କରୋନାର ଦ୍ୱତୀୟ ଷ୍ଟ୍ରେନ୍‌ରେ ଯୁବକମାନେ ବେଶୀ ଆକ୍ରାନ୍ତ ହେଉଛନ୍ତି – ଡାକ୍ତର ବିଜୟ ପାଣିଗ୍ରାହୀ।

କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ରେ ଯୁବଗୋଷ୍ଠୀ ଅଧିକ ସଂକ୍ରମିତ ହେଉଛନ୍ତି। ଏପରିକି ୧୮ ବର୍ଷରୁ କମ୍‌ ବୟସ୍କ ଆକ୍ରାନ୍ତ ମାମଲା ଅଧିକ ଆସୁଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏକଥା କହିଛନ୍ତି।

‘‘କରୋନାର ପ୍ରଥମ ଲହରିରେ ବୟସ୍କ ଲୋକ ଅଧିକ ସଂକ୍ରମଣ ହେଉଥିଲେ। ଏବେ ବୟସ୍କ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ଦେଖାଯାଉଛି। କାରଣ ଯେଉଁ ବୟସ୍କମାନେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛନ୍ତି ସେମାନଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇଛି। ସେମାନେ ଆଉ ଦ୍ୱିତୀୟ ଥର ସଂକ୍ରମିତ ହେଉନାହାନ୍ତି। ତେଣୁ ଏବେ ଯୁବକମାନେ ଅଧିକ ସଂକ୍ରମିତ ହେଉଛନ୍ତି। ମହାରାଷ୍ଟ୍ରରେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮ ପ୍ରତିଶତ କେବଳ ଯୁବକ ଅଛନ୍ତି’’, କହିଛନ୍ତି ବିଜୟ ପାଣିଗ୍ରାହୀ।

ସେ କହିଛନ୍ତି ଯେ, ପ୍ରଥମ ଲହରରେ ଶିଶୁମାନେ ସଂକ୍ରମିତ ହେଉଥିଲେ ବି ସ୍ଥିତି ସଙ୍କଟାପନ୍ନ ନଥିଲା। ହେଲେ ଏହି ଦ୍ୱିତୀୟ ଲହରିରେ ଶିଶୁମାନଙ୍କ ଦେହରେ ଗୁରୁତର ଲକ୍ଷଣ ଦେଖାଦେଉଛି। ତେଣୁ ଯଦି ଠିକ୍‌ ସମୟରେ ସେମାନଙ୍କ ଚିକିତ୍ସା ନକରାଯାଏ ତାହେଲେ ସେମାନଙ୍କ ଜୀବନ ବିପଦଜନକ ହେବାର ଆଶଙ୍କା ଅଧିକ।

କରୋନାର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ବେଶୀ ସଂକ୍ରାମକ ହୋଇଛି। ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାର ଛୁଇଁଛି। କରୋନାରେ ବ୍ରେକ ଲଗାଇବାକୁ ହେଲେ ସଚେତନତା ହିଁ ଏକମାତ୍ର ଉପାୟ। ତେଣୁ ସମସ୍ତେ କରୋନା ନିୟମ ମାନନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ସୌଜନ୍ୟ: ଓଡ଼ିଶାଲାଇଭ୍