ଡାଏବେଟିସ୍ ରୋଗୀଙ୍କ ପାଇଁ କରୋନା ସଂକ୍ରମଣ କେତେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ଓ ସେମାନେ ଏହାର ମୁକାବିଲା କିପରି କରିବେ? ଚାଲନ୍ତୁ ଏନେଇ ଜାଣିବା ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନିଲ କୁମାର କୋଟାଙ୍କ ପରାମର୍ଶ। (COVID-19 INFECTION IN PEOPLE WITH DIABETES)

ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ କରୋନା ଭୂତାଣୁ ଜନିତ ସଂକ୍ରମଣ କାହିଁକି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଥାଏ?

ଡାଇବେଟିସ୍ ରୋଗରେ ଶରୀରରେ ରକ୍ତ ଶର୍କରା ସ୍ତର ସବୁବେଳେ ହ୍ରାସ ବୃଦ୍ଧି ହେବା ଫଳରେ ରୋଗୀର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଯୋଗୁଁ ସଂକ୍ରମଣଜନିତ ଜଟିଳତା ବଢ଼ିଯାଏ। ସଂକ୍ରମଣ ଯୋଗୁଁ ରୋଗୀର ରକ୍ତ ଶର୍କରାସ୍ତର ଅଧିକ ପ୍ରଭାବିତ ହେବା ଯୋଗୁଁ  ମୃତ୍ୟୁର ଆଶଙ୍କା ବଢ଼ିଯାଏ। ସାଧାରଣ ଲୋକଙ୍କ ଅପେକ୍ଷା ଡାଏବେଟିସ୍‌ ରୋଗୀଙ୍କର ଶ୍ୱାସକ୍ରିୟା ବା ଫୁସ୍‌ଫୁସ୍‌ ସଂକ୍ରମଣ ହେବାର ଆଶଙ୍କା ଥାଏ। ତେଣୁ ଡାଏବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ନିମୋନିଆ, ଆକ୍ୟୁଟ୍‌ ରେସପିରେଟୋରୀ ଡିସଟ୍ରେସ୍ ସିଣ୍ଡ୍ରୋମ୍ ଭଳି ଆଶଙ୍କା ଥାଏ।

ଯେଉଁ ଡାଏବେଟିସ୍‌ ରୋଗୀଙ୍କର ରକ୍ତ ଶର୍କରା ନିୟନ୍ତ୍ରଣରେ ନ ଥାଏ ତଥା ବୟସ୍କ ବ୍ୟକ୍ତି ଓ ଅଳ୍ପ ବୟସରେ ଯେଉଁମାନେ ଡାଏବେଟିସ୍‌ରେ ଆକ୍ରାନ୍ତ ହୁଅନ୍ତି ଅଥବା ଯେଉଁ ଡାଏବେଟିସ୍‌ ରୋଗୀଙ୍କର ଯକୃତ, ବୃକକ୍, ଫୁସ୍‌ଫୁସ୍‌ ଓ ହୃଦୟ ସମ୍ବନ୍ଧୀୟ ସମସ୍ୟା ଥାଏ, ସେହି ରୋଗୀଙ୍କ କ୍ଷେତ୍ରରେ ଏହି କରୋନା ଭାଇରସର ସଂକ୍ରମଣ ଅଧିକ ମାତ୍ରାରେ ଦେଖାଦେଇଥାଏ।

ସେହିଭଳି କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ଡାଏବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ଇନ୍ସୁଲିନ୍‌ କ୍ଷରଣ ଦୋଳାୟମାନ ଅବସ୍ଥାରେ ରହିଥାଏ। ଫଳରେ ଡାଏବେଟିସ୍‌ ରୋଗୀଙ୍କଠାରେ ହାଇପୋଗ୍ଲାଇସେମିୟା ଓ ହାଇପରଗ୍ଲାଇସେମିୟା ସମସ୍ୟା ଦେଖାଦିଏ।

healthy lunch

ମଧୁମେହ ରୋଗୀ ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ କରନ୍ତୁ: (A healthy lifestyle leads to a healthy body in Odia)

କୋଭିଡ୍‌-୧୯ ସଂକ୍ରମଣରୁ ମଧୁମେହ ରୋଗୀ ନିଜକୁ ସୁରକ୍ଷିତ ରଖିବା ପାଇଁ ଖାଦ୍ୟପେୟ ଓ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରିବା ଦରକାର। ମଧୁମେହ ରୋଗୀ ଖାଦ୍ୟରେ କାର୍ବୋହାଇଡ୍ରେଟ୍‌ର ମାତ୍ରା କମ୍‌ କରିବା ସହ ଖାଦ୍ୟରେ ତରକାରି, ସାଲାଡ, ଡାଲିଜାତୀୟ ଖାଦ୍ୟ ଅଧିକ ମାତ୍ରାରେ ଖାଇବା ଜରୁରୀ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ହେଲେ ପୁଷ୍ଟିସାରଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ ଖାଇବା ଦରକାର। ଆମିଷ ଖାଉଥିଲେ ମାଂସ ମାଛକୁ ଭଲ ଭାବରେ ଧୋଇ ଭଲ ଭାବରେ ସିଝାଇ ଖାଇବେ।

