କୋଭିଡ୍‌ ଚିକିତ୍ସାରେ ଆଶାର କିରଣ ଦେଖାଇଛି ପ୍ଲାଜ୍‌ମା ଥେରାପି। କୋଭିଡ୍‌ ଚିକିତ୍ସାରେ ପ୍ଲାଜ୍‌ମା ଥେରାପି କିପରି ସାହାଯ୍ୟ କରୁଛି ସେନେଇ ବିସ୍ତୃତ ଭାବେ କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ସାରାବିଶ୍ୱ ଏବେ କରୋନା ମହାମାରୀର ସାମ୍ନା କରୁଥିବା ବେଳେ କୋଭିଡ୍‌ ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଥେରାପି ଆଶାର କିରଣ ଦେଖାଇଛି। ଓଡ଼ିଶାରେ ଏହା ଏକ ସଫଳ ଚିକିତ୍ସା ପଦ୍ଧତି ଭାବେ ବିଶ୍ୱାସ ସୃଷ୍ଟି କରିପାରିଛି। ତେଣୁ ଯେଉଁମାନେ କୋଭିଡ୍‌ରୁ ସୁସ୍ଥ ହେଉଛନ୍ତି ସେମାନେ ପ୍ଲାଜ୍‌ମା ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଅପିଲ୍‌ କରିଛନ୍ତି।

କୋଭିଡ ପ୍ରଥମ ଲହରରେ ଓଡ଼ିଶା, ଦିଲ୍ଲୀ, ମହାରାଷ୍ଟ୍ରରେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା। ଆମର ପ୍ରଥମ ପ୍ଲାଜ୍‌ମା ବ୍ୟାଙ୍କ ୨୦୨୦ ଜୁଲାଇ ୧୫ରେ ଏସ୍‌ସିବି ମେଡିକାଲ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ତା’ପରେ ପର୍ଯ୍ୟାୟ କ୍ରମେ ରାଜ୍ୟର ୬ଟି ସ୍ଥାନରେ ପ୍ଲାଜ୍‌ମା ବ୍ୟାଙ୍କ ଖୋଲା ଯାଇଥିଲା।  ପ୍ରଥମ ଲହରରେ ଯଥେଷ୍ଟ ପ୍ଲାଜ୍‌ମା ସଂଗ୍ରହ ହୋଇଯାଇଥିବାରୁ ଏସ୍‌ସିବିକୁ ଛାଡ଼ିଦେଲେ ଅନ୍ୟ ୫ଟି ସ୍ଥାନରେ ପ୍ଲାଜ୍‌ମା ସଂଗ୍ରହକୁ ବନ୍ଦ କରି ଦିଆଯାଇଥିଲା। ଏବେ ଦ୍ୱିତୀୟ ଲହରରେ ପୁଣି ପ୍ଲାଜମାର ଆବଶ୍ୟକତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ସମସ୍ତ ପ୍ଲାଜ୍‌ମା ବ୍ୟାଙ୍କରେ ପ୍ଲାଜ୍‌ମା ସଂଗ୍ରହ ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ: ପ୍ଲାଜ୍‌ମା ଥେରାପି କ’ଣ? କିଏ ଦେଇପାରିବେ ପ୍ଲାଜ୍‌ମା

ଦ୍ୱିତୀୟ ଲହରରେ ସମସ୍ତ ପ୍ଲାଜ୍‌ମା ବ୍ୟାଙ୍କକୁ ନୂଆ ମେସିନ୍‌ ମଧ୍ୟ ଯୋଗାଇ ଦିଆଯାଇଛି, ତେଣୁ ଏବେ ପ୍ଲାଜ୍‌ମା ସଂଗ୍ରହ ବେଳେ ଆଉ କୌଣସି ଯାନ୍ତ୍ରିକ ସମସ୍ୟା ରହିବ ନାହିଁ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ପ୍ରଥମ ଲହରରେ ଯେତିକି କରୋନା ରୋଗୀଙ୍କୁ ପ୍ଲାଜ୍‌ମା ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ଲୋକ ପ୍ଲାଜ୍‌ମା ନେଇ ସୁସ୍ଥ ହୋଇଛନ୍ତି।

ପ୍ଲାଜ୍‌ମା ଦାତାଙ୍କ ଯିବା ଆସିବା ଆଦିର ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ଏହାବ୍ୟତୀତ ଜଣେ ପ୍ଲାଜମା ଦାତାଙ୍କର ରହିବା ଓ ତାଙ୍କର ସମସ୍ତ ଟେଷ୍ଟ  ପାଇଁ ବନ୍ଦୋବସ୍ତ କରାଯାଉଛି। ସେହିପରି ଅନ୍ୟ ଜିଲ୍ଲାରୁ ଆସିଥିବା ବ୍ୟକ୍ତିଙ୍କୁ ନେବା ଆଣିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ରହିଛି ପ୍ଲାଜ୍‌ମା (There are plenty of plasmas in Odisha)

ପ୍ରଥମ ପର୍ଯ୍ୟାୟରେ ସଂଗୃହୀତ ହୋଇଥିବା ପ୍ଲାଜ୍‌ମା ବ୍ୟବହାର ହେଲା ପରେ ବି ଆହୁରି ୧୪ ଶହ ୟୁନିଟ ପ୍ଲାଜ୍‌ମା ଥିଲା। ଦ୍ୱିତୀୟ ଲହରରେ ଏବେ ପୁଣିଥରେ ପ୍ଲାଜ୍‌ମା ସଂଗ୍ରହ ଆରମ୍ଭ ହୋଇଛି।

ହାତ ଧୁଅନ୍ତୁ, ମାସ୍କ ପିନ୍ଧନ୍ତୁ, ଦୂରତା ବଜାୟ ରଖନ୍ତୁ (Wash hands, wear masks, maintain social distance)

କୋଭିଡ୍‌ର ଦ୍ୱିତୀୟ ଲହର ଅଧିକ ଭୟାନକ। ଜାତୀୟ ସ୍ତରରେ ଦୈନିକ ସଂକ୍ରମଣ ୪ ଲକ୍ଷ ପାର୍‌ କରୁଛି। ଓଡ଼ିଶାରେ ମଧ୍ୟ ପ୍ରତିଦିନ ଅଧିକରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ସଚେତନ ରହିବା ନିହାତି ଜରୁରୀ। ସରକାରଙ୍କ ଗାଇଡ୍‌ଲାଇନ୍‌ ମାନି ଚଳିବାକୁ ହେବ। ତେଣୁ ସବୁବେଳେ ମାସ୍କ ପିନ୍ଧନ୍ତୁ, ବାରମ୍ବାର ହାତ ଧୁଅନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ, ଭିଡକୁ ଯାଆନ୍ତୁ ନାହିଁ ଓ କୋଭିଡ୍‌ ଲକ୍ଷଣ ଥିଲେ ଟେଷ୍ଟ କରି ନିଜକୁ ଆଇସୋଲେସନ୍‌ରେ ରଖନ୍ତୁ।

ଲକ୍ଷଣବିହୀନ ବା କମ୍‌ ଲକ୍ଷଣ ଥିବା ରୋଗୀମାନେ ଡାକ୍ତରଖାନାକୁ ନ ଯାଇ ହୋମ୍‌ ଆଇସୋଲେସନ୍‌ରେ ରହିପାରିବେ। ନିଜ ଜିଲ୍ଲାର କୋଭିଡ୍‌ ହେଲ୍ପଲାଇନ୍‌ ସେଣ୍ଟରକୁ ଯୋଗାଯୋଗ କରି ନିଜର ଲକ୍ଷଣ ବିଷୟରେ କହି ପରାମର୍ଶ ନେବେ। ଏହାସହ ଆର୍‌ଆର୍‌ଟି ଟିମ୍‌ ଦ୍ୱାରା ଦିଆଯାଉଥିବା ହୋମ୍‌ ଆଇସୋଲେସନ୍‌ କିଟ୍‌ ବ୍ୟବହାର କରିପାରିବେ।

କେଉଁମାନେ ପ୍ଲାଜ୍‌ମା ଦାନ କରିପାରିବେ? (Who can donate plasma in Odia)

  • ୧୮ରୁ ୬୫ ବର୍ଷ ବୟସ ହୋଇଥିବ।
  • ଓଜନ ୫୦ କେଜିରୁ ଅଧିକ ହୋଇଥିବ।
  • କୋଭିଡରୁ ସୁସ୍ଥ ହେବାର ୧୪ ଦିନ ହୋଇଥିବ।
  • ଯଦି ଟିକା ନେଇଥିବେ, ତାହେଲେ ଦ୍ୱିତୀୟ ଡୋଜ୍‌ ଟିକା ନେବାର ୨୮ ଦିନ ହୋଇଥିବ।