ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ


‘‘ବର୍ତ୍ତମାନ କୋଭିଡ ସ୍ଥିତି। ଲକ୍‌ଡାଉନ୍‌, ସଟ୍‌ଡାଉନ ଭିତରେ ମାଆ ଓ ଶିଶୁମାନେ କୁପୋଷଣର ଶିକାର ହେବା ଆଶଙ୍କା ସୃଷ୍ଟି ହୋଇଛି। କିନ୍ତୁ ଚାଲିଥିବା ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ହେଲେ ମାଆ ଓ ଶିଶୁମାନଙ୍କୁ କୁପୋଷଣ ଶିକାର ହେବାରୁ ରକ୍ଷା କରାଯାଇପାରିବ’’, ‘କେତେ ନୂଆ ବାଟ’ ଭିଡିଓ ସିରିଜରେ ସାମିଲ ହୋଇ ୟୁନିସେଫର ପୋଷ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟୀ କହିଛନ୍ତି।

ବିଶେଷକରି ଆଦିବାସୀ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ସମସ୍ୟା ଥିବାରୁ ପୋଷଣ ଓ ଅନ୍ୟ ସୁବିଧା ପହଞ୍ଚିବାରେ ଅସୁବିଧା ଥାଏ। ଏ ସମସ୍ୟାର ସମାଧାନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଚାଲିଥିବା ସେ କହିଛନ୍ତି।

କୋଭିଡ୍‌ ସମୟରେ ସଚେତନତା ବାଣ୍ଟିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ୍‌’ର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ ଏହାର ନଲେଜ୍ ପାର୍ଟନର ରହିଛି।

ରାଜ୍ୟରେ ୨୩ ପ୍ରତିଶତ ହେଲେ ଆଦିବାସୀ। ଭୌଗଳିକ ଅସୁବିଧା ଯୋଗୁଁ ଏମାନଙ୍କ ନିକଟରେ ସୁବିଧା ଠିକ୍‌ ସମୟରେ ପହଞ୍ଚିପାରେ ନାହିଁ। ଏହାଛଡ଼ା ସଚେତନତାର ଅଭାବ ଯୋଗୁଁ ମଧ୍ୟ ଏମାନେ ସେମାନଙ୍କ ପାଖରେ ଥିବା ପୋଷକ ତତ୍ୱରେ ଭରପୂର ଖାଦ୍ୟ ଖାଇପାରନ୍ତି ନାହିଁ। ଜଙ୍ଗଲଜାତ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଥିଲେ ମଧ୍ୟ ଏମାନେ ତାହା ବ୍ୟବହାର କରିପାରନ୍ତି ନାହିଁ। ଫଳରେ ଆଦିବାସୀ ଶିଶୁମାନେ ଅଧିକ କୁପୋଷଣର ଶିକାର ହୋଇଥାନ୍ତି। ରକ୍ତହୀନତା, ସିକଲସେଲ୍, ମାନସିକ ଓ ଶାରୀରିକ ଅଭିବୃଦ୍ଧି ଠିକ୍‌ରେ ହୋଇପାରେ ନାହିଁ। ତେଣୁ ଏମାନଙ୍କ ପୋଷଣ ପାଇଁ ଅଧିକ ଧ୍ୟାନ ଦିଆଯାଉଛି। ଶିଶୁ ଜନ୍ମହେବା ପରଠାରୁ ୨ ବର୍ଷ ଯାଏଁ ସ୍ତନ୍ୟପାନ, ୬ ମାସ ପରଠାରୁ ପୂରକ ଖାଦ୍ୟ ଦିଆଗଲେ ମୃତ୍ୟୁହାରକୁ କମାଯାଇପାରିବ। ସେଥିପାଇଁ ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି, ଆଶାକର୍ମୀ ଏଥିପାଇଁ ଅଧିକ କାମ କରୁଛନ୍ତି।

କୋଭିଡ୍ ସମୟରେ ପୁଷ୍ଟିକର ଖାଦ୍ୟ ଅଧିକ ଖାଇବାର ଆବଶ୍ୟକତା ରହିଛି। ଯେମିତିକି ଓମେଗା-୩ ଯୁକ୍ତ ଖାଦ୍ୟ ଯଥା; ମାଛ, ସାମୁଦ୍ରିକ ମାଛ, ଓ୍ଵାଲନଟ୍, ଫଲିକ୍ ଏସିଡ୍‌, ସୋୟାବିନ୍, ଶାଗ, ପାଚିଲା ଆମ୍ବ, ବିଟ୍, ଭିଟାମିନ୍ ବି-୧୨ପୂର୍ଣ୍ଣ ଖାଦ୍ୟ ମାଛ, ମାଂସ, ଅଣ୍ଡା, କ୍ଷୀର, ଦହି, ଭିଟାମିନ୍ ବି-୬ ଥିବା ସୂର୍ଯ୍ୟମୁଖୀ ତେଲ, ମାଛ, ସଜନା ଶାଗ, କଦଳୀ, ମସୁର ଖାଇଲେ ଜଣେ ଗର୍ଭବତୀ ମହିଳା ସୁସ୍ଥ ରହିବେ। ରୋଗପ୍ର ତିରୋଧକ ଶକ୍ତି ମଜଭୁତ ହେବ। ୨ ବର୍ଷ ଯାଏଁ ପ୍ରତିଦିନ ମା’ କ୍ଷୀର ଦେବା ଉପରେ ଗୁରୁତ୍ଵ ଦେଇଛନ୍ତି ଶ୍ରୀ ଭଟ୍ଟାଚାର୍ଯ୍ୟୀ।