ନିରାମିଷ ଲୋକେ ପନିର, ସୋୟାବିନ ଖାଇପାରିବେ। ଏହାସହ ସବୁଜ ପନିପରିବା ଓ ଫଳ ଖାଇପାରିବେ। ଲକ୍‌ଡାଉନ୍‌ ସମୟରେ ଯଦି ଘରେ ରହିବାକୁ ପଡ଼ୁଛି, ତେବେ ଘରେ ରହି ବ୍ୟାୟାମ କରିପାରିବେ। ସୁସ୍ଥ ଶରୀର ପାଇଁ ଦିନକୁ ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ ରହିଛି। ମଦ୍ୟପାନ ତଥା ଧୂମପାନରୁ ନିବୃତ୍ତ ରହନ୍ତୁ। ଏହି କୋଭିଡ୍‌-୧୯ ସମୟରେ ଅନ୍ୟ କେଉଁ ସଂକ୍ରମଣ ନ ହେବା ପାଇଁ ଇନ୍‌ଫ୍ଲୁଏଞ୍ଜା ଟିକା ବର୍ଷକୁ ଥରେ ନେବାକୁ ହେବ।

use towel after washing hands

ଡାଏବେଟିସ୍‌ ରୋଗୀ କରୋନା ଭାଇରସ ସଂକ୍ରମଣରୁ ସୁରକ୍ଷିତ ରହିବେ କିପରି? (Staying Safe from Coronavirus with Diabetes in Odia)

ଜଣେ ସାଧାରଣ ବ୍ୟକ୍ତି ଯେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତି, ଜଣେ ଡାଇବେଟିସ୍ ରୋଗୀକୁ ମଧ୍ୟ ସେହି ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବାକୁ ହେବ। ଯେପରିକି-

  • ବାରମ୍ବାର ନିଜ ହାତକୁ ୨୦ସେକେଣ୍ଡ ପର୍ଯ୍ୟନ୍ତ ଘଷି ଘଷି ଧୁଅନ୍ତୁ ବା ୬୦% ଆଲ୍‌କହଲ୍‌ ଯୁକ୍ତ ସାନିଟାଇଜର୍‌ ହାତରେ ରଗଡନ୍ତୁ।
  • ବାରମ୍ବାର ହାତରେ ମୁହଁ, ନାକ, ଆଖିକୁ ସ୍ପର୍ଶ କରନ୍ତୁ ନାହିଁ।
  • ଛିଙ୍କିବା ଓ କାଶିବା ବେଳେ ନିଜ ମୁହଁରେ ଟିସୁ ପେପର୍‌ ବା କପଡା ରଖନ୍ତୁ। ଏସବୁ ଉପଲବ୍ଧ ନଥିଲେ ନିଜ ହାତକୁ ବୁଲାଇ କହୁଣିରେ ମୁହଁକୁ ଘୋଡାନ୍ତୁ। ବ୍ୟବହାର କରିସାରିବା ପରେ ଟିସୁକୁ ଡଷ୍ଟବିନ୍‌ରେ ଫୋପାଡି ଦିଅନ୍ତୁ କିମ୍ବା କପଡାକୁ ଭଲ ଭାବେ ଧୁଅନ୍ତୁ।
  • ଅତ୍ୟାବଶ୍ୟକ ନହେଲେ ଘରୁ ବାହାରନ୍ତୁ ନାହିଁ। ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ କରନ୍ତୁ।
  • କରୋନା ଭାଇରସ ସମୟରେ ଡାଏବେଟିସ୍‌ ରୋଗୀଙ୍କର ଯଦି ଅନ୍ୟ କିଛି ସଂକ୍ରମଣ ବା ଦେହ ଖରାପ ହୁଏ, ତେବେ ସେମାନଙ୍କର ହାଇପରଗ୍ଲାଇସେମିୟା ଅବସ୍ଥା ହୋଇପଡ଼ି ମୁଣ୍ଡ ବିନ୍ଧିବା, ଦୁର୍ବଳ ଲାଗିବା, ଅତ୍ୟଧିକ ଭୋକ, ଶୋଷ, ପରିସ୍ରା ଲାଗିଥାଏ। ଏହାଛଡ଼ା ହାଇପୋଗ୍ଲାଇସେମିୟା ହେଲେ ଭୋକ ଲାଗିବା, ଝାଳ ବୋହିବା, ହୃଦସ୍ପନ୍ଦନ ବଢ଼ିଯାଇ ଅଚେତ ବି ହୋଇଯାଆନ୍ତି। ଏଥିପ୍ରତି ସଜାଗ ରହିବା ଦରକାର। ଏହି ସମୟରେ ଗ୍ଲୁକୋମିଟର ଜରିଆରେ ରକ୍ତସର୍କରା, ରକ୍ତଚାପ, ତାପମାତ୍ରା ବାରମ୍ବାର ମାପିବା ଜରୁରୀ।
  • ଡାଏବେଟିସ୍‌ ରୋଗୀଙ୍କର ଜଳୀୟଅଂଶ କମିଗଲେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏହି ସମୟରେ ଖାଲି ପାଣି, ଲେମ୍ବୁ ଲୁଣ ପାଣି ପିଇପାରିବେ। ଇନ୍‌ସୁଲିନ୍‌ ନେଉଥିଲେ ଡାକ୍ତରଙ୍କ ପରାମର୍ଶ କରି ଠିକ୍‌ ମାତ୍ରାରେ ଇନ୍‌ସୁଲିନ୍‌ ନିଅନ୍ତୁ।
  • କୋଭିଡ୍‌ ୧୯ ସମୟରେ ଡାଏବେଟିସ୍‌ ରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରନ୍ତୁ। ବିନା ଡାକ୍ତରଙ୍କ ପରାମର୍ଶରେ ସୋସିଆଲ ମିଡିଆରୁ ଦେଖି କୌଣସି ଔଷଧ ବ୍ୟବହାର କରନ୍ତୁ ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁନୀଲ କୁମାର କୋଟାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Chronic illness patients such as diabetes have a higher risk of coronavirus infection so they have to be more careful. Let’s find out from endocrinologist Dr. Sunil Kumar Kota how can diabetics deal with corona.