ସ୍ଵାସ୍ଥ୍ୟପ୍ଲସ୍‌ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
  • ନଲେଜ୍ ପାର୍ଟନର ମୋ କଲେଜଅଭିଯାନ
  • ଅଡିଓ ସିରିଜରେ ଏଥରର ପ୍ରସଙ୍ଗ କୋଭିଡ ସମୟରେ ଯୁବବର୍ଗର ମାନସିକ ସ୍ୱାସ୍ଥ୍ୟ ଓ ଭବିଷ୍ୟତ

କୋଭିଡ୍‌ ପ୍ରଥମ ଲହରରୁ ବାହାରି ଆମେ ଟିକିଏ ସ୍ୱାଭାବିକ ଜୀବନଚର୍ଯ୍ୟାକୁ ଫେରୁଥିଲା ବେଳେ ପୁଣି ଆମ ଆଗରେ ଏକ ବିରାଟ ସମସ୍ୟା ଠିଆ ହୋଇଛି। ମହାମାରୀ ଭିତରେ ପ୍ରତ୍ୟେକ ଦିନ ନିଜ ଲୋକଙ୍କୁ ହରାଇବାର ଖବର, ନିଜେ ଆକ୍ରାନ୍ତ ହେବାର ଭୟ ତା’ ସାଙ୍ଗକୁ ଲକଡାଉନ୍‌, ସଟଡାଉନ୍‌ ଭଳି କଟକଣା ସମସ୍ତଙ୍କ ମନରେ ଏକ ପ୍ରକାର ଅସ୍ଥିରତା ସୃଷ୍ଟି କରିଛି। ଏହା ସବୁ ବର୍ଗର ଲୋକଙ୍କୁ ଚାପଗ୍ରସ୍ତ କରାଇଥିଲା ବେଳେ ଯୁବପିଢ଼ି ମାନସିକ ସ୍ତରରେ ବିଶେଷ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ‘କେତେ ନୂଆ ବାଟ’ ସିଜିନ୍‌ ୨ର ଅଡିଓ ସିରିଜ୍‌ର ଚତୁର୍ଥ ଅଧ୍ୟାୟରେ ପ୍ରସଙ୍ଗ ଥିଲା ‘କୋଭିଡ ସମୟରେ ଯୁବବର୍ଗର ମାନସିକ ସ୍ୱାସ୍ଥ୍ୟ ଓ ଭବିଷ୍ୟତ’।

ଜୁଲାଇ୍‌ ୪, ରବିବାର ସକାଳ ୧୦ଟାରେ ଅଡିଓ ସିରିଜର ଏହି ଏପିସୋଡ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ଦିନ ୧୧ଟାରେ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରିତ ହୋଇଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହାର ପ୍ରସାରଣ କରାଯାଇଛି।

ଅଡିଓ ସିରିଜର ଚତୁର୍ଥ ଅଧ୍ୟାୟରେ ସାମିଲ ହୋଇଥିଲେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ୟୁନିସେଫର କମ୍ୟୁନିକେସନ, ଆଡଭୋକେସି ଆଣ୍ଡ ପାର୍ଟନରସିପ ସ୍ପେଶାଲିଷ୍ଟ ରାଧିକା ଶ୍ରୀବାସ୍ତବ, ଏସ୍‌ସିବି ମେଡିକାଲରେ ଥିବା ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ସାରଦା ପ୍ରସନ୍ନ ସ୍ୱାଇଁ, ‘ଓ୍ୱାନଲାଇଫ’ର ସହ-ପ୍ରତିଷ୍ଠାତା ତଥା ସିଇଓ ସୁମନ ପାତ୍ର, ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ, ଜାଭିୟର ୟୁନିଭର୍ସିଟିର ଜଣେ ଛାତ୍ରୀ ଶୁଭଶ୍ରୀ ବିନିତା।

‘‘କଷ୍ଟ ପରିସ୍ଥିତି ଜୀବନରେ ଏକ ଜିମ୍‌ ପରି। ଆମେ ଯେଉଁ କଷ୍ଟ ପରିସ୍ଥିତି ଦେଇ ଯାଉଛେ ତାହା ଆମକୁ ଆଗାମୀକାଲି ପାଇଁ ପ୍ରସ୍ତୁତ କରୁଛି। ଆମେ ଯେତେବେଳେ ଜିମ୍‌ ଯାଉଛନ୍ତି ସେତେବେଳେ କ’ଣ ଆମକୁ ସୁଖ ଲାଗୁଛି? ତଥାପି ଆମେ ଯାଉଛନ୍ତି। ଜିମ୍‌ରେ ବଳ ଖଟାଉଛନ୍ତି, ଝାଳ ବୁହାଉଛନ୍ତି। ଆମକୁ ଯେତିକି କଷ୍ଟ ହେଉଛି ଆମେ ସେତିକି ଭାବୁଛନ୍ତି ଯେ ଆମେ ଜିତୁଛନ୍ତି। ଠିକ୍‌ ସେମିତି ଯେକୌଣସି କଠିନ ପରିସ୍ଥିତି ଆମକୁ ମଜଭୁତ କରେ’’, ଯୁବବର୍ଗଙ୍କୁ ପ୍ରେରଣା ଦେଇ ଏଭଳି କହିଥିଲେ ସୁବ୍ରତ ବାଗ୍‌ଚୀ।

