ଜଣେ ଗର୍ଭବତୀ ମହିଳାଙ୍କୁ କୋଭିଡ୍-୧୯ ସଂକ୍ରମଣ ହେଲେ ତା’ର ଭୟାବହତା କେତେ? ଗର୍ଭବତୀ ମହିଳା କୋଭିଡ୍ ଆକ୍ରାନ୍ତ ହେଲେ କ’ଣ କରିବା ଆବଶ୍ୟକ? ଏନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ତନୁଶ୍ରୀ ସନ୍ଦିପ୍ତା ରଥ।

କୋଭିଡ୍‌-୧୯ ବିଭିନ୍ନ ବୟସର ଲୋକଙ୍କୁ ସଂକ୍ରମଣ କରିପାରେ। ଏହି ଭାଇରସ୍‌ ସାଧାରଣ ବ୍ୟକ୍ତିଙ୍କୁ ଯେଉଁଭଳି ପ୍ରଭାବ ପକାଇଥାଏ, ଗର୍ଭବତୀ ମହିଳାଙ୍କୁ ମଧ୍ୟ ସମାନ ପ୍ରଭାବ ପକାଇଥାଏ। କୋଭିଡ୍‌ ଦ୍ୱିତୀୟ ଷ୍ଟ୍ରେନ୍‌ ଗର୍ଭବତୀ ମହିଳାଙ୍କୁ ଆକ୍ରାନ୍ତ କଲେ, ତା’ର ଗୁରୁତର ହେବାର ଆଶଙ୍କା ବେଶି। ସେମାନେ ଆଇସିୟୁରେ ଆଡମିଟ୍‌ ହୋଇ ଭେଣ୍ଟିଲେଟର ରହିବା ସହ ସେମାନଙ୍କର ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳୁଛି।

କୋଭିଡ୍ ଆକ୍ରାନ୍ତ ମା’ଠାରୁ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ (Effect of COVID positive mother on to be born baby in Odia)

କୋଭିଡ୍‌ ପଜିଟିଭ୍‌ ମା’ଠାରୁ ଶିଶୁକୁ ସଂକ୍ରମିତ ହେବାର ଆଶଙ୍କା ମାତ୍ର ୬ ପ୍ରତିଶତ। ଯଦି ଶେଷ ତ୍ରୟମାସରେ ଗର୍ଭବତୀ ମହିଳା କୋଭିଡ୍‌ରେ ସଂକ୍ରମିତ ହୁଅନ୍ତି, ତେବେ ଛୁଆର ଆକ୍ରାନ୍ତ ହେବାର ଆଶଙ୍କା ବେଶି।

ଅଧିକ ପଢ଼ନ୍ତୁ: କରୋନା ଆକ୍ରାନ୍ତ ମହିଳା ସ୍ତନ୍ୟପାନ କରାଇପାରିବେ?

ଗର୍ଭବତୀ ମହିଳା କୋଭିଡ୍ ଆକ୍ରାନ୍ତ ହେଲେ କ’ଣ କରିବେ? (What to do if a pregnant woman tests COVID in Odia)

ଗର୍ଭବତୀ ମହିଳା କୋଭିଡ୍‌ ଆକ୍ରାନ୍ତ ହେଲେ ସେମାନେ ନିଜ ଶରୀରର ଜଳୀୟଅଂଶ ପରିଚାଳନା କରିବା ଆବଶ୍ୟକ। ଯଥେଷ୍ଟ ପାଣି ପିଇବା ଜରୁରୀ, ଏହାଛଡ଼ା ଓଆର୍‌ଏସ୍‌, ପଇଡ଼ ପାଣି ପିଇବା ଜରୁରୀ। ଏଥିସହ ସନ୍ତୁଳିତ ଆହାର ଗ୍ରହଣ କରିବେ, ଭିଟାମିନ୍‌ ସି’, ଭିଟାମିନ୍‌ ଡି ଓ ଫୋଲିକ୍‌ ଏସିଡ୍‌ ଖାଇବେ।

ଘରେ ପଲ୍ସ ଅକ୍ସିମିଟର ଦ୍ଵାରା ନିଜର ଅକ୍ସିଜେନ୍‌ ସାଚୁରେସନ୍‌ ପରୀକ୍ଷା କରିବା ନିହାତି ଜରୁରୀ। ଅକ୍ସିଜେନ୍‌ ସ୍ତର ୯୪ କିମ୍ବା ୯୫ ପ୍ରତିଶତରୁ ଅଧିକ ରହିବା ଦରକାର। ଯଦି ଲକ୍ଷଣ କମୁନାହିଁ, ଜ୍ୱର ଛାଡ଼ୁ ନାହିଁ, ତେବେ ନିମୋନିଆ ହେବାର ଆଶଙ୍କା ଥାଇପାରେ। ତେଣୁ ତୁରନ୍ତ ଡାକ୍ତରଖାନା ଯାଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

