କାହିଁକି ହୁଏ ଅଣ୍ଟା ବିନ୍ଧା? ଏଥିରୁ କେମିତି ପାଇବେ ମୁକ୍ତି? ବିଶିଷ୍ଟ ରୁମାଟୋଲୋଷ୍ଟି ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Back Pain: Causes, Symptoms and treatment in Odia)


ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ, ବର୍ତ୍ତମାନ ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଅଣ୍ଟା ବିନ୍ଧା ସମସ୍ୟା। ଆଧୁନିକ ଜୀବନଶୈଳୀ ଏବଂ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ରହିବା ଯୋଗୁଁ ଏହି ସମସ୍ୟା ବଢ଼ିବାରେ ଲାଗିଛି।

ଆମ ଚର୍ମ ତଳେ ମାଂସପେଶୀ ଅଛି ଏବଂ ତା’ ତଳେ ମେରୁଦଣ୍ଡ ହାଡ଼ ରହିଛି। ଏହା ଭିତରେ ଡିସ୍କ ରହିଛି। ମେରୁଦଣ୍ଡ ହାଡ଼ ପାର୍ଶ୍ଵରୁ ବହୁତଗୁଡ଼ିଏ ସ୍ନାୟୁ ଗୋଡ଼କୁ ଯାଇଛି। ମେରୁଦଣ୍ଡ ହାଡ଼ ଭିତରେ ଥିବା କେନାଲ ଭିତରେ ସୁଷୁମ୍ନାକାଣ୍ଡ ବା ସ୍ପାଇନାଲ କର୍ଡ ଯାଇଛି। ଏଥିରେ କୌଣସି ସମସ୍ୟା ହେଲେ ଅଣ୍ଟା ବିନ୍ଧା ହୋଇପାରେ।

back pain

ଅଧିକ ପଢ଼ନ୍ତୁ: ଆର୍ଥ୍ରାଇଟିସ୍ ରୋଗୀ କ’ଣ ଖାଇବେ?

ଅଣ୍ଟା ବିନ୍ଧାର କାରଣ (Causes of Back Pain in Odia)

୯୦ ପ୍ରତିଶତ କ୍ଷେତ୍ରରେ ଅଣ୍ଟା ବିନ୍ଧାର ମୁଖ୍ୟ କାରଣ ହେଉଛି ମାଂସପେଶୀଜନିତ। ଅଧିକ ସମୟ ବସି ରହୁଥିଲେ, ଭୁଲ ଶୈଳୀରେ ବସି ରହି କାମ କରୁଥିଲେ, ଅଧିକ ସମୟ ଗାଡ଼ି ଚଳାଉଥିଲେ ଅଣ୍ଟାବିନ୍ଧା ହୋଇଥାଏ। ଏହାକୁ ମାଂସପେଶୀଜନିତ ଅଣ୍ଟା ବିନ୍ଧା କୁହାଯାଏ।

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ବା ଆର୍ଥାଇଟିସ୍‌ ରୋଗ ଯୋଗୁଁ ସୁଷୁମ୍ନାକାଣ୍ଡ ଓ ମେରୁଦଣ୍ଡ ପାଖରେ ଥିବା ସାକ୍ରୋଇଲିଆକ୍ ଜଏଣ୍ଟରେ ଯନ୍ତ୍ରଣା ହୁଏ, ଯାହାକୁ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ ବୋଲି କହୁ।

ବୃଦ୍ଧାବସ୍ଥାରେ କ୍ଷୟଜନିତ ସମସ୍ୟା ଯୋଗୁଁ ବିନ୍ଧାଛିଟ୍‌କା ହୋଇଥାଏ। କେତେକ କ୍ଷେତ୍ରରେ ବୃଦ୍ଧାବସ୍ଥାରେ ମେରୁଦଣ୍ଡର କେନାଲର ଡାଇମିଟର କମିଯାଏ, ଯାହା ଯୋଗୁଁ ସୁଷୁମ୍ନାକାଣ୍ଡ ଚିପି ହୋଇଯାଏ ବା ମେଣୁଦଣ୍ଡ ପାର୍ଶ୍ୱରୁ ଗୋଡ଼ ଆଡ଼େ ଯାଇଥିବା ସ୍ନାୟୁଗୁଡ଼ିକ ଚିପି ହୋଇଯିବା ଫଳରେ ଅଣ୍ଟାରୁ ବିନ୍ଧା ଆରମ୍ଭ ହୋଇ ଗୋଡ଼ ଆଡ଼େ ବ୍ୟାପିଥାଏ, ଯାହାକୁ ସିଆଟିକା ବୋଲି କହିଥାଉ।

ଡିସ୍କ ପ୍ରୋଲାପ୍ସ ଯୋଗୁଁ ମଧ୍ୟ ଅଣ୍ଟା ବିନ୍ଧା ହୋଇଥାଏ। ବେଳେ ବେଳେ ଭାରୀ ଜିନିଷ ଉଠାଇବା ବେଳେ ଡିସ୍କ ପ୍ରୋଲାପ୍ସ ହୋଇଯାଏ। ଫଳରେ ଯନ୍ତ୍ରଣା ଲାଗିରହେ।

ଏହାଛଡ଼ା ଯକ୍ଷ୍ମା କାରଣରୁ ମଧ୍ୟ ଅଣ୍ଟା ବିନ୍ଧା ହୋଇପାରେ। ଯକ୍ଷ୍ମା ଯୋଗୁଁ ସ୍ପାଇନ୍‌ରେ ସଂକ୍ରମଣ ହୋଇ ମେରୁଦଣ୍ଡ ହାଡ଼ରେ ପୂଜ ହୋଇ ଏହା ସ୍ନାୟୁ ଉପରେ ପ୍ରଭାବ ପକାଇପାରେ।

ଗର୍ଭବତୀ ମହିଳାଙ୍କର ଅଣ୍ଟା ଯନ୍ତ୍ରଣା ହୋଇଥାଏ। କାରଣ ଗର୍ଭଧାରଣ ପରେ ପେଟର ଓଜନ ବଢ଼ିଯାଏ ଓ ଅଣ୍ଟାର ମାଂସପେଶୀ ଉପରେ ପ୍ରଭାବ ପଡ଼େ। ଏଭଳି କ୍ଷେତ୍ରରେ ମସାଜ କଲେ ଆରାମ ମିଳିଥାଏ।

ଅଧିକ ପଢ଼ନ୍ତୁ: ଆର୍ଥ୍ରାଇଟିସ୍ ସମସ୍ୟା କ’ଣ? କେମିତି କରିବେ ଚିକିତ୍ସା

ଅଣ୍ଟା ବିନ୍ଧାର ଲକ୍ଷଣ କ’ଣ? (Symptoms of Back Pain in Odia)

ମେକାନିକାଲ ଓ ଇନ୍‌ଫ୍ଲାମେଟୋରି କାରଣ ଯୋଗୁଁ ଅଣ୍ଟା ବିନ୍ଧା ହୋଇପାରେ। ଏହାର ଅର୍ଥ ହେଲା ଆପଣଙ୍କୁ ବିଶ୍ରାମ ନେବା ପରେ ଯନ୍ତ୍ରଣା ବେଶୀ ହେଉଛି ଏବଂ କାମ କରିବା ପରେ ଭଲ ଲାଗୁଛି କିମ୍ବା କାମ କଲା ପରେ ଯନ୍ତ୍ରଣା ବେଶୀ ହେଉଛି ଏବଂ ବିଶ୍ରାମ ନେବା ପରେ ଉପଶମ ମିଳୁଛି। ସାଧାରଣତଃ ଇନ୍‌ଫ୍ଲାମେଟୋରି ଆର୍ଥାଇଟିସ୍‌ ବା ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍‌ରେ ଭୋର ୫ରୁ ୬ଟାରେ ନିଦ ଭାଙ୍ଗିଯାଏ ଓ କଡ଼ ଲେଉଟିବା ବେଳେ କଷ୍ଟ ହୁଏ। ଶୀତଦିନେ ଏହି ସମସ୍ୟା ଅଧିକ ଦେଖାଯାଏ। ଯେମିତି ଆପଣ କାମଦାମ ଆରମ୍ଭ କରିବେ ସେମିତି ଯନ୍ତ୍ରଣା କମି କମିଯିବ। ଏହା ସାଧାରଣତଃ ଯୁବାବସ୍ଥାରେ ଦେଖାଦିଏ।

