ମଧୁମେହ ହୋଇପାରେ ହୃଦରୋଗର ବଡ଼ କାରଣ।

ମଧୁମେହ ରୋଗୀଙ୍କଠାରେ ହୃଦରୋଗ ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ ଥାଏ। ଏପରିକି ସାଧାରଣ ଲୋକଙ୍କ ଅପେକ୍ଷା ମଧୁମେହ ରୋଗୀଙ୍କୁ ହୃଦରୋଗ ହେବାର ୨-୩ ଗୁଣ ଆଶଙ୍କା ଥାଏ। ବିଶେଷକରି ଟାଇପ-୨ ମଧୁମେହ ଦ୍ୱାରା ଆକ୍ରାନ୍ତ ଲୋକଙ୍କଠାରେ ହୃଦରୋଗର ଆଶଙ୍କା ଅଧିକ ରହେ।

କାରଣ

ମଧୁମେହ ହେଲେ ବ୍ୟକ୍ତିଙ୍କର ରକ୍ତରେ ଶର୍କରାର ପରିମାଣ ଅଧିକ ରହେ। ଦୀର୍ଘଦିନ ଧରି ରକ୍ତରେ ଶର୍କରାର ପରିମାଣ ଅଧିକ ରହିଲେ ଏହା ଆର୍ଟେରୀ ବା ଧମନୀକୁ କ୍ଷତିଗ୍ରସ୍ତ କରିପାରେ। ଏହାଯୋଗୁଁ ଧମନୀ ଶକ୍ତ ହୋଇଯାଏ। ତା’ ମଧ୍ୟରେ ଚର୍ବିଜାତୀୟ ପଦାର୍ଥ (ପ୍ଲକ୍‌)ଜମିଯାଏ। ଏହି ଅବସ୍ଥାକୁ ଆର୍ଟେରିଓସ୍କ୍ଲେରୋସିସ୍ ବୋଲି କୁହାଯାଏ। ଏହାଯୋଗୁଁ ହୃଦୟକୁ ରକ୍ତପ୍ରବାହ ଏବଂ ଅମ୍ଳଜାନ ଯୋଗାଣ ଠିକ୍ ଭାବେ ହୋଇପାରେ ନାହିଁ। ତେଣୁ ହୃଦଘାତ ହେବାର ଆଶଙ୍କା ସୃଷ୍ଟି ହୁଏ। ଆର୍ଟେରିଓସେରୋସିସ୍ ହୃଦଘାତର ପ୍ରମୁଖ କାରଣ। ପୁଣି ଯଦି ଆପଣଙ୍କ ପରିବାରରେ ପୂର୍ବରୁ କାହାର ହୃଦରୋଗ ଥାଏ ତା’ ହେଲେ ଏହି ଆଶଙ୍କା ଆହୁରି ବଢ଼ିଯାଏ।

କେଉଁମାନଙ୍କୁ ଏହା ହେବାର ଅଧିକ ଆଶଙ୍କା ରହେ?

-ମଧୁମେହ ଥିବା ସହ ଯେଉଁମାନଙ୍କର ରକ୍ତଚାପ ଅଧିକ ଥାଏ ସେମାନଙ୍କୁ ହୃଦରୋଗ ହେବାର ଆଶଙ୍କା ୨ ଗୁଣ ଅଧିକ ରହେ। କାରଣ ରକ୍ତଚାପ ଅଧିକ ହେଲେ ଧମନୀରେ ରକ୍ତପ୍ରବାହ ଠିକ୍ ଭାବେ ହୋଇପାରେନାହିଁ।

-ଅଧିକାଂଶ ସମୟରେ ମଧୁମେହ ରୋଗୀଙ୍କର ଶରୀରରେ ଖରାପ କୋଲେଷ୍ଟେରୋଲର ମାତ୍ରା ଅଧିକ ଥାଏ। ଏହାଯୋଗୁଁ ହୃଦରୋଗ ହେବାର ଆଶଙ୍କା ବଢ଼ିଯାଏ।

-ଓବେସିଟି ବା ମୋଟାପଣର ମଧୁମେହ ଏବଂ ହୃଦରୋଗ ସହିତ ସଂପର୍କ ରହିଛି। ଅତ୍ୟଧିକ ମୋଟା ଥିବା ଲୋକଙ୍କ ଶରୀରରେ ରକ୍ତଶର୍କରାର ମାତ୍ରା ଅଧିକ ରହେ। ତେଣୁ ସେମାନଙ୍କୁ ହୃଦରୋଗ ହେବାର ଆଶଙ୍କା ଥାଏ।

