ଆସନ୍ତୁ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ବେହେରାଙ୍କଠାରୁ ବୟସ୍କ ବ୍ୟକ୍ତିଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ତା’ର ଚିକିତ୍ସା ବିଷୟରେ ଜାଣିବା।

ବୟସ୍କ ବ୍ୟକ୍ତିଙ୍କଠାରେ ନାନା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ସେମଧ୍ୟରୁ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେବା ଏକ ଜଟିଳ ସମସ୍ୟା। ତେଣୁ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ନେଇ ଅନେକ ଲୋକେ ଚିନ୍ତିତ ଥା’ନ୍ତି।

ଅଷ୍ଟିଓପୋରସିସ୍‌ ରୋଗ କାରଣରୁ ବାର୍ଦ୍ଧକ୍ୟରେ ଅଣ୍ଟା ବିନ୍ଧା ହୋଇଥାଏ। ଏହାଛଡ଼ା ବାର୍ଦ୍ଧକ୍ୟ ଯୋଗୁଁ ଗଣ୍ଠିରେ ଅଷ୍ଟିଓଆର୍ଥାଇଟିସ୍‌ ହୋଇଥାଏ। ଫଳରେ ଆଣ୍ଠୁଗଣ୍ଠି ବ୍ୟଥା ହୋଇଥାଏ। ଏହି ଯନ୍ତ୍ରଣା ଶୀତଦିନେ ଅଧିକ ହୋଇଥାଏ।

ଆଣ୍ଠୁଗଣ୍ଠି ସମସ୍ୟାରୁ କେମିତି ପାଇବେ ମୁକ୍ତି? (How to get rid of Knee & Joint Pain in Odia)

ଶୀତଦିନେ ବୟସ୍କ ବ୍ୟକ୍ତିଙ୍କର ଅଣ୍ଟା ବ୍ୟଥା ଆଣ୍ଠୁ ବ୍ୟଥା ଅଧିକ ହୋଇଥାଏ। ତେଣୁ, ଶୀତଦିନେ ବୟସ୍କ ଲୋକମାନେ ନିଜକୁ ଉଷୁମ ରଖିବା ପାଇଁ ଶୀତବସ୍ତ୍ରର ବ୍ୟବହାର କରିବା ଦରକାର। ଯଦି ବିନ୍ଧା ନ କମେ, ତେବେ ଅସ୍ଥିଶଲ୍ୟ ବିଶେଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ।

ଏହି ଯନ୍ତ୍ରଣାଗୁଡ଼ିକ ମେଡିସିନ୍ ଦ୍ଵାରା ନିୟନ୍ତ୍ରଣ ହୋଇଥାଏ। ଏହାସହ ରୋଗୀଙ୍କୁ ଫିଜିଓଥେରାପି କରିବାକୁ ପରାମର୍ଶ ଦିଆଯାଏ। ଯଦି ଏଥିରେ ଉପଶମ ନ ମିଳେ ତାହାହେଲେ ବିଏମ୍‌ଡି (Bone Marrow Density) କରାଯାଏ। ବିଏମ୍‌ଡି ଦ୍ୱାରା ହାଡ଼ର ସାନ୍ଧ୍ରତା ଜଣାପଡ଼େ। ଯଦି ଏହା ମାଇନସ୍‌ ୨.୫ରୁ ଅଧିକ ହୋଇଥାଏ, ତାହାହେଲେ ତାଙ୍କୁ କ୍ୟାଲ୍‌ସିୟମ୍‌ ଦିଆଯାଏ ଏବଂ ଇଞ୍ଜେକ୍‌ସନ୍‌ ଦିଆଯାଏ। ୩ରୁ ୬ମାସ ମଧ୍ୟରେ ରୋଗୀର ହାଡ଼ର ଗୁଣବତ୍ତା ବଢ଼ିଥାଏ ଏବଂ ଅଣ୍ଟା ଯନ୍ତ୍ରଣାରୁ ଉପଶମ ମିଳିଥାଏ।

ସ୍ପଣ୍ଡିଲାଇଟିସ୍‌ ଥିବା ରୋଗୀଙ୍କର ଏମ୍‌ଆର୍‌ଆଇ କରାଯାଏ। ଯଦି ଏମ୍‌ଆର୍‌ଆଇରେ ଅଧିକ ବ୍ଲକ୍‌ ଅଛି, ତାହାହେଲେ ସର୍ଜରୀ ଦରକାର ପଡ଼ିଥାଏ।

ଅଷ୍ଟିଓପୋରସିସର ନିରାକରଣ (Prevention of Osteoporosis in Odia)

ବୟସ୍କ ଲୋକଙ୍କର ବୟସ ବଢ଼ିବା ସହିତ ମାଂସପେଶୀରେ ଶକ୍ତି କମିଯିବା ସହିତ ହାଡ଼ରେ ଅଷ୍ଟିଓପୋରସିସ୍‌ ହୋଇଥାଏ। ଅଷ୍ଟିଓପୋରସିସ୍‌ର ନିରାକରଣ ପାଇଁ ଦୈନନ୍ଦିନ ୨ରୁ ୩ କିଲୋମିଟର ଚାଲିବାକୁ ହେବ। ବିଭିନ୍ନ ପ୍ରକାର ବ୍ୟାୟାମ କରିବାକୁ ହେବ। କାରଣ ମାଂଶପେଶୀ ସୁଦୃଢ଼ ହେଲେ ହାଡ଼ ମଜଭୁତ ହେବ।, ଫଳରେ ଅଷ୍ଟିଓପୋରସିସ୍‌ ହେବାର ଆଶଙ୍କା କମିଯିବ। ଅଷ୍ଟିଓପୋରସିସ୍‌ ନ ହେଲେ ପ୍ରାକ୍ଚର ହେବ ନାହିଁ।

ଅଧିକାଂଶ ଲୋକ ଭାବନ୍ତି କ୍ୟାଲ୍‌ସିୟମ୍‌ ଖାଇବା ଦ୍ୱାରା ଅଷ୍ଟିଓପୋରସିସ୍‌ ହେବ ନାହିଁ। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ଯଦି ଜଣେ ବ୍ୟକ୍ତି କୌଣସି ଶାରୀରିକ ପରିଶ୍ରମ, ବ୍ୟାୟାମ କରୁନାହାନ୍ତି, ତେବେ ଯେତେ କ୍ୟାଲ୍‌ସିୟମ୍‌ ଖାଇଲେ ମଧ୍ୟ ଅଷ୍ଟିଓପୋରସିସ୍‌ ହେବାକୁ ରୋକିପାରିବେ ନାହିଁ।

ବର୍ତ୍ତମାନ ସମୟରେ ଲୋକଙ୍କଠାରେ ଭିଟାମିନ୍‌ ଡି-୩ ଅଭାବ ଦେଖାଦେଉଛି। କାରଣ ଆଜିକାଲି ଲୋକ ଏସିରେ ବସି ରହୁଛନ୍ତି, ଖରାକୁ ବାହାରୁ ନାହାନ୍ତି। ଯାହାଫଳରେ ଭିଟାମିନ୍‌ ଡି ଅଭାବ ଦେଖାଦେଉଛି, ଯାହାକି ଅଷ୍ଟିଓପୋରସିସ୍‌ ହେବାର ମୂଳ କାରଣ। ତେଣୁ ପ୍ରତିଦିନ, ସକାଳେ ସୂର୍ଯ୍ୟକିରଣରେ ଚାଲନ୍ତୁ। ଯେତେ ଆପଣ ଚାଲିବେ, ଶରୀର ସୁଦୃଢ଼ ହେବ ଏବଂ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ହେବ।

ଭିଟାମିନ୍‌ ଡି ଅଭାବରୁ ଅଣ୍ଟା ବିନ୍ଧା ସମସ୍ୟା ମଧ୍ୟ ହୋଇପାରେ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶରେ ଭିଟାମିନ୍‌ ଡି ଔଷଧ ସେବନ କରିପାରିବେ। କିନ୍ତୁ ଔଷଧ ଖାଇବା ଅପେକ୍ଷା ନିୟମିତ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବେ, ତାହାହେଲେ ଭିଟାମିନ୍‌ ଡି ଅଭାବ ହେବ ନାହିଁ।

ଆର୍ଥ୍ରାଇଟିସ୍ ରୋଗର ଚିକିତ୍ସା (Treatment of Arthritis in Odia)

ଜଏଣ୍ଟ ପେନ୍‌ ବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୁଇ ପ୍ରକାରର। ଯଥା: ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌, ଅଷ୍ଟିଓଆର୍ଥ୍ରାଇଟିସ୍‌।

