ଛୋଟ ପିଲାଙ୍କର ତ୍ୱଚା ଖୁବ୍ କୋମଳ, ସମ୍ବେଦନଶୀଳ ହୋଇଥାଏ। ବିଶେଷକରି ନବଜାତ ଶିଶୁମାନଙ୍କର। ତେଣୁ ସେମାନଙ୍କଠାରେ ଖୁବ୍ ଜଲଦି ଚର୍ମ ରୋଗ ଯେପରିକି ଚର୍ମରେ ଲାଲ ଲାଲ୍ ଦାଗ ହେବା, ଜ୍ୱଳନ, କୁଣ୍ଡେଇ ହେବା ଇତ୍ୟାଦି ସମସ୍ୟା ଦେଖାଯାଏ। ଆସନ୍ତୁ ଜାଣିବା ସେ ସବୁର ନିରାକରଣ ସଂପର୍କରେ…

diaper

ଡାଇପର ଯୋଗୁ ତ୍ୱଚା ଲାଲ ହେବା: ଛୋଟ ପିଲାଙ୍କୁ ବାହାରକୁ ନେବା ସମୟରେ ଡାଇପର ପିନ୍ଧାଇବା ଏକ ସାଧାରଣ କଥା। କିନ୍ତୁ ଦୀର୍ଘ ସମୟ ଧରି ଡାଇପର ପିନ୍ଧିବାଯୋଗୁ ପିଲାମାନଙ୍କର ଡାଇପର ପିନ୍ଧିଥିବା ସ୍ଥାନ ଲାଲ ହୋଇଯାଏ। ବେଳେବେଳେ କୁଣ୍ଡାଇ ମଧ୍ୟ ହୁଏ। ତେଣୁ ପିଲାଟି କାନ୍ଦିଥାଏ। ଏପରିସ୍ଥଳେ ପ୍ରଭାବିତ ସ୍ଥାନରେ କ୍ରିମ ଲଗାନ୍ତୁ। ଅଧିକ ସମୟ ଯାଏ ପିଲା ଯେପରି ଡାଇପର ନ ପିନ୍ଧିବ ସେଥିଲାଗି ପ୍ରୟାସ କରନ୍ତୁ। ନିୟମିତ ବ୍ୟବଧାନରେ ଡାଇପର ବଦଳାନ୍ତୁ।

baby skin problem

ତ୍ୱଚାରେ ଛୋଟ ଛୋଟ ଦାଗ: ନବଜାତ ପିଲାମାନଙ୍କର ମୁହଁରେ ବ୍ରଣ ଭଳି ଅନେକ ଦାଗ ହେବା ସ୍ୱାଭାବିକ କଥା। ଏହା ଆସ୍ତେ ଆସ୍ତେ ଠିକ୍ ହୁଏ। ତେବେ ଏହାକୁ ଦେଖି ଭୟଭୀତ ହୋଇ ପିଲାର ମୁହଁକୁ କୌଣସି ଟାୱେଲ ଦ୍ୱାରା ରଗଡ଼ିବା କିମ୍ବା ସେଥିରେ କୌଣସି ପ୍ରକାର ଲୋସନ ଲଗାଇବାର ଭୁଲ କରନ୍ତୁ ନାହିଁ। ମାଇଲ୍ଡ ବେବି ସାବୁନରେ ତାର ମୁହଁକୁ ଧୁଅନ୍ତୁ। ହାଲ୍କା ଭାବେ ମୁହଁକୁ ପୋଛନ୍ତୁ।

eczema

ଏକଜିମା: ଯଦି ଆପଣଙ୍କ ପରିବାରରେ କାହାକୁ ଏକଜିମା କିମ୍ବା ଆଲର୍ଜି ସମସ୍ୟା ଥାଏ ତା’ ହେଲେ ପିଲାକୁ ଏହି ସମସ୍ୟା ହୋଇପାରେ। ଏହାଯୋଗୁ ସାଧାରଣତଃ ଚେହେରାରେ ଛୋଟ ଛୋଟ ଫୋଟକା ଫଳିଯାଇଥାଏ। ଏହା କହୁଣୀ, ବାହୁ କିମ୍ବା ଛାତିରେ ବି ହୋଇପାରେ। ଏହି ସମୟରେ ସାବୁନ କିମ୍ବା ଲୋସନ ଆଲର୍ଜି ଭଳି ପାଶ୍ୱର୍ ପ୍ରତିକ୍ରିୟା ଦେଖାଇଥାଏ। ସେହିପରି ପିଲାଙ୍କ ଲୁଗାଧୁଆ ପାଇଁ ବ୍ୟବହାର ହେଉଥିବା ଡିଟରଜେଣ୍ଟ ଯୋଗୁ ବି ସମସ୍ୟା ହୋଇପାରେ। ଏପରି ହେଳେ ପିଲାଙ୍କ ଲୁଗାପଟାକୁ ଭଲ ଭାବେ ଧୁଅନ୍ତୁ। ଯେପରିକି ଡିଟରଜେଣ୍ଟ ଅଂଶ ବାହାରିଯିବ। କୌଣସି ପ୍ରକାର ସାବୁନ କିମ୍ବା ଲୋସନ ଲଗାଇବା ପରେ ଯଦି ପିଲାର ମୁହଁରେ କିଛି ଫଳିଯିବା ଭଳି ଦେଖାଯାଉଥାଏ ତା’ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

dry skin of baby

ଶୁଷ୍କ ତ୍ୱଚା: ବହୁତ ପିଲାଙ୍କର ତ୍ୱଚା ଜନ୍ମରୁ ଶୁଷ୍କ ହୋଇଥାଏ। ଏହାଯୋଗୁ ତାକୁ କୁଣ୍ଡାଇ ହେବା ଭଳି ସମସ୍ୟା ହୁଏ। ଏପରି ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଲୋସନ ଲଗାନ୍ତୁ।

acne of baby

ଘିମିରି: ଗରମ ଦିନରେ ବହୁତ ଅଧିକ ଝାଳ ବୋହିବା ଯୋଗୁ ପିଲାଙ୍କ ଶରୀରରେ  ଛୋଟ ଛୋଟ ଦାନା ବାହାରିପଡ଼େ। ଏହି ଘିମିରି ଯୋଗୁ ସେମାନେ ଖୁବ୍ କଷ୍ଟ ପାଇଥାନ୍ତି। ତେଣୁ ଏହି ସମୟରେ ପିଲାକୁ ଯଥାସମ୍ଭବ ଶୁଖିଲା ରଖିବାକୁ ଉଦ୍ୟମ କରନ୍ତୁ। ପିଲାକୁ ସୂତାର ଢିଲା ପୋଷାକ ପିନ୍ଧାନ୍ତୁ। ଘିମିରିରୁ ରକ୍ଷା ପାଇବା ଲାଗି ତା ଦେହରେ ମାତ୍ରାଧିକ ପାଉଡ଼ର ବି ପକାନ୍ତୁ ନାହିଁ। କାରଣ ପାଉଡ଼ରର କଣିକା ପ୍ରଶ୍ୱାସ ନେବା ସମୟରେ ତାର ନାକରେ ପଶି ଯାଇପାରେ। ତେଣୁ ୬-୭ ମାସର ହେବା ପରେ ଯାଇ ଶିଶୁକୁ ପାଉଡ଼ର ଲଗାନ୍ତୁ।