ପଲ୍ଲବୀ ସାବତ

ସକାଳ ଖାଦ୍ୟ ଉପରେ ଆମର ପୂରା ଦିନ ନିର୍ଭର କରିଥାଏ। ସକାଳେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଏବଂ ମସ୍ତିଷ୍କ ଦିନତମାମ ସକ୍ରିୟ ରହିଥାଏ। ତେଣୁ ବ୍ରେକ୍‌ଫାଷ୍ଟରେ ଆପଣ ଓଟ୍‌ସ ଉପମା ଖାଇପାରିବେ, ଯାହା ସ୍ୱାସ୍ଥ୍ୟକର ହେବା ସହ ସୁଆଦିଆ ମଧ୍ୟ।

ଆବଶ୍ୟକୀୟ ସାମଗ୍ରୀ

  • ଓଟ୍‌ସ – ୧ କପ୍‌
  • ଦୁଇ ଚାମଚ ଦେଶୀ ଘିଅ
  • ଗାଜର ୧ଟା
  • ବିନ୍‌ସ ୭ଟା
  • କ୍ୟାପ୍‌ସିକମ୍‌ ୧ଟା
  • ବନ୍ଧାକୋବି ଛୋଟ ଖଣ୍ଡ
  • ଫୁଲକୋବି ଦୁଇ ପାଖୁଡ଼ା
  • ଟମାଟୋ ୧ଟା
  • ଅଳ୍ପ ଗୋଟା ଜୀରା
  • ୪-୫ଟି ଗୋଲାମରିଚ, ଡାଳଚିନି ଗୁଣ୍ଡ
  • ଜୀରାଗୁଣ୍ଡ ଅଧ ଚାମଚ
  • ଗୋଟେ କଞ୍ଚା ଲଙ୍କା
  • ଅଳ୍ପ ଧନିଆ ପତ୍ର

ଅଧିକ ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ହିତକର ଏହି ସୁପ୍‌ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପରିବାଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଗ୍ୟାସ୍‌ ଉପରେ କଡ଼େଇ ବସାଇ ପ୍ରଥମେ ଓଟ୍ସକୁ ଭଲଭାବରେ ଭାଜି ଏକ ପ୍ଲେଟ୍‌କୁ କାଢ଼ିଦିଅନ୍ତୁ। ତା’ପରେ କଡ଼େଇରେ ଦୁଇ ଚାମଚ ଦେଶୀ ଘିଅ ପକାଇ ଗରମ କରନ୍ତୁ। ଏହାପରେ ଏଥିରେ କଞ୍ଚାଲଙ୍କା ଓ ଗୋଟା ଜୀରା ପକାନ୍ତୁ। ଜୀରା ଫୁଟିଗଲେ ପରିବା ପକାନ୍ତୁ। ଏଥିରେ ଆବଶ୍ୟକ ପରିମାଣର ହଳଦୀଗୁଣ୍ଡ ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଗୋଳାନ୍ତୁ। ଏହାକୁ ଏକ ଢାଙ୍କୁଣୀରେ ଘୋଡ଼ାଇ ଦିଅନ୍ତୁ। ମଝିରେ ମଝିରେ ଢାଙ୍କୁଣୀ ଖୋଲି ପରିବାକୁ ଭାଜନ୍ତୁ। ପରିବା ଭାଜି ହୋଇଗଲେ ଏଥିରେ ୩ କପ୍‌ ପାଣି ଦେଇ ଫୁଟାନ୍ତୁ। ତା’ପରେ ଓଟ୍ସ ଓ ମସଲାଗୁଣ୍ଡ ପକାଇ ଗୋଳାନ୍ତୁ ଓ ପାଣି ମରିଗଲେ ଧନିଆ ପତ୍ର ପକାଇ ଗରମ ଗରମ ଖାଆନ୍ତୁ।

ଫାଇଦା

ଓଟ୍‌ସରେ ବିଟାଗ୍ଲୁକୋନ୍‌ ଏବଂ ସେଲିସିକ୍‌ ଭରପୂର ମାତ୍ରାରେ ଥାଏ, ଯାହା ଶରୀରରୁ ଚର୍ବି ହଟାଇବାରେ ସାହାଯ୍ୟ କରେ।

ଓଜନ କମ୍‌ କରିବାକୁ ଚାହୁଁଥିବା ଲୋକମାନେ ବ୍ରେକ୍‌ଫାଷ୍ଟରେ ଓଟ୍‌ସ ଖାଇବା ଦ୍ୱାରା ଲାଭ ମିଳିଥାଏ।

ଏହା ପାଚନକ୍ରିୟାକୁ ତ୍ଵରିତ କରିଥାଏ। ଏଥିସହ ଓଟ୍‌ସରେ ଫାଇବର ମାତ୍ରା ପ୍ରଚୁର ପରିମାଣରେ ଥାଏ।