଞ୍ଚିବା। ତେଣୁ ଆଜି ଆମେ ଯେଉଁ ବ୍ୟବସ୍ଥା କରିବୁ, ଭବିଷ୍ୟତରେ ନିଜେ ତା’ର ଭଲ ଓ ମନ୍ଦ ଫଳ ଭୋଗିବୁ।

old age people care

ଯାହାଙ୍କର ପରିବାର ଅଛି, ଘର ଅଛି ଓ ସମ୍ବଳ ଅଛି ଆମେ ସେମାନଙ୍କ ସମସ୍ୟାର ଆଲୋଚନା କଲେ। କିନ୍ତୁ ବର୍ତ୍ତମାନ ଯିଏ ପରିବାରର ଦାୟିତ୍ଵ ନେବାକୁ ଅକ୍ଷମ, ଯାହାର ରହିବାକୁ ଘର ନାହିଁ ଓ ଚଳିବାକୁ ରୋଜଗାର ନାହିଁ, ସେଭଳି ବୟସ୍କ ପୁରୁଷ ଓ ସ୍ତ୍ରୀ ଲୋକଙ୍କର ସମସ୍ୟା କଥା ଭାବିବା କଥା। ସେମାନେ ରେଳ ଷ୍ଟେସନରେ ପ୍ଲାଟଫର୍ମରେ ଶୁଅନ୍ତି, ସଡ଼କର ଫ୍ଲାଇଓଭର ତଳେ ଶୁଅନ୍ତି କିମ୍ବା ବସ୍ତିରେ ମାଗି ଯାଚି କାହା ପିଣ୍ଡାରେ ଶୁଅନ୍ତି। ସେମାନଙ୍କର ମାନସିକ ସମସ୍ୟା ବିଷୟରେ ଆମେ କିଛି ଜାଣୁନା।

corona_Oldpeople

ଅନ୍ୟ ଉନ୍ନତ ଦେଶ ପରି ଆମ ଦେଶରେ ସେମାନଙ୍କ ପାଇଁ କୌଣସି ବିଶେଷ ବ୍ୟବସ୍ଥା ନାହିଁ। ମାତ୍ର ସେମାନଙ୍କ ଭିତରେ ରୋଗ ବ୍ୟାପିଲେ ଆମର ରୋଗ ହେବ। ସେମାନେ ସମସ୍ତେ ଯେ ଜନ୍ମରୁ ଗରିବ ତାହା ନୁହେଁ। ଯାହାର ସ୍ମୃତି ଶକ୍ତି କମିଯାଇଛି, ଯାହାର ବୁଦ୍ଧି କମିଯାଇଛି ନିଶା ପାଣି ପିଇ, ଯାହାର ମୁଣ୍ଡରେ ଆଘାତ ଯୋଗୁଁ ବୁଝିବା ଶକ୍ତି କମିଯାଇଛି, ସେଭଳି ଲୋକ ଦିନେ ହୁଏତ ଅବସ୍ଥାପନ୍ନ ଥିଲେ। ଦୁର୍ଭାଗ୍ୟ ଯୋଗୁଁ ଅସହାୟ ଆଜି ହୋଇଛନ୍ତି। ସେମାନଙ୍କ ସାଙ୍ଗରେ କଥା କହି, କ’ଣ କଲେ ସେମାନେ ନିରାପଦରେ ରହିବେ ଓ ଅନ୍ୟମାନେ ନିରାପଦ ହେବେ ସେ ବିଷୟ ଆଲୋଚନା ରାସ୍ତା ବାହାର କରିବା ଦରକାର।

(ପ୍ରସ୍ତୁତିନୀଳାମ୍ବର ରଥ)

କରୋନା ଭାଇରସ୍ ମହାମାରୀ ରୂପ ନେଉଥିବାରୁ ଲୋକେ ଭୟଭୀତ, କ’ଣ କଲେ ସେମାନଙ୍କର ମନ ଶାନ୍ତ ରହିବ?
ଲକଡାଉନ ବେଳେ କେମିତି ମନକୁ ଶାନ୍ତ ରଖିବେ ଓ ମାନସିକ ଅସ୍ଥିରତାରୁ ମୁକ୍ତି ପାଇବେ?