-ଆବଶ୍ୟକ ଅନୁସାରେ ଶାରିରୀକ ପରିଶ୍ରମ ନ କଲେ ମଧ୍ୟ ହୃଦରୋଗ ହେବାର ଆଶଙ୍କା ବଢ଼େ। ସେଥିଲାଗି ଟାଇପ୍‌-୨ ମଧୁମେହରେ ଆକ୍ରାନ୍ତ ଲୋକମାନେ ଅଧିକ ଭାବେ ହୃଦରୋଗର ଶିକାର ହୋଇଥାନ୍ତି।

heart attack

ଲକ୍ଷଣ

-ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା

-ସମୟ ସମୟରେ ଅଚେତ ହୋଇଯିବା

-ହାଲିଆ ଅନୁଭବ କରିବା

-ଦେହରୁ ଅତ୍ୟଧିକ ଝାଳ ବାହାରିବା

-କାନ୍ଧ, ଦାନ୍ତର ମାଢ଼ି ଏବଂ ବାମହାତରେ ଯନ୍ତ୍ରଣା

-କାମ କରିବା ସମୟରେ ଛାତି ଯନ୍ତ୍ରଣା

-ବାରମ୍ବାର ବାନ୍ତି ଲାଗିବା

ଚିକିତ୍ସା

ମଧୁମେହ ରୋଗୀଙ୍କୁ ହୃଦରୋଗ ହେଲେ ରୋଗର ସ୍ଥିତି ଦେଖି ସେମାନଙ୍କର ଚିକିତ୍ସା କରାଯାଇଥାଏ। କିଛି କ୍ଷେତ୍ରରେ ରୋଗୀଙ୍କୁ ଓଜନ କମାଇବାକୁ ପରାମର୍ଶ ଦିଆଯାଏ। ରକ୍ତଚାପ, କୋଲେଷ୍ଟ୍ରଲର ସ୍ତର କମାଇବାକୁ ଔଷଧ ଦିଆଯାଏ। ଧମନୀରେ ରକ୍ତଜମାଟ ବାନ୍ଧିଥିଲେ ସେଥିପାଇଁ ମଧ୍ୟ ଔଷଧ ଦିଆଯାଇଥାଏ। ତେବେ ସ୍ଥିତି ଗୁରୁତର ଥିଲେ ଅସ୍ତ୍ରୋପଚାରର ଆବଶକ୍ୟତା ପଡ଼େ।

smoking: say no to smoke

ମଧୁମେହ ଥିଲେ କିପରି ନେବେ ହୃଦୟର ଯତ୍ନ (Take Care of Your Heart When You Have Diabetes in Odia)

-ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରନ୍ତୁ। ଆମେରିକାନ୍ ହାର୍ଟ ଆସୋସିଏସନ୍ ଅନୁସାରେ ସପ୍ତାହରେ ଅତି କମ୍‌ରେ ୫ ଥର ଅଧ ଘଣ୍ଟାଏ ଲେଖାଏଁ ଏରୋବିକ୍ ବ୍ୟାୟାମ କରିବା ଆବଶ୍ୟକ। ଯଦି ଏଥିପାଇଁ ସମୟ ନଥାଏ ତା’ ହେଲେ ଦିନରେ ୩ ଥର ୧୦ ମିନିଟ୍ ଲେଖାଏଁ ବ୍ୟାୟାମ କରିପାରିବେ।

-କୋଲେଷ୍ଟେରୋଲ ଅତ୍ୟଧିକ ବଢ଼ିଗଲେ ହୃଦ୍‌ଘାତର କାରଣ ପାଲଟିଥାଏ। ତାକୁ କମାଇବା ଲାଗି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆବଶ୍ୟକସ୍ଥଳେ ଔଷଧ ଖାଆନ୍ତୁ।

-ଧୂମପାନ, ନିଶାଦ୍ରବ୍ୟ ସେବନ ବନ୍ଦ କରନ୍ତୁ। କାରଣ ଏହାଦ୍ୱାରା ଶରୀରରେ ରକ୍ତପ୍ରବାହ ଠିକ୍ ଭାବେ ହୋଇପାରେ ନାହିଁ।

-ମାନସିକ ଚାପକୁ କମାଇବା ଲାଗି ଯୋଗ, ଧ୍ୟାନ, ପ୍ରାଣାୟମ ପ୍ରଭୃତି ଉପରେ ଗୁରୁତ୍ୱ ଦିଅନ୍ତୁ।

-ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଅଧିକ ସାଚ୍ୟୁରେଟଡ୍ ଫ୍ୟାଟ୍‌, ଟ୍ରାନ୍ସଫ୍ୟାଟ୍ ଥିବା ଖାଦ୍ୟକୁ ନା କୁହନ୍ତୁ। ଲୁଣ, ମାଂସ, ଅଣ୍ଡା ପ୍ରଭୃତିକୁ ଖାଇବା କମାଇ ଦିଅନ୍ତୁ। ଫାଇବର ଜାତୀୟ ଖାଦ୍ୟ ଯେପରିକି ପନିପରିବା, ଫଳକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।

-ଯଦି ଆପଣଙ୍କର ଓଜନ ଅଧିକ ଥାଏ ତା’ ହେଲେ ତାକୁ କମାଇବା ଜରୁରୀ। ଏହାଦ୍ୱାରା ରକ୍ତରେ ଶର୍କରାର ପରିମାଣ କମିବା ସହିତ ରକ୍ତଚାପ ବି କମିଯିବ।

-୩୫ ବର୍ଷ ପରେ ବର୍ଷକୁ ଥରେ ହୃଦୟର ପରୀକ୍ଷା କରାଇ ନିଅନ୍ତୁ। ପ୍ରତ୍ୟହ ୭-୮ ଘଣ୍ଟା ଶୁଅନ୍ତୁ।

(Diabetes has been the cause of heart disease in many individuals. Diabetes and heart care tips in Odia.)