ପରିବର୍ତ୍ତିତ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟପାନୀୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏସିଡିଟି ପାଇଁ ଅନେକ ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଏସିଡିଟି ହେଲେ ଖାଇବାକୁ ଇଚ୍ଛା ହୁଏନାହିଁ, ସହଜରେ ଖାଦ୍ୟ ହଜମ ହୋଇପାରେନାହିଁ, ଆମ୍ବିଳି ହାକୁଟି ଆସେ, ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଖାଲି ରହିଲେ ଅତ୍ୟଧିକ ଜ୍ୱଳନ ଅନୁଭବ ହୋଇଥାଏ, ନାଭି ଉପରେ ବା ବକ୍ଷସ୍ଥଳରେ ମଧ୍ୟ ଜ୍ୱଳନ ଅନୁଭବ ହୋଇଥାଏ।

acidity cause amla

ବେଳେବେଳେ ଏସିଡିଟି ଯୋଗୁ ପରିସ୍ଥିତି ଗମ୍ଭୀର ହୋଇଯାଏ। ସାଧାରଣତଃ ପାକସ୍ଥଳୀରେ ଥିବା ଗ୍ୟାଷ୍ଟ୍ରିକ୍‌ ଗ୍ଲାଣ୍ଡରୁ ଅତ୍ୟଧିକ ଏସିଡ୍‌ କ୍ଷରଣ ହେବା ଫଳରେ ଏସିଡିଟି ସମସ୍ୟା ଉପୁଜି ଥାଏ। ଏଣୁ ଏହି ଏସିଡ୍‌ କ୍ଷରଣର ମାତ୍ରାକୁ ନିୟନ୍ତ୍ରଣ କରାଯାଇ ପାରିଲେ ଏସିଡିଟି ସମସ୍ୟା ସହଜରେ ଦୂର ହୋଇପାରିବ। ତେବେ ଏସିଡିଟି ସାଧାରଣତଃ କେଉଁ ପ୍ରକାରର ଖାଦ୍ୟ ଖାଇଲେ ହୋଇଥାଏ ଓ ଏସିଡିଟି ଦୂର କରିବା ପାଇଁ କ’ଣ ସବୁ ଘରୋଇ ଉପଚାର ରହିଛି ଚାଲନ୍ତୁ ସେ ବିଷୟରେ ବିସ୍ତାରରେ ଜାଣିବା:

ଏସିଡିଟିର କାରଣ

  • ଫାଷ୍ଟ ଫୁଡ୍‌, ଚଟ୍‌ପଟା ଖାଦ୍ୟ, ଅଧିକ ଚର୍ବିଯୁକ୍ତ ଖାଦ୍ୟ ଯେପରିକି ପୁରୀ, ଚିପ୍ସ ଆଦି
  • ରାନ୍ଧିବାରେ ଅଧିକ ତେଲ, ମସଲା ବ୍ୟବହାର କରାଯାଇଥିଲେ
  • କାର୍ବୋନେଟେ ଯୁକ୍ତ ଖାଦ୍ୟ ପଦାର୍ଥ ଯେପରିକି କୋଲା
  • ଗୋଲ୍‌ମରିଚ ପଡିଥିବା ଯେକୌଣସି ଖାଦ୍ୟ
  • ରାତ୍ରି ଭୋଜନରେ ସାଲାଦ୍‌ ବା ଫଳ ଖାଇଲେ
  • ଅତ୍ୟଧିକ ଚା ବା କଫି ପିଇଲେ
  • ଖାଦ୍ୟରେ ଅତ୍ୟଧିକ ଭିନେଗାର ପ୍ରୟୋଗ ହୋଇଥିଲେ
  • କେତେକ ଏଲୋପ୍ୟାଥି ଔଷଧ ଖାଲି ପେଟରେ ସେବନ କଲେ
  • ଗରମ କ୍ଷୀର ପିଇଲେ

ଏସବୁ ବ୍ୟତୀତ ଅଧିକ ସମୟ ପର୍ଯ୍ୟନ୍ତ ଭୋକରେ ରହିବା, ଅସମୟରେ ଖାଦ୍ୟ ଖାଇବା ବା ଅତ୍ୟଧିକ ପରିମାଣରେ ଖାଇବା ଯୋଗୁଁ ମଧ୍ୟ ଏସିଡିଟି ହୋଇଥାଏ।

SwasthyaPlus

ଏସିଡିଟିର ଘରୋଇ ଉପଚାର

ତୁଳସୀ ପତ୍ର: ଏକ କପ୍‌ ପାଣି ଗରମ କରନ୍ତୁ। ସେଥିରେ ୩ରୁ ୪ଟି ତୁଳସୀପତ୍ର ପକାଇ କିଛି ସମୟ ପର୍ଯ୍ୟନ୍ତ କମ୍‌ ଜାଳରେ ରଖି ଫୁଟାନ୍ତୁ। ଦିନରେ ୪-୫ଥର ଏହିପରି କରି ପିଅନ୍ତୁ। ଏସିଡିଟିରୁ ଶୀଘ୍ର ମୁକ୍ତି ପାଇପାରିବେ।

cinamon for health

ଡାଲ୍ଚିନି: ଡାଲ୍‌ଚିନି ଏକ ପ୍ରାକୃତିକ ଆଣ୍ଟାସିଡ୍‌ ପରି କାମ କରିଥାଏ। ଏହାକୁ ଖାଇଲେ ପାଚନ କ୍ରିୟା ତ୍ୱରାନ୍ୱିତ ହୋଇଥାଏ। ଏସିଡିଟି ହୋଇଥିଲେ ଡାଲ୍‌ଚିନି ଚା ପିଇଲେ ଶୀଘ୍ର ଆରାମ ମିଳିଥାଏ।

