ସବୁ ଅଭିଭାବକ ମାନଙ୍କର ସ୍ୱପ୍ନ ଥାଏ ଯେ ସେମାନଙ୍କର ପିଲା ପାଠ ପଢି ଭଲ ମଣିଷ ହେବ। ହେଲେ ଆଜିକାଲି ଅଧିକରୁ ଅଧିକ ପିଲା ପାଠପଢ଼ାରେ କମ୍ ଡିଜିଟାଲ ଦୁନିଆରେ ଅଧିକ ମନ ଲଗାଉଛନ୍ତି। ତେଣୁ ଅଭିଭାବକ ମାନଙ୍କର ଚିନ୍ତା ବଢିଯାଉଛି। ଏପରିସ୍ଥଳେ କିଛି ଉପାୟ ଅବଲମ୍ବନ କରନ୍ତୁ…

misuse of phone

ଚାପ ପକାନ୍ତୁ ନାହିଁ: ପିଲା ଉପରେ କେବେହେଲେ ପାଠ ପଢ଼ିବାକୁ ଚାପ ପକାନ୍ତୁନାହିଁ। ବରଂ ସମୟ ସୁବିଧା ଦେଖି ପାଠପଢ଼ିବାର ମହତ୍ତ୍ୱ କଥା ବୁଝାନ୍ତୁ। ତାକୁ ପଢ଼ିବାକୁ ପ୍ରେରିତ କରନ୍ତୁ, ଯେପରିକି ସେ ନିଜେ ବହି ପାଖରେ ବସିବ। ଏଥିପାଇଁ ଆପଣ ଗପବହି, କାର୍ଟୁନ୍ ସିରିଜର ବି ସାହାଯ୍ୟ ନେଇପାରିବେ।

ପିଲାର ମାନସିକତାକୁ ବୁଝନ୍ତୁ: ପିଲାର ମାନସିକତା ବୁଝିଲେ ଯାଇ ଆପଣ ଏ କ୍ଷେତ୍ରରେ କିଛିଟା ସୁଫଳ ପାଇପାରିବେ। ଯେପରିକି ପିଲାଟି କ’ଣ ପାଇଁ ପଢ଼ିବାକୁ ଚାହୁଁନାହିଁ, ଦିନର କେଉଁସମୟରେ ସେ ପଢ଼ିବାକୁ ଆଗ୍ରହ ଦେଖାଉଛି ଇତ୍ୟାଦି। ସେ ହିସାବରେ ତାକୁ ପଢ଼ିବା ପାଇଁ ସହଯୋଗ କରନ୍ତୁ।

angry parents

ରୁଟିନ୍ କରନ୍ତୁ: ସବୁବେଳେ ପିଲାକୁ ପଢ଼ ପଢ଼ ବୋଲି କୁହନ୍ତୁ ନାହିଁ। ତା’ ବଦଳରେ କିଛି ନିର୍ଦ୍ଦିଷ୍ଟ ସମୟରେ ପଢ଼ିବା ଉପରେ ଗୁରୁତ୍ୱ ଦିଅନ୍ତୁ। ଦିନରେ ୩-୪ ଘଣ୍ଟା ଜବରଦସ୍ତ ବହି ପାଖରେ ବସିବା ବଦଳରେ ଅଧ ଘଣ୍ଟା ପଢ଼ିଲେ ବି ସେ ସବୁକିଛି ମନେ ରଖିପାରିବ। ଅଭିଭାବକ ହିସାବରେ ପ୍ରତିଦିନ କାର୍ଟୁନ ଦେଖିବା, ବାହାର ଯାଇ ଖେଳିବା ପରି ପାଠପଢ଼ିବାର ବି ଜରୁରୀ ବୋଲି ବୁଝାନ୍ତୁ। ଆବଶ୍ୟକସ୍ଥଳେ ତାର ରୁଟିନ୍ କରି ଦିଅନ୍ତୁ। ଏପରିସ୍ଥଳେ ସେ ଆଉ ପଢ଼ିବାକୁ ବିରକ୍ତ ହେବନାହିଁ।

