ଗୀତା ଦାସ

ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି କରୋନା ଭାଇରସ୍ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍‌)

geeta das

ଲକ୍ ଡାଉନ୍ ପରିସ୍ଥିତି ଫଳରେ ଲୋକମାନେ ଘରୁ ବାହାରକୁ ନ ଗଲାରୁ ଗୃହବନ୍ଦୀ ହେଲା ପରି ରହି ବିରକ୍ତ ହେଉଛନ୍ତି ଓ ଅନିଶ୍ଚିତ ଭବିଷ୍ୟତ ବିଷୟରେ ଥଳକୂଳ ପାଉନାହାନ୍ତି। ଏଇ ଅବସ୍ଥାରେ   ସେମାନେ କେମିତି ମନକୁ ଶାନ୍ତ ରଖିବେ ଓ ମାନସିକ ଅସ୍ଥିରତାରୁ ମୁକ୍ତି ପାଇବେ?

ସ୍ଵାଭାବିକ ଜୀବନରେ ଆଞ୍ଚ ଆସିଲେ ସମସ୍ତଙ୍କୁ କଲବଲ ଲାଗେ, ଅଥୟ ଲାଗେ। ସେଥିପାଇଁ ସ୍ଵାଧୀନତା ଆନ୍ଦୋଳନ ବେଳେ ‘ଗୃହବନ୍ଦୀ’ କରି ବହୁ ଲୋକଙ୍କୁ ଶାସ୍ତି ଦିଆଯାଉଥିଲା। ତେଣୁ ଏପରି ପରିସ୍ଥିତି ଅସହନୀୟ, ମାତ୍ର ମଣିଷର ନିଜ ବୁଦ୍ଧିବଳ ଯୋଗୁଁ ସେ ଅବସ୍ଥା ଅନୁସାରେ ବ୍ୟବସ୍ଥା କରି ସଙ୍କଟ ସମୟରେ ନିଜକୁ ରକ୍ଷା କରି ଆଦିମ ଯୁଗରୁ ଏଯାକେ ବଞ୍ଚିରହିଛି। ଏ ଦିଗରେ ଅନ୍ୟର ସହଯୋଗିତା ଓ ମନର ଆଶାବାଦୀ ଗୁଣ ତା’କୁ ସାହାଯ୍ୟ କରିଛି।

ଏଥିପାଇଁ ଯେଉଁମାନେ ଏକାଠି ଗୃହବନ୍ଦୀ ଭଳି ଅବସ୍ଥାରେ ରହିଛନ୍ତି ସେମାନେ ନିଜର ପୁରୁଣା ରାଗ, ଅଭିମାନ ଓ ଅବିଶ୍ଵାସକୁ ସାମୟିକ ଭାବରେ ପାସୋରି ଯାଇ ପରସ୍ପରକୁ ସାହାଯ୍ୟ କରନ୍ତି ଓ ସହଯୋଗ କରନ୍ତି, ତାହାହେଲେ ଗୃହବନ୍ଦୀର ଜୀବନ ମଧ୍ୟ ସହନୀୟ ହେବ।

corona awareness

ପ୍ରଥମେ ବାହାରକୁ ଗଲା ବେଳେ କାହା ପରେ କ’ଣ କରିବାକୁ ହେବ ବୋଲି ପ୍ରତିଦିନର ଯେଉଁ ରୁଟିନ ଥିଲା ଘରେ ରହିଲେ ମଧ୍ୟ ସେମିତି ନିତ୍ୟକର୍ମ ସାରି ଗାଧୋଇ ସମୟରେ ଖାଇ ବାହାରକୁ ଯିବାର ଲୁଗାପିନ୍ଧି, ସଫା ସୁତୁରା ହେଇ କାମ ଆରମ୍ଭ କଲେ ଅନେକ ସମୟରେ ଏଇ ପରିସ୍ଥିତି ସେତେ ଅଲଗା ଲାଗିବ ନାହିଁ।

ଅନ୍ୟପକ୍ଷରେ ଡେରିରେ ଉଠିଲେ, ଅଳସୁଆ ହେଇ ବସି ଟେଲିଭିଜନ୍ ଦେଖିଲେ କି ଭିଡିଓ ଗେମ୍ ଖେଳିଲେ, ଅବେଳାରେ ଖାଇଲେ ଓ ଦିନରାତି କେଉଁ ଦେଶରେ କେତେ ଲୋକ କରୋନା ଭାଇରସରେ ମଲେ ସେ ବିଷୟ ସୋସିଆଲ୍ ମିଡିଆରେ ପଢ଼ିଲେ ଜୀବନଟା ଓଲଟ ପାଲଟ ହେଲା ପରି ଲାଗିବ ଓ କରୋନ୍ ଭାଇରସ୍‌ର ସଂକ୍ରମଣ ଯେମିତି ଦେହକୁ ଆକ୍ରମଣ କରୁଛି ଭୟରେ ସେମିତି ମନ ଥରିବ ଓ ଆତଙ୍କ ବଢ଼ିବ।

