କୋଭିଡ୍‌ରୁ ସୁସ୍ଥ ହେବା ପରେ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ପୁନଃ ମଜଭୁତ କରିବେ କିପରି ଜାଣନ୍ତୁ।

କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଥକ୍କାପଣ, ଦୁର୍ବଳତା, ମାନସିକ ଅସ୍ଥିରତା ଏସବୁ ଲାଗିରହିଥାଏ। କୋଭିଡ୍‌ ଭୂତାଣୁ ଫୁସଫୁସ୍ ସହିତ ସମ୍ପୂର୍ଣ୍ଣ ଶରୀରକୁ ପ୍ରଭାବିତ କରିଥିବାରୁ ଶରୀର ପୂର୍ବାବସ୍ଥାକୁ ଫେରିବା ପାଇଁ ସମୟ ଲାଗିଥାଏ। ତେଣୁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ପୁନଃ ମଜଭୁତ କରିବା ପାଇଁ ଏବଂ ନିଜ ଦେହକୁ ପୂର୍ବଭଳି ଫୂର୍ତ୍ତି ପାଇଁ କେତେକ ଟିପ୍ସ ଆପଣାନ୍ତୁ। 

ସାଧାରଣତଃ କରୋନାରୁ ସୁସ୍ଥ ହେବା ପରେ ଅନେକ ବ୍ୟକ୍ତି ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼ନ୍ତି। ଭୋକ ନଲାଗିବା, ମାନସିକ ଭାରାଗ୍ରସ୍ତ ରହିବା ଭଳି ଲକ୍ଷଣ ସେମାନଙ୍କ ପାଖରେ ଦେଖାଦେଇଥାଏ। ପରିବାର ଏବଂ ସାଙ୍ଗସାଥୀମାନଙ୍କ ସହ ଅଧିକ ସମୟ ବିତାଇବା ଦ୍ଵାରା ଏହି ପ୍ରକାର ଲକ୍ଷଣ ବହୁତ ଶୀଘ୍ର ଦୂର ହୋଇଥାଏ। ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେବାକୁ ପଡ଼ିପାରେ।

ଗୋଟିଏ ଦିନରେ ଅଧିକ କାମ କରନ୍ତୁ ନାହିଁ। ଏହାଦ୍ୱାରା ଥକ୍କାପଣ ଅଧିକ ଲାଗିପାରେ। କାରଣ କରୋନା ସଂକ୍ରମିତ ଯୋଗୁଁ ଶରୀର ଅଧିକ ଦୁର୍ବଳ ହୋଇପଡ଼ିଥାଏ। ଯଦି ହଠାତ୍‌ ଅଧିକ କାର୍ଯ୍ୟ କରିବେ, ତାହେଲେ ଥକ୍କାପଣ, ଗୋଡ଼ ହାତ ଘୋଳାପିନ୍ଧା ହୋଇପାରେ। 

ଅତି ଜରୁରୀ କାର୍ଯ୍ୟଗୁଡ଼ିକ ହିଁ କରନ୍ତୁ। ଜରୁରୀ ନଥିଲେ କାର୍ଯ୍ୟକୁ ବାଦ ଦିଅନ୍ତୁ। 

healthy food

ଅଧିକ ପଢ଼ନ୍ତୁ: କୋଭିଡ୍‌ ଦ୍ୱିତୀୟ ଲହରୀ – ପଜିଟିଭ୍‌ ଥିଲେ କ’ଣ କରିବେ?

କରୋନାରୁ ସୁସ୍ଥ ହେବା ପରେ ଏକ ନିର୍ଦ୍ଧିଷ୍ଟ ଖାଦ୍ୟ ଚାଟ୍ ପ୍ରସ୍ତୁତ କରି ସେହି ଅନୁସାରେ ଖାଇବା ଆବଶ୍ୟକ। ଏହି ସମୟରେ ଅଣ୍ଡାର ଧଳା ଅଂଶ, ମାଛ, ଛେନା, ଖିରି, ଋତୁକାଳୀନ ପରିବାଜାତୀୟ ଖାଦ୍ୟ, ଡାଲି, ଚଣା ଏବଂ ଶାଗ ଆଦି ଖାଇବା ଆବଶ୍ୟକ। ଅଲଗା ରୋଗ ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ଖାଦ୍ୟ ଖାଇବା ଆବଶ୍ୟକ।

ଯଥେଷ୍ଟ ବିଶ୍ରାମ ନିଅନ୍ତୁ। ଠିକ୍‌ ସମୟରେ ଶୁଅନ୍ତୁ ଓ ଠିକ୍‌ ସମୟରେ ଉଠନ୍ତୁ। 

କରୋନାରୁ ସୁସ୍ଥ ହେବା ପରେ ନିୟମିତ ଯୋଗ, ବ୍ୟାୟାମ କରିବା ସହ ଉଷୁମ ପାଣି ପିଇବା ଆବଶ୍ୟକ। ନିମୋନିଆ ଦ୍ଵାରା ଆକ୍ରାନ୍ତ ରୋଗୀମାନେ ଗରମ ପାଣି ବାମ୍ଫ ମଧ୍ୟ ନେଇପାରିବେ। ଦୀର୍ଘ ନିଶ୍ୱାସ ପ୍ରଶ୍ୱାସ ବ୍ୟାୟାମ ବା ପ୍ରାଣାୟାମ କରିବା ନିହାତି ଜରୁରୀ।

ଏହି ସମୟରେ ମଦ୍ୟପାନ କିମ୍ଵା ଧୂମପାନ ପରି କାର୍ଯ୍ୟଠାରୁ ଯେତେ ଦୂରେଇ ରହିବା ଜଣେ ରୋଗୀଙ୍କ ପ୍ରତି ତାହା ସେତେ ଫଳପ୍ରଦ ହେବ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଭିଟାମିନ୍‌ ମେଡିସିନ୍‌ ଖାଆନ୍ତୁ।