(ଭୁବନେଶ୍ୱରରୁ ନୀଳାମ୍ବର ରଥ)

୧୮ରୁ ୪୪ ବୟସ ବର୍ଗରେ କୋଭିଡ ଟିକାକରଣ ନିୟମରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗି ଦାବି କରି କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା।

  • ରାଜ୍ୟ ସରକାର କିଣୁଥିବା କୋଭିଡ ଟିକା ଉପରୁ ଜିଏସଟି ହଟାଇବାକୁ କେନ୍ଦ୍ରକୁ ଅନୁରୋଧ।
  • ଟିକା ନିର୍ମାଣକାରୀ ସଂସ୍ଥା ଯଥେଷ୍ଟ ପରିମାଣ ଟିକା ନ ଯୋଗାଇବା ପର୍ଯ୍ୟନ୍ତ କୋଓ୍ୱିନ୍‌ ପୋର୍ଟାଲରେ ପଞ୍ଜୀକରଣ ବନ୍ଦ କରିବାକୁ ଅନୁରୋଧ।
  • କୋଭିଡ ଟିକା ସାର୍ଟିଫିକେଟ୍‌କୁ ନିଜ ଢାଞ୍ଚାରେ କରିବାକୁ ଇଚ୍ଛା ପ୍ରକାଶ କଲା ଓଡ଼ିଶା।
  • ଟିକାକରଣ ଲାଗି ପଞ୍ଜୀକରଣ ବାଧ୍ୟତାମୂଳକ ନ କରି ‘ୱାକଇନ୍’ ସୁବିଧା ଜାରି ରଖିବାକୁ ପରାମର୍ଶ।
  • କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ।

ରାଜ୍ୟ ପାଇଁ କୋଭିଡ ଟିକା କିଣା ମାମଲାରେ ଆଜି ମୁହଁ ଖୋଲିଛି ଓଡ଼ିଶା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ବାବଦରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣଙ୍କୁ ଏକ ଚିଠି ଲେଖି ଏ ବିଷୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗି ଅନୁରୋଧ କରିଛନ୍ତି। କେନ୍ଦ୍ର ନିକଟରେ ରାଜ୍ୟର ଏହି ଦୃଢ଼ ଆଭିମୁଖ୍ୟ ଏବେ ଜାତୀୟସ୍ତରରେ ଆଲୋଚନାର ବିଷୟ ହେବାକୁ ଯାଉଛି।

covid vaccine

କୋଭିଡ ଟିକା ଉପରୁ ଜିଏସଟି ହଟାଅ

୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ କୋଭିଡ ଟିକା ଦେବା ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାର ଦୁଇ ଫାଳ ହୋଇଛନ୍ତି। କେନ୍ଦ୍ର କରିଥିବା ନିୟମ ଅନୁଯାୟୀ ରାଜ୍ୟ ସରକାରମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଟିକା ପ୍ରସ୍ତୁତକାରୀ କମ୍ପାନିଠାରୁ ସିଧାସଳଖ ଟଙ୍କା ଦେଇ ଟିକା କିଣିବେ। ଏଥିପାଇଁ କୋଭିସିଲଡ୍ ଏବଂ କୋଭାକ୍ସିନ୍ କିଣିବା ଲାଗି ଅଲଗା ଅଲଗା ଦର ସ୍ଥିର କରାଯାଇଛି। ତେବେ ଏବେ ଓଡ଼ିଶା ପ୍ରଶ୍ନ ଉଠାଇଛି ଯେ କେନ୍ଦ୍ର ସରକାର ଯେଉଁ ଦର ସ୍ଥିର କରିଛନ୍ତି ତା’ ଉପରେ ଜିଏସଟି ବାବଦରେ ଅତିରିକ୍ତ ଦେୟ ଦେବାକୁ ହେବ। ତେଣୁ କୋଭିଡ ମହାମାରୀ ସମୟରେ ଟିକା ଭଳି ଜୀବନ ରକ୍ଷାକାରୀ ସାମଗ୍ରୀ କିଣାବେଳେ କେନ୍ଦ୍ର ଏହି ଜିଏସଟି ଛାଡ଼ କରିବା ଉଚିତ୍।

