ଆର୍ଥ୍ରାଇଟିସ୍ ରୋଗୀ ସୁସ୍ଥ ରହିବା ପାଇଁ କ’ଣ ଖାଇବା ଦରକାର? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଆର୍ଥ୍ରାଇଟିସ୍ ରୋଗୀ କ’ଣ ଖାଇବା ଉଚିତ ଏବଂ କ’ଣ ଖାଇବା ଉଚିତ ନୁହେଁ, ସେନେଇ ଆମ ସମାଜରେ ବିଭିନ୍ନ ଭ୍ରାନ୍ତ ଧାରଣା ରହିଛି। ଅନେକ ଖାଦ୍ୟ ଖାଇବାକୁ ନେଇ ସେମାନଙ୍କୁ ବାରଣ କରାଯାଇଥାଏ। ହେଲେ, ଇଆଡ଼ୁ ସିଆଡ଼ୁ କଥା ଶୁଣି ସେମାନେ ଖାଇବା ନିୟନ୍ତ୍ରଣ କରିବା ଯୋଗୁଁ, ସେମାନଙ୍କର ଓଜନ କମିବା ସହ ଅନ୍ୟାନ୍ୟ ରୋଗର ଶିକାର ହୁଅନ୍ତି।

ଆର୍ଥ୍ରାଇଟିସ୍ ରୋଗର ନିରାକରଣ

ଅଧ୍ୟୟନରୁ ଜଣାପଡ଼ିଛି ଯେ, ଯଦି ଜଣେ ବ୍ୟକ୍ତି ଅଧିକ ସିଝା ଖାଦ୍ୟ, ବାସି ଖାଦ୍ୟ ଖାଆନ୍ତି, ତେବେ ସେମାନଙ୍କଠାରେ ପ୍ରଦାହଜନିତ ଆର୍ଥ୍ରାଇଟିସ୍ ଯନ୍ତ୍ରଣା ବଢ଼ିଯାଏ। ଅଧିକାଂଶ ଡାଏବେଟିସ୍‌ ରୋଗୀଙ୍କର ଆଣ୍ଠୁ ଜନିତ ଯନ୍ତ୍ରଣା ହୁଏ ବା ଅଷ୍ଟିଓ ଆର୍ଥ୍ରାଇଟିସ୍ ରୋଗରେ ପୀଡ଼ିତ ହେବାର ଆଶଙ୍କା ଥାଏ।

                                                                                                   

ଆର୍ଥ୍ରାଇଟିସ୍ ରୋଗୀ କ’ଣ ଖାଇବେ? (What should an arthritis patient eat in Odia)

ପ୍ରତ୍ୟେକ ଗଣ୍ଠିବାତ ରୋଗୀ ସୁଷମ ଖାଦ୍ୟ ଖାଇବା ଦରକାର। ଯଦି ଆପଣ ଜଙ୍କଫୁଡ୍‌, ତେଲ ମସଲା, କାର୍ବୋହାଇଡ୍ରେଟ୍‌ ଖାଇବେ ତାହାହେଲେ ମେଦ ବଢ଼ିବ। ଫଳରେ ପ୍ରଦାହଜନିତ ଆର୍ଥ୍ରାଇଟିସ୍ ହୋଇପାରେ। କାରଣ ଅଧିକ ଓଜନ ଆଣ୍ଠୁ ଉପରେ ପଡ଼ିଲେ ଆଣ୍ଠୁ ଯନ୍ତ୍ରଣା ଅଧିକ ହୋଇଥାଏ। ତେଣୁ, ସୁଷମ ଖାଦ୍ୟ ଖାଇବେ ଯେପରି ଓଜନ ସନ୍ତୁଳିତ ହୋଇ ରହିବ। ଓଜନ କମ୍‌ ହେଲେ ଗଣ୍ଠି ଉପରେ ବେଶୀ ଚାପ ପଡ଼ିବ ନାହିଁ।

ଭାରତୀୟ ଖାଦ୍ୟରେ ହଳଦୀ, ଅଦା, ରସୁଣ, ପିଆଜ ଆଦିର ବ୍ୟବହାର ଅଧିକ। ହଳଦୀ ଭିତରେ କୁର୍କୁମିନ୍‌ ନାମକ ଏକ ଜିନିଷ ଅଛି, ଯାହା ଆପଣଙ୍କର କ୍ଷୟଜନିତ ଆର୍ଥ୍ରାଇଟିସ୍‌ରେ ପ୍ରଦାହ କମେଇବାରେ ସାହାଯ୍ୟ କରେ। ସବୁବେଳେ ଘରୋଇ ଖାଦ୍ୟ ଖାଆନ୍ତୁ।

ଧୂମପାନ ଓ ମଦ୍ୟପାନରୁ ଦୂରେଇ ରହନ୍ତୁ (Avoid smoking and alcohol in Odia)

