ଏମ୍‌ପ୍ଟି ନେଷ୍ଟ୍‌ ସିଣ୍ଡ୍ରୋମ୍‌ କ’ଣ? ଏହାର କାରଣ ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ମନୋଜ କୁମାର ପରିଡ଼ାଙ୍କଠାରୁ ଅଧିକ ଜାଣନ୍ତୁ।

ଏକଲାପଣ ବା ଏମ୍ଟି ନେଷ୍ଟ ସିଣ୍ଡ୍ରୋମ୍ କ’ଣ? (What is loneliness or Empty Nest Syndrome in Odia)

ଯେତେବେଳେ ଘରର ପିଲାମାନେ ପଢ଼ିବା ପାଇଁ କିମ୍ବା ଚାକିରି କରିବା ଲାଗି ବାହାରକୁ ଯାଆନ୍ତି। ସେତେବେଳେ ବାପାମା’ମାନେ ପିଲାଙ୍କୁ ଝୁରି ଝୁରି ଏକୁଟିଆ ଅନୁଭବ କରିଥାଆନ୍ତି। ତା’କୁ ଏମ୍‌ପ୍ଟି ନେଷ୍ଟ୍‌ ସିଣ୍ଡ୍ରୋମ୍‌ ବା ଏକୁଟିଆପଣ ବୋଲି କହିଥାଉ। ଯେମିତିକି ପକ୍ଷୀ ଛୁଆମାନେ ବଡ଼ ହେଲା ପରେ ବସା ଛାଡ଼ିକି ଉଡ଼ିଯିବା ପରେ ପକ୍ଷୀଛୁଆର ବାପାମା’ ଯେମିତି ଦୁଃଖ ଅନୁଭବ କରନ୍ତି ସେହିଭଳି ବାପାମା’ଙ୍କର ସାନ ଛୁଆ ଯେତେବେଳେ ବାହାରକୁ ପାଠ ପଢ଼ିବା ପାଇଁ ହେଉ ବା ଚାକିରି ପାଇଁ ଯାଏ, ସେତେବେଳେ ବାପାମା’ଙ୍କର ମନଦୁଃଖ ହୁଏ। ଏହି ଅବସ୍ଥାକୁ ଏମ୍‌ଟି ନେଷ୍ଟ ସିଣ୍ଡ୍ରୋମ୍‌ କୁହାଯାଏ।

ଏହି ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଦେଖାଦିଏ।

ଏକଲାପଣର କାରଣ (Causes of loneliness or Empty Nest Syndrome in Odia)

ସାଧାରଣତଃ ପିଲାଟିକୁ ଛୋଟରୁ ବଡ଼ ହେବା ଯାଏଁ ବାପାମା’ ସବୁ ଦାୟିତ୍ୱ ତୁଲାଇଥାନ୍ତି। ପିଲାଟି ସହିତ ସେମାନଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବା ଯୋଡ଼ି ହୋଇରହିଥାଏ। ଯେତେବେଳେ ସେହି ପିଲାଟି ଘର ଛାଡ଼ି ବାହାରକୁ ଯାଏ, ସେତେବେଳେ ବାପାମା’ ନିଜକୁ ଅସହାୟ ମନେ କରନ୍ତି, ତାଙ୍କୁ ଏକୁଟିଆ ଅନୁଭବ ହୁଏ ଓ ଧୀରେ ଧୀରେ ସେମାନେ ଡିପ୍ରେସନ୍‌ ଆଡ଼କୁ ଗତି କରନ୍ତି।

ଏକଲାପଣର ଲକ୍ଷଣ କ’ଣ? (Symptoms of loneliness or Empty Nest Syndrome in Odia)

ଏମ୍‌ଟି ନେଷ୍ଟ ସିଣ୍ଡ୍ରୋମ୍‌କୁ ଏକ ପ୍ରକାର ଆଡଜଷ୍ଟମେଣ୍ଟ ଡିସ୍‌ଅର୍ଡର କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେତେବେଳେ ଘରର ସାନ ପିଲାଟି ଘର ଛାଡ଼ି ବାହାରକୁ ଯାଏ, ସେତେବେଳେ ବାପାମା’ମାନେ ବହୁତ ସମୟ ଚୁପ୍‌ଚାପ୍‌ ରହିବା, ଆଗରୁ ଯେଉଁଭଳି ଭାବେ ମିଶୁଥିଲେ ସେଭଳି ନ ମିଶିବା, ଅନ୍ୟମନସ୍କ ରହିବା, ଏକୁଟିଆ କାନ୍ଦିବା ଭଳି ଲକ୍ଷଣ ଦେଖାଦିଏ।

Corona Mental Health

ଏକଲାପଣକୁ ଦୂର କରିବେ କିପରି? (How to overcome loneliness in Odia)

ଏକଲାପଣ ଦୂର କରିବା ପାଇଁ ହେଲେ ନିଜକୁ ବିଭିନ୍ନ କାର୍ଯ୍ୟରେ ନିବେଶ କରନ୍ତୁ। ନିଜକୁ ଭଲ ଲାଗୁଥିବା ଜିନିଷ କରନ୍ତୁ। ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ ଏକୁଟିଆପଣ ଲାଗିବ ନାହିଁ।

ତାହାଛଡ଼ା ବାପାମା’ମାନେ ମନେ ରଖିବା ଉଚିତ ଯେ, ପିଲାମାନେ ଦିନେ ନା ଦିନେ ପଢ଼ିବା ପାଇଁ ହେଉ କି ଚାକିରି ପାଇଁ ହେଉ ବାହାରକୁ ଯିବେ, ତେଣୁ ଏନେଇ ସେମାନଙ୍କୁ ମାନସିକ ଭାବେ ପ୍ରସ୍ତୁତ ହେବା ଆବଶ୍ୟକ।

ଏଥିସହ ଯଦି ପିଲାମାନେ ଘରଠାରୁ ଦୂରରେ ଅଛନ୍ତି, ତେବେ ବାପାମା’ମାନେ ପିଲାମାନଙ୍କ ସହ ଫୋନ୍‌ରେ ଯୋଗାଯୋଗ ରଖନ୍ତୁ, ପିଲାମାନଙ୍କୁ ଭିଡିଓକଲ୍‌ ଯୋଗେ କଥାବାର୍ତ୍ତା କରନ୍ତୁ, ଏହାଦ୍ୱାରା ବାପାମା’ଙ୍କ ମନକୁ ଭଲ ଲାଗିବା ସହ ସେମାନେ ଏକୁଟିଆ ଅନୁଭବ କରିବେ ନାହିଁ।

ଏହାଛଡ଼ା ପିଲାମାନଙ୍କର ବି କର୍ତ୍ତବ୍ୟ ରହୁଛି, ସେମାନେ ନିଜ ବ୍ୟସ୍ତବହୁଳ ସମୟ ମଧ୍ୟରୁ ସମୟ ବାହାର କରି ବାପାମା’ଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଏହାଦ୍ୱାରା ଏମ୍‌ଟି ନେଷ୍ଟ ସିଣ୍ଡ୍ରୋମ୍‌ର ଲକ୍ଷଣ କମ୍‌ ହେବ। ଏସବୁ ସତ୍ତ୍ୱେ ମଧ୍ୟ ବାପାମା’ମାନେ ମନ ଦୁଃଖରେ ରହୁଛନ୍ତି, କୌଣସି କାମ କରିବାକୁ ଇଛା ହେଉ ନାହିଁ, ଘରୁ ବାହାରକୁ ଯିବା ପାଇଁ ଇଛା ହେଉ ନାହିଁ ଏବଂ ଦୈନନ୍ଦିନ କାମରେ ସମସ୍ୟା ହେଉଛି, ତାହେଲେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ।

ଏକଲାପଣର ଜଟିଳତା (Complication of loneliness or Empty Nest Syndrome in Odia)

ଏକଲାପଣ ଯୋଗୁଁ ବ୍ୟକ୍ତି ଧୀରେ ଧୀରେ ମାନସିକ ଅବସାଦ ଆଡ଼କୁ ଗତି କରିଥାଏ। ମାନସିକ ଅବସାଦ ଅନେକଗୁଡ଼ିଏ ଶାରୀରିକ ରୋଗର କାରଣ ପାଲଟେ। ଏମିତି ବି ଦେଖାଦେଇଛି, ଏକଲାପଣ ଅଧିକ ଦିନ ଧରି ଲାଗି ରହିଲେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଏ ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମନୋଜ କୁମାର ପରିଡ଼ାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Empty Nest Syndrome, in Odia language, is based on an extensive interview with Neuropsychiatrist Dr Manoj Kumar Parida.