ଯୁବାବସ୍ଥାରେ ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ବା ଗଣ୍ଠିବାତ ଦେଖାଯାଏ, ଯାହାକି ମହିଳାଙ୍କଠାରେ ଅଧିକ ଦେଖାଦିଏ। ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ହାତ ଗଣ୍ଠି, ଅଣ୍ଟା ଓ ଆଣ୍ଠୁଗଣ୍ଠିକୁ ପ୍ରଭାବିତ କରେ। ଗଣ୍ଠିବାତ ସମସ୍ୟା ଔଷଧ ଦ୍ଵାରା ଉପଶମ କରିହୁଏ। ହେଲେ କେତେକ କ୍ଷେତ୍ରରେ ଔଷଧ କାମ କରେ ନାହିଁ, ଗଣ୍ଠିଗୁଡ଼ିକ ଫୁଲିଯାଏ, ବଙ୍କା ହୋଇଯାଏ। ଏଭଳି କ୍ଷେତ୍ରରେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କୁ ପରାମର୍ଶ କରି ଫିଜିଓଥେରାପି କରାଯାଏ। ଏହାଦ୍ୱାରା ୭୦ ପ୍ରତିଶତ ଲୋକଙ୍କର ଭଲ ହୋଇଥାଏ।

ଯଦି ହାତର ଗଣ୍ଠି କିମ୍ବା ଆଣ୍ଠୁର ଗଣ୍ଠି ନଷ୍ଟ ହୋଇଯାଏ ବା ବଙ୍କା ହୋଇଯାଏ, ତେବେ ଜଏଣ୍ଟ ରିପ୍ଲେସ୍‌ମେଣ୍ଟ କରାଯାଏ।

ଭାରତବର୍ଷରେ ୧୦ ପ୍ରତିଶତ ଲୋକଙ୍କର ଅଷ୍ଟିଓଆର୍ଥ୍ରାଇଟିସ୍‌ ସମସ୍ୟା ଦେଖାଦିଏ। ୧ ପ୍ରତିଶତ ଲୋକଙ୍କର ସର୍ଜରୀର ଆବଶ୍ୟକତା ପଡ଼ିଥାଏ।

ଆଣ୍ଠୁ ପ୍ରତିରୋପଣ କାହାକୁ ଦରକାର? (Who needs a Knee transplant in Odia)

 ରୋଗୀ ୬୦ ବର୍ଷ ପାଖାପାଖି ହୋଇଥିବ, ଗଣ୍ଠିବାତ ଦ୍ୱାରା ଗଣ୍ଠି ନଷ୍ଟ ହୋଇଥିବ, ଆଣ୍ଠୁ ଷ୍ଟିଫ ହୋଇଥିବ, ତେବେ ଆଣ୍ଠୁ ପ୍ରତିରୋପଣ କରାଯାଏ। ୬୦ରୁ ୭୦ ବର୍ଷ ମଧ୍ୟରେ ଦୁଇଟି ଆଣ୍ଠୁ ପ୍ରତିରୋପଣ କରାଯାଏ। କିନ୍ତୁ ୭୦ ବର୍ଷ ପରେ ଗୋଟେ ଗୋଡ଼ର ଆଣ୍ଠୁ ପ୍ରତିରୋପଣ କରାଯାଏ। କାରଣ ବାର୍ଦ୍ଧକ୍ୟବସ୍ଥାରେ ରକ୍ତଚାପ, ଡାଏବେଟିସ୍‌, କିଡ୍‌ନି ସମସ୍ୟା, ହୃଦ୍‌ରୋଗ ସମସ୍ୟା ଥାଇପାରେ। ଏହି ସମୟରେ ପ୍ରତିରୋପଣ କଲେ ରୋଗୀର ଜୀବନକାଳ କମିପାରେ।

ଫିଜିଓଥେରାପି କାହାକୁ ଦରକାର (Who Needs Physiotherapy in Odia)

ସମସ୍ତଙ୍କୁ ଫିଜିଓଥେରାପିର ଆବଶ୍ୟକତା ନଥାଏ। ବୟସ ଅଧିକ ହେଲେ ଫିଜିଓଥେରାପିର ଆବଶ୍ୟକତା ପଡ଼ିଥାଏ। ଜଏଣ୍ଟ ଷ୍ଟିଫ୍ ହୋଇଗଲେ ମଧ୍ୟ ଫିଜିଓଥେରାପିର ଆବଶ୍ୟକତା ପଡ଼େ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ବସନ୍ତ କୁମାର ବେହେରାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Knee and Joint Pain, in Odia language, is based on an extensive interview with a Orthopedics & Joint Replacement Surgeon Dr. Basanta Kumar Behera.