-ପିଲାକୁ ଦିନ ବା ରାତି କେତେବେଳେ ପଢ଼ିବାକୁ ଭଲ ଲାଗୁଛି ତାହା ପଚାରନ୍ତୁ। ସେହି ସମୟ ହିସାବରେ ତାର ପଢ଼ିବାର ଚାର୍ଟ ପ୍ରସ୍ତୁତ କରନ୍ତୁ । ସେହି ଚାର୍ଟକୁ ଅନୁକରଣ କରିବାକୁ ତାକୁ ପ୍ରୋତ୍ସାହିତ ବି କରନ୍ତୁ।

child-uninterested-study

-କିଛି ପିଲାଙ୍କ ମନରେ ପାଠ ପଢିବାକୁ ନେଇ ଡର ବା ଫୋବିଆ ଥାଏ। ତାକୁ ରିଡିଂ ଫୋବିଆ ବୋଲି କୁହାଯାଏ। ସାଇକୋଲୋଜିଷ୍ଟମାନଙ୍କ ମତରେ ଏହାର କାରଣ ହେଲା ପିଲା ଯେକୌଣସି ସବେଜକ୍ଟ ବିଷୟରେ ଦୁର୍ବଳ ରହିବା। ଅଭିଭାବକ ଭାବେ ଆପଣଙ୍କୁ ସେ ବିଷୟ କ’ଣ ତାହା ଚିହ୍ନଟ କରିବାକୁ ପଡ଼ିବ। ସେ ବିଷୟ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଆବଶ୍ୟକ ହେଲେ ଆପଣ ତାର ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ ସହାୟତା ନେଇପାରିବେ। ଏହା ଜାଣିବା ପରେ ତାକୁ ଖେଳ ମାଧ୍ୟମରେ ସେହି ପାଠ ପଢ଼ିବାକୁ ପ୍ରୋତ୍ସାହିତ କରିବାକୁ ହେବ। ପିଲା କିଛି କିଛି କଥା ଆୟତ୍ତ କରିବା ପରେ ତାକୁ ଏହା କିପରି ଖୁବ୍ ସହଜରେ ହୋଇଗଲା ତାହା ବୁଝାନ୍ତୁ। ସେହିପରି ଅନ୍ୟ ବିଷୟ ଗୁଡ଼ିକ ଉପରେ ଧ୍ୟାନ ଦେବାକୁ କୁହନ୍ତୁ।

-ପାଠ ପଢି ମନେ ରଖିବାକୁ କଷ୍ଟ ହେଉଥିଲେ ପିଲାକୁ ବାରମ୍ବାର ଲେଖାଇ ତାକୁ ମନେ ରଖିବାକୁ ଅଭ୍ୟାସ କରାନ୍ତୁ। କାରଣ ୧୦ ଥର ପଢ଼ିବା ଅପେକ୍ଷା ଥରେ ଲେଖିଲେ ଅଧିକ ସୁଫଳ ମିଳେ।

child-books-study

ପାଠ ପଢ଼ିବାର ବାତାବରଣ ବି ଜରୁରୀ

ପିଲାକୁ ଖାଲି ପାଠ ପଢ଼ିବାକୁ କହିଦେଲେ ହେବନାହିଁ। ତାର ପଢ଼ିବା ପାଇଁ ଉପଯୁକ୍ତ ବାତାବରଣ ବି ଜରୁରୀ। ଏପରି ବହୁତ ଅଭିଭାବକ ଥାଆନ୍ତି ଯେଉଁମାନେ ପିଲାକୁ ପାଠ ପଢ଼ିବାକୁ କୁହନ୍ତି କିନ୍ତୁ ନିଜେ ଘରେ ବସି ଟିଭି ଦେଖନ୍ତି। ବଡ଼ ପାଟିରେ କଥା କହନ୍ତି। ଏହି ଅଭ୍ୟାସ ପିଲାକୁ ନକରାତ୍ମକ ବାତାବରଣ ଦିଏ। ତା’ ବଦଳରେ ଘରର ସବୁଠାରୁ ଶାନ୍ତିପୂର୍ଣ୍ଣ କୋଠରୀରେ ପିଲାର ପଢ଼ିବା ପାଇଁ ବ୍ୟବସ୍ଥା କରନ୍ତୁ। ସେହି ଘର ଯେପରି ବ୍ୟବସ୍ଥିତ ରହିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଯେପରିକି ଘରେ ପିଲାର ପଢ଼ିବା ପାଇଁ ଏକ ଟେବଲଚେୟାର, ବହି ରଖିବା ପାଇଁ ଥାକର ବ୍ୟବସ୍ଥା କରନ୍ତୁ। ପାଠ ପଢ଼ିବା ସମୟରେ ପିଲାର ଏକାଗ୍ରତା ଯେପରି ଭଙ୍ଗ ନ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଅନ୍ୟ କୌଣସି ପିଲା ସହ ପିଲାକୁ ତୁଳନା କରିବା ଅନୁଚିତ୍।