ଏକ ହିସାବ ଅନୁଯାୟୀ କୋଭିସିଲ୍‌ଡର ୩୭୭ଲକ୍ଷ ଡୋଜ୍ ଏବଂ କୋଭାକ୍ସିନର ୧୦.୩୪ ଲକ୍ଷ ଡୋଜ୍ ପାଇଁ ଓଡ଼ିଶା ସରକାରଙ୍କୁ ୧୧୯୩.୦୪ (ଆନୁମାନିକ ହିସାବ) କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ରାଜ୍ୟ ସରକାର ଅବଶ୍ୟ ଟିକା କିଣିବା ପାଇଁ ୨୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ତେଣୁ ଟିକା କିଣା ବାବଦରେ ଯଦି କେନ୍ଦ୍ର ସରକାର ଜିଏସଟି ଛାଡ଼ କରନ୍ତି ତେବେ ରାଜ୍ୟ ସରକାରଙ୍କ ଉପରେ କିଛିଟା ଭାର କମିପାରିବ।

ଅଫ୍‌ଲାଇନ୍ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ରହୁ

କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ୧୮ରୁ ୪୪ ବର୍ଷ ବୟସ ବର୍ଗରେ ଟିକା ନେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କୁ କୋଓ୍ୱିନ୍‌ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ହେବ। ଅର୍ଥାତ୍ ଅନଲାଇନ୍ ପଞ୍ଜୀକରଣ ବିନା କେହି ଟିକା ନେଇପାରିବେ ନାହିଁ। ଏ ବାବଦରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଲାଗି ଦାବି କରିଛି। ୪୫ ବର୍ଷରୁ ଅଧିକ ବୟସର ହିତାଧିକାରୀମାନେ ୱାକଇନ୍ (କୌଣସି କେନ୍ଦ୍ରରେ ପହଞ୍ଚି ସିଧାସଳଖ ରେଜିଷ୍ଟ୍ରେସନ୍ କରିବା) ମାଧ୍ୟମରେ ଯେପରି ଟିକା ନେଇପାରୁଛନ୍ତି, ୧୮ରୁ ୪୪ ବର୍ଷ ବୟସ ବର୍ଗରେ ସେହି ବ୍ୟବସ୍ଥା ଖୋଲା ରଖିବାକୁ ଅନୁରୋଧ କରିଛି ଓଡ଼ିଶା। ଏହାଫଳରେ କୋଭିଡ ସଂକ୍ରମଣର ଅଧିକ ଆଶଙ୍କା ଥିବା ବ୍ୟକ୍ତି ବା ଗୋଷ୍ଠୀ ଉପକୃତ ହେବେ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତାଙ୍କ ଚିଠିରେ ଦର୍ଶାଇଛନ୍ତି।

୨୯ ଏପ୍ରିଲରେ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ ଗାଁ ଗହଳର ଲୋକ ତଥା ସାଧାରଣ ବର୍ଗର ଅନେକ ଲୋକଙ୍କ ପାଇଁ ହୁଏତ ଅନଲାଇନ୍ ପଞ୍ଜୀକରଣ ସୁବିଧାଜନକ ହୋଇନପାରେ। ତେଣୁ ଅଫଲାଇନ୍ ପଞ୍ଜୀକରଣ ଜାରି ରଖିବାକୁ ପରାମର୍ଶ ଦେଇଛି ଓଡ଼ିଶା।

