ପିଲାମାନଙ୍କୁ ସ୍ତନ୍ୟପାନ କରାଇବାର କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ। କିନ୍ତୁ ବିଭିନ୍ନ କାରଣ ଯୋଗୁ ମା’ ମାନଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବାକୁ ପଡ଼ିଥାଏ। ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଜରୁରୀ ସ୍ତନ୍ୟପାନର ସମୟସୀମା କେତେ ରହିବା ଆବଶ୍ୟକ ଆସନ୍ତୁ ସେ ବିଷୟରେ ଜାଣିବା।

mothers milk for baby

ପିଲାଙ୍କୁ କେବେଯାଏଁ ସ୍ତନ୍ୟପାନ କରାଇବା ଆବଶ୍ୟକ ସାଧାରଣତଃ ତାକୁ ନେଇ ମା’ ମାନଙ୍କ ମନରେ ଦ୍ୱନ୍ଦ୍ୱ ରହିଥାଏ। ପ୍ରାଥମିକ ଭାବେ ପିଲାଟିକୁ ଦିନରାତି ସ୍ତନ୍ୟପାନ କରାଇବାକୁ ହୋଇଥାଏ। ଛଅମାସ ପରେ ସେ ବାହାର ଖାଦ୍ୟ ଖାଇବା ଆରମ୍ଭ କରିବା ପରେ ଆପଣ ସ୍ତନ୍ୟପାନ କମ୍ କରିପାରିବେ। ଏହାଦ୍ୱାରା ଶିଶୁଟି ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା କମିଯାଏ। ଅବଶ୍ୟ କେତେଦିନ ଯାଏ ପିଲାକୁ ସ୍ତନ୍ୟପାନ କରାଇବେ ତାହା ମା’ ମାନଙ୍କ ଉପରେ ନିର୍ଭର କରିଥାଏ। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ୨ ବର୍ଷ ଯାଏ ଅନ୍ୟ ଖାଦ୍ୟ ସହିତ ପିଲାକୁ ମା’ କ୍ଷୀର ଖୁଆଇବା ଖୁବ୍ ଭଲ।

breast pump for baby

କର୍ମଜୀବୀ ହୋଇଥିଲେ: ଅନେକ କର୍ମଜୀବୀ ମହିଳାଙ୍କୁ ପ୍ରସବ ସମୟରେ ୬-୯ ମାସ ଯାଏ ଛୁଟି ମିଳିଥାଏ। ତେଣୁ ଚାକିରିରେ ପୁଣି ଯୋଗ ଦେବାପରେ ସେମାନେ ପିଲାକୁ ସ୍ତନ୍ୟପାନ କରାଇବା ସମ୍ଭବ ହୁଏନାହିଁ। ଡାକ୍ତରମାନଙ୍କ ଅନୁସାରେ କର୍ମଜୀବୀ ମହିଳାମାନେ ଛଅମାସର ହେବା ମଧ୍ୟରେ ପିଲାକୁ ଶିଝା ଖାଦ୍ୟ ଖୁଆଇବା ଅଭ୍ୟାସ କରିବା ଆବଶ୍ୟକ। ଏହାଦ୍ୱାରା ପିଲା ଆଉ ଭୋକରେ ରହିବ ନାହିଁ। ଆପଣ ଚାହିଁଲେ ବ୍ରେଷ୍ଟପମ୍ପ ଜରିଆରେ କ୍ଷୀର ବାହାର କରି ସୁରକ୍ଷିତ ଭାବେ ରଖିପାରିବେ। ପରେ ତାକୁ ବୋତଲରେ ଭରି ପିଲାକୁ ପିଆଇହେବ।

baby

ପିଲାର ଦାନ୍ତ ଉଠିଲେ: ଛଅରୁ ୭ ମାସ ମଧ୍ୟରେ ପିଲାର ଦାନ୍ତ ଉଠିବା ଆରମ୍ଭ ହୋଇଥାଏ। ଏହି ସମୟରେ ଆପଣ ଧୀରେ ଧୀରେ ସ୍ତନ୍ୟପାନ କମ୍ କରିବା ଆରମ୍ଭ କରିପାରିବେ। ଯାହାଫଳରେ କି ପିଲାଟି ବିକଳ୍ପ ଖାଦ୍ୟ ଖାଇବାର ଅଭ୍ୟାସରେ ପଡ଼ିଯିବ।

ପିଲା ୧ ବର୍ଷର ହୋଇଗଲେ: ପିଲା ବର୍ଷକର ହୋଇଗଲେ ସ୍ତନ୍ୟପାନ ବନ୍ଦ କରିବାର ତାହା ଉପଯୁକ୍ତ ସମୟ। ଦ ନ୍ୟାସନାଲ ହେଲଥ ଆଣ୍ଡ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ଅନୁସାରେ ଶିଶୁକୁ ୧ ବର୍ଷ ଯାଏ ସ୍ତନ୍ୟପାନ କରାଇବା ଯଥେଷ୍ଟ। ଅବଶ୍ୟ ମା’ ଓ ଶିଶୁ ଫିଟ୍ ଥିବାଯାଏ ଏହା କରାଗଲେ କିଛି ଅସୁବିଧା ନାହିଁ।

mother breastfeeding

ମା’ର ସ୍ୱାସ୍ଥ୍ୟ ମଧ୍ୟ ଜରୁରୀ: ଯଦି ଆପଣ ଶାରିରୀକ ଭାବେ ସୁସ୍ଥ ନୁହନ୍ତି କିମ୍ବା କୌଣସି ଔଷଧ ସେବନ କରୁଛନ୍ତି ତା’ ହେଲେ ଆପଣଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବା ଆବଶ୍ୟକ। ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ ଦହି, ଚିଜ୍, ପନିର, ସବୁଜ ପନିପରିବା, ମାଣ୍ଡିଆ, ଅଣ୍ଡା ନିଶ୍ଚିତ ଭାବେ ଖାଆନ୍ତୁ।