କୋଭିଡ ସହ ଏ ଯେଉଁ ଯୁଦ୍ଧ ଚାଲିଛି ସେଥିରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କୁ ଏଥିରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ସହ ମିଶି ୟୁନିସେଫ୍‌ ‘ୟଙ୍ଗ୍‌ ଓ୍ୱାରିୟର’ ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ୟୁନିସେଫ୍‌ ଓଡ଼ିଶାର କମ୍ୟୁନିକେସନ, ଆଡଭୋକେସି ଆଣ୍ଡ ପାର୍ଟନରସିପ ସ୍ପେସାଲିଷ୍ଟ ରାଧିକା ଶ୍ରୀବାସ୍ତବ କେତେ ନୂଆ ବାଟ ରେଡିଓ ସିରିଜ୍‌ରେ ଭାଗ ନେଇ ଏ ସମ୍ପର୍କରେ କହିଥିଲେ, ‘‘ ‘ୟଙ୍ଗ୍‌ ଓ୍ୱାରିୟର’ ଅଭିଯାନ ଯୁବବର୍ଗଙ୍କୁ କୋଭିଡ ଯୁଦ୍ଧରେ ଆଗକୁ ଆସିବାକୁ ନିମନ୍ତ୍ରଣ କରୁଛି। ଏଥିରେ କିଶୋର, କିଶୋରୀ, ଯୁବକ, ଯୁବତୀ ଫେସବୁକ୍‌, ହ୍ୱାଟସଆପ୍‌, ଟେଲିଗ୍ରାମ ମାଧ୍ୟମରେ ଯୋଡ଼ି ହୋଇପାରିବେ। ୯୬୫୦୪୧୪୧୪୧ ନମ୍ବରକୁ ଓ୍ୱାଇଡବ୍ଲ୍ୟୁଏ ଲେଖି ହ୍ୱାଟସଆପ୍‌ କରିପାରିବେ। ସେହିପରି ଟେଲିଗ୍ରାମରେ ୟୁ ରିପୋର୍ଟ ଇଣ୍ଡିଆ ସର୍ଚ୍ଚ କରି ଆପଣ ଏହି ଅଭିଯାନରେ ସାମିଲ ହୋଇପାରିବ। ଏହାଛଡ଼ା ୦୮୦୬୬୦୧୯୨୨୫କୁ କଲ୍‌ କରିପାରିବେ’’।

‘‘କୋଭିଡ୍‌ ସମୟରେ ଅନେକଙ୍କ ଭିତରେ ନିଦ୍ରାହୀନତା ଦେଖାଯାଉଛି, କାମ ପ୍ରତି ସ୍ପୃହା କମୁଛି, ଚିଡ଼ଚିଡ଼ା ପଣ ଦେଖାଯାଉଛି, କେହି କେହି ଦୁଃଖୀ ହୋଇଯାଉଛନ୍ତି, ଖୁସି ଅନୁଭବ ହେଉନାହିଁ।  ଏ ସବୁ କାହିଁକି ହେଉଛି ଲୋକ ବୁଝିପାରୁନାହାନ୍ତି। ଏହା ଶାରୀରିକ ଦୁର୍ବଳତା ବୋଲି ଅନେକ ଭାବୁଛନ୍ତି। କିନ୍ତୁ ଏହା ମାନସିକ ଦୁର୍ବଳତା’’, କହିଥିଲେ ଡାକ୍ତର ସାରଦା ପ୍ରସନ୍ନ ସ୍ୱାଇଁ।

