ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ

କୋଭିଡ ସମୟରେ ବଚିଳିତ ନହୋଇ ନୂଆ ଯୋଜନା ବା ନୂଆ ବାଟ ଖୋଜିବାକୁ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।

‘‘କୋଭିଡ୍ ମହାମାରୀ ଆମ ସମସ୍ତଙ୍କ ପାଇଁ ଏକ କଠିନ ପରିସ୍ଥିତି ସୃଷ୍ଟି କରିଛି। ତେବେ ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ବିଚଳିତ ହେବା ନାହିଁ। ଆମକୁ ସ୍ଵୀକାର କରିବାକୁ ହେବ ଯେ, ଆମ ଏକ କଷ୍ଟକର ସ୍ଥିତି ଦେଇ ଗତିକରୁଛେ। ଏହା ମଧ୍ୟ ଜାଣିବା ଦରକାର କି, କଷ୍ଟ ପରିସ୍ଥିତି ଆମକୁ ଅଧିକ ମଜଭୁତ କରେ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ମଧ୍ୟ କରେ। ତେଣୁ ଏହି କୋଭିଡ୍ ମହାମାରୀକୁ ଡରିଯିବା ନାହଁ। ଏହାକୁ ମୁକାବିଲା କରିବା ପାଇଁ ଆମକୁ ଯୋଜନା କରିବାକୁ ହେବ। ନୂଆ ଉପାୟ ଖୋଜିବା ଏବଂ ଆଗାମୀକାଲି ପାଇଁ ପ୍ରସ୍ତୁତ ହେବା’’, ‘କେତେ ନୂଆ ବାଟ’ ଭିଡିଓ ସିରିଜରେ ସାମିଲ ହୋଇ ଯୁବବର୍ଗଙ୍କୁ ଏହି ସନ୍ଦେଶ ଦେଇଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।

କୋଭିଡ୍‌ ସମୟରେ ସଚେତନତା ବାଣ୍ଟିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ୍‌’ର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ ଏହାର ନଲେଜ୍ ପାର୍ଟନର ରହିଛି। ଏଥିରେ ସୁବ୍ରତ ବାଗ୍‌ଚୀ ଯୋଡ଼ି ହୋଇ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇଛନ୍ତି।

‘‘ଜୀବନ ଯେତେବେଳେ କଷ୍ଟ ପରିସ୍ଥିତି ଦେଇ ଚାଲୁଛି, ଆମକୁ ଗୋଟିଏ କଥା ଭାବିବାକୁ ପଡ଼ିବ ଯେ ଏହା ପଛରେ ବଡ଼ ଉଦ୍ଦେଶ୍ୟ ରହିଛି । କଷ୍ଟ ପରିସ୍ଥିତି ଜୀବନରେ ଏକ ଜିମ୍‌ ପରି। ଆମେ ଯେତେବେଳେ ଜିମ୍‌ ଯାଉଛନ୍ତି ସେତେବେଳେ କ’ଣ ଆମକୁ ସୁଖ ଲାଗୁଛି? ତଥାପି ଆମେ ଯାଉଛନ୍ତି। ଜିମ୍‌ରେ ବଳ ଖଟାଉଛନ୍ତି, ଝାଳ ବୁହାଉଛନ୍ତି। ଆମକୁ ଯେତିକି କଷ୍ଟ ହେଉଛି ଆମେ ସେତିକି ଭାବୁଛନ୍ତି ଯେ ଆମେ ଜିତୁଛନ୍ତି’’, ଯୁବବର୍ଗଙ୍କୁ ପ୍ରେରଣା ଦେଇ ଏଭଳି କହିଛନ୍ତି ସୁବ୍ରତ ବାଗ୍‌ଚୀ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଯେକୌଣସି କଷ୍ଟ ପରିସ୍ଥିତିର ମୁକାବିଲା କରିବା ପାଇଁ ଆମକୁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଯୋଜନା କଲେ ଆମେ ନୂଆ ଉପାୟ ପାଇବା। ଉପାୟ ଖୋଜି ନୂଆ କଥା ଶିଖିବା। ତା’ଦ୍ୱାରା ଆମେ କଠିନ ପରିସ୍ଥିତିର ମୁକାବିଲା କରିବା’’।

କରୋନା ଯାଗୁଁ ସ୍କୁଲ, କଲେଜ ବନ୍ଦ ରହିଛି। ପିଲାଙ୍କ ପାଠପଢ଼ାରେ ବାଧା ଉପୁଜିଛି। କିନ୍ତୁ ଏ ପରିସ୍ଥିତରେ ବ୍ୟସ୍ତ ନହୋଇ ପଡ଼ୋଶୀ କିମ୍ବା ଆଖ ପାଖରେ ଯଦି କେହି ଶିକ୍ଷକ ବା ବିଦ୍ୱାନ ବ୍ୟକ୍ତି ଥାଆନ୍ତି ତାହେଲେ ତାଙ୍କର ସାହାଯ୍ୟ ନେବା। ମଣିଷ ଆଗକୁ ବଢ଼ିବା ପାଇଁ ଅନେକ ରାସ୍ତା ଅଛି। ତେଣୁ ଆମକୁ ହିଁ ବାଟ ଖୋଜିବାକୁ ପରାମର୍ଶ ଦେଇଥିଲେ ବାଗ୍‌ଚୀ।

‘‘ଏହି ପରିସ୍ଥିତିରେ ଆମେ ଯଦି ଅନ୍ୟର କଷ୍ଟ ଦେଖିବା ତାହେଲେ ତାଙ୍କ ତୁଳନାରେ ନିଜ କଷ୍ଟ କମ୍‌ ଲାଗିବ। ଆମେ ନିଶ୍ଚୟ ଭାବେ ଗୋଟିଏ ନୂତନ ଭବିଷ୍ୟତର ନକ୍ସା ବା ମାନଚିତ୍ର ଆଙ୍କି ଆଗକୁ ବଢ଼ିପାରିବା’’, କହିଛନ୍ତି ବାଗ୍‌ଚୀ।

ସେହିପରି ଲୋକଙ୍କୁ ଏ କୋଭିଡ ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ସହିତ ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ କହିଥିଲେ ବାଗ୍‌ଚୀ।

କୋଭିଡ ସମୟରେ ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, କରୋନା ଯୋଦ୍ଧାଙ୍କ କାହାଣୀ, ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ, ୟୁନିସେଫର ଭୂମିକା ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜିନ୍ ୨। ଏଥିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତକାର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍ଏମ୍‌ରେ ରବିବାର ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣୁଛନ୍ତି। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେଉଛି।