ଜେଷ୍ଟେସନାଲ ଡାଏବେଟିସ୍‌ ବା ଗର୍ଭାବସ୍ଥାରେ ମଧୁମେହ ରୋଗର କାରଣ, ଲକ୍ଷଣ, ଚିକିତ୍ସା ଏବଂ ସତର୍କତା ବିଷୟରେ ଜାଣନ୍ତୁ। (Gestational diabetes or diabetes during pregnancy in Odia)

diabetes during pregnancy

ଗର୍ଭାବସ୍ଥାର ୯ ମାସ ପ୍ରତ୍ୟେକ ମହିଳାଙ୍କ ପାଇଁ ଖୁବ୍ ଚାଲେଞ୍ଜିଂ ହୋଇଥାଏ। ଏହି ସମୟରେ ସେମାନଙ୍କର ବିଭିନ୍ନ ପ୍ରକାର ଶାରୀରିକ ପରିବର୍ତ୍ତନ ହୋଇଥାଏ। ସେହି ପରିବର୍ତ୍ତନ ଯୋଗୁଁ କିଛି ଶାରିରୀକ ସମସ୍ୟା ମଧ୍ୟ ଆସିଥାଏ। ସେଥିମଧ୍ୟରେ ମଧୁମେହ ଅନ୍ୟତମ। ଗର୍ଭାବସ୍ଥାରେ ମଧୁମେହ ହେଲେ ତାକୁ ଜେଷ୍ଟେସନାଲ ଡାଏବେଟିସ୍ ବୋଲି କୁହାଯାଏ। ସେଥିପ୍ରତି ଧ୍ୟାନ ନ ଦେଲେ ମା’ ଓ ଶିଶୁଙ୍କ ଜୀବନ ଉପରେ ବିପଦ ସୃଷ୍ଟି ହୋଇଥାଏ।

ଜେଷ୍ଟେସନାଲ ଡାଏବେଟିସ୍ କଣ? (diabetes during pregnancy in Odia)

ଏହି ଅବସ୍ଥାରେ ଗର୍ଭବତୀ ମହିଳାଙ୍କର ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହୋଇଥାଏ। ତେଣୁ ଶରୀର ପର୍ଯ୍ୟାପ୍ତ ପରିମାଣର ଇନସୁଲିନ୍ ହରମୋନ୍ ସୃଷ୍ଟି କରିପାରେନାହିଁ। ଯେଉଁମାନଙ୍କର ପୂର୍ବରୁ ସୁଗାର ସମସ୍ୟା ନଥାଏ ସେମାନେ ମଧ୍ୟ ଏହାଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି।

କାରଣ (Causes of Gestational diabetes during pregnancy in Odia)

ଗର୍ଭାବସ୍ଥାରେ ମହିଳାଙ୍କ ଶରୀରରେ ବିଭିନ୍ନ ପ୍ରକାର ହରମୋନ୍‌ର ସ୍ତର ବୃଦ୍ଧିଯାଏ। ଏହାଯୋଗୁଁ ସେମାନଙ୍କର ଓଜନ ବଢ଼ିବା ଭଳି ସମସ୍ୟା ଦେଖାଯାଏ। ସେହି ହରମୋନ୍ ବୃଦ୍ଧି ଯୋଗୁଁ ଶରୀରରେ ରକ୍ତଶର୍କରାର ପରିମାଣ ନିୟନ୍ତ୍ରଣରେ ରହେନାହିଁ। କିଛି ମହିଳା ଗର୍ଭାବସ୍ଥାର ଶେଷ ଆଡ଼କୁ ଏହି ସମସ୍ୟା ଭୋଗୁଥିବାବେଳେ କିଛି ଜଣ ଆରମ୍ଭରୁ ଏହାକୁ ସାମ୍ନା କରିଥା’ନ୍ତି।

ଲକ୍ଷଣ (Symptoms of Gestational diabetes during pregnancy in Odia)

-ବହୁତ ଶୀଘ୍ର ଥକି ଯିବା

-ବାରମ୍ବାର ଶୋଷ ଲାଗିବା

-ବହୁଥର ପରିସ୍ରା ଲାଗିବା

-ଦେହ ଅବଶ ଲାଗିବା

-ଆଖିକୁ ଜାଲଜାଲୁଆ ଦେଖାଯିବା

-ମୂତ୍ରାଶୟ, ତ୍ୱଚାରେ ବାରମ୍ବାର ସଂକ୍ରମଣ ହେବା। ଏଭଳି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ସହ ସଂପର୍କ କରିବା ଉଚିତ୍।

କିଭଳି ଜଣାପଡ଼େ

ଡାକ୍ତରମାନେ ସାଧାରଣତଃ ଗର୍ଭାବସ୍ଥାର ୨୪ ସପ୍ତାହରୁ ୨୮ ସପ୍ତାହ ମଧ୍ୟରେ ମଧୁମେହ ପରୀକ୍ଷା କରାଇ ନେବାକୁ କହିଥା’ନ୍ତି। ଏହା ଜାଣିବା ଲାଗି ଓରାଲ ଗ୍ଲୁକୋଜ ଟେଷ୍ଟ କରାଯାଇଥାଏ। ଏହି ପରୀକ୍ଷା ସମୟରେ ଶରୀରର କୋଷିକାଗୁଡ଼ିକ ଗ୍ଲୁକୋଜକୁ ଅବଶୋଷିତ କରିବାରେ କେତେ ସମର୍ଥ ତାହା ଦେଖାଯାଏ। ପରୀକ୍ଷା ସମୟରେ ଗର୍ଭବତୀଙ୍କୁ ଏକ ଲିଟର ପାଣିରେ ୭୫ ଗ୍ରାମ ଶର୍କରା ମିଶାଇ ପିଇବାକୁ ଦିଆଯାଏ। ପରେ ଭିନ୍ନ ଭିନ୍ନ ସମୟରେ ୪ ଥର ରକ୍ତ ନମୂନା ନିଆଯାଏ। ଏହି ପରୀକ୍ଷା କରାଇବାର ୧୦ ଘଣ୍ଟା ପୂର୍ବରୁ କିଛି ଖାଦ୍ୟ ଖାଇବାକୁ ଦିଆଯାଏନାହିଁ।

ବିପଦ କଣ?

-ଗର୍ଭବତୀ ମହିଳାଙ୍କୁ ମଧୁମେହ ହେଲେ ସନ୍ତାନର ଆକାର ସାମାନ୍ୟଠାରୁ ବଡ଼ ହୋଇପାରେ। ଏହାଯୋଗୁଁ ସିଜରିଆନ୍ ଡେଲିଭରିର ଆଶଙ୍କା ବଢ଼େ।

-ମଧୁମେହ ଦ୍ୱାରା ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କର ସମୟ ପୂର୍ବରୁ ପ୍ରସବ ହେବାର ଆଶଙ୍କା ଥାଏ। ଏହାଛଡ଼ା ପିଲାକୁ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ହୋଇପାରେ।

-ଯେଉଁ ମହିଳାମାନଙ୍କୁ ଗର୍ଭାବସ୍ଥାରେ ମଧୁମେହ ଥାଏ ସେମାନେ ଓ ସେମାନଙ୍କର ପିଲାମାନେ ଭବିଷ୍ୟତରେ ଟାଇପ-୨ ମଧୁମେହ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ଥାଏ।

-ଯଦି ଗର୍ଭାବସ୍ଥାରେ ମଧୁମେହର ଚିକିତ୍ସା କରାନଯାଏ ତା’ହେଲେ ମୃତ ସନ୍ତାନ ପ୍ରସବ ହେବାର ବିପଦ ରହେ।

-ଗର୍ଭବତୀ ମଧୁମେହ ଦ୍ୱାରା ଆକ୍ରାନ୍ତ ହେଲେ ଉଚ୍ଚ ରକ୍ତଚାପର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥାଏ।

କେଉଁମାନଙ୍କୁ ହେବାର ଅଧିକ ଆଶଙ୍କା ରହେ

-୨୫ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ଗର୍ଭାବସ୍ଥାରେ ମଧୁମେହ ହେବାର ଆଶଙ୍କା ରହିଥାଏ।

-ଯଦି ପରିବାରରେ ପୂର୍ବରୁ କାହାକୁ ମଧୁମେହ ରୋଗ ଥିବ ତା’ ହେଲେ ଗର୍ଭବସ୍ଥାରେ ମହିଳାଙ୍କୁ ମଧୁମେହ ହୋଇପାରେ।

-ଯଦି ମହିଳାଙ୍କୁ ପୂର୍ବରୁ ମଧୁମେହ ଥାଏ ତା’ ହେଲେ ଗର୍ଭାବସ୍ଥା ସମୟରେ ଏହି ସମସ୍ୟା ବଢ଼ିଯାଏ।

-ଗର୍ଭବତୀ ମହିଳାଙ୍କର ଓଜନ ଅଧିକ ଥିଲେ ତାଙ୍କୁ ମଧୁମେହ ହେବାର ଆଶଙ୍କା ରହେ।

ଚିକିତ୍ସା (Treatment of Gestational diabetes during pregnancy in Odia)

