ପାଟି ଭିତରେ ଯେଉଁ କର୍କଟ ହୁଏ ତାହାକୁ ମୁଖ ଗହ୍ୱର କର୍କଟ ବା ଓରାଲ୍ କେଭିଟି କ୍ୟାନସର କୁହାଯାଏ। ଏହା କେମିତି ହୁଏ, ଏହାର ଲକ୍ଷଣ ଓ ଚିକିତ୍ସା.. ଜାଣନ୍ତୁ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସରୋଜ କୁମାର ଦାସ କ’ଣ କହୁଛନ୍ତି।

ସମଗ୍ର ଦେଶ ତଥା ରାଜ୍ୟରେ ବହୁ ସଂଖ୍ୟାରେ ଲୋକ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହା ଉଭୟ ପୁରୁଷ ଓ ମହିଳାଙ୍କୁ ହୋଇପାରେ। କିନ୍ତୁ ପୁରୁଷମାନଙ୍କ ମଧ୍ୟରେ ଅଧିକ ପରିଲକ୍ଷିତ ହୁଏ ମୁଖ କର୍କଟ ରୋଗ ବା ଓରାଲ୍ କେଭିଟି କ୍ୟାନ୍ସର୍।

ମୁଖ ଗହ୍ୱର କର୍କଟର କାରଣ

  • ପାନ, ବିଡ଼ି, ତମାଖୁ, ଗୁଟ୍‌ଖା, ସିଗାରେଟ୍ ତଥା ମଦ୍ୟପାନ ମୁଖ କର୍କଟର କାରଣ ସାଜିଥାଏ।
  • ଅତ୍ୟଧିକ ମଦ୍ୟପାନ ଶରୀରର ବିଭିନ୍ନ ଅଙ୍ଗ ପାଇଁ ହାନିକାରକ ହେବା ସହିତ ମୁଖ କର୍କଟର କାରଣ ହୋଇପାରେ।
  • ଅତ୍ୟଧିକ ଧୂମପାନ ବା ହୁକ୍କାକୁ ପାଟିରେ ପୁରାଇ ଫୁଙ୍କିବା, କୋଇଲା ହୁକ୍କା, ନିଆଁ ଲଗାଇ ତିଆରି ହେଉଥିବା ପାନ ଯାହାକୁ ଆମେ ‘ଫାୟାର୍ ପାନ’ ବୋଲି କହିଥାଉ, ଏହିପରି ଯେକୌଣସି ତମାଖୁ ସେବନ କଲେ ମୁଖ କର୍କଟ ହେବାର ଆଶଙ୍କା ସୃଷ୍ଟି କରେ।
  • ପାନରେ ଥିବା ଗୁଆ ହିଁ କ୍ୟାନ୍ସରର ମୁଖ୍ୟ କାରଣ ହୋଇପାରେ। ଗୁଆରେ ଅତ୍ୟଧିକ ପରିମାଣରେ “କାର୍ସିନୋଜେନସ୍” ରହିଛି।

world cancer day

କେଉଁ ବୟସର ଲୋକଙ୍କୁ ମୁଖ ଗହ୍ୱର କର୍କଟ ହେବାର ଆଶଙ୍କା ଅଧିକ?

୨୦ ବର୍ଷରୁ ୭୦ ବର୍ଷ ମଧ୍ୟରେ ଥିବା ସମସ୍ତ ବୟସବର୍ଗଙ୍କୁ ମୁଖ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ପାଟିର କେଭିଟିରେ ଭିନ୍ନ ଭିନ୍ନ କୋଷିକା ରହିଛି। ଏହି କୋଷିକାଗୁଡ଼ିକ କ୍ୟାନସର୍ କୋଷରେ ପରିବର୍ତ୍ତନ ହୋଇଥାଏ। ତେବେ ୨୦ ବର୍ଷର ଯୁବକ-ଯୁବତୀଙ୍କୁ ଧୀରେ ଧୀରେ ଏହି କ୍ୟାନସର ହୋଇଥାଏ। ବୟସ ବଢ଼ିବା ସହ ଏହାର ପ୍ରଭାବ ଦ୍ରୁତଗତିରେ ବ୍ୟାପିଥାଏ।

ଲଗାତାର ୧୦ ବର୍ଷ ଗୁଡ଼ାଖୁ ଘଷିବା ତଥା ଘଣ୍ଟା ଘଣ୍ଟା ଗାଲ କଳରେ ଖଇନିକୁ ଜାକି ରଖିଲେ ବି ଦାନ୍ତ ମାଢ଼ିରେ କ୍ୟାନସର୍ ହୋଇଥାଏ, ଯାହାକୁ ବକଲ୍ କ୍ୟାନସର୍ ମଧ୍ୟ କୁହାଯାଏ।

ତମାଖୁ ସେବନର ଅଭ୍ୟାସରୁ ଦୂରେଇ ରହିଲେ ମୁଖ କର୍କଟର ଆଶଙ୍କାକୁ ୭୦ରୁ ୮୦ ଭାଗ କମ୍ କରିଦିଏ। ତମାଖୁ ଖାଉଥିବା ସମୟରେ ପାଟିଲେ ବ୍ୟାପିଥିବା କ୍ୟାନ୍ସର ସେଲକୁ ଚିକିତ୍ସାରେ ଠିକ୍‌ କରାଯାଇପାରେ।

ସିଗାରେଟ୍ ତଥା ତମାଖୁ ସେବନ କରୁ ନ ଥିବା ବ୍ୟକ୍ତିବିଶେଷଙ୍କୁ ଓରାଲ୍ କେଭିଟି କ୍ୟାନ୍ସର୍ କିମ୍ବା ବକଲ୍ କେଭିଟି କ୍ୟାନ୍ସର୍ ହେବା ସମ୍ଭାବନା ବହୁତ କମ୍ ପରିମାଣରେ ଥାଏ। ତେବେ ଧୂମପାନ କରୁଥିବା ବ୍ୟକ୍ତିକୁ ବକଲ୍ କେଭିଟି କ୍ୟାନ୍ସର୍ ବା ପାଟିରେ କ୍ୟାନ୍ସର୍ ହେବା ସୁନିଶ୍ଚିତ। ଏହା ପାଟିର ଯେଉଁ ଚର୍ମ ଅଛି ତାହା ଉପରେ  ନିର୍ଭର କରେ। ଏହା ବଦଳି “ମେଟାପ୍ଲେସିଆ” ପରିବର୍ତ୍ତନ ହୋଇଯାଏ। ମେଟାପ୍ଲେସିଆ ଅର୍ଥ ଗୋଟିଏ ଜିନିଷ ପରିବର୍ତ୍ତନ ହୋଇ ଆଉ ଏକ ଜିନିଷ ହୋଇଯିବ।

ମୁଖ ଗହ୍ୱର କର୍କଟ ଲକ୍ଷଣ

ବିଭିନ୍ନ କ୍ଷେତ୍ରରେ କ୍ୟାନସର୍ ଭଳି ଦେଖାଯାଉଥିବା ଘା’ ପ୍ରକୃତରେ କ୍ୟାନସର୍ ହୋଇ ନଥାଏ। ଯଦି ୨-୩ ଦିନ ହେଲା ଗୁଟଖା ବା ତମାଖୁ ଖାଉଥିଲେ ଅନ୍ୟ କୌଣସି ସଂକ୍ରମଣ କିମ୍ବା ଡାଇବେଟିସ୍ ରୋଗ ଲକ୍ଷଣ ହୋଇପାରେ। କିନ୍ତୁ କେତେକ କ୍ଷେତ୍ରରେ ପାଟିରେ ହୋଇଥିବା ଘା’ ମୁଖ କର୍କଟ ରୋଗର ପ୍ରଥମ ସୋପାନ ବି ହୋଇଥାଏ।

ମୁଖ ଗହ୍ୱର କର୍କଟର ବିଭିନ୍ନ ପ୍ରକାର ଲକ୍ଷଣ ରହିଛି। ଯେପରିକି,

  • ପାଟିରେ ଛୋଟ ଛୋଟ ଘା’ ହେବା କିମ୍ବା ପାଟିରେ ନ ଶୁଖୁଥିବା ଘା’
  • ଜିଭରେ ଘା’ ହେବା
  • ପାଟି କଳରେ ଘା’ ହେବା
  • ଓଠ ପାଖରେ ଫଙ୍ଗଲ୍ ଇନ୍‌ଫେକସନ୍ ହେବା
  • ଘା’ ନ ଶୁଖିବା

ଏଭଳି କ୍ଷେତ୍ରରେ ଡାକ୍ତରଙ୍କୁ ରୋଗୀର ପୂର୍ବ ଇତିହାସ ତଥା ସେ କରାଇଥିବା ଯେକୌଣସି ଉପଚାର ବିଷୟରେ ପ୍ରଥମେ ଜାଣିବା ନିହାତି ଜରୁରି। ସେଥିରୁ ହିଁ ବ୍ୟକ୍ତିକୁ ମୁଖ ଗହ୍ୱର କର୍କଟ ହୋଇଛି କି ନାହିଁ ଜଣାପଡ଼େ।

ଏଥିରେ ରୋଗୀର ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼େ। ଯେମିତିକି, ସେ ପାନ, ବିଡ଼ି, ସିଗାରେଟ୍ କିମ୍ବା ଅନ୍ୟକୌଣସି ତମାଖୁ ଖାଉଛି କି ନାହିଁ। ଖାଉଥିଲେ କେତେ ବର୍ଷ ହେଲା ଖାଉଛି? କେତେ ପରିମାଣରେ ଖାଉଛି? ତମାଖୁ ବା ଗୁଟଖା ଖାଇବା ପରେ ପରେ ସିଗାରେଟ୍ ସେବନ କରୁଛି କି? ଦିନ ସାରା ପାଟି କଳରେ ଖଇନି ଜାକି ରଖୁଛନ୍ତି କି? କେତେ ଦିନ ହେଲା ଘା’ଟି ଶୁଖୁନି।

ଯଦି ୨୫ ବର୍ଷ ହେଲା ଗୁଟ୍‌ଖା କି ତମାଖୁ ଖାଉଛନ୍ତି, ତେବେ ପ୍ରଥମେ କ୍ୟାନସରର ଲକ୍ଷଣ ବୋଲି ଅନୁମାନ କରାଯାଏ। ଏହାପରେ ସେହି ଘା’ର ମାଂସ ପରୀକ୍ଷା କରାଯାଏ।

ଚିକିତ୍ସା

ମୁଖ ଗହ୍ୱର କର୍କଟ ବା ଓରାଲ କେଭିଟି କ୍ୟାନ୍ସରର ଚିହ୍ନଟ ହେବା ପରେ ପ୍ରଥମେ ରୋଗୀର ଗଳା, ପାଟି ବିଭାଗରେ ଥିବା ସ୍କିନ୍‌କୁ ବିଶେଷଜ୍ଞ (ହେଡ୍ ଆଣ୍ଡ୍ ନେକ୍ ଅନ୍‌କୋଲୋଜି ବିଭାଗ)ଙ୍କ ପାଖକୁ ପଠାଯାଏ। ଏହି ବିଭାଗରେ କ୍ୟାନ୍ସର୍ ସମ୍ବନ୍ଧୀୟ ବିଭିନ୍ନ ଯନ୍ତ୍ରପାତି ରହିଛି ଯେଉଁଥିରେ ରୋଗୀର ସମ୍ପୂର୍ଣ୍ଣ ପରୀକ୍ଷଣ କରାଯାଇ ବାୟୋପ୍ସି କରାଯାଏ। ବାୟୋପ୍ସିରୁ ରୋଗୀର କ୍ୟାନ୍ସର୍ ହୋଇଛି ନା ନାହିଁ ଆଉ କେଉଁ ସୋପାନରେ ରହିଛି। ସେହି ସୋପାନ ଅନୁଯାୟୀ ଉପଚାର ହୁଏ।

କ୍ୟାନସର୍ ଯେଉଁ ସ୍ତରରେ ବି ଥାଉ ପ୍ରଥମେ ତାର ସ୍କାନ କରାଯାଏ। ରେଡିଓଲୋଜି ଥେରାପିରେ କେଉଁ ଆଡ଼େ କୁଆଡେ କ୍ୟାନସର ବ୍ୟାପିଛି ତାହା ଜଣାପଡ଼େ। ଜିଭ, ପାଟି, ଗଳା ଆଦି ଜାଗା ବ୍ୟତୀତ ଯଦି ଆଉ କୌଣସି ଅଙ୍ଗକୁ ବ୍ୟାପି ନଥାଏ ତେବେ ଅସ୍ତ୍ରୋପଚାରକୁ  ହିଁ ପ୍ରଥମ ପ୍ରାଥମିକତା ଦିଆଯାଏ।

ପାଟି, ନାକ, ଗଳାରେ ହୋଇଥିବା କର୍କଟକୁ ଭଲ ହୋଇପାରେ। ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। କିନ୍ତୁ ରୋଗଟି କେଉଁ ସୋପାନରେ ରହିଛି ତାହା ଜାଣିବା ଜରୁରୀ।

ଯେକୌଣସି ମୁଖ କର୍କଟର ପ୍ରଥମ ଉପଚାର ହେଲା ସର୍ଜରୀ।  ହିଷ୍ଟୋପାଥୋଟିକାଲ୍ ବା ମାଂସ ପରୀକ୍ଷା, ରେଡିଓ ଥେରାପି ତଥା କେମୋ ଥେରାପି ପରେ ଅସ୍ତ୍ରୋପଚାର କରାଯାଏ।

ଯଦି ଅସ୍ତ୍ରୋପଚାର ନ ହୋଇପାରେ ତେବେ ପ୍ରଥମେ କେମୋ ଥେରାପି କରାଯାଏ। ଏହାକୁ “ନ୍ୟୁ ଆଡ୍ ଜୁଭାଣ୍ଟ୍ କିମୋ ଥେରାପି” କୁହାଯାଏ । ପରୀକ୍ଷଣ କରିବା ପରେ ସର୍ଜରୀ କରାଯାଇପାରେ।

ଧୁମପାନ କଲେ ‘ନାଜୋଫେରିଙ୍ଗ କ୍ୟାନ୍ସର୍’ ହୁଏ। ଏହି କ୍ୟାନସର୍‌ ହେବା ଫଳରେ ବେକରେ ଗେଟା ପଡ଼େ। ବ୍ରେଷ୍ଟ୍ କ୍ୟାନ୍ସର୍ ଓ ଲଙ୍ଗ୍ କ୍ୟାନ୍ସରରେ ବି ବେକରେ ଗେଟା ପଡ଼େ।

ନାଜୋଫେରିଙ୍ଗ୍‌ସ, ଓରୋଫେରିଙ୍ଗସ୍, ହାଇପୋଫେରିଙ୍ଗ୍‌ସ ଗଳାର ତଳ ଭାଗରେ ରହିଥାଏ। ଏହି ତିନିଟାରେ କ୍ୟାନ୍ସର୍ ହେଲେ “କନ୍‌କରେଣ୍ଟ୍ କେମୋ ରେଡିଏସନ୍” କରାଯାଏ। କନ୍‌କରେଣ୍ଟ୍ କେମୋ ରେଡିଏସନ୍ ଅର୍ଥ ରେଡିଓ ଥେରାପି ଓ କେମୋ ଥେରାପି ଏକା ସାଙ୍ଗରେ କରାଯାଏ। ପ୍ରଥମେ କେମୋ ଥେରାପି ଦିଆଯାଏ ଓ ତା’ ପରେ ୫ ମିନିଟ୍ ଲାଇଟ୍ ପକାଇ ରେଡିଏସନ୍ ଦିଆଯିବ। ଏହି ଥେରାପି ସପ୍ତାହକୁ ଥରେ ହୁଏ।