ଧୂମପାନ କରିବା ଯୋଗୁଁ ଶ୍ୱାସନଳୀରେ ଥିବା କୋଷଗୁଡ଼ିକ ନଷ୍ଟ ହୋଇଯାଏ। ଯେଉଁମାନେ ଧୂମପାନ କରନ୍ତି, ସେମାନଙ୍କଠାରେ ଆର୍ଥ୍ରାଇଟିସ୍‌ ଔଷଧ କାମ କରେନାହିଁ। ତେଣୁ ଆର୍ଥ୍ରାଇଟିସ୍ ରୋଗ ଥିବା ବ୍ୟକ୍ତି ଧୂମପାନ ବର୍ଜନ କରିବା ଆବଶ୍ୟକ

ୟୁରିକ୍‌ ଏସିଡ୍‌ ଆର୍ଥ୍ରାଇଟିସ୍ ରୋଗୀ କ’ଣ ଖାଇବେ ନାହିଁ? (What should uric acid arthritis patients avoid in Odia)

ଓ୍ୱିସ୍କି ଓ ଅନ୍ୟାନ୍ୟ ମଦରେ ଗୁଆନୋସିନ୍‌ ନାମକ ଏକ ଜିନିଷ ଅଛି, ଯାହା ଶରୀରରେ ୟୁରିକ୍‌ ଏସିଡ୍‌ରେ ରୂପାନ୍ତର ହୋଇଥାଏ। ତେଣୁ ମଦ୍ୟପାନ କରନ୍ତୁ ନାହିଁ। ଏହାସହ କୋଲ୍ଡଡ୍ରିଙ୍କ, ଫଳରସ ପିଇବା ଅନୁଚିତ। ଏହାସହ ସାମୁଦ୍ରିକ ମାଛ ଯେପରିକି କଙ୍କଡ଼ା, ଚିଙ୍ଗୁଡ଼ି, ଇଲିସି, ସାଲମନ୍‌ ଖାଇବା ଦ୍ୱାରା ଶରୀରରେ ୟୁରିକ୍‌ ଏସିଡ୍‌ ବଢ଼ିଯାଏ। ଫଳରେ ୟୁରିକ୍‌ ଏସିଡ୍‌ ଜନିତ ଯନ୍ତ୍ରଣା ବା ଗାଉଟ୍‌ ଯନ୍ତ୍ରଣା ବଢ଼ିଯାଏ। ମଟନ, ବିଫ୍‌ ଖାଇବା ଦ୍ୱାରା ମଧ୍ୟ ୟୁରିକ୍‌ ଏସିଡ୍‌ ବଢ଼ିଯାଏ। ତେଣୁ ଏସବୁ ଖାଦ୍ୟକୁ ବର୍ଜନ କରନ୍ତୁ।

ଆର୍ଥ୍ରାଇଟିସ୍ ରୋଗୀ ଚୂନା ମାଛ, ଅଣ୍ଡା, କ୍ଷୀର, ଦହି ଖାଇପାରିବେ।

ସାଲମନ୍‌ ମାଛ, ଟୁନା ମାଛ, ଚିଆ ସିଡ୍‌, ଫ୍ଲାକ୍ସ ସିଡ୍‌ ଆଦିରେ ଓମେଗା-୩ ଫ୍ୟାଟି ଏସିଡ୍‌ ଭରପୂର ମାତ୍ରାରେ ଥାଏ। ଏସବୁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ପ୍ରଦାହ ଜନିତ ଆର୍ଥ୍ରାଇଟିସ୍‌ରୁ ଉପଶମ ମିଳିଥାଏ। ତେବେ ଏହା ଭାବିବା ଭୁଲ ଯେ, କେବଳ ଓମେଗା-୩ ଫ୍ୟାଟି ଏସିଡ୍‌ ଖାଇଲେ ଆର୍ଥ୍ରାଇଟିସ୍ ଭଲ ହୋଇଯିବ। ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ କରି ଔଷଧ ଏବଂ ସୁଷମ ଖାଦ୍ୟ ଖାଇବାକୁ ହେବ।

ଆର୍ଥ୍ରାଇଟିସ୍ ରୋଗୀ ଧ୍ୟାନ ଦିଅନ୍ତୁ

ଆପଣ ଯଦି ଗଣ୍ଠିବାତ ରୋଗରେ ପୀଡ଼ିତ ବା ମାଂସପେଶୀ ଯନ୍ତ୍ରଣାରେ ପୀଡ଼ିତ ଅଛନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଆନ୍ତୁ, ସୁଷମ ଖାଦ୍ୟ ଖାଆନ୍ତୁ, ଧୂମପାନ ଓ ମଦ୍ୟପାନରୁ ନିବୃତ୍ତ ରହନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜ୍ୟୋତି ରଞ୍ଜନ ପରିଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Diet for Arthritis patients, in Odia language, is based on an extensive interview with Rheumatologist Dr. Jyoti Ranjan Parida.