ଗର୍ଭବତୀ ମହିଳାଙ୍କୁ ମଧୁମେହ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରାଯିବା ଆବଶ୍ୟକ। ବିଳମ୍ବ ହେଲେ ଗର୍ଭସ୍ଥ ସନ୍ତାନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ଏହା ଜଣାପଡ଼ିବା ପରେ ସର୍ବପ୍ରଥମେ ମହିଳାଙ୍କୁ ସୁସ୍ଥ ଜୀବନଶୈଳୀ ଏବଂ ସନ୍ତୁଳିତ ଖାଦ୍ୟପେୟ ଗ୍ରହଣ କରିବାକୁ କୁହାଯାଏ। ଗର୍ଭାବସ୍ଥାର ସମୟ ବଢ଼ିବା ସହିତ ତାଙ୍କୁ ଇନସୁଲିନର ଅଧିକ ଆବଶ୍ୟକତା ପଡ଼ିଥାଏ। ସେଥିପାଇଁ ଡାକ୍ତରମାନେ ଇନସୁଲିନ୍ ଇଞ୍ଜେକସନ୍ ଦେଇଥାନ୍ତି। ସାଧାରଣ ମଧୁମେହ ହେଲେ ଦିଆଯାଉଥିବା ଅନେକ ଔଷଧ ଗର୍ଭାବସ୍ଥାରେ ଦିଆଯିବା ସୁରକ୍ଷିତ ହୋଇନଥାଏ। ତେଣୁ ଇନସୁଲିନ୍ ଇଞ୍ଜେକସନ୍ ନେବା ଜରୁରୀ ହୋଇଯାଏ।

diabetes

 

କିଭଳି ରହିବେ ସତର୍କ (Precautions to deal with of Gestational diabetes during pregnancy in Odia)

ସାମାନ୍ୟ ସଚେତନ ରହିଲେ ଗର୍ଭାବସ୍ଥା ସମୟରେ ମଧୁମେହକୁ ନିୟନ୍ତ୍ରଣ କରାଯାଇପାରିବ। ଏଥିପାଇଁ ରକ୍ତ ଶର୍କରାକୁ ବାରମ୍ବାର ଯାଞ୍ଚ କରିବା ଜରୁରୀ। ଆବଶ୍ୟକ ହେଲେ ଦିନରେ ୩-୪ ଥର ଏହାକୁ ଯାଞ୍ଚ କରିପାରିବେ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ।

-ଗର୍ଭଧାରଣ କରିବା ପୂର୍ବରୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଅଧିକ ଫାଇବର ଏବଂ କମ୍ ଚର୍ବିଜାତୀୟ ଖାଦ୍ୟ ଖାଆନ୍ତୁ। ଛଣାଛଣିକୁ ଏଡ଼ାଇ ଯାଆନ୍ତୁ। ଫଳ, କ୍ଷୀର, ଦହି ଖାଇଲେ ସୁଫଳ ମିଳିଥାଏ।

-ଫିଟ୍ ରହିବା ପାଇଁ ବ୍ୟାୟାମ କରିବା ଜରୁରୀ। ଏଥିପାଇଁ ପ୍ରତିଦିନ ୩-୪ କିମି ଚାଲନ୍ତୁ। ସପ୍ତାହରେ ୨-୩ ଦିନ ଯୋଗ ମଧ୍ୟ କରନ୍ତୁ। ଏହା ମାନସିକ ଚାପକୁ କମାଇବ। ତେଣୁ ମଧୁମେହ ହେବାର ଆଶଙ୍କା ବି କମିବ।

-ଗର୍ଭଧାରଣ ପୂର୍ବରୁ ଆପଣଙ୍କର ଓଜନ ଅଧିକ ଥିଲେ ତାକୁ ନିୟନ୍ତ୍ରିତ କରନ୍ତୁ। ଯଦି ଏହା ସତ୍ତ୍ୱେ ମଧ୍ୟ ମଧୁମେହର ଲକ୍ଷଣ ଦେଖାଯାଏ ତା’ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

A women goes through various hormonal changes during her pregnancy. In some cases the sugar level in the body rises during this time which is called as Gestational Diabetes. If not treated in time, it may become fatal for both mother and the child. This article deals with the causes, symptoms, treatment of the disease and how to be careful in managing gestational diabetes and lead to a healthy delivery.