ଯଦି ଗର୍ଭାବସ୍ଥାର ୮ କିମ୍ବା ୯ ମାସରେ କୋଭିଡ୍‌ ପଜିଟିଭ୍‌ ହୁଅନ୍ତି, ତେବେ କୋଭିଡ୍‌ କେୟାର ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ।

କୋଭିଡ୍ ସଂକ୍ରମିତ ମା’ ନବଜାତ ଶିଶୁର ଯତ୍ନ କିପରି ନେବେ? (How would COVID-infected mothers care for their newborn babies in Odia)

କୋଭିଡ୍‌ ପଜିଟିଭ୍‌ ମା’ଠାରୁ ଶିଶୁକୁ ଅଲଗା କରିବାର କୌଣସି ଆବଶ୍ୟକତା ନାହିଁ। କୋଭିଡ୍‌ ପଜିଟିଭ୍‌ ମା’ ମାସ୍କ ପିନ୍ଧି ଓ ହାତକୁ ସାନିଟାଇଜ୍‌ କରି ନବଜାତ ଶିଶୁକୁ ସ୍ତନ୍ୟପାନ କରାଇପାରିବେ। ଛୁଆ ପାଖରେ ଥିଲେ ମାସ୍କ ପିନ୍ଧନ୍ତୁ ଏବଂ ବାରମ୍ବାର ହାତ ସାନିଟାଇଜ୍‌ କରନ୍ତୁ। ସ୍ତନ୍ୟପାନ ଛଡ଼ା ଅନ୍ୟ ସମୟରେ ମା’ ଶିଶୁଠାରୁ ଦୂରତା ବଜାୟ ରଖନ୍ତୁ। ଏହି ସମୟରେ ପରିବାରର ଅନ୍ୟ କୌଣସି ସଦସ୍ୟ ମାସ୍କ ପିନ୍ଧି, ହାତ ଧୋଇ ଶିଶୁର ଯତ୍ନ ନେଇପାରିବେ।

କୋଭିଡ୍ ସୁସ୍ଥତାର କେତେ ଦିନ ପରେ ଗର୍ଭଧାରଣ କରିପାରିବେ? (Pregnancy post COVID recovery in Odia)

ଯଦି ଜଣେ ମହିଳା କୋଭିଡ୍‌ ଟିକା ନେଇଛନ୍ତି, ତେବେ ସେ ନିଜ ଇଛାରେ ଗର୍ଭଧାରଣ ଯୋଜନା କରିପାରିବେ। କିନ୍ତୁ, ଜଣେ ମହିଳା କୋଭିଡ୍‌ ସଂକ୍ରମିତ ଥିବେ ତେବେ ୪ରୁ ୮ ସପ୍ତାହ ପର୍ଯ୍ୟନ୍ତ ଗର୍ଭଧାରଣ ନ କଲେ ଭଲ।

ଗର୍ଭବତୀ ମହିଳା ରୁଟିନ୍ ଚେକ୍ଅପ୍ ଜାରି ରଖନ୍ତୁ (Pregnant women should continue routine checkups in Odia)

ପୂର୍ବରୁ ଗର୍ଭବତୀ ମହିଳା ପ୍ରତି ମାସରେ ଚେକ୍‌ଅପ୍‌ କରିବାକୁ ଯାଉଥିଲେ। ହେଲେ ବର୍ତ୍ତମାନ କୋଭିଡ୍‌ ମହାମାରୀ ଯୋଗୁଁ ୩ ମାସରେ, ୫ ମାସରେ, ୭ ମାସରେ ଏବଂ ୯ ମାସରେ ଥରେ ଡାକ୍ତରଙ୍କ ପାଖରେ ଚେକ୍ଅପ୍‌ କରାଇବେ। କିନ୍ତୁ ଗର୍ଭଧାରଣର ୯ ମାସ ଭିତରେ ମା’କୁ ଯଦି ଲାଗେ କୌଣସି ସମସ୍ୟା ହେଉଛି, ରକ୍ତସ୍ରାବ ହେଉଛି ବା ପେଟ ଯନ୍ତ୍ରଣା ହେଉଛି, ତେବେ ତୁରନ୍ତୁ ଡାକ୍ତରଙ୍କୁ ପରାମର୍ଶ କରି ପରୀକ୍ଷା କରାଇନେବା ଆବଶ୍ୟକ।

ଗର୍ଭବତୀ ମହିଳା ବାହାରକୁ ଗଲେ କୋଭିଡ୍‌ର ସମସ୍ତ ନିୟମ ପାଳନ କରନ୍ତୁ ଯଥା – ଡବଲ ମାସ୍କ ପିନ୍ଧନ୍ତୁ, ହାତ ସାନିଟାଇଜ୍‌ କରନ୍ତୁ ଏବଂ ଅନ୍ୟ ଲୋକଙ୍କଠାରୁ ୬ ମିଟର ଦୂରତା ବଜାୟ ରଖନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ତନୁଶ୍ରୀ ସନ୍ଦିପ୍ତା ତଥଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Pregnancy with COVID, in Odia language, is based on an extensive interview with Gynaecologist Dr Tanushree Sandipta Rath.