ଗୀତା ଦାସ

ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି କରୋନା ଭାଇରସ୍ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି(ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍‌)

geeta das

ପିଲାଙ୍କ ବୟସ ଓ ବୁଝିବା କ୍ଷମତା ଅନୁସାରେ ସେମାନଙ୍କୁ ଯେ କୌଣସି ବିଷୟ କହିବାକୁ ପଡ଼େ। ଭାଷା ସରଳ ଓ ସଂକ୍ଷେପ କରି କହିଲେ ପିଲା ବିଭ୍ରାନ୍ତ ହେବେ ନାହିଁ। ଯଥା – ଏ ରୋଗ ହାଡ଼ଫୁଟି ଓ ମିଳିମିଳା ପରି ଡିଆଁ ରୋଗ। କାଶିଲେ ବା ଛିଙ୍କିଲେ ନାକରୁ ଓ ମୁହଁରୁ ଯେଉଁ ପାଣିଠୋପା ଚାରିଆଡ଼େ ପଡ଼େ ସେଥିରେ ଭାଇରସ୍ ଥାଏ। (ଭୂତାଣୁ କହିଲେ ପିଲା ହୁଏତ ଭୂତ ବୋଲି ବୁଝିବେ)। ଅନ୍ୟ ଲୋକ ପାଖରେ ଥିଲେ ତାଙ୍କ ଦେହରେ ପଡ଼ିଲେ ତାଙ୍କ ଦେହକୁ ଭାଇରସ୍ ଯାଏ।

ତେଣୁ ଛିଙ୍କିଲା ବେଳେ ହାତରେ କି ରୁମାଲରେ ନାକ ପୋଛିବ, ତାହା ହେଲେ ହାତରେ ଓ ରୁମାଲରେ ଭାଇରସ୍ ରହିବ। ସେଥିପାଇଁ ସବୁବେଳେ ହାତ ସାବୁନରେ ଧୋଇବା କଥା। ଜାମାପଟା, ଚାଦର, ତଉଲିଆ ସବୁ ପାଣିରେ ବ୍ଲିଚ୍ ଦେଇ ଧୋଇବାକୁ ପଡ଼ିବ। ନିଜର ବ୍ୟବହାର କରିଥିବା ଲୁଗା ସଫା ଲୁଗାଠାରୁ ଅଲଗା କରି ଦୂରରେ ରଖିବ।

corona

ପିଲା ପଚାରିବେ, କାହିଁକି ମୁଁ ସାଙ୍ଗ ଘରକୁ ଦଶ ମିନିଟ୍ ପାଇଁ ଯାଇପାରିବି ନାହିଁ? ପାଞ୍ଚ ମିନିଟ୍ ପାଇଁ ବାହାରକୁ ଗଲେ କ’ଣ ଖରାପ ହେବ? ଏଠି ସେମାନଙ୍କୁ ବୁଝେଇବାକୁ ପଡ଼ିବ। ଲୋକେ ଅନ୍ୟ ଲୋକଙ୍କ କଟକଣା ପୂର୍ବରୁ ମିଶୁଥିଲେ। କାହା ଦେହରେ ଏ ରୋଗ ଅଛି ଓ କାହାର ନାହିଁ, ସେକଥା କାହାକୁ ଜଣା ନାହିଁ। ବାହାରକୁ ଲୋକ ଗଲେ ଗହଳି ବଢ଼ିବ ଓ ରୋଗ ବ୍ୟାପିବ। ଏକାଠି ବହୁତ ଲୋକଙ୍କୁ ରୋଗ ହେଲେ ଔଷଧ ମିଳିବ ନାହିଁ। ରୋଗୀଙ୍କୁ ଚିକିତ୍ସା କରିବାକୁ ଲୋକ ମିଳିବେ ନାହିଁ। ଏଥିପାଇଁ ଆମେ ସମସ୍ତେ ଯଦି ଘରେ ରହିବାର ଅସୁବିଧା ସହିଯିବୁ, ତାହାହେଲେ ରୋଗ କାଁ ଭାଁ ଲୋକଙ୍କୁ ହେଲେ ସେମାନଙ୍କ ଚିକିତ୍ସା କରିହେବ ଓ ସେମାନେ ଭଲ ହୋଇଯିବେ।

corona awareness

ପିଲାଙ୍କୁ ଭୟ ଲାଗିଲେ କି ମନ ବ୍ୟସ୍ତ ଲାଗିଲେ ସେକଥା କହିବାକୁ ଦବା। ଡରୁଆ, ଛେରୁଆ କହି ଥଟ୍ଟା କରି ଦବେଇ ଦବ ନାହିଁ। କାରଣ ନିଜକୁ ସାହସୀ ବୋଲି ଅନ୍ୟକୁ ଦେଖାଇବା ପାଇଁ ମୋର କିଛି ହବନି କହି ସେ କଟକଣା ମାନିବ ନାହିଁ, କି ଲୁଚିକରି ବାହାରକୁ ଯାଇ ଅନ୍ୟମାନଙ୍କ ସାଙ୍ଗେ ବୁଲିବ ଓ ରାତିରେ ମନରେ ଭୟ ରହିଲାରୁ ନିଦ ହେବ ନାହିଁ। ନିଦ ହେଲେ ନିଦରେ ଖରାପ ସ୍ଵପ୍ନ ଦେଖି ଚିରଚିରେଇ ହେବ।

