କୋରୋନା ଭାଇରସ୍ ହେଉଛି ଏକ ଶ୍ୱାସକ୍ରିୟା ଦ୍ୱାରା ସଂକ୍ରମିତ ହେଉଥିବା ଭୂତାଣୁ। ଏହା ମୁଖ୍ୟତ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆସିଲେ ହୋଇଥାଏ। ଏହି ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ କାଶ, ଛିଙ୍କ, ଲାଳ କିମ୍ବା ସିଙ୍ଘାଣି ମାଧ୍ୟମରେ ଅନ୍ୟକୁ ବ୍ୟାପିଥାଏ। ତେବେ ଭାରତରେ ଆମିଷ ଖାଇବା ଦ୍ୱାରା ଭାଇରସ ହେବାର କୌଣସି ପ୍ରମାଣ ନାହିଁ।

coronavirus

ଚୀନ୍‌ର ଉହାନ୍‌ ସହରରୁ ଆରମ୍ଭ ହୋଇଥିବା କୋରୋନା ଭାଇରସ୍ ବର୍ତ୍ତମାନ ଭାରତ ସମେତ ପ୍ରାୟ ୩୦ଟି ଦେଶରେ ବ୍ୟାପିଛି। ସାରା ବିଶ୍ୱରେ ଭାଇରସର ଏଭଳି ବିସ୍ତାର ଫଳରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଗୁଜବ ଘୁରିବୁଲୁଛି। ଏହାକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।

ଆମିଷ ଖାଇବା ଦ୍ୱାରା କୋରୋନା ଭାଇରସ ହେବା ନେଇ ଅନେକଙ୍କ ମନରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି। ଏହି ଭୟରେ ଅନେକ ଆମିଷ ଖାଇବା ମଧ୍ୟ ଛାଡ଼ି ଦେଇଥିବାର ଜଣାପଡ଼ିଛି। ତେବେ ସତରେ କ’ଣ ମାଂସ ଖାଇବା ଦ୍ୱାରା କୋରୋନା ଭାଇରସ ହୋଇଥାଏ? ଆସନ୍ତୁ ସେ ବିଷୟରେ ଜାଣିବା।

coronavirus

ମାଂସ ଖାଇବା ଦ୍ୱାରା କୋରୋନା ଭାଇରସ ହୋଇଥାଏ କି?

ଟାଇମ୍‌ସ ଅଫ୍‌ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚୀନର ଉହାନ୍ ସହରର ଏକ ମାଂସ ବଜାରରୁ କୋରୋନା ଭାଇରସ୍ ସୃଷ୍ଟି ହୋଇଥିଲା, ଯେଉଁଠି ଲୋକମାନେ ପ୍ରତିଦିନ ମାଂସ କିଣିବାକୁ ଆସନ୍ତି। ଏହି ବଜାରରେ ଲୋକମାନେ ସମସ୍ତ ପ୍ରକାରର ମାଂସ ଯଥା ଚିକେନ୍, ସାମୁଦ୍ରିକ ଖାଦ୍ୟ, ମଟନ୍, ମେଣ୍ଢା, ଘୁଷୁରୀ ଏବଂ ସାପ ମାଂସ କିଣା ବିକା ଚାଲିଥାଏ।

ଏହି ଭାଇରସ ପଶୁମାନଙ୍କଠାରୁ ମଣିଷକୁ ଆସିଥିବାରୁ ଅନେକ ଭାରତୀୟଙ୍କ ମନରେ ଭୁଲ ଧାରଣା ରହିଛି ଯେ, ମାଂସ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବା ଉଚିତ। ହେଲେ ଭାରତରେ ମାଂସ ଖାଇବା ଦ୍ୱାରା କୋରୋନା ଭାଇରସ ବ୍ୟାପିବାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ।

ତେବେ ରାନ୍ଧିବା ବେଳେ ଆପଣଙ୍କୁ ଯତ୍ନ ନେବା ଆବଶ୍ୟକ କି, ମାଂସ ସ୍ୱଚ୍ଛ ଏବଂ ଭଲ ଭାବରେ ରନ୍ଧା ଯାଇଛି। ମାଂସ କଞ୍ଚା ରହିବା ଉଚିତ ନୁହେଁ। ପଶୁ ମାଂସ ମାଧ୍ୟମରେ ସଂକ୍ରମିତ ହେଉଥିବା କୌଣସି ରୋଗକୁ ରୋକିବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ।

ସେହିପରି ଭାରତୀୟମାନେ ସାମୁଦ୍ରିକ ଖାଦ୍ୟ(Sea Foods) ଖାଇବା ଉପରେ ସନ୍ଦେହ କରୁଛନ୍ତି। ତେବେ ଭାରତରେ ସାମୁଦ୍ରିକ ଖାଦ୍ୟ ଖାଇବା ନିରାପଦ। ସମୁଦ୍ରିକ ପ୍ରାଣୀ ଏବଂ କରୋନାଭାଇରସ୍ ମଧ୍ୟରେ କୌଣସି ସମ୍ପର୍କଥିବାର ପ୍ରମାଣ ନାହିଁ।

ଗୃହପାଳିତ ପଶୁମାନଙ୍କ ଦ୍ୱାରା କୋରୋନା ଭାଇରସ୍ ବ୍ୟାପିଥାଏ କି?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ବର୍ତ୍ତମାନ ସମୟରେ ଗୃହପାଳିତ ପଶୁମାନଙ୍କଠାରେ କୋରୋନା ଭାଇରସ୍ (2019-nCoV) ଥିବାର କୌଣସି ପ୍ରମାଣ ନାହିଁ। ବିଲେଇ ଓ କୁକୁରଙ୍କ ଭଳି ଗୃହପାଳିତ ପଶୁଙ୍କ ଜରିଆରେ ଏଯାବତ କୋରୋନା ଭାଇରସ୍ ବ୍ୟାପିନାହିଁ।