ପଲ୍ଲବୀ ସାବତ

ଜାମୁକୋଳି ସ୍ୱାସ୍ଥ୍ୟପାଇଁ ଖୁବ୍ ଉପକାରୀ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ରହିଛି। ବିଶେଷକରି ମଧୁମେହ ରୋଗୀମାନେ ଜାମୁକୋଳି ଏବଂ ତା’ର ପତ୍ରକୁ ସେବନ କରିବା ଦ୍ୱାରା ସେମାନଙ୍କର ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇଥାଏ।

ଆବଶ୍ୟକୀୟ ସାମଗ୍ରୀ

  • ଜାମୁକୋଳି – ୮୦୦ ଗ୍ରାମ୍‌
  • ତାଳଗୁଡ଼ – ୮୦ ଗ୍ରାମ୍‌
  • ବିଟ୍‌ ଲୁଣ ଅଧା ଚାମଚ
  • ଜୀରା ଗୁଣ୍ଡ ଅଧା ଚାମଚ
  • ଗୋଲମରିଚ ଗୁଣ୍ଡ ଅଧା ଚାମଚ
  • କିଛି ବରଫ ଖଣ୍ଡ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଜାମୁକୋଳିକୂ ଭଲ ଭାବରେ ଧୋଇ ଏକ କଡ଼େଇରେ ଅଳ୍ପ ପାଣି ଦେଇ ୧୦ ମିନିଟ୍‌ ପାଇଁ ଫୁଟାନ୍ତୁ। ତା’ପରେ ପାଣି ସହିତ ଜାମୁକୋଳିକୁ ଏକ ବଡ଼ ପାତ୍ରକୁ ଢାଳି ଥଣ୍ଡା ହେବାକୁ ଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ଜାମୁକୋଳିର ମଞ୍ଜିକୁ କାଟିଦିଅନ୍ତୁ ଏବଂ ରସକୁ ଏକ ଗ୍ରାଇଣ୍ଡରରେ ଭର୍ତ୍ତି କରନ୍ତୁ। ସେଥିରେ ୫୦ ଗ୍ରାମ୍‌ ତାଳଗୁଡ଼, ବିଟ୍‌ ଲୁଣ, ଜୀରାଗୁଣ୍ଡ, ଗୋଲମରିଚ ଏବଂ କିଛି ବରଫ ଖଣ୍ଡ ପକାଇ ଗ୍ରାଇଣ୍ଡିଂ କରନ୍ତୁ। ତା’ ପରେ ଏହାକୁ ଏକ ଛଣା ସାହାଯ୍ୟରେ ଛାଣି ଗ୍ଲାସ୍‌ରେ ଢାଳି ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ହିତକର ବନ୍ଧାକୋବି ସୁପ୍‌ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

ଜାମୁକୋଳି ରସର ଫାଇଦା

ଜାମୁକୋଳି ଶ୍ୱେତସାରକୁ ଶକ୍ତିରେ ପରିଣତ କରିବାରେ ସହାୟକ ହୋଇଥାଏ। ଯାହାଦ୍ୱାରା କି ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ରୁହେ।

ଜାମୁକୋଳି ମଞ୍ଜିକୁ ମଧ୍ୟ ମଧୁମେହ ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ହଜମ ପ୍ରକ୍ରିୟାରେ ବି ଏହା ସହାୟକ ହୁଏ। ସେହିପରି ସୌନ୍ଦର୍ଯ୍ୟରକ୍ଷାରେ ଜାମୁକୋଳିର ଖୁବ୍ ମହତ୍ୱ ରହିଛି। ଏହାକୁ ସେବନ କରିବା ଦ୍ୱାରା ମୁଖ ବ୍ରଣ, ଦାଗ, ଭଙ୍ଗ ପରି ସମସ୍ୟା ଦୂର ହୋଇଥାଏ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ସି ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

ଏଥିରେ ଥିବା ଭିଟାମିନ୍ ସଂକ୍ରମଣ, ପେଟ ସମ୍ବନ୍ଧୀୟ ସମସ୍ୟା ଏପରିକି କର୍କଟ ରୋଗ ହେବାର ଆଶଙ୍କାକୁ କମାଇଥାଏ।

ଜାମୁକୋଳିରେ କ୍ୟାଲୋରିର ପରିମାଣ ଖୁବ୍ କମ୍ ଥିବାରୁ ଏହାକୁ ଜଳଖିଆ ଭାବେ ବ୍ୟବହାର କଲେ ଉପକାର ମିଳିଥାଏ।