ଅନ୍ୟବେଳେ ଅବୁଝା ହବ, ଜିଦ୍ କରିବ, କଳି ଲଗେଇବ। ତେଣୁ ଏଭଳି ଅସ୍ଵାଭାବିକ ଅବସ୍ଥାରେ କ’ଣ କଲେ ଦେହ ସୁସ୍ଥ ରହିବ ଓ ମନ ଧୀର ଶାନ୍ତ ରହିବ ସେ ଉପାୟ ଘରର ପ୍ରତିଟି ଲୋକଙ୍କୁ ପଚାରି ବୁଝିଲେ, ସମସ୍ତେ କାମ କଲେ ଏଇ ପରିସ୍ଥିତିରେ ନିଜକୁ ଚଳେଇବେ ତା’ର ସନ୍ତୋଷଜନକ ଉପାୟ ବାହାରିବ।

how to deal with child

ପିଲା ଯାହା ପଚାରିବେ ତା’ର ସଠିକ୍ ଉତ୍ତର ଯାହା ଆମେ ଜାଣିଛୁଁ ସେହି ଅନୁସାରେ କହିବା। ସେମାନଙ୍କୁ ଧମକେଇବା କିମ୍ବା “କାହିଁକି ବକ୍ ବକ୍ ହେଉଛୁ’’ କହି ଦବାଇବା ଠିକ୍ ନୁହେଁ। କାରଣ ମାନସିକ ଚାପ ବଢ଼ିଲେ ଅସ୍ଥିରତା ବଢ଼େ। ଫଳରେ କିଏ ବେଶୀ କଥା କହେ, ବେଶୀ ଖାଏ, ଅନବରତ ଚାଲେ ବା ଏକା କାମ ବାରମ୍ବାର କରେ ଓ ଆଉ କିଏ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହେଇ ବସି ରହେ। ଖାଇବାକୁ ମନ କରେନା, ସବୁବେଳେ ଶୋଇ ରହେ। ପଚାରିଲେ କହେ ମୋ ମୁଣ୍ଡ ବୁଲାଉଛି। ମୋତେ ସବୁ ବିଷପିତା ଲାଗୁଛି। ଦେହ ଭଲ ଲାଗୁ ନାହିଁ ଜମାରୁ।

kids doing yoga

କ’ଣ କଲେ ମନ ଭଲ ଲାଗିବ – ସେ ବିଷୟରେ ଅନ୍ୟମାନେ ପରାମର୍ଶ ଦେବେ ସିନା, ମାତ୍ର ନିଜେ ସେ ପରାମର୍ଶ ଅନୁସାରେ କାମ ନ କଲେ, ମନ କେମିତି ଭଲ ହୋଇପାରିବ? ଏ ସମୟରେ ସମସ୍ତେ ପ୍ରାଣାୟାମ ଓ ଯୋଗ ଆସନ କଲେ ଦେହରେ ନିସ୍ତେଜ ଭାବ କମିଯିବ। ପିଲାମାନେ ମଧ୍ୟ ପାଞ୍ଚ ମିନିଟରୁ ଦଶ ମିନିଟ୍ ପର୍ଯ୍ୟନ୍ତ ଧ୍ୟାନ କରିବା ଅଭ୍ୟାସ କଲେ ମାନସିକ ଚାପ କମାଇପାରିବେ। ୟୁଟ୍ୟୁବରେ ଧ୍ୟାନ ଶିଖାଇବା ପାଇଁ ଭିଡିଓ ମିଳିବ। ଯେଉଁ ପ୍ରକାର ଧ୍ୟାନ କଲେ ନିଜେ ଉପକୃତ ହେଉଛନ୍ତି, ସେହି ପ୍ରକାରର ଧ୍ୟାନ ପିଲାଙ୍କୁ ଅଭ୍ୟାସ କରିବା ଲାଗି କହିବେ।

କରୋନା ଭାଇରସ୍ ମହାମାରୀ ରୂପ ନେଉଥିବାରୁ ଲୋକେ ଭୟଭୀତ ହେଉଛନ୍ତି। କ’ଣ କଲେ ସେମାନଙ୍କର ମନ ଶାନ୍ତ ରହିବ?
ଲକ୍‌ଡାଉନ୍‌ ବେଳେ କେମିତି ମନକୁ ଶାନ୍ତ ରଖିବେ ଓ ମାନସିକ ଅସ୍ଥିରତାରୁ ମୁକ୍ତି ପାଇବେ?
କରୋନା ପାଇଁ ଲକଡାଉନ ସମୟରେ ସାନସାନ ପିଲାଙ୍କୁ ଘର ଭିତରେ ସମ୍ଭାଳିବା କେମିତି?
କରୋନା ସଂକ୍ରମଣ ବ୍ୟାପିବା ସମୟରେ କେମିତି ବୁଝିବା ବୟସ୍କଙ୍କ କଥା?