• ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ  ‘କେତେ ନୂଆ ବାଟ’
  • ଏଥରର ପ୍ରସଙ୍ଗ – ‘କୋଭିଡ୍‌ ସମୟରେ ଗଣମାଧ୍ୟମ’
  • କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଅଙ୍ଗେନିଭା କାହାଣୀ
  • ୟୁନିସେଫ୍‌ର କମ୍ୟୁନିକେସନ ଆଡଭୋକେସି ଏବଂ ପାର୍ଟନରସିପ୍‌ ସ୍ପେଶାଲିଷ୍ଟଙ୍କ ପରାମର୍ଶ

kete nua bata episode 7

କୋଭିଡ୍‌-୧୯ ସଙ୍କଟ ବେଳେ ଗଣମାଧ୍ୟମର ରହିଛି ପ୍ରମୁଖ ଭୂମିକା। ଖବରକାଗଜ, ରେଡିଓ, ଟେଲିଭିଜନ, ଡିଜିଟାଲ ଏବଂ ସୋସିଆଲ ମିଡିଆରେ ବାରମ୍ବାର କରୋନା ସମ୍ପର୍କୀତ ସଚେତନତା ବାର୍ତ୍ତା ପ୍ରଚାର କରାଯାଉଥିଲା। ଗତ ୪ ମାସ ତଳେ କରୋନା ସମ୍ପର୍କରେ ଲୋକମାନେ ଯାହା ଜାଣି ନଥିଲେ ଏବେ ସମସ୍ତେ ଏ ବିଷୟରେ ସଚେତନ ଅଛନ୍ତି। ତେବେ ଏହି ସଙ୍କଟ ବେଳେ ଗଣମାଧ୍ୟମ କେମିତି ତାର ଦାୟିତ୍ୱ ଏବଂ ଭୂମିକା ନିର୍ବାହ କରିଥିଲା ତାହା ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ର ସପ୍ତମ ଅଧ୍ୟାୟରେ ସ୍ଥାନ ପାଇଛି।

ୟୁନିସେଫ୍‌ର କମ୍ୟୁନିକେସନ ଆଡଭୋକେସି ଏବଂ ପାର୍ଟନରସିପ୍‌ ସ୍ପେଶାଲିଷ୍ଟ ରାଧିକା ଶ୍ରୀବାସ୍ତବ କରୋନା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ କାମକୁ ପ୍ରଶଂସା କରିଛନ୍ତି। ଏହାସହ କରୋନା ବେଳେ ଗ୍ରାଉଣ୍ଡ ରିପୋର୍ଟିଂ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଅଙ୍ଗେନିଭା କାହାଣୀ ଏଥର ଉପସ୍ଥାପନ କରାଯାଇଛି। ଲୋକକଳା ମାଧ୍ୟମରେ ଲୋକମାନଙ୍କ ପାଖରେ ସଚେତନତାଧର୍ମୀ ବାର୍ତ୍ତା ପହଞ୍ଚାଇବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କ’ଣ ପଦକ୍ଷେପ ନେଇଛି ସେ ବିଷୟରେ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କ୍ୟାମ୍ପେନ ‘କେତେ ନୂଆବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ଏକ ସମୟରେ ପ୍ରସାରଣ ହେବ।

kete nua bata

ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ରେ ପ୍ରତି ଅଧ୍ୟାୟରେ ନୂଆ ନୂଆ ବିଷୟ ଏବଂ କୋଭିଡ୍‌ ଯୋଦ୍ଧାମାନଙ୍କ କାହାଣୀ ସ୍ଥାନ ପାଇଥାଏ। ଜୁଲାଇ ୧୨, ରବିବାର ସକାଳ ସାଢ଼େ ୧୦ଟାରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା ‘କେତେ ନୂଆ ବାଟ’ର ସପ୍ତମ ଅଧ୍ୟାୟରେ କୋଭିଡ୍‌ ସମୟରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରାଯାଇଛି।

‘‘ସାରା ବିଶ୍ୱକୁ କରୋନା ମହାମାରୀ କବଳିତ କରି ରଖିଛି। ଏଭଳି ସମୟରେ ନିଜ ରାଜ୍ୟ, ଦେଶର କରୋନା ସ୍ଥିତି ସମ୍ପର୍କରେ ଟିକିନିଖି ଖବର ଜାଣିବାକୁ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। ଗଣମାଧ୍ୟମ ହିଁ ଏହି ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶ୍ୱ ସମେତ ଦେଶ ଏବଂ ରାଜ୍ୟର କରୋନା ଚିତ୍ରକୁ ଲୋକଙ୍କ ସାମ୍ନାରେ ସଠିକ୍‌ ଭାବେ ଉପସ୍ଥାପନ କରିବାରେ ଗଣମାଧ୍ୟମ ନିଜର ଦାୟିତ୍ୱ ନିର୍ବାହ କରି ଆସୁଛି। କରୋନା ମହାମାରୀ ବେଳେ ଡିଜିଟାଲ ମିଡିଆର ମଧ୍ୟ ଭୂମିକା ଯଥେଷ୍ଟ ଆଗରେ। ଘରେ ବସି ନିଜ ମୋବାଇଲ ଫୋନ୍‌ରେ କରୋନା ସମ୍ପର୍କୀତ ଖବର ଏହି ମାଧ୍ୟମ ଜରିଆରେ ଲୋକେ ପାଇପାରୁଛନ୍ତି। ଓଡ଼ିଶାରେ ମଧ୍ୟ ଗଣମାଧ୍ୟମ ନଜ କର୍ତ୍ତବ୍ୟ ଠିକ୍‌ ଭାବେ ସମ୍ପାଦନ କରିଛି। ରାଜ୍ୟ ସରକାର ମଧ୍ୟ ମିଡିଆ ଜରିଆରେ ଲୋକମାନଙ୍କ ପାଖରେ କରୋନା ଖବର ପହଞ୍ଚାଉଛନ୍ତି। କରୋନା ସଙ୍କଟ ବେଳେ ଗଣମାଧ୍ୟମ ଲୋକମାନଙ୍କର ସ୍ୱର ପାଲଟିଯାଇଛି’’, କହିଛନ୍ତି ୟୁନିସେଫ୍‌ର କମ୍ୟୁନିକେସନ ଆଡଭୋକେସି ଏବଂ ପାର୍ଟନରସିପ୍‌ ସ୍ପେଶାଲିଷ୍ଟ ରାଧିକା ଶ୍ରୀବାସ୍ତବ।

radhika srivastav_kete nua bata

କରୋନା ମହାମାରୀ ମିଡିଆ ଶିଳ୍ପ ଉପରେ ମଧ୍ୟ ପ୍ରଭାବ ପକାଇଛି। ଏସବୁ ସତ୍ତ୍ୱେ ନିଜର ଦାୟିତ୍ୱ ସମ୍ପନ୍ନ କରିବାରେ ପଛ ଘୁଞ୍ଚା ଦେଇ ନାହାନ୍ତି ଗଣମାଧ୍ୟମ ପ୍ରତିନିଧି। ବିଭିନ୍ନ ପରିସ୍ଥିତିକୁ ସାମ୍ନା କରି କରୋନା ସମ୍ପର୍କୀତ ଟିକିନିଖି ଖବର ସଂଗ୍ରହ କରି ଲୋକମାନଙ୍କ ପାଖରେ ପହଞ୍ଚାଇଛନ୍ତି ବିଭିନ୍ନ ଗଣମାଧ୍ୟମ। ତେବେ କରୋନା ବେଳେ ଗ୍ରାଉଣ୍ଡରେ ରିପୋର୍ଟିଂ କରିବା ବେଳର ଅନୁଭୂତି କ’ଣ ଥିଲା ସେ ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି ଓଟିଭିର ବ୍ରହ୍ମପୁର ବ୍ୟୁରୋ ଚିଫ୍‌ ଅଶୋକ କୁମାର ବ୍ରହ୍ମା ଏବଂ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ସମ୍ବାଦ ପ୍ରତିନିଧି ଚନ୍ଦ୍ର ଶେଖର ସାହୁ।

‘‘ଗଞ୍ଜାମ ଜିଲ୍ଲା ଡେଞ୍ଜର ଜୋନରେ ରହିଛି। ଅଢ଼େଇ ଲକ୍ଷରୁ ଅଧିକ ଲୋକ ରାଜ୍ୟ ବାହାରୁ ଏହି ଜିଲ୍ଲାକୁ ଆସିଛନ୍ତି। ଏସବୁ ଖବର ଆମକୁ ସଂଗ୍ରହ କରିବାକୁ ପଡୁଥିଲା। ବିଭିନ୍ନ ଲୋକଙ୍କ ସାକ୍ଷାତକାର ନେବାକୁ ପଡୁଥିଲା। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଭିତରେ ଏବେ ବି କାମ କରିବାକୁ ପଡୁଛି। କାମ କରିବା ଭିତରେ ନିଜ ପରିବାର, ଅଫିସ୍‌ ଏବଂ ବ୍ୟକ୍ତିଗତ ସୁରକ୍ଷାକୁ ଧ୍ୟାନ ଦେବାକୁ ପଡୁଛି। କରୋନା ମହାମାରୀ ବେଳେ କାମ କରିବା ଭାରି କଷ୍ଟକର’’, କହିଛନ୍ତି ଅଶୋକ କୁମାର ବ୍ରହ୍ମା।

‘‘କରୋନା ବେଳେ ଗ୍ରାଉଣ୍ଡରେ ବୁଲି ବୁଲି ଖବର ସଂଗ୍ରହ କରିବା ପାଇଁ ପ୍ରଥମେ ଭୟ ଲାଗୁଥିଲା। ଏଥିପାଇଁ ଆମ ଘରେ, ଗାଁ ଲୋକମାନେ ବାରଣ ମଧ୍ୟ କରିଛନ୍ତି। ବାହାରକୁ ନଯିବାକୁ ତାଗିଦ ମଧ୍ୟ କରିଛନ୍ତି। ହେଲେ ଏସବୁ ଭିତରେ କାମ ତ କରିବାକୁ ପଡ଼ିବ। ଏଥିପାଇଁ ମୁଁ ୨ ମାସ କାଳ ଗୋଟିଏ ଘରେ ଏକୁଟିଆ ରହିଥିଲି’’, କରୋନା ବେଳର ନିଜ ଅଙ୍ଗେନିଭା କାହାଣୀ କହିଛନ୍ତି ଚନ୍ଦ୍ରଶେଖର ସାହୁ।

kete nua bata

କରୋନା ମହାମାରୀ ବେଳେ ଡିଜିଟାଲ ଏବଂ ସୋସିଆଲ ମିଡିଆ ଏକ ଅଗ୍ରଣୀ ଭୂମିକା ନେଇଛି। କରୋନା ସଙ୍କଟ ବେଳେ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ଚାଲିଛନ୍ତି ଡିଜିଟାଲ ମିଡିଆର ସାମ୍ବାଦିକ, ସମ୍ପାଦକ ଏବଂ ଅନ୍ୟ କର୍ମଚାରୀମାନେ। ଏହି କରୋନା ସମୟରେ କାମ କରିବାର ଅନୁଭୂତି ସମ୍ପର୍କରେ କହିଛନ୍ତି ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଆଧାରିତ ବହୁଭାଷୀ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍‌’ର କପି ଏଡିଟର ସୁଶ୍ରୀସ୍ମିତା ବେହେରା।

କରୋନା ମହାମାରୀ ନିୟନ୍ତ୍ରଣ କରିବା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଯିଏ ଯେଉଁଠି ଥିଲେ ରହିଗଲେ। ଘରୁ କେହି ବାହାରକୁ ବାହାରିପାରିଲେ ନାହିଁ। ହେଲେ ଏସବୁ ଭିତରେ ଲୋକମାନଙ୍କ ପାଖରେ କରୋନା ଖବର ସହିତ ମନୋରଞ୍ଜନ କେମିତି ପହଞ୍ଚିପାରୁଥିଲା ସେ ସମ୍ପର୍କରେ କହିଛନ୍ତି ରେଡିଓ ଚକ୍‌ଲେଟ୍‌ର ଆର୍‌ଜେ କୋମଲଜ୍ୟୋତି।

ଓଡ଼ିଶାର ପାରମ୍ପରିକ ଲେକକଳା ହେଉଛି ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ। ହେଲେ କରୋନା ପାଇଁ ସେସବୁ କଳା ପରିବେଷଣ ବନ୍ଦ ହୋଇଯାଇଛି। ଏଥିପାଇଁ କ’ଣସବୁ ନୂଆ ରାସ୍ତା ବଛାଯାଇଛି ସେ ସମ୍ପର୍କରେ ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସୂଚନା ରହିଛି।

‘‘୨୦୧୧ରୁ ଓଡ଼ିଶାରେ କଳାକାର ସଂଘ ଗଠନ କରାଯାଇଛି। ଜିଲ୍ଲା, ବ୍ଲକ, ନଗର ଏବଂ ରାଜ୍ୟ ସ୍ତରରେ କଳାକାର ସଂଘ ଗଠନ କରାଯାଇଛି। ଲୋକକଳାକୁ ବଞ୍ଚାଇ ରଖିବା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଏହି ଲୋକକଳାକାରମାନଙ୍କ ଜରିଆରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସଂଘ ଗଠନ କରାଯାଇଥିଲା। ହେଲେ କରୋନା ବେଳେ ଏହା ସମ୍ଭବ ହେଉନି। ଏଣୁ ଏହି କଳାକାରମାନଙ୍କୁ ନେଇ ଆମେ ଡିଜିଟାଲ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରି ଲୋକଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚାଉଛୁ’’, କହିଛନ୍ତି ମନୋରଞ୍ଜନ ପାଣିଗ୍ରାହୀ।

manoranjan panigrahi

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

‘କେତେ ନୂଆ ବାଟ’ର ୧୩ଟି ଅଧ୍ୟାୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଆଯାଇଛି। ତା’ ମଧ୍ୟରେ ରହିଛି ଲକ୍‌ଡାଉନ୍‌ ସମୟରେ ପିଲାଙ୍କ ଭଲମନ୍ଦର କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି ଓ ଭେଦଭାବ ଭଳି ସାମାଜିକ ପ୍ରସଙ୍ଗ। ଏହିସବୁ ବିଷୟ ଉପରେ ବିଶେଷଜ୍ଞମାନଙ୍କ ମତ ଉପସ୍ଥାପନ କରାଯାଇ ଏକ ବ୍ୟାପକ ସଚେତନତା ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ପଦ୍ମାବତୀ ଦ୍ୱିବେଦୀ।

‘କେତେ ନୂଆ ବାଟ’ କାର୍ଯ୍ୟକ୍ରମ ଆକାଶବାଣୀ କଟକ, ସମ୍ବଲପୁର ଏବଂ ଜୟପୁର ଭଳି ମୁଖ୍ୟ ଷ୍ଟେସନ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଳ୍ପ କ୍ଷମତା ସମ୍ପନ୍ନ କେନ୍ଦ୍ରରୁ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ପ୍ରସାରିତ ହେବ।