ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ

  • ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଡିଆ କ୍ୟାମ୍ପେନ କେତେ ନୂଆ ବାଟ
  • ନଲେଜ୍‌ ପାର୍ଟନର ମୋ କଲେଜ’ ଅଭିଯାନ
  • ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ କୋଭିଡ୍ ସମୟରେ ଶିକ୍ଷା’

ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ମଣିଷ ଜୀବନର ମୂଳ ଆଧାର। ପିଢ଼ି ପରେ ପଢ଼ି ଶିକ୍ଷା ତିଆରି କରେ ମଣିଷା ଶିକ୍ଷା ମଣିଷ ଜୀବନକୁ ସମୃଦ୍ଧ କରେ। ଭବଷ୍ୟତ ପାଇଁ ବାଟ ତିଆରି କରୋ କିନ୍ତୁ ମହାମାରୀ କରୋନା ପାଇଁ ଆମ ଶିକ୍ଷା କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏଥର ‘କେତେ ନୂଆ ବାଟ’ ଭିଡିଓ ସିରିଜର ପଞ୍ଚମ ଅଧ୍ୟାୟରେ ପ୍ରସଙ୍ଗ ଥିଲା କୋଭିଡ ସମୟରେ ଶିକ୍ଷା।

ଶନିବାର ଦିନ ୧୨ଟା ୩୦ରେ ଡିଡି ଓଡ଼ିଆରେ ଆପଣ ଦେଖିଛନ୍ତି ‘କେତେ ନୂଆ ବାଟ ସିଜିନ୍‌ ୨’ର ପଞ୍ଚମ ଭିଡିଓ ସିରିଜ ‘କୋଭିଡ୍ ସମୟରେ ଶିକ୍ଷା’। ଏହାଛଡ଼ା ସ୍ୱାସ୍ଥ୍ୟପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହା ପ୍ରସାରିତ ହୋଇଛି।

ପଞ୍ଚମ ଅଧ୍ୟାୟରେ ଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ‘ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ଉତ୍କଳ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ସୁନ୍ଦରଗଡ଼ ଜିଲ୍ଲା ରଙ୍ଗାଢିପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ପ୍ରଧାନ, ଭୁବନେଶ୍ୱର ଇଟିଇଆଇର ଛାତ୍ର ମହେଶ ପାଣିଗ୍ରାହୀ, ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ଜଣାଶୁଣା ଡାକ୍ତର ନାରାୟଣୀ ପଣ୍ଡା, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର ସବ୍‌ରେଜିଓନାଲ ଟିମ୍‌ ଲିଡର୍‌ ଡାକ୍ତର ନିହାର ରାୟା

‘‘କରୋନା ସମୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ନିରନ୍ତର ରଖିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପିଲାଙ୍କ ଲାଗି ଇ-ଲେକଚର ବ୍ୟବସ୍ଥା କରାଯାଇଛି। ଅଭିଜ୍ଞ ଅଧ୍ୟାପକମାନଙ୍କ କ୍ଲାସକୁ ରେକର୍ଡିଂ କରାଯାଇ ଏକ ସ୍ୱତନ୍ତ୍ର ୱେବ ପୋର୍ଟାଲରେ ଅପଲୋଡ୍‌ କରାଯାଇଛି। ଫଳରେ ପିଲା ଘରେ ଥାଇ ପାଠ ପଢ଼ିପାରୁଛନ୍ତି’’, କହିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

‘‘କୋଭିଡ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏ ସମୟରେ ସାନ ସାନ ପିଲାଙ୍କ ପାଠପଢ଼ା ଶିକ୍ଷାଗ୍ରସ୍ତ ହୋଇଛି। ତେଣୁ ରାଜ୍ୟ ସରକାର ଏକ ଭଲ ପ୍ରୟାସ କରିଛନ୍ତି, ଯାହାର ନାଁ ହେଉଛି ଅଲଟରନେଟଭ୍‌ ଇଣ୍ଟର୍ନସିପ୍‌ ପ୍ରୋଗ୍ରାମ। ଏଥିରେ ଶିକ୍ଷକତା ଲକ୍ଷ୍ୟରେ ତାଲିମ୍‌ ନେଉଥିବା ପ୍ରାର୍ଥୀମାନଙ୍କୁ ସାମିଲ କରାଯାଇଛି। ସେମାନେ ନିଜ ଅଞ୍ଚଳରେ ସ୍କୁଲ ପିଲାଙ୍କର ଗୋଟିଏ ଗ୍ରୁପ୍‌ କରି ପାଠ ପଢ଼ାଉଛନ୍ତି। ଫଳରେ ସାନ ସାନ ପିଲା ପାଠ ପଢ଼ିବା ସହିତ ଶିକ୍ଷକତା ତାଲିମ୍‌ ନେଉଥିବା ପିଲାଙ୍କର ପ୍ରାକ୍ଟିକାଲ ମଧ୍ୟ ହେଉଛି’’, କହିଥିଲେ ୟୁନିସେପ୍‌ ଓଡ଼ିଶାର ଏଜୁକେସନ୍‌ ସ୍ପେଶାଲିଷ୍ଟ ଲଳିତା ପଟ୍ଟନାୟକ।

‘‘କୋଭିଡ ସମୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ସ୍କୁଲ ପିଲା। ସେମାନଙ୍କ ଘରେ ରହି ଅନଲାଇନ୍‌ କ୍ଲାସ କରୁଛନ୍ତି। ସେମାନଙ୍କୁ ପାଠ ପଢ଼ାଉଥିବା ଶିକ୍ଷକମାନଙ୍କୁ ବି ତାଲିମ୍‌ ଦେବାର ଆବଶ୍ୟକ ଥିଲା। ତେଣୁ ଏ ସମୟରେ ‘ମୋ ସ୍କୁଲ’ ଶିକ୍ଷକମାନଙ୍କ ତାଲିମ୍‌ ଉପରେ ଗୁରୁତ୍ୱ ଦେଉଛି’’, କହିଥିଲେ ‘ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ।

ଏହି ଅଧ୍ୟାୟରେ ସମ୍ବଲପୁର ଗଙ୍ଗାଧର ମେହେର ୟୁନିଭର୍ସିଟିର ପୁରାତନ ଛାତ୍ରୀ ତଥା ଜଣାଶୁଣା ଡାକ୍ତର ନାରାୟଣ ପଣ୍ଡା ଯୋଡ଼ି ହୋଇଥିଲେ। ନିକଟରେ ସେ ତାଙ୍କ ଶିକ୍ଷାନୁଷ୍ଠାନକୁ ୩୦ ଲକ୍ଷ ଟଙ୍କା ଦାନ କରିବାର କାରଣ ସମ୍ପର୍କରେ ସେ କହିଥିଲେ।

‘‘ସେପ୍ଟେମ୍ବର ମାସ ଆଡ଼କୁ କୋଭିଡ ସଂଖ୍ୟା ବଢ଼ିପାରେ। ନୂଆ ଭାରିଏଣ୍ଟ ମଧ୍ୟ ଆସିବାର ସମ୍ଭାବନା ରହିଛି।  କିନ୍ତୁ ଆମେ ଏହାକୁ ଏଡ଼ାଇ ପାରିବା। ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଦ୍ୱାରା କୋଭିଡରୁ ଆମେ ସୁରକ୍ଷିତ ରହିପାରିବା’’, କହିଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସବରେଜିଓନାଲ ଟିମ୍‌ ଲିଡର ଡାକ୍ତର ନିହାର ରାୟ।

ଏହାଛଡ଼ା ଆପଣ ଭିଡିଓ ସିରିଜରେ ଏ ସମୟରେ ‘ଘରେ ଘରେ ଅରୁଣିମା କାର୍ଯ୍ୟକ୍ରମ କିଭଳି ଚାଲିଛି ତାହା ଦେଖିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୟୁଟ୍ୟୁବ୍‌ ଲାଇଭ୍‌ କ୍ଲାସ କିଭଳି ଚାଲିଛି ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ଦୂର ଏବଂ ନିରନ୍ତର ନିର୍ଦ୍ଦେଶାଳୟ ବା ଡିଡିସିଇରେ ଚାଲିଥିବା ଭର୍ଚୁଆଲ କ୍ଲାସର ଦୃଶ୍ୟ ଦର୍ଶାଯାଇଛି।

ସେହିପରି ରାଜ୍ୟ ସରକାରଙ୍କ ୫ଟି ଅଧୀନରେ ଚାଲିଥିବା ‘ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ’ ଆଗାମୀ ଦିନରେ ସରକାରୀ ସ୍କୁଲର ବିକାଶ ଦିଗରେ କିଭଳି ଏକ ପ୍ରମୁଖ ଭୂମିକା ନେବ ତାହା ଦେଖାଯାଇଛି।

ଏହାବାଦ୍‌ ଭୁବନେଶ୍ୱର ଇଟିଇଆଇର ଜଣେ ଛାତ୍ର ମହେଶ ପାଣିଗ୍ରାହୀ କିଭଳି ତାଙ୍କ ନିଜ ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଉଛନ୍ତି ତାହାକୁ ସ୍ଥାନିତ କରାଯାଇଛି।

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ୍‌ ୨’ରେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ନଲେଜ ପାର୍ଟନର ଭାବେ ଯୋଡ଼ି ହୋଇଛି।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, ସାହସ ଓ ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଓ ପ୍ରଯୋଜକ ଅଛନ୍ତି।

ଭିଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ୧୫ ଦିନରେ ଥରେ, ରବିବାର ବିଭିନ୍ନ ବିଷୟରେ ଅଡିଓ ସିରିଜ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରିତ ହେଉଛି। ସେହି ଅଡିଓ ସିରିଜ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଏବଂ ଫେସବୁକରେ ମଧ୍ୟ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।