ସେହିପରି ଆବଶ୍ୟକସ୍ଥଳେ ରାଜ୍ୟ ଅଗ୍ରାଧିକାର ଭିତ୍ତିରେ କିଭଳି ହିତାଧିକାରୀଙ୍କୁ ଟିକା ନେବା ପାଇଁ ବ୍ୟବସ୍ଥା କରିପାରିବ କେନ୍ଦ୍ର ତାହା ସୁନିଶ୍ଚିତ କରିବାକୁ ଓଡ଼ିଶା ଦାବି କରିଛି। ଏହାଫଳରେ ଏକାଧିକରେ ପୀଡ଼ିତ ଥିବା ରୋଗୀ ଭିନ୍ନକ୍ଷମ, ଷ୍ଟ୍ରିଟ ଭେଣ୍ଡର, ପୂଜକଙ୍କ ଭଳି କୋଭିଡ ସଂକ୍ରମଣର ଆଶଙ୍କା ଓ ଅଧିକ ପ୍ରଭାବ ପଡ଼ିବାର ସମ୍ଭାବନା ଥିବା ବ୍ୟକ୍ତି ବା ଗୋଷ୍ଠୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ସମ୍ଭବପର ହୋଇପାରିବ।

ନିଜ ଷ୍ଟାଇଲରେ ଟିକା ସାର୍ଟିଫିକେଟ୍ କରିବ ଓଡ଼ିଶା!

ବର୍ତ୍ତମାନ ଜଣେ ବ୍ୟକ୍ତି ଦୁଇଟି ଡୋଜ୍ ନେବା ପରେ ତାଙ୍କୁ କୋଭିଡ ସାର୍ଟିଫିକେଟ୍ ମିଳିପାରୁଛି। ଏହି ସାର୍ଟିଫିକେଟ୍‌କୁ କେନ୍ଦ୍ର ସରକାର ଡିଜାଇନ୍ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଫଟୋ ରହିଛି। ଓଡ଼ିଶା ସରକାର ଠିକ୍ ଜାଗାରେ ଚୋଟ ମାରିଛନ୍ତି। ଯଦି ୧୮ ରୁ ୪୪ ବର୍ଷ ବୟସ ବର୍ଗରେ ଲୋକଙ୍କୁ ଦିଆଯାଉଥିବା ଟିକା ପାଇଁ ରାଜ୍ୟ ନିଜ ହାତରୁ ପଇସା ଦେବ ତେବେ ଓଡ଼ିଶା ନିଜ ଢାଞ୍ଚାରେ ସାର୍ଟିଫିକେଟ୍ କାହିଁକି ପ୍ରସ୍ତୁତ କରିବ ନାହିଁ। ଏହି ପ୍ରଶ୍ନ ଏବେ ମୋଦିଙ୍କ ଗଳାରେ କଣ୍ଟା ଭଳି ମନେ ହୋଇପାରେ।

ରାଜ୍ୟରେ ଟିକା ପହଞ୍ଚିବା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ବନ୍ଦ କରାଯାଉ

କେନ୍ଦ୍ର ସରକାରଙ୍କ ଘୋଷଣା ପରେ କୋଓ୍ୱିନ୍‌ ପୋର୍ଟାଲରେ ଲୋକେ ପଞ୍ଜୀକରଣ କରୁଛନ୍ତି। ଏହି ପ୍ରକ୍ରିୟା ୨୮ ଏପ୍ରିଲରୁ ଆରମ୍ଭ ହୋଇଛି। କିନ୍ତୁ ଏଭଳି ଏକ ବଡ଼ ସମୁଦାୟ ପାଇଁ କେବେ ଟିକା ଆସି ପହଞ୍ଚିବ ସେ ବିଷୟରେ ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ। ତେଣୁ ସରକାରଙ୍କ ହାତରେ ଟିକା ନଥାଇ ପଞ୍ଜୀକରଣ କରାଯିବା ଫଳରେ ଆଗାମୀ ଦିନରେ ଯେଉଁ ସମସ୍ୟା ଉପୁଜିବ ସେଥିରେ ଜନସାଧାରଣ ରାଜ୍ୟ ସରକାରଙ୍କୁ ଦାୟୀ କରିପାରନ୍ତି। ଏହି କଥାକୁ ଅତି ସ୍ପଷ୍ଟ ଭାବରେ ଉଠାଇ ଓଡ଼ିଶା କେନ୍ଦ୍ରକୁ ଲେଖିଛି ଯେ, ଯେଉଁ ଦିନ ପର୍ଯ୍ୟନ୍ତ ରାଜ୍ୟ ପାଖରେ ଟିକା ଉତ୍ପାଦନକାରୀ କମ୍ପାନିମାନଙ୍କଠାରୁ ଯଥେଷ୍ଟ ପରିମାଣର ଟିକା ଆସି ନ ପହଞ୍ଚିଛି ବର୍ତ୍ତମାନ ଚାଲିଥିବା ପଞ୍ଜୀକରଣକୁ ବନ୍ଦ କରାଯାଉ।

ଏହି ପ୍ରସଙ୍ଗରେ ରାଜ୍ୟ ସରକାର କେନ୍ଦ୍ରକୁ ଆଉ ଗୋଟିଏ ଅନୁରୋଧ କରିଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାର କିଣୁଥିବା ଟିକା ଯେଉଁ ହିତାଧିକାରୀମାନଙ୍କୁ ଦିଆଯିବ ସେମାନଙ୍କ ସମ୍ପର୍କରେ ତଥ୍ୟ ରାଜ୍ୟର ଅନଲାଇନ୍ ପ୍ଲାଟଫର୍ମ ସହ ଯୋଡ଼ି ହେବା ଆବଶ୍ୟକ। କିନ୍ତୁ ବର୍ତ୍ତମାନ ବ୍ୟବସ୍ଥା ଅନୁଯାୟୀ କୋଓ୍ୱିନ୍‌ ପୋର୍ଟାଲରେ ଏଥିପାଇଁ କୌଣସି ବ୍ୟବସ୍ଥା ନାହିଁ। ତେଣୁ କୋଓ୍ୱିନ୍‌ ପୋର୍ଟାଲ ମାଧ୍ୟମରେ ଏହି ତଥ୍ୟକୁ ଓଡ଼ିଶାର ଆଇଟି ପ୍ଲାଟଫର୍ମ ସହିତ ଯୋଡ଼ିବା ଲାଗି ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ଚିଠିରେ କେନ୍ଦ୍ରକୁ ଜଣାଇଛନ୍ତି।

ବର୍ତ୍ତମାନ ଭାରତରେ ବ୍ୟବହାର ହେଉଥିବା ଦୁଇଟି ଟିକା କୋଭିସିଲ୍‌ଡ ଓ କୋଭାକ୍ସିନ୍ ପାଇଁ ଡୋଜ୍ ପିଛା କେନ୍ଦ୍ର ସମ୍ପୃକ୍ତ ଟିକା ନିର୍ମାଣକାରୀ ସଂସ୍ଥାକୁ ୧୫୦ ଟଙ୍କା ଦେଉଛି। ତେବେ ୧୮ରୁ ୪୪ ବର୍ଷ ବୟସ ବର୍ଗରେ ରାଜ୍ୟକୁ ଟଙ୍କା ଦେଇ ଯେଉଁ ଟିକା କିଣିବାକୁ ପଡ଼ିବ ତା’ର ଦର ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ରାଜ୍ୟକୁ କୋଭିସିଲ୍‌ଡ ଡୋଜ୍ ପିଛା ୩୦୦ ଟଙ୍କା ଦେବାକୁ ପଡ଼ିବ। ସେହିପରି କୋଭାକ୍ସିନ୍ ପାଇଁ ଡୋଜ୍ ପିଛା ରାଜ୍ୟ ଗଣିବ ୪୦୦ ଟଙ୍କା। ଘରୋଇ ଡାକ୍ତରଖାନା କ୍ଷେତ୍ରରେ କୋଭିସିଲ୍‌ଡ ଡୋଜ ପିଛା ୬୦୦ଟଙ୍କା ଏବଂ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ଟଙ୍କା ଧାର୍ଯ୍ୟ କରାଯାଇଛି।

ଆଗକୁ ଜଟିଳ ହେବ ପରିସ୍ଥିତି!