old age

ଦ୍ଵିତୀୟରେ, ସମସ୍ତେ ଜାଣନ୍ତି ଯେ ବର୍ତ୍ତମାନ ସମୟରେ କାମର ସମୟ ବଢ଼ି ଚାଲିଲାରୁ ଘର ଲୋକଙ୍କ ସାଙ୍ଗରେ କେବଳ ଦରକାରୀ କଥାବାର୍ତ୍ତା କରିଥାଉ। ଏସବୁ କଥାବାର୍ତ୍ତାର ବିଷୟ ହେଲା ଘରର ଜଞ୍ଜାଳ, ଅଭାବ, ଅସୁବିଧା ଓ ପିଲାଙ୍କର ସମସ୍ୟା ଓ ଅବୁଝାପଣ ଓ ବୁଢ଼ାବୁଢ଼ୀଙ୍କର ରୋଗ ଓ ଚିକିତ୍ସା। ବର୍ତ୍ତମାନ ବାପାମାଆଙ୍କ ସାଙ୍ଗରେ କଥା କହିବାକୁ ବେଳ ମିଳିଲା। ପିଲାଙ୍କ ମନକଥା ଶୁଣିବାକୁ ବେଳ ମିଳିଲା। ସେମାନେ ଘରେ ଅଛନ୍ତି ସତ, ମାତ୍ର କ୍ରମଶଃ ଯେତେ କମ୍ ଦେଖା ହେଉଛି ସେତେ ସେମାନେ ଦୂରେଇ ଯାଉଛନ୍ତି। ସ୍ଵାମୀ ସ୍ତ୍ରୀ ଉଭୟେ ନିଜ ନିଜ କର୍ମଜୀବନରେ ବ୍ୟସ୍ତ ରହି, ଘର କଥା ବୁଝି ନିଜର ଅନ୍ତରଙ୍ଗ ରୋମାଣ୍ଟିକ୍ ଜୀବନକୁ ନିରୂପାୟ ହେଇ ଅଣହେଳା କରିଛନ୍ତି, ବର୍ତ୍ତମାନ ସମୟ ମିଳିଛି। ଏଇ ପ୍ରତିଟି ସମ୍ପର୍କର ଉନ୍ନତି କରି ହେବ।

ତୃତୀୟରେ, ମଣିଷ ଯେତେ ନିଜର ଅତୀତ କଥା ଭାବେ ସେତେ ମନରେ ପଛକଥା ଭାବି ଦୁଃଖପାଏ ଓ ଭବିଷ୍ୟତ ତ ସବୁବେଳେ ଅନିଶ୍ଚିତ। ତେଣୁ ‘କ’ଣ ହେବ କ’ଣ ହେବ ନାହିଁ’ ଭାବି ବିଚଳିତ ହୁଏ। ତେଣୁ ନିଜ କଥା କମ୍ ଭାବି ଅନ୍ୟ ପାଇଁ କ’ଣ କରିବି ଭାବିଲେ ନିଜର ଦୁଃଖମୟ ଚିନ୍ତା କମେ ଓ ନିଜ ମନରେ କରୁଣା ଓ ଦୟା ଭାବ ବଢ଼େ ଓ ନିରାନନ୍ଦ ଭାବ କମେ।

family time

ଓଡ଼ିଆ ଲୋକମାନେ ସ୍ଵଭାବତଃ ସାହାଯ୍ୟ ପରାୟଣ ଓ ଯିଏ ତାଙ୍କ ପ୍ରତି ଭଲ ବ୍ୟବହାର କରେ, ତା’ର ଯଥାସାଧ୍ୟ ଉପକାର କରନ୍ତି। ତେଣୁ ଗୃହବନ୍ଦୀ ଭଳି ପରିସ୍ଥିତି ହେଲେ ମଧ୍ୟ ବର୍ତ୍ତମାନ ଯୁଗର ଟେକନୋଲୋଜିର ମାଧ୍ୟମରେ ସମସ୍ତେ ପ୍ରାୟ ବାହାର ଦୁନିଆରୁ ଅଲଗା ନ ହୋଇ ବେଶୀ ପାଖକୁ ଆସିଛନ୍ତି।

ଶେଷରେ ମଣିଷ ନିଜର ମନ ଅନୁସାରେ ନିଜର ପରିସ୍ଥିତିକୁ ସଙ୍କଟମୟ ଭାବି ଆତଙ୍କିତ ହେଇ, ନିଷ୍କ୍ରିୟ ହେଇ ମୁଣ୍ଡପୋତି ବସିପାରେ କିମ୍ବା ନିଜର ଅଭ୍ୟସ୍ତ ଜୀବନ ଯାତ୍ରାକୁ ବଦଳେଇବାରେ ସୁଯୋଗ ମିଳିଲା ଜାଣି ଉନ୍ନତି ପଥରେ ନେଇପାରେ। ଭାଗବତରେ ଅଛି ‘ମନର ମୂଳେ ଏ ଜଗତ, କହଇ ବିପ୍ର ଜଗନ୍ନାଥ’’।