ଅଧିକାଂଶ ବୟସ୍କ ଲୋକମାନେ ବସିଥିବା ଅବସ୍ଥାରେ କୌଣସି ଯନ୍ତ୍ରଣା ଅନୁଭୂତ କରନ୍ତି ନାହିଁ, ହେଲେ ଅଧିକ ସମୟ ଧରି ଠିଆ ହୋଇ ରହିଲେ ବା ଚାଲିବା ଆରମ୍ଭ କଲେ ଯନ୍ତ୍ରଣା ହୋଇଥାଏ, ଯାହାକୁ ଲୁମ୍ବର ସ୍ପାଇନାଲ ଷ୍ଟେନୋସିସ୍‌ କୁହାଯାଏ। ଏହା ସାଧାରଣତଃ ବୟସ ଅଧିକା ହେଲେ ମେରୁଦଣ୍ଡ ଭିତରେ ଥିବା କେନାଲ ମଧ୍ୟରେ ଡାଏମିଟର କମିଯାଇ ସ୍ପାଇନାଲ କର୍ଡ ଚିପିହୋଇଯାଏ। ଯେଉଁଥିପାଇଁ ଚାଲିଲେ ବା ବେଶୀ ସମୟ ଠିଆ ହେଲେ ଯନ୍ତ୍ରଣା ହୁଏ ଓ ବସିଲେ ଭଲ ହୋଇଯାଏ।

ମୁଖ୍ୟତଃ ମାଂସପେଶୀଜନିତ ଓ ଡିସ୍କ ପ୍ରୋଲାପ୍ସ ଯୋଗୁଁ ଅଣ୍ଟା ଯନ୍ତ୍ରଣା ହୋଇଥାଏ।

କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ? (When to consult a doctor in Odia)

ଯଦି ଇନ୍‌ଫ୍ଲାମେଟୋରୀ ଆର୍ଥାଇଟିସ୍‌ ଯୋଗୁଁ ଅଣ୍ଟା ଯନ୍ତ୍ରଣା ହେଉଛି, ତେବେ ରୁମାଟୋଲୋଜି ଡାକ୍ତରଙ୍କୁ ଦେଖାଇବା ଦରକାର। ଯଦି ଅତ୍ୟଧିକ ଅଣ୍ଟା ବିନ୍ଧା ହୋଇ ଗୋଡ଼ ଆଡ଼କୁ ବିନ୍ଧା ଯାଉଛି ବା ଏହି ବିନ୍ଧା ଯୋଗୁଁ ଆପଣ ଚାଲିବୁଲି ପାରୁନାହାନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

ଯଦି ସ୍ନାୟୁ ଜନିତ ସମସ୍ୟା ଦେଖାଦେଉଛି, ଯେପରିକି ଆପଣ ଚାଲିବା ବେଳେ ବରଫ ଉପରେ ବା ତୁଳା ଉପରେ ଚାଲିବା ଭଳି ଅନୁଭୂତ ହୁଏ ବା ଗୋଡ଼ ଘୋଷାଡ଼ି ଚାଲୁଛନ୍ତି, ତେବେ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରିବା ଦରକାର।

ଯଦି ଓଜନ ହ୍ରାସ ପାଉଛି ବା ତା’ ସାଙ୍ଗରେ ଜ୍ୱର ଆସୁଛି ବା ତା’ସହ ସିଭିୟର ଅଣ୍ଟା ଯନ୍ତ୍ରଣା ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଜରୁରୀ।

ଅଧିକ ପଢ଼ନ୍ତୁ: କୋଭିଡ୍ ପଜିଟିଭ୍‌ ଥିଲେ କ’ଣ କରିବେ?

ଅଣ୍ଟା ବିନ୍ଧା ହେଲେ କେଉଁ ପରୀକ୍ଷା କରାଯାଏ? (Diagnosis of Back Pain in Odia)

୯୦ ପ୍ରତିଶତ କ୍ଷେତ୍ରରେ ଅଣ୍ଟା ବିନ୍ଧା ପାଇଁ କୌଣସି ପରୀକ୍ଷାର ଆବଶ୍ୟକତା ପଡ଼ିନଥାଏ। କେବଳ ରୋଗୀଙ୍କ ଲକ୍ଷଣ ଓ ଜୀବନଶୈଳୀକୁ ଦେଖି ଜାଣିହୁଏ ଯେ, ଅଣ୍ଟା ଯନ୍ତ୍ରଣା ମାଂସପେଶୀଜନିତ କି ନୁହେଁ। ଏଥିରେ ଏକ୍ସରେ ଓ ଏମ୍‌ଆର୍‌ଆଇର ଦରକାର ପଡ଼ିନଥାଏ।

ଏହାଛଡ଼ା କ୍ରୋନିକ୍‌ ଅଣ୍ଟା ଯନ୍ତ୍ରଣା ହେଲେ ଇଏସ୍‌ଆର୍‌, ସିଆର୍‌ପି ଭଳି ପରୀକ୍ଷା କରାଯାଏ। ଯଦି ଇଏସ୍‌ଆର୍‌ ୧୦୦ ଉପରେ ଅଛି, ତେବେ ଏହା ଟିବି ବା କ୍ୟାନ୍‌ସରର ଲକ୍ଷଣ ହୋଇପାରେ।