କୋଭିଡ୍ ହେଲେ ମଧ୍ୟ ସମସ୍ତ ପ୍ରୋଟୋକଲ ମାନି ସ୍ତନ୍ୟପାନ କରାଇବା ଜରୁରୀ। କେମିତି ହାତ ସଫା ରଖିବେ, ମାସ୍କ ପିନ୍ଧିବେ ଓ ନିହାତି ଅସୁବିଧା ନ ହେବା ପର୍ଯ୍ୟନ୍ତ ମା’ କ୍ଷୀର ବନ୍ଦ କରିବେନାହିଁ। ଦରକାର ପଡ଼ିଲେ ମାଆ କ୍ଷୀର କାଢ଼ି ଶିଶୁକୁ ପିଇବାକୁ ଦେବେ। ପୁଷ୍ଟିକର ଖାଦ୍ୟର ଅଭ୍ୟାସ ଜାରି ରଖିଲେ ମାଆ, ଛୁଆ, ଗର୍ଭବତୀ, ଶିଶୁ କିଶୋର କିଶୋରୀ ସମସ୍ତେ ସୁସ୍ଥ ରହିବେ। କୋଭିଡ୍ ହେଲେ ମଧ୍ୟ ମାରାତ୍ମକ ସ୍ଥିତି ଉପୁଜିବ ନାହିଁ ବୋଲି ଶ୍ରୀ ଭଟ୍ଟାଚାର୍ଯ୍ୟୀ ପରାମର୍ଶ ଦେଇଛନ୍ତି।

General Featured Image for Kete Nua Bata

ପୁଷ୍ଟିର ଅଭାବ ରହିବ ନାହିଁ। ଲୋକେ ସଚେତନ ହେବେ। ନିଜର ଯତ୍ନ ସହ ପିଲାମାନଙ୍କର କିପରି ଯତ୍ନ ନେବେ। ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ସଚେତନ କରାଯିବା ସହ, ଅଙ୍ଗନବାଡ଼ି ମାଧ୍ୟମରେ ମାଆ ଓ ଶିଶୁମାନଙ୍କୁ ପୁଷ୍ଟିକର ପୋଷକ ଦିଆଯାଉଛି। ସେମାନଙ୍କ ପାଇଁ ବିଭିନ୍ନ ଯୋଜନା ରହିଛି। ସେମାନଙ୍କ ସେବା, ଅଭିବୃଦ୍ଧି ହାର ସମ୍ପର୍କରେ ତଥ୍ୟ ରଖାଯାଉଛି। ଅସୁସ୍ଥ ଛୁଆକୁ ପୁଷ୍ଟିସାଧନ କେନ୍ଦ୍ରକୁ ନିଆଯାଉଛି। ମହିଳମାନଙ୍କୁ, କିଶୋରୀମାନଙ୍କୁ ଫଲିକ୍ ଏସିଡ୍‌ ଓ ଆଇରନ ବଟିକା ଦିଆଯାଉଛି। ଘରେ ଥିବା ମହିଳା ଓ ଶିଶୁମାନେ କିପରି ଖାଦ୍ୟ ଅଭାବର ସମ୍ମୁଖୀନ ହେବେ ନାହିଁ ସେ ନେଇ ସରକାର ଅହରହ ଉଦ୍ୟମ କରୁଛନ୍ତି। ଅଙ୍ଗନବାଡ଼ି ଓ ଆଶାକର୍ମୀମାନେ ନିଷ୍ଠାପର ଭାବେ କାମ କରୁଛନ୍ତି।

ଆଦିବାସୀ ଅଞ୍ଚଳରେ ଶିଶୁମାନଙ୍କର ଅଭିବୃଦ୍ଧି ବାଧାପ୍ରାପ୍ତ ହେବାର ଆଶଙ୍କା ଥାଏ। ତେଣୁ ଏମାନଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯିବା ଜରୁରୀ। ଅଙ୍ଗନବାଡ଼ି ପକ୍ଷରୁ ଦିଆଯାଉଥିବା ଖାଦ୍ୟ କିପରି ସେମାନେ ଖାଇବେ ତା’ ଉପରେ ନଜର ରଖିବା ଜରୁରୀ। କିଶୋରୀମାନେ ଯେମତି ଫଲିକ୍ ଏସିଡ୍ ଓ ଆଇରନ ବଟିକା ଖାଇବେ ତା’ ଉପରେ ନଜର ରଖିବା ଜରୁରୀ। ଏହାଦ୍ଵାରା ସେମାନଙ୍କୁ ରକ୍ତହୀନତାରୁ ରକ୍ଷା କରାଯାଇପାରିବ। ଏକ ପରିସଂଖ୍ୟାନ ଅନୁସାରେ ପୋଷଣ ନୀତିର ସଠିକ ଅନୁପାଳନ କରାଗଲେ ଅପପୁଷ୍ଟି ଯୋଗୁଁ ଶିଶୁ ମୃତ୍ୟୁ ହାରକୁ ୨୦ ପ୍ରତିଶତ ଯାଏଁ କମାଯାଇପାରିବ। ଶାରୀରିକ ଓ ମାନସିକ ଅଭିବୃଦ୍ଧି ଠିକ୍ ହେବା ସହ ଶିଶୁ ଓ ମାଆମାନଙ୍କୁ ସୁରକ୍ଷିତ ରଖାଯାଇପାରିବ ବୋଲି ପୋଷକ ବିଶେଷଜ୍ଞଙ୍କ ମତ ରଖିଛନ୍ତି।

କୋଭିଡ୍‌ ସମୟରେ ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, କରୋନା ଯୋଦ୍ଧାଙ୍କ କାହାଣୀ, ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ, ୟୁନିସେଫର ଭୂମିକା ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜିନ୍ ୨। ଏଥିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତକାର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍ଏମ୍‌ରେ ରବିବାର ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣୁଛନ୍ତି। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେଉଛି।