ଆଜି ବିଶ୍ଵ ମ୍ୟାଲେରିଆ ଦିବସ। ମଶା ଦାଉରୁ ନିଜକୁ ରକ୍ଷା କରି ମ୍ୟାଲେରିଆ ମୁକ୍ତ ସମାଜ ଗଠନ କରିବା ଏହି ଦିବସର ମୂଳ ଲକ୍ଷ୍ୟ।

୨୦୧୮ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମ୍ୟାଲେରିଆ ରିପୋର୍ଟ ଅନୁସାରେ ମ୍ୟାଲେରିଆ ଆକ୍ରାନ୍ତ କ୍ଷେତ୍ରରେ ଭାରତ ୪ର୍ଥ ସ୍ଥାନ ହାସଲ କରିଛି। ୨୦୧୭ରେ ଭାରତରେ ମ୍ୟାଲେରିଆ ନିରାକରଣ ପାଇଁ ୫ବର୍ଷିୟା ଜାତୀୟ ଯୋଜନାର ପ୍ରଣୟନ କରାଯାଇଥିଲା। 

ସାଧାରଣତଃ ମ୍ୟାଲେରିଆ ମଶା କାମୁଡ଼ିବା ଯୋଗୁଁ ହୋଇଥାଏ। ପ୍ଲାଜ୍‌ମୋଡିୟମ୍‌ ପାରାସାଇଟ୍‌ସ ଦ୍ଵାରା ସଂକ୍ରମିତ ମଶା ମଣିଷକୁ କାମୁଡ଼ିବା ଦ୍ଵାରା ମ୍ୟାଲେରିଆ ହୋଇଥାଏ। ମଶା କାମୁଡ଼ିବା ଦ୍ୱାରା ମଶାର ଲାଳରୁ ପାରାସାଇଟ୍‌ ମଣିଷ ରକ୍ତରେ ମିଶେ, ଫଳରେ ମ୍ୟାଲେରିଆ ହୋଇଥାଏ। ମଶା ବିଭିନ୍ନ ପ୍ରକାରର। ସାଧାରଣତଃ ଆନାଫେଲିସ୍‌ ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ହୋଇଥାଏ। 

ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟ ଏହି ମଶା କାମୁଡ଼ିବା ଦ୍ୱାରା ବ୍ୟକ୍ତି ଜଣକ ରୋଗାକ୍ରାନ୍ତ ହୋଇପଡ଼ନ୍ତି। 

ଏହି ପାରାସାଇଟ୍‌ ଲିଭରକୁ ଯାଇ ବଂଶବୃଦ୍ଧି କରିଥାଏ ଏବଂ ରୋଗ ସୃଷ୍ଟି କରିଥାଏ। ମ୍ୟାଲେରିଆ ହେଲେ ରୋଗୀକୁ ଥଣ୍ଡା ହେବା ସଙ୍ଗେ ସଙ୍ଗେ ମୁଣ୍ଡ ବିନ୍ଧା ଓ ଭୀଷଣ ଜ୍ଵର ହୋଇଥାଏ। 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ୨୦୧୯ରେ ସାରା ବିଶ୍ୱରେ ପାଖାପାଖି  ଲକ୍ଷ  ହଜାର ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। 

ମ୍ୟାଲେରିଆର ଲକ୍ଷଣ  

ସଂକ୍ରମିତ ମଶା କାମୁଡ଼ିବାର ୧୦ କିମ୍ବା ୧୪ ଦିନ ପରେ ମ୍ୟାଲେରିଆର ଲକ୍ଷଣ ଜଣାପଡ଼େ। ମ୍ୟାଲେରିଆର ଲକ୍ଷଣଗୁଡ଼ିକ ହେଲା: 

ଜ୍ଵର ହେବା 

ମୁଣ୍ଡ ବିନ୍ଧା ହେବା 

ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବା 

ଦୁର୍ବଳ ଲାଗିବା 

ପେଟ ଯନ୍ତ୍ରଣା ହେବା 

ରାତିରେ ଝାଳ ବାହାରିବା 

ମାଂସପେଶୀ ଯନ୍ତ୍ରଣା ହେବା 

ମ୍ୟାଲେରିଆର ପରୀକ୍ଷା 

ଆନାଫେଲିସ୍‌ ମଶା କାମୁଡ଼ିବାର ୧୦ ବା ୧୫ ଦିନ ପରେ ମ୍ୟାଲେରିଆର କୌଣସି ଲକ୍ଷଣ ଜଣାପଡ଼ିଲେ ତୁରନ୍ତ ପରୀକ୍ଷା କରିବା ଜରୁରୀ। ମ୍ୟାଲେରିଆ ହୋଇଛି କି ନାହିଁ ଜାଣିବା ପାଇଁ ମ୍ୟାଲେରିଆ ପାରାସାଇଟ୍‌ସର ଆଣ୍ଟିଜେନ୍‌ ଟେଷ୍ଟ କରାଯାଏ। ଏହାସହ ରକ୍ତ ପରୀକ୍ଷା ଓ ପିସିଆର୍‌ ପରୀକ୍ଷା କରାଯାଏ। 

ମ୍ୟାଲେରିଆକୁ କିପରି ରୋକିବେ

ମଶାରୀ ବ୍ୟବହାର କରନ୍ତୁ। ବର୍ତ୍ତମାନ ଔଷଧ ସିଞ୍ଚିତ ମଶାରୀ ବ୍ୟବହାର କରାଯାଉଛି। 

ଘର ଝରକାରେ ମଶା ନ ଆସିବା ପାଇଁ ନେଟ୍‌ ଲଗାନ୍ତୁ। 

ଘର କାନ୍ଥ ଉପରେ ମଶା ମରା ଔଷଧ ସିଞ୍ଚନ କଲେ ଲାଭ ମିଳିଥାଏ। 

ମଶା ମାରିବା ପାଇଁ ଡିଡିଟି, ପରମେଥରିନ୍‌ ଓ ଡେଲଟାମେଥରିନ୍‌ ବ୍ୟବହାର କରିବେ। 

ଘର ଆଖପାଖ ଅଞ୍ଚଳ ପରିଷ୍କାର ରଖିବା ଦରକାର।  

ଘର ପାଖ ଅଞ୍ଚଳରେ ପାଣି ଜମୁଥିଲେ, ସେହି ସ୍ଥାନ ସଫା ରଖନ୍ତୁ। 

ପାଣି ଟାଙ୍କି, କୁଲରରେ ପାଣି ଜମି ଜମି ସେଠାରେ ମଶାମାନେ ବଂଶବୃଦ୍ଧି କରିଥା’ନ୍ତି। ତେଣୁ ସେସବୁ ଜାଗାକୁ ସଫା ରଖନ୍ତୁ।  

ଏହାଛଡ଼ା ମଶା ନ କାମୁଡ଼ିବା ପାଇଁ ଲୋସନ୍‌ ଲଗାଇ ବାହାରକୁ ଯାଆନ୍ତୁ।  

ବାହାରକୁ ଯିବାବେଳେ ସବୁବେଳେ ଫୁଲ୍ ହାତ ଡ୍ରେସ୍‌ ପିନ୍ଧନ୍ତୁ।  

ଘରେ ମଶା ନ ଆସିବା ପାଇଁ ବଜାରରେ ମିଳୁଥିବା କଏଲ୍‌ ବ୍ୟବହାର କରିପାରିବେ। 

ଆମେ ଯଦି ତଥ୍ୟ ଉପରେ ଧ୍ୟାନ ଦେବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ସାରା ବିଶ୍ୱରେ ୭.୬ ମିଲିୟନ ଲୋକ ମ୍ୟାଲେରିଆରେ ମୃତ୍ୟୁବରଣ କରିଛନ୍ତି। ସେହିପରି ୧.୫ ବିଲିୟନ ବ୍ୟକ୍ତି ମ୍ୟାଲେରିଆ ରୋଗ ଦାଉରୁ ରକ୍ଷା ପାଇଛନ୍ତି।