ଚହ୍ଲା: ଚହ୍ଲାରେ ଲାକ୍‌ଟିକ୍‌ ଏସିଡ୍‌ ଅଛି, ଯାହା ପାକସ୍ଥଳୀର ଏସିଡିଟିକୁ ନିଉଟ୍ରାଲ୍‌ କରିଦିଏ। ଏଣୁ ଏସିଡିଟି ହୋଇଥିଲେ ଚହ୍ଲା ପିଇଲେ ଲାଭ ମିଳିଥାଏ। ତେବେ ଚହ୍ଲାରେ କିଛି ଗୋଲମରିଚ ଗୁଣ୍ଡ ବା ଧନିଆପତ୍ର ମିଶାଇ ପାଇଲେ ଅଧିକ ସୁଫଳ ମିଳିଥାଏ।

jaggery

ଗୁଡ଼: ଏସିଡିଟି ନହେବା ପାଇଁ ଖାଇବା ପରେ ପ୍ରତିଦିନ କିଛି ଗୁଡ଼ ଚାପି ଖାଆନ୍ତୁ। ଗୁଡ଼ରେ ମ୍ୟାଗ୍‌ନେସିୟମ୍‌ ଅଛି ଯାହା ପାଚନ ଶକ୍ତିକୁ ତ୍ୱରାନ୍ୱତି କରିବା ସହିତ ପାକସ୍ଥଳୀର ଏସିଡିଟି ହାର କମ୍‌ କରିଥାଏ।

ଜୀରା: ଏସିଡିଟି ହୋଇଥିଲେ କିଛି ଭଜା ଜୀରାଗୁଣ୍ଡ ପାଣିରେ ମିଶେଇ ପିଅନ୍ତୁ। ନଚେତ୍‌ କିଛି ଜୀରାକୁ ପାଣିରେ ଫୁଟାଇ ଦିଅନ୍ତୁ ଓ ସେହି ଜୀରାପାଣିକୁ ଛାଣି ଦିନରେ ବାରମ୍ବାର ପିଅନ୍ତୁ, ଆରାମ ମିଳିବ।

ginger

ଅଦା: ଅଦା ଖାଇଲେ ମଧ୍ୟ ଏସିଡିଟି ସମସ୍ୟା ଦୂର ହୋଇଥାଏ। ଖାଇବା ପରେ ଗୋଟିଏ ଖଣ୍ଡ ଅଦା ଚୋବାଇଲେ ବା ଦିନରେ ଦୁଇ-ତିନିଥର ଅଦାରସ ପିଇଲେ ସୁଫଳ ମିଳିଥାଏ।

ଥଣ୍ଡା କ୍ଷୀର: ଫ୍ରିଜ୍‌ରେ ୧କପ୍‌ ଥଣ୍ଡା କ୍ଷୀର ରଖି ପିଇଲେ ମଧ୍ୟ ଏସିଡିଟିରୁ ମୁକ୍ତି ମିଳିଥାଏ।

ପାଚିଲା କଦଳୀ: ଏସିଡିଟି ଦୂର କରିବାରେ ପାଚିଲା କଦଳୀ ପ୍ରାକୃତିକ ଆଣ୍ଚାସିଡ୍‌ ପରି କାମ କରିଥାଏ। ଏଣୁ ଏସିଡିଟି ସମସ୍ୟା ଦୂର କରିବା ପାଇଁ ପ୍ରତିଦିନ ଗୋଟିଏ ପାଚିଲା କଦଳୀ ଖାଇଲେ ସୁଫଲ ମିଳିବ।

exercise_workout_odisha

ଏସିଡିଟି ସମସ୍ୟା ଦୂର କରିବା ପାଇଁ ନିମ୍ନଲିଖିତ ବିଷୟ ଉପରେ ଧ୍ୟାନ ଦିଅନ୍ତୁ

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ଅଧିକରୁ ଅଧିକ ଲୋକ ଏସିଡିଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏସିଡିଟିରୁ ମୁକ୍ତି ପାଇବା ପାଇଁ ନିଜର ଦିନଚର୍ଯ୍ୟାକୁ ବଦଳାନ୍ତୁ।

  • ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ। ରାତିରେ ଶୋଇବାର ପ୍ରାୟ ଦୁଇଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ।
  • ଦିନରେ ତିନୋଟି ମୁଖ୍ୟ ଆହାର ଗ୍ରହଣ କରିବା ପରିବର୍ତ୍ତେ ପାଞ୍ଚ-ଛଅ ଥର ଅଳ୍ପ ଅଳ୍ପ ଖାଆନ୍ତୁ।
  • ନିୟମିତ କିଛି ବ୍ୟାୟାମ କରନ୍ତୁ।
  • ପେଟ ଭର୍ତ୍ତି କରି ଖାଆନ୍ତୁ ନାହିଁ। ସହଜରେ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ।
  • ମଦ ବା ସିଗାରେଟ୍‌ ପିଅନ୍ତୁ ନାହିଁ।
  • ଖାଲିପେଟରେ ଲେମ୍ବୁ ପାଣି ବା ମିଠା ପଣା ପିଅନ୍ତୁ ନାହିଁ।
  • ରାତିରେ ୬ରୁ ୭ ଘଣ୍ଟା ଶୁଅନ୍ତୁ।