loneliness of youngster

-୨୩ରୁ ୩୫ ବର୍ଷୀୟ ଯୁବକମାନେ ଅଧିକ ଏକୁଟିଆ

-୪୪,୦୦୦ ଲୋକଙ୍କୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି

ନିକଟରେ ବିବିସି ଦ୍ୱାରା ସାରା ବିଶ୍ୱରେ ୪୪,୦୦୦ ଲୋକଙ୍କୁ ନେଇ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଆଜିକାଲି ଯୁବପିଢ଼ି ସବୁଠୁ ଅଧିକ ଏକୁଟିଆପଣର ଶିକାର ହେଉଛନ୍ତି। ବିଶେଷକରି ୨୩ରୁ ୩୫ ବର୍ଷୀୟ ଯୁବକମାନେ ନିଜକୁ ଅଧିକ ଏକୁଟିଆ ମନେ କରୁଛନ୍ତି। ଉଚ୍ଚାଭିଳାଷ, ପାରିପାଶ୍ୱିର୍କ ପରିସ୍ଥିତି ନ ସୁହାଇବା ଯୋଗୁ ସେମାନେ ଏକୁଟିଆ ହୋଇଯାଉଥିବାବେଳେ ବାଧ୍ୟହୋଇ ବେଳେବେଳେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ବି ନେଉଛନ୍ତି। ଏପରିସ୍ଥଳେ ସେମାନଙ୍କର ଏଭଳି ଅବସ୍ଥାକୁ ଚିହ୍ନଟ କରିବା ଜରୁରୀ। ତା’ ହେଲେ ଯାଇ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ।

କିଭଳି ଜାଣିବେ:

-ଯଦି ଆପଣଙ୍କ ପିଲା ସକାଳୁ ବିଛଣାରୁ ଉଠିବା ପାଇଁ ଅନିଚ୍ଛୁକ ହୁଏ, ବାରମ୍ବାର ଡାକିଲେ ବିରକ୍ତ ହୁଏ, ସକାଳୁ ଉଠିଲେ ଯଦି ତାକୁ ଥକ୍କା ଲାଗେ ତା’ ହେଲେ ତାର ମାନସିକ ଅବସ୍ଥା ଠିକ୍ ନାହିଁ।

-ଅଧିକାଂଶ ସମୟ ଯଦି ସେ ଏକୁଟିଆ ରହିବାକୁ ପସନ୍ଦ କରୁଥାଏ, ସାଙ୍ଗମାନଙ୍କ ସହ ମିଶିବାକୁ ଯାଉନଥାଏ ତା’ ହେଲେ ପିଲାର ଗତିବିଧିକୁ ଲକ୍ଷ୍ୟ କରନ୍ତୁ।

-ଏଭଳି ପିଲାମାନେ ଛୋଟ ଛୋଟ କଥାରେ ଚିଡ଼ଚିଡ୍ ହୋଇଥାନ୍ତି, ସାମାନ୍ୟ କଥାରେ ରାଗିଯାଇ ଅସନ୍ତୋଷ ପ୍ରକାଶ କରିଥାନ୍ତି

child loneliness

-କାହା ସହିତ ଅଧିକ କଥା ହୋଇନଥାନ୍ତି, ଘର ଲୋକଙ୍କଠାରୁ ବି ଦୂରେଇ ଯାନ୍ତି

– ସାମାଜିକ ଉତ୍ସବରେ ସେମାନେ ଅସହଜ ଅନୁଭବ କରିଥାନ୍ତି

-ନିଦର ଅଭାବ ବା ଭୋକ ନ ଲାଗିବାର ଅଭିଯୋଗ କରିଥାନ୍ତି

-ବାରମ୍ବାର ଦେହ ଖରାପର ଶିକାର ହୋଇଥାନ୍ତି

children+loneliness

କାରଣ କ’ଣ?

ସ୍କୁଲ, କଲେଜ ଏବଂ କାର୍ଯ୍ୟସ୍ଥଳରେ ବର୍ଧିଷ୍ଣୁ ଚାପ ହେଉଛି ଏହି ଏକୁଟିଆପଣର କାରଣ। ପରୀକ୍ଷାରେ ଭଲ କରିବା, କ୍ୟାରିୟରରେ ଆଗକୁ ଯିବା, ଚାକିରି ପାଇଁ ବାରମ୍ବାର ପରୀକ୍ଷା ଦେବା, ଭଲ ଚାକିରି ପାଇଁ ଉଚ୍ଚାଭିଳାଷ ରଖିବା ଇତ୍ୟାଦି ଯୋଗୁ ଛାତ୍ରଛାତ୍ରୀମାନଙ୍କ ଉପରେ ଚାପ ପଡ଼ିଥାଏ। କଲେଜ ଯାଉଥିବା ପିଲାମାନଙ୍କ କଥା କହିଲେ ସେମାନଙ୍କର ସୋସିଆଲ ସର୍କଲ ଖୁବ୍ ବଡ଼ ଥାଏ। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଏପରି ନଥାନ୍ତି ଯାହା ସହିତ ସେ ଏ ବିଷୟରେ କଥା ହୋଇପାରିବ। ସୋସାଲ ମିଡିଆ ମଧ୍ୟ ପିଲାଙ୍କ ମଧ୍ୟରେ ଏକୁଟିଆପଣକୁ ବଢ଼ାଇଥାଏ। ଅନଲାଇନ୍ ଥିବା ସମୟରେ ସେମାନଙ୍କୁ ବହୁତ ବନ୍ଧୁ ମିଳିଥାନ୍ତି, ତେଣୁ ସେ ପ୍ରାଥମିକ ଭାବେ ଖୁସି ହୋଇଯାଏ। ଧୀରେ ଧୀରେ ଯେତେବେଳେ ଏହା ସୁପରଫିସିଆଲ୍ ବୋଲି ସେ ଅନୁଭବ କରେ ସେତେବେଳେ ଏକୁଟିଆ ହୋଇଯାଏ।

-ବାପା ମା’ ଉଭୟ ଚାକିରି କରିବା ମଧ୍ୟ ଏଥିପାଇଁ କିଛି ପରିମାଣରେ ଦାୟୀ। ସେମାନେ କର୍ମଜୀବୀ ହୋଇଥିବାରୁ ପିଲାକୁ ଯଥେଷ୍ଟ ସମୟ ଦେଇପାରନ୍ତି ନାହିଁ । ଫଳରେ ପିଲାଦିନରୁ ହିଁ ପିଲାଟି ଏକୁଟିଆ ହୋଇଯାଇଥାଏ।

-ସେହିପରି ଚାକିରି କରିବା ପରେ ମଧ୍ୟ ପଦୋନ୍ନତି, ଅନ୍ୟମାନଙ୍କ ତୁଳନାରେ ଆଗକୁ ନ ଯାଇ ପାରିବା ଫଳରେ ଯୁବକମାନେ ଅବସାଦଗ୍ରସ୍ତ ହୋଇପଡ଼ନ୍ତି। ଧୀରେ ଧୀରେ ଏହି ଚାପ ସେମାନଙ୍କୁ ଲୋକମାନଙ୍କଠାରୁ ଦୂରେଇ ନିଏ।

-ଗବେଷକମାନଙ୍କ ମତରେ ଆଜିକାଲିର ଫାଷ୍ଟ ଲାଇଫ୍ରେ ମଧ୍ୟ ଲୋକମାନେ ଭାବନାଶୂନ୍ୟ ହୋଇଯାଉଛନ୍ତି। କାହାରିକୁ ଭେଟିବା, କଥାବାର୍ତ୍ତା କରିବାକୁ ସେମାନେ ସମୟର ଅପଚୟ ବୋଲି ମନେ କରୁଛନ୍ତି। ବିଶେଷକରି ଯୁବପିଢ଼ି କାହାକୁ ନ ଭେଟି ଅନଲାଇନ୍ରେ ସମୟ ବିତାଉଥିବାରୁ ଏଭଳି ସମସ୍ୟା ହେଉଛି।

-ଏହାଛଡ଼ା ୨୦ ବର୍ଷ ପରେ ଯୁବପିଢ଼ିଙ୍କର ଶାରିରୀକ ଓ ମାନସିକ କ୍ଷେତ୍ରରେ ଖୁବ୍ ପରିବର୍ତ୍ତନ ହୋଇଥାଏ। ତା’ ସହିତ ତାଳ ଦେଇ ଜୀବନରେ ମଧ୍ୟ ଖୁବ୍ ଶୀଘ୍ର ପରିବର୍ତ୍ତନ ହୋଇଥାଏ। ଯେପରିକି କଲେଜରୁ କ୍ୟାରିୟର କରିବା, ଅଫିସ୍ ଯିବା, ଗୋଟିଏ ସହରରୁ ଅନ୍ୟ ସହରକୁ ସ୍ଥାନାନ୍ତରିତ ହେବା, ପାରିବାରିକ ଦାୟିତ୍ୱ ବଢ଼ିବା ଇତ୍ୟାଦି। ଏସବୁ ପରିବର୍ତ୍ତନ ମଧ୍ୟରେ ଆଡଜଷ୍ଟ ହେବା ସେମାନଙ୍କ ପାଇଁ କଷ୍ଟକର ହୋଇଯାଉଛି।

କ’ଣ କରିବେ:

ପ୍ରଥମେ ପରିସ୍ଥିତିର ବିଶ୍ଳେଷଣ କରନ୍ତୁ । କ’ଣ ପାଇଁ ଆପଣ ଏକୁଟିଆପଣ ଶିକାର ହୋଇଛନ୍ତି ତାହା ବୁଝିବାକୁ ଚେଷ୍ଟା କରନ୍ତୁ।

-ଏପରି ୪-୫ ଜଣ ଲୋକଙ୍କ ତାଲିକା ପ୍ରସ୍ତୁତ କରନ୍ତୁ ଯେଉଁମାନଙ୍କୁ ଆପଣ ସବୁଠୁ ଅଧିକ ବିଶ୍ୱାସ କରୁଥିବେ। ସେମାନଙ୍କୁ ମନର କଥା କହିପାରିବେ। ଯେତେବେଳେ ଏକୁଟିଆ ଅନୁଭବ କରିବେ ସେମାନଙ୍କୁ ଫୋନ୍ କରନ୍ତୁ, ଆପଣଙ୍କୁ ଭଲ ଲାଗିବ।

trust

-ଅନଲାଇନ୍ ଆକ୍ଟିଭିଟିକୁ କମ୍ କରନ୍ତୁ। ସୋସାଲ୍ ମିଡିଆ ସହ ଯୋଡ଼ିହେବା ପୂର୍ବରୁ ଆପଣ କ’ଣ କରୁଥିଲେ ତାକୁ ମନେ ପକାଇ ସେ କାମ କରନ୍ତୁ।

-କେତେବେଳେ ବି ଏକୁଟିଆ ରୁହନ୍ତୁ ନାହିଁ। ନୂଆ ଲୋକଙ୍କୁ ଭେଟନ୍ତୁ। ସେମାନଙ୍କର ନକରାତ୍ମକ ଗୁଣକୁ ଧ୍ୟାନ ଦେବା ପୂର୍ବରୁ ସେମାନଙ୍କର ଭଲ ଗୁଣ ଉପରେ ଫୋକସ୍ କରନ୍ତୁ। ଏହାଦ୍ୱାରା ସଂପର୍କ ଉପରେ ଆପଣଙ୍କର ବିଶ୍ୱାସ ଆସିବ।

-ଯଦି ଏସବୁ ସତ୍ତେ୍ୱ ଆପଣଙ୍କୁ ଏକୁଟିଆ ଲାଗୁଥାଏ ତା’ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ପରିବାର ଲୋକେ ସହାୟତା କରିପାରିବେ

ପରିବାରର କୌଣସି ସଦସ୍ୟ ଯଦି ଏଭଳି ମାନସିକ ସ୍ଥିତି ଦେଇ ଯାଉଥାନ୍ତି ତା’ ହେଲେ ତାଙ୍କର ସହାୟତା କରନ୍ତୁ। ସବୁ ପ୍ରକାର ସ୍ଥିତିରେ ଆପଣ ଯେ ତାଙ୍କ ସହିତ ଅଛନ୍ତି ଏହା ତାଙ୍କୁ ହୃଦୟଙ୍ଗମ କରାନ୍ତୁ। ସେମାନଙ୍କ ସହ କ୍ୱାଲିଟି ସମୟ ବିତାନ୍ତୁ। ଯେପରିକି ସେମାନେ ମନଖୋଲି ନିଜର କଥା କହିପାରିବେ। ସେମାନଙ୍କର ମନୋଦଶାକୁ ନେଇ ଅଚାନକ କୌଣସି ନିର୍ଣ୍ଣୟରେ ପହଞ୍ଚନ୍ତୁ ନାହିଁ। ସେମାନଙ୍କ ଉପରେ କୌଣସି ପ୍ରକାର ଚାପ ପକାନ୍ତୁ ନାହିଁ।