ଡାକ୍ତରମାନଙ୍କ ଅନୁସାରେ ଲୌହ ହିମୋଗ୍ଲୋବିନ ପ୍ରସ୍ତୁତିରେ ସହାୟକ ହୋଇଥାଏ। ହିମୋଗ୍ଲୋବିନ ପୂରା ଶରୀରକୁ ଅମ୍ଳଜାନ ଯୋଗାଣ, କୋଷିକାଗୁଡ଼ିକର ତାକୁ ବ୍ୟବହାର ଏବଂ ଶରୀରରେ ଶକ୍ତିର ସ୍ତର ବଜାୟ ରଖିବାରେ ସାହାଯ୍ୟ କରେ। ତେବେ ମହିଳାମାନଙ୍କୁ ଏହାର ଅଧିକ ଆବଶ୍ୟକତା ରହିଛି। କାରଣ ମାସିକ ଋତୁସ୍ରାବ ମାଧ୍ୟମରେ ସେମାନଙ୍କର ଶରୀରରୁ ବହୁ ପରିମାଣରେ ଲୌହ ବାହାରି ଯାଇଥାଏ। ଏଭଳି ସ୍ଥଳରେ ଦୈନନ୍ଦିନର କାମକୁ ସମ୍ପନ୍ନ କରିବା ଲାଗି ମହିଳାମାନଙ୍କୁ ଲୌହରେ ପରିପୂର୍ଣ୍ଣ ଡାଏଟ୍ ଏବଂ ଏଥିସହିତ ଜଡ଼ିତ ସପ୍ଲିମେଣ୍ଟ ନେବା ଆବଶ୍ୟକ।

ଲୌହର ଅଭାବ ହେଲେ କ’ଣ ହେବ?

ଆନିମିଆ: ଶରୀରରେ ଲୌହର ଅଭାବ ହେଲେ ଲୋହିତ ରକ୍ତକଣିକାରେ ହିମୋଗ୍ଲୋବିନର ମାତ୍ରା କମିଯାଇଥାଏ। ଏହାଯୋଗୁଁ ବ୍ୟକ୍ତିଜଣକ ଆନିମିଆରେ ପୀଡ଼ିତ ହୋଇଥାନ୍ତି। ଫଳରେ ତାଙ୍କର ରୋଗ ପ୍ରତିରୋଧକ କ୍ଷମତା କମିଯାଏ, ଭୋକ ଲାଗେନାହିଁ ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଲେ ବ୍ୟକ୍ତିଜଣକ ସଂପୂର୍ଣ୍ଣ ଭାବେ ଦୁର୍ବଳ ହୋଇଯାଇଥାନ୍ତି। ବିଶେଷ କରି ମହିଳାମାନେ ଏହାଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରାଥମିକ ଅବସ୍ଥାରେ ଏଥିପ୍ରତି ସେମାନେ ଗୁରୁତ୍ୱ ଦେଉନଥିବାରୁ ସମସ୍ୟା ବଢ଼ିଥାଏ।

ଧଇଁସଇଁ ହେବା: ଶରୀରରେ ଲୌହର ଅଭାବ ହେଲେ ବ୍ୟାୟାମ କରିବା ସମୟରେ କିମ୍ବା ଚଲାବୁଲା କରିବା ସମୟରେ ବ୍ୟକ୍ତିକୁ ଶ୍ୱାସକ୍ରିୟାରେ ସମସ୍ୟା ହୋଇଥାଏ। ଏହାର କାରଣ ହେଲା ରକ୍ତରେ ହିମୋଗ୍ଲୋବିନ କମିଲେ ଶରୀରରେ ଅମ୍ଳଜାନର ଅଭାବ ଦେଖାଦିଏ। ଏଭଳିସ୍ଥଳରେ ବ୍ୟକ୍ତିଙ୍କର ତୁରନ୍ତ ଚିକିତ୍ସା ଆବଶ୍ୟକ।

ମାଂସପେଶୀରେ ଯନ୍ତ୍ରଣା: ଶରୀରରେ ଲୌହର ଅଭାବ ଥିଲେ ଅନେକ ସମୟରେ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। କୌଣସି ସ୍ଥାନ ଆଘାତପ୍ରାପ୍ତ ହେଲେ ତାହା ଠିକ ହେବାକୁ ବି ଅଧିକ ସମୟ ଲାଗେ।

ନଖ ଭାଙ୍ଗିଯିବା: ନଖ ରୁକ୍ଷ ଦିଶିବା ଏବଂ ମଝିରୁ ଭାଙ୍ଗିଯାଉଥିଲେ ଏହା ଶରୀରରେ ଲୌହର ଅଭାବର ସଙ୍କେତ।

ସମୟ ପୂର୍ବରୁ ପ୍ରସବ: ଗର୍ଭବତୀମାନଙ୍କ ଶରୀରରେ ଲୌହର ଅଭାବ ଯୋଗୁଁ ଆନିମିଆ ହେଲେ ଉଭୟ ମା’ ଓ ପିଲା ଉପରେ ତାର ଖରାପ ପ୍ରଭାବ ପଡ଼ିଥାଏ। ଗର୍ଭବସ୍ଥା ସହ ଜଡ଼ିତ ସମସ୍ୟା ବି ବୃଦ୍ଧିହୁଏ। ଏହାଛଡ଼ା ସମୟ ପୂର୍ବରୁ ପ୍ରସବ ଏବଂ କମ ଓଜନର ଶିଶୁ ଜନ୍ମ ନେବାର ଆଶଙ୍କା ରହିଥାଏ।

କେଉଁ ବୟସରେ କେତେ ଲୌହର ଆବଶ୍ୟକତା ରହିଛି?

ଆଇସିଏମଆର ଅନୁସାରେ କିଶୋରୀମାନଙ୍କୁ ପ୍ରତିଦିନ ୨୮ ମିଲି ଗ୍ରାମ, ଯୁବତୀମାନଙ୍କୁ ୩୦ ମିଲିଗ୍ରାମ, ଗର୍ଭବତୀଙ୍କୁ ୩୮ ମିଲିଗ୍ରାମ, ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ୩୦ ମିଲିଗ୍ରାମ ଲୌହର ଆବଶ୍ୟକତା ରହିଛି।

କ’ଣ ଖାଇବେ?

ଖାସି ମାଂସ, ଅଣ୍ଡା, ଚିକେନ, ସମୁଦ୍ର ମାଛ, ଫଳ, ଡ୍ରାଇ ଫୁଟ୍‌, ବିଟ, ରାଜମା, ଆଳୁ ଇତ୍ୟାଦି ଲୌହର ଭଲ ସ୍ରୋତ ଏହାଛଡ଼ା ଲୁହା କଡ଼େଇରେ ଖାଦ୍ୟ ରୋଷେଇ କଲେ ମଧ୍ୟ ଉପକାର ମିଳିଥାଏ। ଏସବୁ ଛଡ଼ା ଶରୀରରେ ଲୌହର ଅଭାବ ଅଧିକ ଥିଲେ ଡାକ୍ତରଙ୍କର ପରାମର୍ଶ ଅନୁସାରେ ଔଷଧ ଖାଇବା ଦରକାର।