ସେ ଆହୁରିମଧ୍ୟ କହିଥିଲେ, ‘‘କୋଭିଡ୍‌ ସମୟରେ ଅନେକ ଘରେ ବସିଛନ୍ତି। ତେଣୁ ଏ ସମୟରେ ଅନ୍ୟମାନଙ୍କ ସହିତ କଥା ହେବା ଦରକାର। କିଛି କଥାକୁ ନେଇ ଦୁଃଖୀ ଥିଲେ ବି ଚିନ୍ତାରେ ଥିଲେ କାହାକୁ ସେ ବିଷୟରେ କହିବା ଦରକାର। ମାନସିକ ଚାପକୁ କମାଇବା ପାଇଁ ଯୋଗ ପ୍ରାଣାୟମ କରିବା ଦରକାର। ଘର ଲୋକଙ୍କୁ କାମରେ ସାହାଯ୍ୟ କରିବା ଦରକାର। ତା’ ସହିତ ସୁଷମ ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବା ଦରକାର ଅଛି’’।

କୋଭିଡ ସମୟରେ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ପାଇଁ କାମ କରୁଥିବା ‘ଓ୍ୱାନଲାଇଫ୍‌’ ସଂସ୍ଥାର ସହପ୍ରତିଷ୍ଠାତା ତଥା ସିଇଓ ସୁମନ ପାତ୍ର ଏହି ଅଡିଓ ସିରିଜ୍‌ରେ ଭାଗ ନେଇଥିଲେ।

ଯେଉଁମାନେ ବିଭିନ୍ନ ମାନସିକ ସମସ୍ୟା ଦେଇ ଗତି କରୁଛନ୍ତି ସେମାନଙ୍କୁ କାଉନସେଲିଂ ସେବା ଯୋଗାଇ ଦେଉଛି ‘ଓ୍ୱାନଲାଇଫ’। ଫୋନ୍‌ ମାଧ୍ୟମରେ, ଭିଡିଓ କନଫରେନ୍ସିଂ ଜରିଆରେ ଓ ସିଧାସଳଖ ଭାବେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି ବୋଲି କହିଥିଲେ ସୁମନ ମାତ୍ର।

‘‘କୋଭିଡ ଦ୍ୱିତୀୟ ଲହରର ଝଟକା ପୁଣି ଲୋକଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି।  ଅନେକ ଲୋକ ଜୀବନ ହରାଇ ଚାଲିଛନ୍ତି। ପ୍ରତ୍ୟେକ ଦିନ ଖବର କାଗଜ, ଟିଭିରେ ଆସୁଥିବା ଖବର ଏକ ନକରାତ୍ମକ ପରିସ୍ଥିତି ସୃଷ୍ଟି କରିଛି। ତେବେ ଆମ ପାଖରେ ଗୋଟିଏ ଚାରା ହେଉଛି ସକରାତ୍ମକ ଚିନ୍ତାଧାରା। ତେଣୁ ସମସ୍ତେ ମନରେ ସକରାତ୍ମକ ଚିନ୍ତା ଆଣିବା ଦରକାର। ତାହେଲେ  ଆମେ ଏ ସମୟକୁ ଜିତି ପାରିବା’’, କହିଥିଲେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ।

‘‘କୋଭିଡ୍‌ ସାରାବିଶ୍ୱକୁ କବଳିତ କରିଛି। ଏ ମହାମାରୀ ସମସ୍ତଙ୍କ ପାଇଁ ଏକ ନୂଆ ଅନୁଭୂତି। ଏମିତି ଏକ ଦିନ ଆସିବ ମୁଁ କେବେ କଳ୍ପନା କରିନଥିଲି। ବର୍ଷେରୁ ଅଧିକ ସମୟ ହେଲା କଲେଜ ବନ୍ଦ ଅଛି, କେବେ ଖୋଲିବ ତାହା କେହି ଜାଣିନାହାନ୍ତି। ଏହା ମାନସିକ ଭାବେ ମତେ ପ୍ରଭାବିତ କରିଛି’’, କହିଥିଲେ ଜାଭିୟର ୟୁନିଭର୍ସିଟିର ଜଣେ ଛାତ୍ରୀ ଶୁଭଶ୍ରୀ ବିନିତା।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ଅଡିଓ ସିରିଜ ‘କେତେ ନୂଆ ବାଟ ସିଜିନ୍‌ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍‌ରେ ରବିବାର ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ।

ସେହିପରି ‘କେତେ ନୂଆ ବାଟ’ ସିଜିନ୍‌ ୨ର ଅଭିଯାନ ଅଧୀନରେ ବିଭିନ୍ନ ବିଷୟ ଉପରେ ଆପଣ ବିଭିନ୍ନ ଟିଭି ଚ୍ୟାନେଲ ସହିତ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ଫେସବୁକ୍‌, ୟୁଟ୍ୟୁବ୍‌ ସମେତ ବିଭିନ୍ନ ସୋସିଆଲ ଚ୍ୟାନେଲରେ ଭିଡିଓ ମଧ୍ୟ ଦେଖୁଛନ୍ତି।