ବୟସ୍କ ବ୍ୟକ୍ତିଙ୍କର ପିଏସ୍‌ଏ (ପ୍ରୋଷ୍ଟେଟ୍‌ ସ୍ପେସିଫିକ୍‌ ଆଣ୍ଟିଜେନ୍‌)ପରୀକ୍ଷା କରାଯାଏ। ଏହା ଅଧିକ ଥିଲେ ପ୍ରୋଷ୍ଟେଟ୍‌ରେ କୌଣସି ସମସ୍ୟା ଥିବା ନେଇ ସନ୍ଦେହ କରାଯାଏ।

ବିଶ୍ରାମ ନେବା ପରେ ଅଣ୍ଟା ଯନ୍ତ୍ରଣା ହେଲେ ଏମ୍‌ଆର୍‌ଆଇ ପରୀକ୍ଷା କରାଯାଏ। ଏହି ପରୀକ୍ଷାରେ ହାଡ଼ ସହିତ ଡିସ୍କ ଓ ସ୍ନାୟୁର ଅବସ୍ଥା ଜାଣିପାରିଥାଉ। 

ଅଣ୍ଟା ବିନ୍ଧାର ଚିକିତ୍ସା (Treatment of Back Pain in Odia)

୯୦ ପ୍ରତିଶତ କ୍ଷେତ୍ରରେ ଅଣ୍ଟାବିନ୍ଧା ପାଇଁ କୌଣସି ଚିକିତ୍ସାର ଆବଶ୍ୟକତା ନାହିଁ। ଯଦି ମାଂସପେଶୀ ଜନିତ ଯନ୍ତ୍ରଣା ହେଉଛି, ତେବେ ଜୀବଶୈଳୀରେ ପରିବର୍ତ୍ତନ ଆଣିବାକୁ ହେବ। ଓଜନକୁ ନିୟନ୍ତ୍ରଣ ରଖିବା ଦରକାର, ନିୟମିତ ବ୍ୟାୟାମ କରିବା ଜରୁରୀ, ଅଧିକ ସମୟ ଧରି ଗାଡ଼ି ଚଳାଉଥିଲେ ତାକୁ କମଥ କରିବା ଦରକାର।

ବେଶୀ ସମୟ ବସି ରହି କାମ କରୁଥିଲେ ଅଣ୍ଟାର ମାଂସପେଶୀ ଦୁର୍ବଳ ହୋଇ ଅଣ୍ଟା ଯନ୍ତ୍ରଣା ହୋଇଥାଏ। ତେଣୁ ବସି ରହି କାମ କରୁଥିଲେ ଘଣ୍ଟେ ଦେଢ଼ ଘଣ୍ଟା ମଝିରେ ବ୍ରେକ୍‌ ନେବେ। କମ୍ପ୍ୟୁଟର ଆଗରେ ବେଶୀ ସମୟ କାମ କରୁଥିଲେ ମନିଟରକୁ ଆଖି ସାମ୍ନାରେ ରଖିବା ଦରକାର।

ପ୍ରତିଦିନ ସକାଳେ ୩୦ ମିନିଟ୍‌ ଯୋଗ କରିବା ଦରକାର। ତାହାହେଲେ ମାଂସପେଶୀଜନିତ ଯନ୍ତ୍ରଣା ଦୂରେଇପାରିବେ।

(ସ୍ୱାସ୍ଥ୍ୟ  ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜ୍ୟୋତି ରଞ୍ଜନ ପରିଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: This information on Back pain, in Odia language, is based on an extensive interview with Rheumatologist Dr. Jyoti Ranjan Parida.

ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରୁମଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ (ଆର୍ଥ୍ରାଇଟିସ ସ୍ପେଶିଆଲିଷ୍ଟ)। ଆର୍ଥ୍ରାଇଟିସ ରୋଗ ଓ ଏହା ଚିକିତ୍ସା କ୍ଷେତ୍ରରେ ତାଙ୍କର ଦୀର୍ଘ ଦିନର ଅନୁଭୂତି ରହିଛି। ବର୍ତ୍ତମାନ ଡାକ୍ତର ପରିଡ଼ା ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ +91-9338653086 ନମ୍ବରରେ କଲ୍ କରିପାରିବେ।