ଅଧିକାଂଶ ଲୋକ ନିଜ ମୋଟା ହାତକୁ ନେଇ ଚିନ୍ତିତ ଥାଆନ୍ତି। ଏଭଳିକ୍ଷେତ୍ରରେ କେତେକ ଆସନ କରି ସେମାନେ ନିଜ ହାତରୁ ଚର୍ବି କମ୍‌ କରିପାରିବେ।

ଭୁଜଙ୍ଗ ସଞ୍ଚାଳନ ଆସନ – ପ୍ରଥମେ ଗୋଟେ ମ୍ୟାଟ୍‌ ଉପରେ ଛିଡ଼ା ହୋଇଯାଆନ୍ତୁ। ଗୋଟେ ଗୋଡ଼ରୁ ଆଉ ଗୋଟେ ଗୋଡ଼ ମଧ୍ୟରେ ୧ ଫୁଟ୍‌ର ଦୂରତା ରଖନ୍ତୁ। ଦୀର୍ଘ ନିଶ୍ୱାସ ନେଇ ଡାହାଣ ହାତକୁ ଉପରକୁ ନେଇ ପଛକୁ ନିଅନ୍ତୁ। ଅର୍ଥାତ୍‌ ହାତକୁ ଗୋଲାକାର ଗତିରେ ବୁଲାନ୍ତୁ। ପ୍ରଥମେ ଧୀରେ ଧୀରେ ବୁଲାନ୍ତୁ ଓ ପରେ ଏହାର ବେଗ ବଢ଼ାନ୍ତୁ। ସେହିପରି ଭାବେ ବାମ ହାତକୁ ବୁଲାନ୍ତୁ।

ଏହିପରି ଦୁଇ ହାତକୁ ଏକାସାଙ୍ଗରେ କରନ୍ତୁ। ଧୀରେ ଧୀରେ ଏହାର ବେଗ ବଢ଼ାଇବେ।

ଅର୍ଦ୍ଧ ମୟୂରାସନ – ଏହି ଆସନ କରିବା ପାଇଁ ପ୍ରଥମେ ବଜ୍ରାସନରେ ବସନ୍ତୁ। ବାମ ହାତରେ ଡାହାଣ ହାତର କହୁଣୀକୁ ଏବଂ ଡାହାଣ ହାତରେ ବାମ ହାତର କହୁଣୀକୁ ଧରନ୍ତୁ। ଏବେ ଏହି କହୁଣୀକୁ ଭୂମିରେ ଲଗାନ୍ତୁ। ଦୁଇ ହାତର ପାପୁଲିକୁ ଛନ୍ଦି ରଖିବେ ଓ ଧୀରେ ଧୀରେ ଆଣ୍ଠୁ ଓ ପେଟକୁ ଉଠାଇ ରଖିବେ। ୩୦ ସେକେଣ୍ଡ ପାଇଁ ଏହି ଆସନକୁ ଧରି ରଖିବେ ପୁଣି ବଜ୍ରାସନକୁ ଫେରି ଆସିବେ। ଏହାକୁ ପୁନର୍ବାର କରିବେ। ଏଭଳି ୭ ଥର ପାଇଁ କରିପାରିବେ।

ଦଣ୍ଡ ବ୍ୟାୟାମ – ମ୍ୟାଟ୍‌ ଉପରେ ବସନ୍ତୁ। ଏବେ ଦୁଇ ପାପୁଲିକୁ ଭୂମିରେ ଲଗାଇ ପୂରା ଶରୀରକୁ ଭୂମି ସହ ସମାନ୍ତରଳ ଭାବେ ଉଠାଇ ରଖନ୍ତୁ। ଯେପରି ଭୂମିରେ ଆପଣଙ୍କ ହାତର ପାପୁଲି ଏବଂ ଗୋଡ଼ର ଆଙ୍ଗୁଠି ଲାଗି ରହିବ। ଏହାପରେ ଶରୀରକୁ ତଳକୁ ନିଅନ୍ତୁ ଓ ଉପରକୁ ଆପଣାନ୍ତୁ, ଯେପରି ଶରୀର ଭୂମିରେ ନ ଲାଗିବ। ଏଭଳି ପ୍ରଥମେ ୭ ଥର କରନ୍ତୁ ଓ ଧୀରେ ଧୀରେ ଏହାକୁ ବଢ଼ାନ୍ତୁ।