ମୋଟାପଣକୁ ନେଇ ସମସ୍ତେ ଚିନ୍ତିତ। ତେବେ କେମିତି କମାଇବେ ମେଦବହୁଳତା? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରଲୋଜିଷ୍ଟ ଡାକ୍ତର ନୟନ ରଞ୍ଜନ ନନ୍ଦ ଆସନ୍ତୁ ଜାଣିବା।

ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ମେଦବହୁଳତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ମେଦବହୁଳତା ଯୋଗୁଁ ଆମ ଶରୀରରେ ଅନ୍ୟାନ୍ୟ ଦୂରାରୋଗ୍ୟ ମଧ୍ୟ ଦେଖାଦେବାର ଆଶଙ୍କା ରହିଛି।

obesity

ଶରୀରରେ ବଢ଼ୁଥିବା ମେଦ ବହୁଳତାକୁ ଅନେକ ସୁନ୍ଦର ସ୍ୱାସ୍ଥ୍ୟ ବୋଲି ଧରିନିଅନ୍ତି। ଶିଶୁ ଜନ୍ମ ହେବା ପୂର୍ବରୁ ତାର ନିର୍ଦ୍ଧିଷ୍ଟ ଉଚ୍ଚତା ଏବଂ ଓଜନ ଧାର୍ଯ୍ୟ ହୋଇଥାଏ। କିନ୍ତୁ କୌଣସି କାରଣରୁ ଶରୀରର ଓଜନର ବୃଦ୍ଧି ସହ ଅନେକ ରୋଗ ସୃଷ୍ଟି ହୁଏ। ମେଦବହୁଳତା ଯୋଗୁଁ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ସୃଷ୍ଟି ହେବା ସହିତ ଶରୀରର ମେଟାବଲିକ୍ ପ୍ରକ୍ରିୟାକୁ ପ୍ରଭାବିତ କରେ ଏବଂ ବିଭିନ୍ନ ମାନସିକ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ।

ମେଦବହୁଳତା କ’ଣ? (What is Obesity)

ବଡି ମାସ୍ ଇଣ୍ଡେକ୍ସ(ବିଏମ୍‌ଆଇ) ଆଧାରରେ ବ୍ୟକ୍ତି ମେଦବହୁଳତାର ଶିକାର କି ନାହିଁ ତାହା ଜଣାପଡ଼େ, ଯାହା ଶରୀରରେ ଉଚ୍ଚତା ଅନୁଯାୟୀ କେତେ ପରିମାଣରେ ଚର୍ବି ରହିବ ସ୍ଥିର କରିଥାଏ। ଉଚ୍ଚତାକୁ ମିଟର ଭାବରେ ଏବଂ ଓଜନକୁ କିଲୋଗ୍ରାମରେ ବିଭକ୍ତ କରାଯାଇ ଏହି ଇନ୍‌ଡେକ୍ସ ବା ସୂଚକାଙ୍କ  ସ୍ଥିର କରାଯାଏ।  ଶରୀରରେ ଏହି ସୂଚକାଙ୍କ ୨୫ରୁ ୨୭ ମଧ୍ୟରେ ରହିଲେ ମେଦବହୁଳତାର ଚିନ୍ତା ରହେ ନାହିଁ। ଆମେ ପ୍ରତିଦିନ କେତେ ମାତ୍ରାରେ ଖାଦ୍ୟ ଖାଉଛେ ଏବଂ ଶରୀରରୁ କେତେ ଶକ୍ତି ନଷ୍ଟ ହେଉଛି ତାର ସମୀକରଣ ମେଦବହୁଳତା ଉପରେ ପ୍ରଭାବ ପକାଏ। ଅଧିକ ଖାଦ୍ୟ ଖାଇଲେ ଶରୀରରେ ଅଦରକାରୀ ଏନର୍ଜି ଫ୍ୟାଟ ଭାବେ ସଂଗଠିତ ହୋଇଯାଏ ଏବଂ ମେଦବହୁଳତା ବୃଦ୍ଧି ପାଏ।

fastfood bad for health

ମେଦବହୁଳତାର କାରଣ (Causes of Obesity)

ଅନିୟମିତ ଖାଦ୍ୟପେୟ

ଅବ୍ୟବସ୍ଥିତ ଜୀବନଶୈଳୀ

ମାନସିକ ଅବସାଦ

ପରିଶ୍ରମର ଅଭାବ

ନିଦ୍ରାହୀନତା

ଆଧୁନିକ ଜୀବନରେ କର୍ମବବ୍ୟସ୍ତତା

blood pressure

ମେଦବହୁଳତାର ଜଟିଳତା (Various diseases associated with Obesity)

ମେଦବହୁଳତା ଶିକାର ବ୍ୟକ୍ତି ସିଧା ହୋଇ ଶୋଇପାରନ୍ତି ନାହିଁ।

ମେଦବହୁଳତା ଯୋଗୁଁ ରକ୍ତରେ ଶର୍କରା ବଢ଼ିଯାଏ ଫଳରେ ମଧୁମେହର ସମ୍ଭାବନା ଅଧିକ ଦେଖାଯାଏ।

ହୃଦଘାତ, ମସ୍ତିଷ୍କ ସମସ୍ୟା, ଷ୍ଟ୍ରୋକ ଓ ରକ୍ତନଳୀକାରେ ସମସ୍ୟା ଦେଖାଦିଏ।

ରକ୍ତଚାପ ବଢ଼ିଯାଏ।

ଅଧିକ ଚର୍ବି ଯୋଗୁଁ ଶରୀରର ସବୁ କୋଷକୁ ରକ୍ତ ପହଞ୍ଚିପାରେ ନାହିଁ। ରକ୍ତ ନ ଯିବା ଦ୍ଵାରା ବ୍ୟକ୍ତି ଅସୁସ୍ଥ ହୋଇପଡ଼େ।

ମେଦବହୁଳତା ଯୋଗୁଁ କୋଷଝିଲ୍ଲୀକାରେ ଥିବା ରସ ଶୁଖିଯାଏ ଏବଂ ଆଣ୍ଠୁଗଣ୍ଠି ବାତ ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

surgery

ଚିକିତ୍ସା (Treatment of Obesity by Bariatric Surgery)   

ମେଦବହୁଳତା ଚିକିତ୍ସାରେ ଲାପ୍ରୋସ୍କୋପି ପଦ୍ଧତିରେ ଅସ୍ତ୍ରୋପଚାର କରାଯାଏ। ଅସ୍ତ୍ରୋପ୍ରଚାର ପରେ ରୋଗୀର ଖାଦ୍ୟ ପରିମାଣ କମିଯାଏ। ଏହି ଚିକିତ୍ସାରେ ଶରୀରରୁ ଚର୍ବି ବାହାର କରାଯାଏ ନାହିଁ। ଖାଦ୍ୟରୁ ଅଧିକ ପୋଷକ ତତ୍ତ୍ଵ ରକ୍ତରେ ନମିଶିବା ପାଇଁ ଅନ୍ତନାଳୀରେ ବାଇପାସ୍ କରି ସେଗୁଡ଼ିକ ମଳ ଆକାରରେ ଶରୀରରୁ ବାହାରିଯିବା ବ୍ୟବସ୍ଥା କରାଯାଏ। ରୋଗୀଙ୍କ ଏଥିରେ ସଫଳ ନହେଲେ ବାରିଆଟ୍ରିକ ସର୍ଜରୀ କରାଯାଏ। ସର୍ଜରୀରେ ବ୍ୟକ୍ତି ସୌନ୍ଦର୍ଯ୍ୟ ଫେରିପାଇଲେ ମଧ୍ୟ ଏହା ଆଦୌ କସ୍ମେଟିକ ସର୍ଜରୀ ନୁହେଁ। ଏହା ଡାଇବେଟିସ୍, କୋଲେଷ୍ଟ୍ରୋଲ, ଶ୍ଵାସକ୍ରିୟା ସମସ୍ୟା ଆଦିରେ ବ୍ୟକ୍ତି ଆକ୍ରାନ୍ତ ଥିଲେ ବାରିଆଟ୍ରିକ ସର୍ଜରୀକୁ ଗ୍ରହଣ କରାଯାଏ।

ନିରାକରଣ

ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ।

ପ୍ରତିଦିନ ଯୋଗ, ବ୍ୟାୟାମ କିମ୍ବା ଶାରୀରିକ ପରିଶ୍ରମ କରନ୍ତୁ।

ଚିନ୍ତାମୁକ୍ତ ରହନ୍ତୁ।

ସନ୍ତୁଳିତ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନୟନ ରଞ୍ଜନ ନନ୍ଦଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on causes and treatment of Obesity based on the interview with Dr. Nayan Ranjan Nanda, Surgical Gastroenterologist.