ଗତ କିଛି ମାସ ତଳେ ସାରା ଦେଶରେ କୋଭିଡ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ପୋଲିସ୍ ଏବଂ ପ୍ରଶାସକମାନଙ୍କ ଭଳି କୋଭିଡ ହିରୋମାନଙ୍କୁ ଟିକା ଦେବା ଆରମ୍ଭ କରାଯାଇଥିଲା। ତା’ ପଛକୁ ବରିଷ୍ଠ ନାଗରିକ ଏବଂ ୪୯ ବର୍ଷରୁ ଅଧିକ ବୟସର କୋମର୍ବିଡ (ଏକାଧିକ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତି) ଲୋକଙ୍କୁ ଟିକା ମିଳିଲା। ଗତ କିଛି ସପ୍ତାହ ତଳେ ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯିବା ଆରମ୍ଭ ହୋଇଥିଲା। ଦେଶରେ ବଢ଼ୁଥିବା କୋଭିଡ ସଂକ୍ରମଣ ସମୟରେ ମେ’ ୧ରୁ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏବଂ ଏଥିପାଇଁ ଏପ୍ରିଲ୍ ୨୮ରୁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। କିନ୍ତୁ ଏହି ବର୍ଗରେ ଦେଶର ସବୁଠାରୁ ଅଧିକ ସଂଖ୍ୟାର ଲୋକ ରହିଥିବାରୁ କିଭଳି ସମସ୍ତଙ୍କୁ ଟିକା ଦିଆଯାଇପାରିବ ତାହା ଏକ ବଡ଼ ପ୍ରଶ୍ନ ହୋଇଛି।

ଯଥେଷ୍ଟ ପରିମାଣରେ ଟିକା ନଥିବାରୁ ବିଭିନ୍ନ ରାଜ୍ୟରେ ଶହ ଶହ ଟିକାକରଣ କେନ୍ଦ୍ର ନିୟମିତ ଚାଲିପାରୁନାହିଁ। ଅର୍ଥାତ୍ ବର୍ତ୍ତମାନ ଯେଉଁ ସବୁ ବର୍ଗ ଟିକା ନେବା ଲାଗି ଯୋଗ୍ୟ ସେମାନଙ୍କ ପାଇଁ ଯଥେଷ୍ଟ ପରିମାଣର ଟିକା ମହଜୁଦ ନାହିଁ। ଏହି ସମୟରେ କେନ୍ଦ୍ର ରାଜ୍ୟଗୁଡ଼ିକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଯେ କେନ୍ଦ୍ର ସରକାର ବର୍ତ୍ତମାନ ମାଗଣା ଯୋଗାଇ ଦେଉଥିବା ଟିକାକୁ କେବଳ ୪୫ବର୍ଷରୁ ଅଧିକ ବୟସ ବର୍ଗର ବ୍ୟକ୍ତିଙ୍କୁ ଦିଆଯାଇପାରିବ। ଅର୍ଥାତ୍ ସେହି ଟିକାରୁ ୧୮ରୁ ୪୪ ବର୍ଷ ବୟସର କୌଣସି ହିତାଧିକାରୀ ଟିକା ନେଇପାରିବେ ନାହିଁ।

କୋଭିଡ ଦ୍ୱିତୀୟ ଲହରୀ ସଂକ୍ରମଣକୁ ସରକାର ଯେଭଳି ଭାବେ ପରିଚାଳନା କରୁଛନ୍ତି ତାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ଜନସାଧାରଣଙ୍କ କ୍ଷୋଭର ଶିକାର ହୋଇଛନ୍ତି। ବିଶେଷକରି ଦେଶର ବିଭିନ୍ନ ଭାଗରେ କୋଭିଡ୍ ଯେଭଳି କାୟା ବିସ୍ତାର କରିଛି ତାହା ଦେଖି ଅନେକ ଲୋକ କେନ୍ଦ୍ର ସରକାରଙ୍କ ଉପରେ ବର୍ଷୁଛନ୍ତି। ଏବେ ସାରା ଭାରତକୁ ଟିକା ଦେବା ମାମଲାରେ କେନ୍ଦ୍ର ଓ ରାଜ୍ୟ ରାଜନୀତି ଗରମ ହେବା ସହ ଆଗକୁ ଜନସାଧାରଣଙ୍କ ବଡ଼ ପ୍ରତିକ୍ରିୟା ମିଳିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।